ଅନନ୍ୟ

ଦତ୍ତାତ୍ରେୟ ଅବତାର କଥା

 

 

ପ୍ରଭୁ ଶ୍ରୀରାମଙ୍କ ଚିତ୍ରକୁଟ ନିବାସ ସମୟର କଥା l ଦିନେ ଲକ୍ଷ୍ମଣଙ୍କୁ ପ୍ରଭୁ କହିଲେ, ଚାଲ ଏହି ଅରଣ୍ୟ ଛାଡ଼ି ଅନ୍ୟକୌଣସି ଅରଣ୍ୟକୁ ଚାଲିଯିବା l ତେଣୁ ସେମାନେ ଉପଯୁକ୍ତ ସ୍ଥାନ ସନ୍ଧାନରେ ଅତ୍ରି ମୁନିଙ୍କ ପରାମର୍ଶପାଇଁ ଯାଇ ତାଙ୍କ ଆଶ୍ରମରେ ପହଞ୍ଚିଲେ l ମହର୍ଷି ରାମ, ଲକ୍ଷ୍ମଣ ଓ ସୀତାଙ୍କୁ ଅତି ଆନନ୍ଦରେ ସ୍ୱାଗତ କଲେ l ପ୍ରଭୁ ଭାଇ ଓ ପତ୍ନୀ ସୀତାଙ୍କ ସହ ମୁନିଙ୍କ ପଦ ବନ୍ଦନା କଲେ l ସେମାନଙ୍କୁ କଲ୍ୟାଣ କରି ତାଙ୍କ ନିମନ୍ତେ ଭୋଜନ ଓ ବିଶ୍ରାମର ବ୍ୟବସ୍ଥା କରିବା ପାଇଁ ମୁନି ଶିଷ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ l ସେମାନେ ମୁନିଙ୍କ ଆଶ୍ରମର ମନୋରମ ଶୋଭାକୁ ଅବଲୋକନକରି ଅତି ଆନନ୍ଦିତ ହେଉଥାନ୍ତି l ଏହି ସମୟରେ ଶ୍ରୀରାମ ମୁନିଙ୍କୁ ପଚାରିଲେ, ହେ ପରମ ପୂଜ୍ୟ ମହର୍ଷି ! ଏଠାରେ ଏହି ଅବସନ୍ତରେ ବସନ୍ତ ବିରାଜମାନ କରୁଛି କିପରି? ବୃକ୍ଷରାଜି ସମସ୍ତ ନବ ପଲ୍ଲବରେ ମଣ୍ଡିତ ହୋଇଅଛନ୍ତି l ପୁଷ୍ପ ବାଟିକାରେ ପ୍ରଷ୍ଫୁଟିତ ବିବିଧ କୁସୁମ ମନପ୍ରାଣକୁ ଆକର୍ଷିତ କରି ନେଉଛି l ଆଶ୍ରମରେ ସିଂହ ଓ କୁରଙ୍ଗ ଏକତ୍ର ବାସ କରୁଛନ୍ତି l ଏହା କଅଣ ଆପଣଙ୍କ ତପସ୍ୟା ଯୋଗୁଁ ସମ୍ଭବ ହୋଇଛି ? ମହର୍ଷି ହସି ହସି କହିଲେ, ହେ ରାଘବ, ତୁମକୁ କଅଣ ବା ଅଜଣା ଅଛି ? ତଥାପି ଯଦି ପଚାରୁଛ ତେବେ କହୁଛି, ଶୁଣ l ଏହା ସମ୍ଭବ ହୋଇଛି କେବଳ ଏଠାରେ ଅନସୂୟାଙ୍କ ଉପସ୍ଥିତି ଯୋଗୁଁ l ଏହିଠାରେ ଦାନବ ମାନେ ବହୁ ଉପଦ୍ରବ କରୁଥିଲେ ମଧ୍ୟ ସେମାନେ ତାଙ୍କରି ପ୍ରଭାବରୁ ଏହି ଆଶ୍ରମରେ ପ୍ରବେଶ କରି ପାରୁ ନାହାଁନ୍ତି l ଆଗରୁ ଏହି ସ୍ଥାନ ଏପରି ହରିତ ଶ୍ୟାମଳ ନ ଥିଲା l ଏହି ସ୍ରୋତସ୍ୱିନୀ ମନ୍ଦାକିନୀ ନଦୀକୁ ଯେଉଁ ମହୀୟସୀ ନାରୀ ଏଠାକୁ ଆଣି ପାରିଛନ୍ତି ସେ ହେଉଛନ୍ତି ମୋ ପତ୍ନୀ ମହାସତୀ ଅନସୂୟା l ତାଙ୍କ ସତୀତ୍ଵ ଗାଥା ସର୍ବଜନ ବିଦିତ l ତୁମେମାନେ ମଧ୍ୟ ଏ ନାମ ସହ ପରିଚିତ ଥିବ ନିଶ୍ଚୟ l

