ଓଡିଶା ଖବର

କଳାୟନ ପକ୍ଷରୁ ସୃଜନ ସଂଗମ–୨୦୨୪ ଆୟୋଜିତ ଡା. ଦୀନବନ୍ଧୁ ସାହୁଙ୍କ ଗୀତି କାବ୍ୟ ସଂକଳନ ‘ଏକ ପ୍ରଜାପତିର ମୃତ୍ୟୁ’ ଉନ୍ମୋଚିତ

କଳାୟନ ପକ୍ଷରୁ ସୃଜନ ସଂଗମ–୨୦୨୪ ଆୟୋଜିତ

ଡା. ଦୀନବନ୍ଧୁ ସାହୁଙ୍କ ଗୀତି କାବ୍ୟ ସଂକଳନ ‘ଏକ ପ୍ରଜାପତିର ମୃତ୍ୟୁ’ ଉନ୍ମୋଚିତ

ଭବାନୀପାଟଣା,(AKN NEWS) ୧୯।୫: ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ କଳାୟନ କଳାହାଣ୍ଡି ପକ୍ଷରୁ ସୃଜନ ସଂଗମ–୨୦୨୪ ଆୟୋଜିତ ହୋଇଯାଇଛି। ଏହି ଅବସରରେ କବି ତଥା ଚିତ୍ରଶିଳ୍ପୀ ଡା.ଦୀନବନ୍ଧୁ ସାହୁଙ୍କ ଗୀତି କାବ୍ୟ ସଂକଳନ ‘ଏକ ପ୍ରଜାପତିର ମୃତ୍ୟୁ’ ଉନ୍ମୋଚିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କବି ତଥା ପ୍ରାବନ୍ଧିକ ନୀଳଲୋହିତ ସିଂହଦେବ, ମୁଖ୍ୟବକ୍ତା ଭାବେ ଗୀତିକବି ଧନଞ୍ଜୟ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଗୀତିକବି ରତ୍ନପ୍ରଭା ବାଇ ଯୋଗ ଦେଇଥିବା ବେଳେ ଉନ୍ମୋଚିତ ପୁସ୍ତକ ସମ୍ପର୍କରେ କବି ଡା. ସାହୁ ସୂଚନା ଦେଇଥିଲେ। ସାହିତ୍ୟିକ ଡ. ପ୍ରଦୀପ କୁମାର ମିଶ୍ର ଓ କବି ତଥା ଗବେଷକ ପରମେଶ୍ବର ମୁଣ୍ଡ ପୁସ୍ତକ ସମୀକ୍ଷା କରିଥିଲେ। ପ୍ରାବନ୍ଧିକ ଡ. ଦାଶରଥି ଆଚାର୍ଯ୍ୟ ସଭାପତିତ୍ବ କରିଥିଲେ। କବି ଡ. ସତ୍ୟ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନ ‘ସାହିତ୍ୟାୟନ’କୁ କବି ବିରଞ୍ଚି ନାରାୟଣ ମୁଣ୍ଡ ସଂଯୋଜନା କରିଥିବା ବେଳେ ସମ୍ମାନିତ ବକ୍ତା ଭାବେ କବି ଡ. ରବି ଶତପଥୀ ଓ କବି ଡ. ଗୋପୀନାଥ ବାଗ କବିତାର ଗଢ଼ଣ ଓ ରୂପଚର୍ଯ୍ୟା, ଅନୁବାଦକ ବିଜୟ କୁମାର ପ୍ରଧାନ ଓଡ଼ିଆ ସାହିତ୍ୟରେ କବିତାର ଅନୁବାଦ, ମୃଣ୍ମୟ ଶିଳ୍ପୀ ପ୍ରଭାସ ମିଶ୍ର ଓ ନାଟ୍ୟକାର ଡ. ଉମେଶ ଚନ୍ଦ୍ର ଶତପଥୀ କଳା ଓ ଜୀବନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସଂଗୀତାୟନ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଲିପ୍ସା ମହାରଣା, ଡା. ଦୀନବନ୍ଧୁ ସାହୁ, ଅମ୍ଳାନ ଅକ୍ଷୟାଂଶୁ ତଥା ସଂଗୀତ ଗୁରୁ ବାମଦେବ ଜେନା, ନରେନ୍ଦ୍ର ପଣ୍ଡା, ହରେକୃଷ୍ଣ ଭୋଇ, ଅକ୍ଷୟ ମହାରଣା, ମଦନ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ମହାବିଦ୍ୟାଳୟ ପରିସରରେ ଡା. ଦୀନବନ୍ଧୁ ସାହୁଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହେବା ସହ ପେଣ୍ଟିଂ କାଟାଲଗ୍ ‘ଇଫ୍ଲୋରସେନ୍ସ’ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଅନୁଷ୍ଠିତ କବିତା ପାଠୋତ୍ସବରେ କବି ଲଳିତ କାନୁନ୍‌ଗୋ ସଭାପତିତ୍ୱ କରିଥିବା ବେଳେ କବି ପ୍ରଶାନ୍ତ ଦାଶ, ଗୌରାଙ୍ଗ ସାହୁ, ଗୀତାଶ୍ରୀ ପ୍ରିୟମ୍ବଦା ଓ ସ୍ୱର୍ଣ୍ଣକାନ୍ତି ବୈକାରଙ୍କ ସଂଯୋଜନାରେ ରାଜ୍ୟର ବିଭନ୍ନ ପ୍ରାନ୍ତରୁ ଆସିଥିବା କବିମାନେ ସ୍ବରଚିତ କବିତା ପାଠ କରିଥିଲେ। ‘ଭାବବିଚିତ୍ରା’ରେ ଗୀତି କବି ତଥା ଅଭିନେତା ତୋଫାନ ଜେନା ସୃଜନାନୁଭବ, କବି ସଂଘମିତ୍ରା କାନୁନଗୋ ପଠନର ସ୍ଵାଦ, ଚନ୍ଦନଧାରା ସଂପାଦକ ଏମ୍ ହିମାଂଶୁ ଆଚାରୀ ସଂପାଦକୀୟ ସୁଖଦୁଃଖ, କବି ମୁରଲୀଧର ସାମଲ ସାହିତ୍ୟ ଓ ବନ୍ଧୁତା ପ୍ରସଙ୍ଗରେ ନିଜସ୍ଵ ମତ ରଖିଥିଲେ। ଶେଷରେ ଗାଳ୍ପିକ ସୁକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ରାଜ୍ୟର ବିଭନ୍ନ ପ୍ରାନ୍ତରୁ ଶତାଧିକ ଲେଖକ ଲେଖିକା, କଳାକାର ତଥା କଳାପ୍ରେମୀ ଯୋଗ ଦେଇଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!