ଅନନ୍ୟ

ଅନ୍ତର୍ଜାତୀୟ ମହିଳା ଦିବସର ଅନୁଚିନ୍ତା

***************************

ନାରୀ ହେଉଛି ଈଶ୍ୱରଙ୍କର ଏକ ଅନନ୍ୟ ସୃଷ୍ଟି ।ଶକ୍ତିର ଅନନ୍ୟ ଉଦାହରଣ ହେଉଛି ନାରୀ ।ନାରୀଟିଏ କେତେବେଳେ କନ୍ୟା, ଜାୟା,ଭଗିନୀ ରୂପରେ ପୁଣି କେତେବେଳେ ଜନନୀ ରୂପରେ ଏ ସମାଜରେ ଅବତୀର୍ଣ୍ଣ ହୋଇଥାଏ ।ଉଭୟ ପୁରୁଷ ଓ ମହିଳା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି।ନାରୀ ଓ ପୁରୁଷ ସମାଜର ଦୁଇଟି ଅଭିନ୍ନ ଅଙ୍ଗ ।ଗୋଟିଏ ବିନା ଅନ୍ୟଟିର ପରିକଳ୍ପନା ଅସମ୍ଭବ । ପୂର୍ବେ ନାରୀ ମାନଙ୍କୁ ଅବଳା ଦୁର୍ବଳା ବୋଲି କୁହାଯାଉଥିଲା କିନ୍ତୁ ଆଜି ନାରୀଟିଏ ଆଉ ଘର କଣରେ ବସି ରହିନାହିଁ ।ପୁରୁଷଙ୍କ ସହିତ ସମତାଳରେ ଗତି କରୁଛି ।ସମାଜ ଗଠନରେ ନାରୀ ଓ ପୁରୁଷଙ୍କର ସମାନ ଭୂମିକା ରହିଛି ।ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ, ରାଜନୀତି ସବୁ କ୍ଷେତ୍ରରେ ମହିଳାମାନେ ନିଜର ପାରଦର୍ଶିତା ଦେଖାଇପାରିଛନ୍ତି ।ମହିଳାମାନେ ଆଜି ପରିବାର ପାଇଁ ବୋଝ ହୋଇ ନାହାଁନ୍ତି ।ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି ।ପରିବାରର ବୋଝ ଉଠାଇବା ସହିତ ଦେଶ ତଥା ବିଶ୍ୱର ବିକାଶରେ ନିଜକୁ ସାମିଲ କରିପାରିଛନ୍ତି ।ମହିଳାମାନେ ଆଜି ହାଣ୍ଡିଶାଳରୁ ମହାକାଶ ପର୍ଯ୍ୟନ୍ତ ନିଜର ସଫଳତା ପ୍ରତିପାଦିତ କରିପାରିଛନ୍ତି ।ପ୍ରତିଟି କ୍ଷେତ୍ରରେ ମହିଳାମାନେ ନିଜର ପାରଦର୍ଶିତାର ପ୍ରମାଣ ଦେଇ ପୁରୁଷ ସହ କାନ୍ଧକୁ କାନ୍ଧ ମିଳାଇ ଆଗେଇ ଚାଲିଛନ୍ତି ।ସମାଜର ପ୍ରତିଟି କ୍ଷେତ୍ରରେ ମହିଳା ମାନଙ୍କର ସହଭାଗୀତା ରହିଛି ।ମହିଳାମାନେ ନିଜ ନିଜର ପ୍ରତିଭା ଓ ଦକ୍ଷତା ଦ୍ବାରା ସମାଜରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେମାନେ ପ୍ରମାଣିତ କରିପାରିଛନ୍ତି ଝିଅ ଆଜି ପରିବାର ପାଇଁ ବୋଝ ନୁହେଁ, ବରଂ ପରିବାରର ପାଇଁ ବରଦାନ ।

ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ।ମହିଳାଙ୍କ ଆର୍ଥିକ, ରାଜନୈତିକ, ସାମାଜିକ ତଥା ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଯୋଗଦାନ ବଢ଼ାଇବା ଓ ତାଙ୍କୁ ନିଜ ଅଧିକାର ପ୍ରତି ସଚେତନ କରିବା, ସମାଜରେ ସମାନତା ପାଇଁ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଉଦ୍ଦେଶ୍ୟ ।ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ପ୍ରଶଂସା ନିମନ୍ତେ ଏହି ଦିବସ ପାଳନ କରାଯାଏ ।ଏହା ସହିତ ଯେକୌଣସି କ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବକୁ ରୋକିବା ଉଦ୍ଦେଶ୍ୟରେ ଏହି ଦିନ ମଧ୍ୟ ପାଳନ କରାଯାଏ। ଏହି ଦିନ ମହିଳାଙ୍କ ଅଧିକାର ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ସେମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକ୍ରମ ଏବଂ ଅଭିଯାନ ମଧ୍ୟ ଆୟୋଜିତ କରାଯାଏ ।ଏହି ସ୍ବତନ୍ତ୍ର ଦିନ ସମଗ୍ର ବିଶ୍ବର ନାରୀ ପାଇଁ କୌଣସି ଉତ୍ସବଠାରୁ କମ୍‌ ନୁହେଁ ।

ଅନ୍ତର୍ଜାତୀୟ ମହିଳା ଦିବସ ଏକ ଶ୍ରମିକ ଆନ୍ଦୋଳନରୁ ସୃଷ୍ଟି ହୋଇଛି। ୧୯୦୮ ମସିହାରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା। ଯେତେବେଳେ ନ୍ୟୁୟର୍କ ସହରରେ ୧୫ ହଜାର ମହିଳା ମାର୍ଚ୍ଚ ମାସରେ ଆନ୍ଦୋଳନ କରି ଚାକିରି କ୍ଷେତ୍ରରେ ସେମାନଙ୍କ ପାଇଁ କମ ସମୟ, ଭଲ ପାରିଶ୍ରମିକ ଦିଆଯାଉ ବୋଲି ଦାବି କଲେ। ଏହା ସହ ଭୋଟ ଦେବାର ଅଧିକାର ମଧ୍ୟ ଦାବି କରିଥିଲେ। ଏଣୁ ଆନ୍ଦୋଳନର ଏକ ବର୍ଷ ପରେ ଆମେରିକାର ସମାଜବାଦୀ ପାର୍ଟି ଏହି ଦିନଟିକୁ ପ୍ରଥମ ଜାତୀୟ ମହିଳା ଦିବସ ଭାବରେ ଘୋଷଣା କରିଥିଲା।୧୯୧୦ ମସିହାରେ କପିଳେନ୍ଦ୍ରରେ କାର୍ଯ୍ୟରତ ମହିଳାମାନଙ୍କର ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଚାଲିଥିଲା। ଏହି ସମୟରେ କ୍ଲାରା ଜେଟ୍‌କିନ ନାମ୍ନୀ ମହିଳା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସେହି ସମୟରେ ଏହି ସମ୍ମିଳନୀରେ ୧୭ଟି ଦେଶର ୧୦୦ ମହିଳା ଉପସ୍ଥିତ ଥିଲେ। ସମସ୍ତେ ଏହି ପରାମର୍ଶକୁ ସମର୍ଥନ କଲେ। ୧୯୧୧ ମସିହାରେ ଅଷ୍ଟ୍ରିଆ, ଡେନ୍‌ମାର୍କ, ଜର୍ମାନୀ ଏବଂ ସ୍ବିଜରଲାଣ୍ଡରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ମାତ୍ର ୧୯୭୫ରେ ଏହା ଆନୁଷ୍ଠାନିକ ମାନ୍ୟତା ପାଇଲା। ସେତେବେଳେ ଏହାକୁ ମିଳିତ ଜାତିସଂଘ ଏକ ଥିମ ସହିତ ପ୍ରତିବର୍ଷ ପାଳନ କରିବା ଆରମ୍ଭ କଲା।