ଶ୍ରୀରାମ କହିଲେ, ହଁ, ଆମେ ଗୁରୁଦେବଙ୍କ ଠାରୁ ଶୁଣିଛୁ, ମାଆ ଅନସୂୟା ହେଉଛନ୍ତି ସତୀମାନଙ୍କ ଭିତରେ ଅଗ୍ରଗଣ୍ୟା l ତାଙ୍କ ନାମ ଆଜି ଆପଣଙ୍କ ମୁଖରୁ ଶୁଣି ମୋର ତନମନ ପବିତ୍ର ହୋଇଗଲା l ତାଙ୍କ ପବିତ୍ର ଚରିତ ଶୁଣିବା ପାଇଁ ମୋର ମନରେ ପ୍ରବଳ ଉତ୍କଣ୍ଠା ଜାତ ହେଉଛି l ଆପଣ ଦୟାକରି ତାହା ଆମ୍ଭଙ୍କୁ ଶୁଣାନ୍ତୁ l ଶ୍ରୀରାମଙ୍କ ଆଗ୍ରହ ଦେଖି ଅତ୍ରି ଆରମ୍ଭ କଲେ ସେହି ମହାନ୍ ଗାଥା l

ଦିନେ, ଦେବୀ ଅନସୂୟାଙ୍କ ସତୀତ୍ଵର ଗାଥା, ଯାଇ ଭୂଲୋକରୁ ସ୍ୱର୍ଗ ଲୋକରେ ପହଞ୍ଚିଥିଲା l ଦେବର୍ଷି ନାରଦ ବ୍ରହ୍ମଲୋକ, ବୈକୁଣ୍ଠ ଓ କୈଳାଶରେ ବୁଲି ଏ ସତୀଙ୍କ ଗୁଣଗାନ କରୁଥିଲେ l ଦେବର୍ଷି କେବେ ସାବିତ୍ରୀଙ୍କ ପାଖରେ କେବେ ଲକ୍ଷ୍ମୀଙ୍କ ପାଖରେ ତ ପୁଣି କେତେ ବେଳେ ପାର୍ବତୀଙ୍କ ନିକଟରେ ତାଙ୍କ କଥା ଶୁଣାଇ ଚମତ୍କୃତ କରୁଥିଲେ l

