*ଆଉ ନାହାନ୍ତି ରଘୁ ମଉସା… ଦହିବରା ଆଳୁଦମ୍ କଥା କହିଲେ ଯାହାଙ୍କ ନାମ ଆଖି ଆଗକୁ ଚାଲିଆସେ… କଟକିଆ ଙ୍କ ଭାବବେଗ ଓ ଭାବପ୍ରବଣତା ର ମହାଉତ୍ସ… କଟକ ର ପ୍ରସିଦ୍ଧ ରଘୁ ଦହିବରା ଆଳୁଦମ୍ କୁ ବିଶ୍ଵ ଦରବାରରେ ପରିଚିତ କରିବାରେ ଯାହାଙ୍କ ଅବଦାନ ରହିଛି… ତାଙ୍କର ଆଜି ନିଧନ ଘଟିଛି।*

(AKN NEWS):ଆଉ ନାହାନ୍ତି ରଘୁ ମଉସା… ଦହିବରା ଆଳୁଦମ୍ କଥା କହିଲେ ଯାହାଙ୍କ ନାମ ଆଖି ଆଗକୁ ଚାଲିଆସେ… କଟକିଆ ଙ୍କ ଭାବବେଗ ଓ ଭାବପ୍ରବଣତା ର ମହାଉତ୍ସ… କଟକ ର ପ୍ରସିଦ୍ଧ ରଘୁ ଦହିବରା ଆଳୁଦମ୍ କୁ ବିଶ୍ଵ ଦରବାରରେ ପରିଚିତ କରିବାରେ ଯାହାଙ୍କ ଅବଦାନ ରହିଛି… ତାଙ୍କର ଆଜି ନିଧନ ଘଟିଛି। ସେ ଆମ ସମସ୍ତଙ୍କୁ ଛାଡି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମନରେ ପ୍ରଶ୍ନ ଆସେ ଏତେ ଦହିବରା ଆଳୁଦମ୍ ବେପାରୀ ଅଛନ୍ତି କିନ୍ତୁ ରଘୁ ଦହିବରା ଖାଇବା ପାଇଁ ଲୋକ ମାନଙ୍କ ମଧ୍ୟରେ ଏତେ ଆଗ୍ରହ କାହିଁକି ? ଅନ୍ୟ ଦହିବରା ବେପାରୀଙ୍କ ପରି ସେ ପିଆଜ,ସସ୍ ପକାଉନଥିଲେ କି ପ୍ଲେଟ୍ ଆଉ ଚାମଚ୍ ଦେଉନଥିଲେ। ପାରମ୍ପରିକ ଶାଳପତ୍ର ର ଠୁଙ୍ଗାରେ ପରସି ଦେଉଥିଲେ ଦହିବରା ଆଳୁଦମ୍। ସେଥିପାଇଁ ତାହା ପାଟିକୁ ଯେତିକି ସୁଆଦିଆ ଲାଗୁଥିଲା ମନ,ଦେହ ଓ ଆତ୍ମା ସବୁ ତୃପ୍ତ ହୋଇଯାଉଥିଲା। କଟକ ସହରର ଇତିହାସ ବାରବାଟୀ, ମହାନଦୀ ଓ ଅକ୍ଷୟ ମହାନ୍ତିଙ୍କ ବିନା ଯେପରି ଲେଖା ଯାଇନପାରେ ସେହିପରି ରଘୁ ମଉସାଙ୍କ ବିନା ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ।ଆନ୍ତର୍ଜାତୀୟ ସ୍ତରରେ ଦହିବରା ଆଳୁଦମ୍ କୁ ପହଞ୍ଚାଇ ସେ କଟକ ସହରର ଗୋଟିଏ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି କହିଲେ ଭୁଲ୍ ମଧ୍ୟ ହେବ ନାହିଁ।କଟକ କୁ ଯିଏ ଯେବେ ଆସିଲେ କଳାକାର,ରାଜନେତା,ଅଭିନେତା,କ୍ରୀଡାବିତ୍,ଅଫିସର ବା ସାଧାରଣ ଲୋକେ ସମସ୍ତେ ଖୋଜିବେ ରଘୁ ଦହିବରା ଖାଇବା ପାଇଁ… ଏହା ହିଁ ବ୍ୟକ୍ତିର ବିଶେଷତ୍ବ ବା ଆକର୍ଷଣୀୟତା। ଆଜି ତାଙ୍କ ଅବର୍ତ୍ତମାନରେ ନୀରବି ଯାଇଛି କଟକ ସହର…. ଦୁଃଖରେ ମ୍ରିୟମାଣ ଓଡ଼ିଶାବାସୀ… ସ୍ଥାନୀୟ ଲୋକଙ୍କ ଆଖିରେ ଆଖିଏ ଲୁହ। ସେଥିପାଇଁ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍,ମେୟର ସୁବାସ ସିଂ, ପୂର୍ବତନ ବିଧାୟକ ମହମ୍ମଦ ମୁକିମ୍,ସିନେ ଅଭିନେତା ଶ୍ରୀତମ ଦାସଙ୍କ ପରି ବିଶିଷ୍ଟ ବ୍ୟକ୍ତିମାନଙ୍କ ସୁଅ ଛୁଟିଥିଲା ତାଙ୍କ ବାସଭବନକୁ… କୌଣସି କାମ ଛୋଟ କି ବଡ଼ ନୁହେଁ…ମଣିଷ ନିଜର ଆନ୍ତରିକତା,ନିଷ୍ଠା ଓ କଠିନ ପରିଶ୍ରମ ଦ୍ଵାରା ପ୍ରମାଣିତ କରିପାରେ ଯେ ସେ ହିଁ ସର୍ବଶ୍ରେଷ୍ଠ ଓ ତା କାମ ହିଁ ସର୍ବୋକୃଷ୍ଟ। ରଘୁ ମଉସାଙ୍କ ଆତ୍ମାର ସଦଗତି କାମନା ସହିତ ହୃଦୟରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 🙏 ଜଣାଉଛି।
ବ୍ୟୁରୋ ରିପୋର୍ଟ AKN NEWS