୧୯୧୭ ମସିହାରେ ଯୁଦ୍ଧ ସମୟରେ ଋଷର ମହିଳାମାନେ ‘ରୁଟି ଏବଂ ଶାନ୍ତି’ ପାଇଁ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଥିଲେ। ମହିଳା ଧର୍ମଘଟ ସମ୍ରାଟ ନିକୋଲାସଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରୁଥିବାରୁ ଏହି ଧର୍ମଘଟ ମଧ୍ୟ ଐତିହାସିକ ଥିଲା। ଏହା ପରେ ମଧ୍ୟବର୍ତ୍ତୀକାଳୀନ ସରକାର ମହିଳାମାନଙ୍କୁ ଭୋଟ୍ ଦେବାର ଅଧିକାର ଦେଇଥିଲେ। ସେହି ସମୟରେ, ଜୁଲିଆନ୍ କ୍ୟାଲେଣ୍ଡର ଋଷରେ ଏବଂ ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ବିଶ୍ୱର ଅନ୍ୟାନ୍ୟ ଦେଶରେ ଚାଲୁଥିଲା । ମହିଳାମାନେ ଏହି ଧର୍ମଘଟ ଆରମ୍ଭ କରିବାର ତାରିଖ ଥିଲା ୨୩ ଫେବୃଆରୀ (ଋଷର ଜୁଲିଆନ୍ କ୍ୟାଲେଣ୍ଡର ଅନୁଯାୟୀ) ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ଏହି ଦିନ ୮ ମାର୍ଚ୍ଚ ଥିଲା । ସେହି ସମୟରେ, ଗ୍ରେଗୋରିଆନ୍ କ୍ୟାଲେଣ୍ଡର ସାରା ବିଶ୍ୱରେ ଚାଲିଥାଏ । ତେଣୁ ସେହି ଦିନଠାରୁ ଅନ୍ତର୍ଜାତୀୟ ମହିଳା ଦିବସ ୮ ମାର୍ଚ୍ଚରେ ପାଳନ ହେବାକୁ ଲାଗିଲା ।୧୯୭୫ ରେ ମିଳିତ ଜାତିସଂଘ ସରକାରୀ ମାନ୍ୟତା ଦେଇଥିଲା । ମିଳିତ ଜାତିସଂଘ ୧୯୭୫ ରେ ଆନୁଷ୍ଠାନିକ ଭାବେ ମହିଳା ଦିବସକୁ ସ୍ୱୀକୃତି ଦେଇଥିଲା ।

ମହିଳାମାନେ ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ ବଢ଼ିଲେଣି । ଅନେକ କ୍ଷେତ୍ରରେ ସେମାନେ ପୁରଷଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ଚାଷ କାମ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ହେଉ କି କ୍ରୀଡ଼ା, ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କଲେଣି ମହିଳାମାନେ । ତେବେ ସେମାନେ କିପରି ଆହୁରି ଆଗକୁ ଆଗକୁ ବଢ଼ିପାରିବେ, ସେ ନେଇ ଆଲୋଚନା ହୁଏ ।  ମିଳିତ ଜାତିସଂଘ ୧୯୭୫ ରେ ଏକ ଥିମ୍ ସହିତ ପ୍ରତିବର୍ଷ ମହିଳା ଦିବସ ପାଳନ କରିବା ଆରମ୍ଭ କରିଥିଲା ।ପ୍ରତିବର୍ଷ ଏହି ଦିବସର ତାତ୍ପର୍ଯ୍ୟ ହେତୁ ଏକ ଥିମ୍ ଦିଆଯାଇଥାଏ। ଅନ୍ତର୍ଜାତୀୟ ମହିଳା ଦିବସରେ ଚଳିତ ବର୍ଷ ୨୦୨୬ର ଥିମ୍ ରହିଛି “Give to Gain ” । ଏହି ଅଭିଯାନ ଉଦାରତା ଏବଂ ସହଯୋଗର ମାନସିକତାକୁ ଉତ୍ସାହିତ କରେ।ମହିଳାମାନଙ୍କୁ ସଶକ୍ତ କରିବା ଦ୍ଵାରା ସମୃଦ୍ଧି ପ୍ରାପ୍ତ ହୁଏ। ଯେତେବେଳେ ମହିଳାମାନେ ଶିକ୍ଷା, ନେତୃତ୍ୱ, ଉଦ୍ୟୋଗୀତା, ବିଜ୍ଞାନ, କଳା ଏବଂ ରାଜନୀତିରେ ସଫଳ ହୁଅନ୍ତି, ସେତେବେଳେ ସମଗ୍ର ସମ୍ପ୍ରଦାୟ ଅଧିକ ଶକ୍ତିଶାଳୀ ହୁଏ।ଗିଭ୍ ଟୁ ଗେନ୍ ପାରସ୍ପରିକ ସମ୍ପର୍କ ଏବଂ ସମର୍ଥନର ଶକ୍ତିକୁ ଗୁରୁତ୍ୱ ଦିଏ। ଯେତେବେଳେ ଲୋକ, ସଂଗଠନ ଏବଂ ସମ୍ପ୍ରଦାୟ ଉଦାର ଭାବରେ ଦାନ କରନ୍ତି, ମହିଳାମାନଙ୍କ ପାଇଁ ସୁଯୋଗ ଏବଂ ସମର୍ଥନ ବୃଦ୍ଧି ପାଏ।ଦାନ ଏକ ବିୟୋଗ ନୁହେଁ, ଏହା ଉଦ୍ଦେଶ୍ୟମୂଳକ ଗୁଣନ। ଯେତେବେଳେ ମହିଳାମାନେ ଉନ୍ନତି କରନ୍ତି, ଆମେ ସମସ୍ତେ ଉପରକୁ ଉଠିଥାଉ। ଯେତେବେଳେ ମହିଳାମାନେ ସେମାନଙ୍କର ସମୟ, ଶକ୍ତି, ନେତୃତ୍ୱ ପ୍ରଦାନ କରନ୍ତି ସେତେବେଳେ ଆମେ ସମସ୍ତେ ଲାଭ ପାଆନ୍ତି।