ଦେବର୍ଷିଙ୍କ ମୁଖରୁ ଅନସୂୟାଙ୍କ ପ୍ରଶଂସା ଶୁଣିଶୁଣି ଦିନେ ତିନି ମହା ଦେବୀ ଈର୍ଷାରେ ଜଳି ଉଠିଲେ l ସେମାନେ ଦିନେ ଏକତ୍ର ହୋଇ ଅନସୂୟାଙ୍କ ପତି ବ୍ରତର ପରାକାଷ୍ଠାକୁ ପ୍ରତିହତ କରିବାପାଇଁ ମସୁଧା କଲେ l ସେମାନେ ନିଜ ନିଜ ପତିଙ୍କୁ ଅନସୂୟାଙ୍କ ସତୀତ୍ଵ ନଷ୍ଟକରିବାର ଦାୟିତ୍ୱ ନେବାକୁ କହିଲେ l ତ୍ରିଦେବ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏ ପ୍ରସ୍ତାବ ଶ୍ରବଣ କରି, ଅସନ୍ତୋଷ ପ୍ରକାଶ କରି ଅସ୍ଵୀକାର କଲେ l ଏଥିରେ, ତିନି ଦେବୀଙ୍କ ମୁଖରୁ ହସ ଲିଭି ଗଲା l ଘରେ ବିଭିନ୍ନ ଅଶାନ୍ତି ହୋଇ ଦାମ୍ପତ୍ୟ କଳହ ବୃଦ୍ଧି ପାଇଲା l ଦିନେ ତିନି ଦେବତା ଯାକ ଏକାଠି ବସି ନିଜନିଜ ଘର କଥା ସବୁ ଆଲୋଚନା କରୁଥିଲେ l ତିନି ଜଣଙ୍କ ସମସ୍ୟା ଗୋଟିଏ ଥିଲା l ପୁଣି ତାହା ଗୋଟିଏ ଅନୀତିକାର୍ଯ୍ୟ କରିବା ପାଇଁ ଅଭିପ୍ରେତ l ଦେବୀ ମାନଙ୍କର ଗର୍ବଗଞ୍ଜନ ପାଇଁ ତିନି ଦେବତା ସ୍ଥିର କଲେ l ସେମାନେ ଏହି ପ୍ରସ୍ତାବଟିକୁ ସ୍ୱୀକୃତି ଦେଇ ଦେବୀ ମାନଙ୍କୁ ତୃପ୍ତ କଲେ l

ଦିନେ ପ୍ରାତଃକାଳରେ ଆମ୍ଭ ଆଶ୍ରମ କୁଟୀର ଦ୍ୱାର ଦେଶରେ ତିନିଜଣ ବିପ୍ର ଆସି ପତ୍ନୀ ଅନସୂୟାଙ୍କୁ ଭୋଜନଦିଅ ବୋଲି ପ୍ରାର୍ଥନା କଲେ l ସେମାନଙ୍କୁ ଅପେକ୍ଷା କର କହି ଅନସୂୟା ଭିତରକୁ ଯାଉଥାନ୍ତି ଏହି ସମୟରେ ବ୍ରାହ୍ମଣ ମାନେ ଡାକି କହିଲେ, ହଁ ଶୁଣ ! ଆମର ଅନ୍ୟକିଛି ଖାଦ୍ୟ ଆବଶ୍ୟକନାହିଁ l ଆମ କ୍ଷୁଧା ନିବାରଣ ପାଇଁ, ତୁମକୁ ନିର୍ବସ୍ତ୍ରା ହୋଇ ଆମକୁ ସ୍ତନ ପାନ କରାଇବାକୁ ପଡ଼ିବ l ଅନସୂୟା ଚିନ୍ତାରେ ପଡ଼ିଗଲେ,ବ୍ରାହ୍ମଣମାନଙ୍କୁ ମୁଁ କିପରି ତୃପ୍ତ କରି ପାରିବି ! ଅଳ୍ପସମୟ ଚିନ୍ତାକରି ହସ୍ତରେ ଜଳ ଅଞ୍ଜଳୀ ଧରି ମନମଧ୍ୟରେ ସଂକଳ୍ପକଲେ, ସତରେ ଯଦି ମୋର ପତିଙ୍କ ପାଦରେ ଭକ୍ତି ଥିବ l ଯଦି ମୁଁ ସତୀସାଧ୍ୱୀ ପତିବ୍ରତା ହୋଇଥିବି, ତେବେ ଏ ବିପ୍ର ତିନିଜଣ ତିନିଟି ବାଳକ ହୋଇ ଯାଆନ୍ତୁ l ଏପରି କହି ସେ ଅଭିମନ୍ତ୍ରିତଜଳକୁ ତିନି ବ୍ରାହ୍ମଣରୂପୀ ତିନି ଦେବତାଙ୍କ ଉପରେ ସିଞ୍ଚି ଦେଲେ l ଆଶ୍ଚର୍ଯ୍ୟ ଏକ ଘଟଣା ଘଟିଲା l ତତ୍କ୍ଷଣାତ୍ ତିନି ବ୍ରାହ୍ମଣ ତିନୋଟି ଶିଶୁରେ ପରିଣତ ହୋଇଗଲେ l କ୍ଷେତ୍ର ମୋହନ ରାମାୟଣ ଅନୁସାରେ :-

