ଓଡିଶା ଖବର

ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ବାତିଲ ଓ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ପ୍ରସଙ୍ଗ ନେଇ ଆଜି କଳାହାଣ୍ଡି ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଆୟୋଜିତ

ଭବାନୀପାଟଣା(AKN NEWS): ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ବାତିଲ ଓ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ପ୍ରସଙ୍ଗ ନେଇ ଆଜି କଳାହାଣ୍ଡି ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେଡି କର୍ମକର୍ତ୍ତା ଓ ନେତୃ ମଣ୍ଡଳୀ ଯୋଗଦେଇ ମୋହନ ସରକାରଙ୍କୁ ସମାଲୋଚନା କରିବା ସହିତ ଆଗାମୀ ଦିନରେ ପଞ୍ଚାୟତିରାଜ ଦିବସର ନିଷ୍ପତ୍ତି କୁ ପ୍ରତ୍ୟାହାର ନକଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଥିଲେ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସର ସରକାରୀ ଛୁଟିକୁ ବାତିଲ କରିଛନ୍ତି ରାଜ୍ୟ ସରକାର। ଏହା ସହିତ ମାର୍ଚ୍ଚ ୫ ତାରିଖ ବଦଳରେ ଏପ୍ରିଲ୍‌ ୨୪ ତାରିଖରେ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ମାର୍ଚ୍ଚ ୫ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ । ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ବିଜୁବାବୁଙ୍କ ଅବଦାନ ପାଇଁ ତାଙ୍କ ଜନ୍ମଦିନରେ ୧୯୯୩ ମସିହା ଠାରୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବା ବେଳେ, ବର୍ତ୍ତମାନର ରାଜ୍ୟ ସରକାର ଏହାକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇ ଜଣେ ସମ୍ମାନସ୍ପଦ ମହାନ ରାଷ୍ଟ୍ରନାୟକଙ୍କୁ ଅସମ୍ମାନ କରିଛନ୍ତି ବୋଲି ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି ।

୧୯୬୧ ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଗ୍ରାମାଞ୍ଚଳରେ ମାନବ ସମ୍ୱଳ ଓ କୁଟୀର ଶିଳ୍ପର ବିକାଶ ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୯୦ ମସିହାରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ, ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳଦୁଆ ପକାଇଥିଲେ ଏବଂ ଜିଲ୍ଲାପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମପଞ୍ଚାୟତ ବ୍ୟବସ୍ଥା ପ୍ରବର୍ତ୍ତନ କରିବା ପାଇଁ ରାଜ୍ୟ ବିଧାନସଭାରେ ବିଲ୍‌ ପାରିତ କରିଥିଲେ। ବିଜୁ ବାବୁଙ୍କର ଏହି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ନିଷ୍ପତ୍ତି ୧୯୯୨ ମସିହାରେ ସମ୍ୱିଧାନର ୭୪ତମ ସଂଶୋଧନ ମାଧ୍ୟମରେ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଇଥିଲା। ବିଜୁ ବାବୁଙ୍କ ଦୂରଦର୍ଶୀ ନିଷ୍ପତ୍ତି ଫଳରେ ଏହି ବ୍ୟବସ୍ଥାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହୋଇପାରିଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏହି ଅବଦାନକୁ ସ୍ମରଣୀୟ କରିବା ପାଇଁ ରାଜ୍ୟରେ ବିଜୁ ବାବୁଙ୍କ ଜନ୍ମଦିନରେ ଅର୍ଥାତ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ହୋଇଆସୁଛି। ବିଜୁ ବାବୁଙ୍କ ଭଳି ଜଣେ ରାଷ୍ଟ୍ରନୀତିଜ୍ଞ, ଯିଏ ୩ଟି ଦେଶର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ ଏବଂ ଯାହାଙ୍କ ମରଶରୀରରେ ୩ଟି ଦେଶର ଜାତୀୟ ପତାକା ଶୋଭା ପାଇଥିଲା, ସେଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ନଦେଇ ପଞ୍ଚାୟତିରାଜ ଦିବସକୁ ବାତିଲ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟକ ମନୋରମା ମହାନ୍ତି, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ଦୁଷ୍ମନ୍ତ ନାଏକ, ନର୍ଲା ବ୍ଳକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବରିଷ୍ଠ ନେତା‌ ଭବାନୀ ଶଙ୍କର ମିଶ୍ର, ପ୍ରଦୀପ ମୁଣ୍ଡ, ଜାକୀର ହୁସେନ, ପୌରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ଜିଲ୍ଲା ଯୁବ ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ପ୍ରଶାନ୍ତ ନାଏକ, ଟିକେଲାଲ ସାହୁ, ସାରଦା ପ୍ରସନ୍ନ ସ୍ବାଇଁ, ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଯୁବ ନେତା ମନିନ୍ଦ୍ର ମହାନ୍ତି, ମହେଶ ସାହୁ, ବଦ୍ରିନାରାୟଣ ପଟ୍ଟନାୟକ, ସାମନ୍ତ ଖମାରୀ, ଶୈଳେନ୍ଦ୍ର ସିଂହଦେଓ, ଚକ୍ର ସେଠୀ, ସେନାପତି ନାଏକ, କ୍ଷୀରସିନ୍ଧୁ ନାଏକ, ମହେନ୍ଦ୍ର ରାଉତ, ସୁର ସାହୁ, ପ୍ରେମ ରଞ୍ଜନ ପାଣିଗ୍ରାହୀ, କାଦୀର ଖାନ୍, ଦିନେଶ ବଗର୍ତ୍ତି, ରାଜୀବ ଲୋଚନ ଶତପଥି, ପ୍ରଶାନ୍ତ ଠାକୁର ସମେତ ଭବାନୀପାଟଣା ମ୍ୟୁନିସିପାଲଟିର ସମସ୍ତ ବିଜେଡି କାଉନସିଲର ପ୍ରମୁଖ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!