ଯଦିଓ ଆଜି ବିଶ୍ୱର ସମସ୍ତ ଦେଶ ସଚେତନ, କିନ୍ତୁ ମହିଳାଙ୍କ ଅଧିକାର ପାଇଁ ସଂଗ୍ରାମ ଜାରି ରହିଛି। ଅନେକ କ୍ଷେତ୍ରରେ ମହିଳାମାନେ ଆଜି ମଧ୍ୟ ସମାନ ସମ୍ମାନ ଏବଂ ଅଧିକାର ପାଇ ନାହାଁନ୍ତି।ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କ ଜୀବନରେ ଉନ୍ନତି ଆଣିବା ଲକ୍ଷ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ।ନାରୀକୁ ସମାଜ ବୁଝିବା ଓ ସମ୍ମାନର ସହ ବଞ୍ଚିବାକୁ ଦେବା ନିହାତି ଆବଶ୍ୟକ ।

ଗାନ୍ଧିଜୀ କହିଥିଲେ ଯେଉଁଦିନ ଗୋଟିଏ ନାରୀ ଅର୍ଦ୍ଧ ରାତିରେ ସମ୍ପୂର୍ଣ୍ଣ ନିରାପଦ ସହିତ ଘରକୁ ଫେରିପାରିବ ସେହିଦିନ ଆମ ଦେଶ ସମ୍ପୂର୍ଣ୍ଣ ସ୍ୱାଧୀନ ସୁରକ୍ଷିତ ହୋଇଯିବ ।ନାରୀ ହିଁ ନାରାୟଣୀ,ଜଗତର ମଙ୍ଗଳକାରିଣୀ।କିନ୍ତୁ ଆଜିର ମଣିଷ ଏ କଥାକୁ ଉପଲବ୍ଧି କରିପାରୁନାହିଁ ।ଆମ ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଲିଙ୍ଗଗତ ଅସମାନତା ପରିଲକ୍ଷିତ ହେଉଛି ଯାହା ଚିନ୍ତାର ବିଷୟ।ସମାଜରେ ବଢି ଚାଲିଛି ଯୌତୁକ ନିର୍ଯ୍ୟାତନା, ବଧୂହତ୍ୟା, ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଏବଂ କନ୍ୟାଭ୍ରୁଣ ହତ୍ୟା ଭଳି ଅମାନୁଷିକ କାର୍ଯ୍ୟ ।ଯେଉଁଦିନ ସମାଜରୁ ଏଭଳି ଘଟଣା ଦୂରେଇଯିବ ଏବଂ ଯେଉଁଦିନ ସମାଜ ମହିଳାମାନଙ୍କର ମହତ୍ୱକୁ ଉପଲବ୍ଧି କରିପାରିବ ସେଦିନ ସମାଜ ପ୍ରଗତି ପଥରେ ଅଗ୍ରସର ହୋଇପାରିବ ।ଯେଉଁଦିନ ନାରୀଟିଏ ସମାଜରେ ସମ୍ମାନର ସହିତ ବଞ୍ଚିବ ସେହିଦିନ ମହିଳା ଦିବସ ପାଳିବାର ମହତ୍ୱକୁ ସାରାବିଶ୍ୱ ଉପଲବ୍ଧି କରିପାରିବ ।

ଚିତ୍ତରଞ୍ଜନ ପୃଷ୍ଟି,  ନିମାପଡା, ପୁରୀ

ମୋ-୯୭୭୮୧୭୭୫୦୧

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!