ତାହା ଦେଖି ସତୀଙ୍କର ଚିତ୍ତ ହରଷିତ l

ପୁତ୍ରଙ୍କୁ କୋଳରେ ଧରି ଗାଇଲେକ ଗୀତ ll

ଅତ୍ରିମୁନି କହିଲେ,ବ୍ରାହ୍ମଣ ମାନଙ୍କୁ ଶିଶୁପୁତ୍ର ରୂପେ ପାଇ ଆମ୍ଭେ ପତି ପତ୍ନୀ ଅତ୍ୟନ୍ତ ଆନନ୍ଦିତ ହେଲୁ l ସେମାନେ ଆମ ଆଶ୍ରମରେ ରହିଲେ l

ଇଆଡ଼େ ବହୁଦିନ ଯାଏ ସେମାନେ ନ ଫେରିବାରୁ ବ୍ରହ୍ମାଣୀ ନାରାୟଣୀ ଏବଂ ରୁଦ୍ରାଣୀ ବଡ଼ ଚିନ୍ତାରେ ପଡ଼ିଗଲେ l ସ୍ୱାମୀମାନେ କୁଆଡେ ଗଲେ ତାଙ୍କର କୌଣସି ଖବର ସେମାନେ ନ ପାଇ ବ୍ୟସ୍ତ ହୋଇ ପଡ଼ି ଥାନ୍ତି l ହଠାତ୍ ଦିନେ, ଦେବର୍ଷି ନାରଦ ଆସି ସାବିତ୍ରୀଙ୍କ ପାଖରେ ଉପସ୍ଥିତ ହେଲେ l ନାରଦ ତ ତ୍ରିପୁରର ସମ୍ବାଦ ରଖି ଥାନ୍ତି, ସେ ଜାଣିଥିବେ ଭାବି ସାବିତ୍ରୀ ତାଙ୍କୁ ବ୍ରହ୍ମାଙ୍କ ଖବର ପଚାରିଲେ l ନାରଦ କିଛି ନଜାଣିଲାପରି କହିଲେ,’ହଁ ! ଦିନେ ମୁଁ ତାଙ୍କୁ, ବୈକୁଣ୍ଠରେ ନାରାୟଣ ଏବଂ ଭଗବାନ୍ ଶଙ୍କରଙ୍କ ସହିତ କୌଣସି ଏକ ସମସ୍ୟାଉପରେ ଆଲୋଚନା କରୁଥିବା ଦେଖି ଥିଲି l ସେମାନେ ମୁଁ ପହଞ୍ଚି ଯିବା ଦେଖି ଚୁପ୍ ହୋଇ ଗଲାରୁ ମୁଁ ତାଙ୍କ କଥାରେ ମୁଣ୍ଡ ନ ପୁରାଇ ଚାଲି ଆସିଲି l ସାବିତ୍ରୀ କହିଲେ, ହଉ ତେବେ ଚାଲ, ମହାଲକ୍ଷ୍ମୀଙ୍କୁ ଟିକେ ଭେଟିବା l ସିଏ ହୁଏ ତ ଜାଣିଥାଇ ପାରନ୍ତି l

ଦୁହେଁଯାଇ ବୈକୁଣ୍ଠରେ ପହଁଚିଗଲେ l ସାବିତ୍ରୀଙ୍କୁ ଦେଖି ମହାଲକ୍ଷ୍ମୀ କହିଲେ, ବିଷ୍ଣୁ ବହୁ ଦିନ ହେଲା ବୈକୁଣ୍ଠରେ ନାହାଁନ୍ତି l ସେ କଅଣ ବ୍ରହ୍ମ ଲୋକରେ ଅଛନ୍ତି କି ? ନାରଦ ଦୁହିଁଙ୍କୁ ନିରୀକ୍ଷଣ କରି, ମୃଦୁ ମୃଦୁ ହସୁଥାନ୍ତି l ବ୍ରହ୍ମ ଲୋକରେ ବ୍ରହ୍ମା ଓ ବୈକୁଣ୍ଠ ପୁରରେ ବିଷ୍ଣୁ ନାହାଁନ୍ତି ଜାଣିଗଲା ପରେ ସେମାନେ ଚାଲିଲେ କୈଳାଶ ପୁରୀକୁ l

