ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ୧୫ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ୧୫ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି
ପୋଷ୍ଟ: ୨୧ ନଭେମ୍ବର ୨୦୨୩ ଅପରାହ୍ନ ୫:୫୨ ପିଆଇବି ଦିଲ୍ଲୀ
ସମ୍ବଲପୁର,(ଏକେଏନ୍ ନ୍ୟୁଜ୍ )ନଭେମ୍ବର ୨୧, ୨୦୨୩: ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର୧୫ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୁପଦୀ ମୁର୍ମୁ ଯୋଗଦେଇ ଉଦ୍ ବୋଧନ ଦେଇଥିଲେ ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ଯୁବବର୍ଗଙ୍କ ଅବଦାନ ଉପରେ ଆମ ଦେଶର ବିକାଶ ନିର୍ଭର କରେ। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ରାସ୍ତା, କୋଠା, ବନ୍ଧ ଓ କାରଖାନା ନିର୍ମାଣ ପାଇଁ ଏହି ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଦାୟୀ ରହିବେ। ଇଞ୍ଜିନିୟର ଭାବେ ସେମାନେ ପ୍ରଗତିର ସ୍ଥାପକ ହେବେ। ଉଦ୍ଭାବକ ଭାବରେ, ସେମାନେ କଳ୍ପନା ଏବଂ ବାସ୍ତବତା ମଧ୍ୟରେ ସେତୁ ହେବେ । ଦ୍ରୁତ ଗତିରେ ଅଗ୍ରଗତି କରୁଥିବା ଦୁନିଆରେ ସେମାନେ ଏହି ଅନୁଷ୍ଠାନରେ ଯେଉଁ ଦକ୍ଷତା ଓ ଜ୍ଞାନ ଅର୍ଜନ କରିଛନ୍ତି, ତାହା ହିଁ ସେମାନଙ୍କ ଭବିଷ୍ୟତ ତଥା ଦେଶର ଭବିଷ୍ୟତ ଗଢ଼ିତୋଳିବ ବୋଲି ସେ କହିଥିଲେ।
ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଏକ ସ୍ୱତନ୍ତ୍ର ଉପଗ୍ରହ ଉତକ୍ଷେପଣ ଯାନ ପରୀକ୍ଷାମୂଳକ ଭାବେ ସଫଳ ହୋଇଥିବାରୁ ରାଷ୍ଟ୍ରପତି ଆନନ୍ଦିତ ହୋଇଥିଲେ । ଏହାକୁ ଇସ୍ରୋ ପ୍ରଶଂସା କରିବା ସହ ଅଧିକ ଗବେଷଣା ପାଇଁ ବିଶ୍ୱବିଦ୍ୟାଳୟ ଓ ଇସ୍ରୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବିଶ୍ୱବିଦ୍ୟାଳୟ ପରିସରରେ ଏକ ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ୍ ସେଣ୍ଟର ପ୍ରତିଷ୍ଠା କରାଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସୃଜନଶୀଳ କାର୍ଯ୍ୟ ପାଇଁ ସେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ପ୍ରଶଂସା କରିଥିଲେ।
ରାଷ୍ଟ୍ରପତି କହିଛନ୍ତି ଯେ ଆମେ ୨୦୪୭ ପୂର୍ବରୁ ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଟେକ୍ନୋଲୋଜି ବିକାଶର ଗତିକୁ ତ୍ୱରାନ୍ୱିତ କରିପାରିବ । ତେଣୁ ଟେକ୍ନୋକ୍ରାଟ୍ ଏବଂ ଇଞ୍ଜିନିୟରମାନେ ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।
ଛାତ୍ରଛାତ୍ରୀଙ୍କ ସଫଳତା ଯେପରି କେବଳ ସେମାନଙ୍କ ବ୍ୟକ୍ତିଗତ ସଫଳତା ଦ୍ୱାରା ମାପ କରାଯିବ ନାହିଁ ସେଥିପ୍ରତି ସଚେତନ ରହିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ଜୀବନ ଉପରେ ଏହାର ସକାରାତ୍ମକ ପ୍ରଭାବ ଦ୍ୱାରା ମଧ୍ୟ ଏହା ମାପ କରାଯିବ ବୋଲି ସେ କହିଛନ୍ତି। କେବଳ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ ବରଂ ଦେଶର ପ୍ରଗତି ପାଇଁ ମଧ୍ୟ ଶ୍ରେଷ୍ଠତା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ସେ ଅନୁରୋଧ କରିଥିଲେ। ସକାରାତ୍ମକ ପରିବର୍ତ୍ତନର ଏଜେଣ୍ଟ, ବିବିଧତାର ସମର୍ଥକ ଏବଂ ସଚ୍ଚୋଟତାର ଚାମ୍ପିୟନ ହେବା ପାଇଁ ପ୍ରୟାସ କରିବାକୁ ସେ ସେମାନଙ୍କୁ ଅନୁରୋଧ କରିଥିଲେ।
ବୈଷୟିକ ଉନ୍ନତିକୁ ଗ୍ରହଣ କରିବା ସମୟରେ ଆମେ ଆମର ପାରମ୍ପରିକ ମୂଲ୍ୟବୋଧକୁ ଭୁଲିବା ଉଚିତ ୍ ନୁହେଁ ବୋଲି ରାଷ୍ଟ୍ରପତି କହିଥିଲେ। ଜାତୀୟ ଶିକ୍ଷା ନୀତି- ୨୦୨୦ରେ ମାତୃଭାଷା, ପରମ୍ପରା ଓ ସଂସ୍କୃତି ଉପରେ ଗୁରୁତ୍ୱ ଦିଆଯାଇଛି। ଦେଶର ବିକାଶ ସମଗ୍ର ମାନବଜାତି ପାଇଁ ଅନ୍ତର୍ଭୁକ୍ତ ଓ ସମର୍ପିତ ହେବା ଦରକାର ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ବିକାଶକୁ ମାନବିକତା ଅନୁକୂଳ କରିବା ପାଇଁ ଆମ ସଂସ୍କୃତିରେ ଅନ୍ତର୍ନିହିତ ମୂଲ୍ୟବୋଧକୁ ସର୍ବଦା ମନେ ରଖିବା ଉଚିତ ବୋଲି ସେ କହିଥିଲେ।
ଏହା ସହିତ ମହାମହିମ ରାଷ୍ଟ୍ରପତି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅବସ୍ଥାପିତ ଗଙ୍ଗାଧର ମେହେର ଏବଂ ଭିସୁଟ ଠାରେ ଥିବା ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଓଡିଶାର ପରିବହନ ମନ୍ତ୍ରୀ ଟୁକୁନି ସାହୁ |, ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ | ସନ୍ଧ୍ୟାରେ ରାଷ୍ଟ୍ରପତି ସମଲେଇ ମନ୍ଦିର ଗସ୍ତ କରି ମା ସମଲେଇଙ୍କୁ ଦର୍ଶନ କରିଥିଲେ |
ସମ୍ବଲପୁର ରୁ ପ୍ରଦୁମ୍ନ ବିସି ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍।