କୈଳାଶ ପର୍ବତରେ ପହଞ୍ଚି ସେମାନେ ଦେଖନ୍ତି ତ ମାଆ ହୈମବତୀଙ୍କ ଏକ ଦଶା l କୈଳାସରେ ବହୁ ଦିନ ଧରି ଶିବ ନାହାଁନ୍ତି l ତାଙ୍କୁ ଝୁରି ଝୁରି ପାର୍ବତୀ କଣ୍ଟା ହୋଇ ଗଲେଣି l ନାରଦଙ୍କୁ ଲୁଚାଇ ଲୁଚାଇ ଦେଵୀ ମାନେ କଅଣ ସବୁ ଆଲୋଚନା ହେଲେ l ତାଙ୍କର ଡର, ଏକଥା ନାରଦ ଜାଣିଗଲେ ତ ତିନି ପୁରରେ ନାଗରା ବଜେଇ ଦେବେ l

ମାଆ ସାବିତ୍ରୀ ନାରଦଙ୍କୁ ଚୁପ୍ କରି ଡାକି କହିଲେ,

ପୁତ୍ର,ତୋ ପିତା ଓ ଅନ୍ୟ ଦୁଇଜଣ କୁଆଡେ ଗଲେ କେମିତି ଜାଣିବା? ନାରଦ କହିଲେ, “ଇଏ କୋଉ ବଡ଼ କଥା ? ଏକଥା ତ ତାଙ୍କ ବାହନ ମାନେ ଜାଣି ଥିବେ,ତାଙ୍କୁ ପଚରା ଯାଉ l ସମସ୍ତଙ୍କ ମୁଣ୍ଡରେ ବୁଦ୍ଧି ପଶିଲା l ସ୍ମରଣ ମାତ୍ରକେ ବୃଷଭ, ଗରୁଡ ଓ ହଂସ ଆସି ଉପସ୍ଥିତ ହେଲେ l ସେମାନେ ଦେବୀମାନଙ୍କୁ ପୃଷ୍ଠରେ ବସାଇ ଆଣି ଆମ୍ଭ ଆଶ୍ରମରେ ପହଞ୍ଚେଇ ଦେଲେ l

ନାରଦ ମଧ୍ୟ ମନଯାନରେ ଅନ୍ତରୀକ୍ଷମାର୍ଗରେ ଆସି କ୍ଷଣକମଧ୍ୟରେ ପହଞ୍ଚିଗଲେ l ଅନସୂୟାଙ୍କ କକ୍ଷରେ ପ୍ରବେଶକରି ଦେବୀମାନେ ତାଙ୍କୁ ପଚାରିଲେ, ଆମ ସ୍ୱାମୀ ମାନେ ଏଠାକୁ ଆସି ଥିଲେ l ତାଙ୍କୁ କେଉଁଠି ଲୁଚାଇ ରଖିଛ କୁହ l ଅନସୂୟା ଝୁଲିରେ ଝୁଲୁଥିବା ତିନିଟି ଶିଶୁଙ୍କୁ ଦେଖାଇ ଦେଇ କହିଲେ, ଏହି ତୁମ ସ୍ୱାମୀମାନେ ସେଇଠି ଶୋଇଛନ୍ତି,ତୁମେ ଯିଏ ଯାହା ସ୍ୱାମୀଙ୍କୁ ଚିହ୍ନି ନେଇ ଯାଅ l କ୍ରୋଧ ପରବଶ ହୋଇ ଦେବୀମାନେ ଜଣେ ଜଣେ ଶିଶୁଙ୍କୁ ଉଠାଇନେଲେ l କିନ୍ତୁ ସବୁ ଓଲଟ ପାଲଟ ହୋଇଗଲା l ଦେଖାଗଲା ତିନି ଶିଶୁତ ଏକାପରି ଏଣୁ ଭ୍ରମରେ ଲକ୍ଷ୍ମୀ ବ୍ରହ୍ମାଙ୍କୁ, ସାବିତ୍ରୀ ଶିବଙ୍କୁ ତ ପୁଣି ପାର୍ବତୀ ବିଷ୍ଣୁଙ୍କୁ କୋଳରେ ତୋଳି ନେଇଛନ୍ତି, ନାରଦ ହସି ହସି ପଦ୍ମାଳୟାଙ୍କୁ କହିଲେ,ମାତା ! ଆପଣ ମୋ ପିତାଙ୍କୁ ନେଇ ଗଲେ ଯେ l ଏପରି କହି ନାରଦ ତିନି ଦେବୀଙ୍କ ଭ୍ରମ ଦୂର କଲେ l ସବୁ ଦେବୀମାନେ ଲଜ୍ଜିତା ହେଲେ l ତାଙ୍କ ପତିବ୍ରତାର ଅହଙ୍କାର ଭାଙ୍ଗିଗଲା l

ଦେବର୍ଷିନାରଦ ଅନସୂୟାଙ୍କୁ ଅନୁରୋଧ ଜଣାଇଲେ ଦେବୀ ମାନଙ୍କୁ ତାଙ୍କ ସ୍ୱାମୀ ମାନଙ୍କୁ ଫେରାଇ ଦିଅ ବୋଲି l ଅନସୂୟା ମୋ ଆଡ଼କୁ ଚାହିଁଲେ, ମୁଁ ତାଙ୍କୁ ସ୍ଵୀକୃତି ଦେବାରୁ, ଅନସୂୟା ପୁଣି ଥରେ ଅଭିମନ୍ତ୍ରିତ ଜଳ ସିଞ୍ଚିଦେଲେ l ଶିଶୁମାନେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆଦି ନିଜ ସ୍ୱରୁପରେ ଉଭା ହୋଇଗଲେ l ନିଜ ନିଜ ସ୍ବାମୀଙ୍କୁ ଧରି ତିନିଦେବୀ ନିଜ ଭୁବନକୁ ଫେରିଯିବା ପାଇଁ ବାହାରିଲେ l ତିନି ଦେବତା ଅନସୂୟାଙ୍କୁ ବର ଯାଚିବାରୁ ଅନସୂୟା ତିନିଜଣଙ୍କୁ ପୁତ୍ରରୂପେ ପାଇବା ପାଇଁ ପ୍ରାର୍ଥନା କଲେ l ଠାକୁର ମାନେ ‘ତଥାସ୍ତୁ’ କହି ପ୍ରସ୍ଥାନ କଲେ l ତ୍ରିଦେବୀ ଯିବା ପୂର୍ବରୁ ଅନସୂୟାଙ୍କୁ କହିଗଲେ, ଦେବୀ ! ଆପଣଙ୍କ ସତୀତ୍ଵର କାହାଣୀ ଯୁଗଯୁଗ ଧରି ପ୍ରଚାରିତହେଉଥିବ ଏଵଂ ପାତିବ୍ରତ୍ୟ ଧର୍ମ ନିମନ୍ତେ ନାରୀମାନଙ୍କୁ ଅନୁପ୍ରେରିତ କରୁଥିବ l ଆଜି ଠାରୁ ଆପଣଙ୍କ ପରିଚୟ ହେବ,”ମହାସତୀ ଅନସୂୟା” l

ଅତ୍ରିମୁନି ସତୀ ଅନସୂୟାଙ୍କ ଏହି ପବିତ୍ର ଆଖ୍ୟାନ ଶେଷକରି କହିଲେ, ଅସୂୟାଶୂନ୍ୟ ଆଚରଣ ପାଇଁ ତାଙ୍କ ନାମ ଅନସୂୟା ହୋଇଛି l ସେ ତୁମର ମାତୃ ବତ୍ ପୂଜନୀୟା l ପ୍ରଭୁ ଶ୍ରୀରାମ ମା’ ଅନସୂୟାଙ୍କ କଥା ଶୁଣି, ଅତି ହୃଷ୍ଟ ଚିତ୍ତରେ ମୁନିଙ୍କ ଆଶ୍ରମରେ ରାତ୍ରୀଯାପନ କଲେ ଓ ପରଦିନ ପ୍ରଭାତରୁ ମୁନିଙ୍କ ନିର୍ଦ୍ଦେଶିତ ଦଣ୍ଡକବନକୁ ଯାତ୍ରା କଲେ l

ତିନି ଦେବଙ୍କ ବର ଅନୁସାରେ ସତୀ ଅନସୂୟାଙ୍କ ଗର୍ଭରୁ ପରେ ଜନ୍ମନେଲେ ଭଗବାନ ଦତ୍ତାତ୍ରେୟ l ସେ ହେଉଛନ୍ତି ବ୍ରହ୍ମା,ବିଷ୍ଣୁ, ମହେଶ୍ୱରଙ୍କ ସମ୍ମିଳିତ ରୂପ l ଭଗବାନ୍ ଦତ୍ତାତ୍ରେୟ, ଶ୍ରୀମଦ୍ଭାଗବତରେ ବର୍ଣ୍ଣିତ, ଭଗବାନଙ୍କ ଚବିଶ ଅବତାରଙ୍କ ମଧ୍ୟରେ ଜଣେ l ତାଙ୍କୁ ଷଷ୍ଠ ଅବତାର ଭାବେ ବର୍ଣ୍ଣନା କରି ଭାଗବତରେ କୁହାଯାଇଛି:-

ଷଷ୍ଠେ ସେ ଅତ୍ରିପୁତ୍ର ହୋଇ l

ଅନସୂୟାଙ୍କୁ ମାତା ପାଇ ll

ଜନ୍ମିଲେ ଦତ୍ତାତ୍ରେୟ ରୂପେ l

ଅଳର୍କେ ଜ୍ଞାନଶାସ୍ତ୍ର କଳ୍ପେ ll

ଶ୍ରୀମଦ୍ଭାଗବତ, ଏକାଦଶ ସ୍କନ୍ଧରେ ଦତ୍ତାତ୍ରେୟଙ୍କ ଚବିଶଗୁରୁ ଉପାଖ୍ୟାନ ରହିଛି l ଏଥିରେ ଅବଧୂତ ରୂପେ ଯଦୁରାଜାଙ୍କୁ ଭଗବାନ ଦତ୍ତାତ୍ରେୟ ଚବିଶ ଗୁରୁ ବିଷୟରେ ଶିକ୍ଷା ଦେଇ କହିଛନ୍ତି:-

ପୃଥିବୀ ପବନ ଅନଳ l

ଉର୍ଦ୍ଧ୍ୱେ ଯେ ଆକାଶ ମଣ୍ଡଳ ll

ରବି ଶଶାଙ୍କ ଆପ ସିନ୍ଧୁ l

ଭ୍ରମର ସର୍ବପୁଷ୍ପ ବନ୍ଧୁ ll

କପୋତ ପକ୍ଷୀ ଗୁରୁମୋର l

ପତଙ୍ଗ ସର୍ପ ଅଜଗର ll

ମୀନ ପିଙ୍ଗଳା ବେଶ୍ୟାନାରୀ l

କୁରର କୁମର କୁମାରୀ ll

ହରିଣ ଉର୍ଣ୍ଣନାଭୀ କରୀ l

ଶରକାରକ ମଧୁହାରି ll

ଆବର କୀଟ ପେଶସ୍କାରୀ l

ମୁଁ ଏତେ ଗୁରୁ ସେବାକରି ll

ଭାଗବତରେ ଅବଧୂତଙ୍କ ଏହି ଉପଦେଶ ଅବଧୂତ ଗୀତା ବୋଲି ପ୍ରସିଦ୍ଧ l ମାର୍ଗଶୀର ଶୁକ୍ଳ ଚତୁର୍ଦ୍ଦଶୀ ଭଗବାନ ଦତ୍ତାତ୍ରେୟଙ୍କ ଆବିର୍ଭାବ ଦିବସ l ଏହା ଦତ୍ତାତ୍ରେୟ ଜୟନ୍ତୀ ଭାବେ ପାଳିତହୁଏ l

!!! ଓଁ ନମଃ ଭଗବତେ ବାସୁଦେବାୟ !!!

🙏🙏🙏

ଅର୍ଜୁନୀ

 

ଅର୍ଜୁନୀ ଚରଣ ବେହେରା

ମୋ -୭୬୯୩୦୯୧୯୭୧

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!