ଓଡିଶା ଖବର

‘ଆତ୍ମନିଯୁକ୍ତି ଦୂର କରିବ ଦାଦନ ସମସ୍ୟା’ନିରାପଦ ଶ୍ରମ ସ୍ଥାନାନ୍ତରଣ ଓ ଶିଶୁ ଚାଲାଣ ପ୍ରତିକାର ସଚେତନତା କାର୍ଯ୍ୟକ୍ରମ 

(AKN NEWS): ‘ଆତ୍ମନିଯୁକ୍ତି ଦୂର କରିବ ଦାଦନ ସମସ୍ୟା’ନିରାପଦ ଶ୍ରମ ସ୍ଥାନାନ୍ତରଣ ଓ ଶିଶୁ ଚାଲାଣ ପ୍ରତିକାର ସଚେତନତା କାର୍ଯ୍ୟକ୍ରମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାସହ ଆତ୍ମନିଯୁକ୍ତି ଦିଗରେ ସଚେତନତା ସୃଷ୍ଟି ହେଲେ ଦାଦନ ସମସ୍ୟା ଦୂର ହୋଇପାରିବ। ଏଥିପାଇଁ ପ୍ରଶାସନିକ ତତ୍ପରତା ସହ ଅଞ୍ଚଳର ଲୋକପ୍ରତିନିଧି, ବୁଦ୍ଧିଜୀବୀ, ସାମାଜିକ ସଂଗଠନ, ସାମାଜିକ କର୍ମୀ, ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବେହେରା ଠାରେ ଆୟୋଜିତ ‘ନିରାପଦ ଶ୍ରମ ସ୍ଥାନାନ୍ତରଣ ଓ ଶିଶୁ ଚାଲାଣ ପ୍ରତିକାର ସଚେତନତା’ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗୋରୁ ବଜାର ପରିସରରେ ଜିଲ୍ଲା ପ୍ରଶାସନ, ପୋଲିସ ଓ ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଏଡ୍ ଏଟ୍ ଆକ୍ସନ୍ ଓ ୟୁନିସେଫ ଓଡ଼ିଶା ସହାୟତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ୟୁନିସେଫ ଓଡ଼ିଶାରୁ ନେହା ସିଂହ, ଏଡ୍ ଏଟ୍ ଆକ୍ସନର ପ୍ରୋଗ୍ରାମ ମ୍ୟାନେଜର ସରୋଜ କୁମାର ବାରିକ, ଜ୍ୟୋତି ପ୍ରକାଶ ବ୍ରହ୍ମା, ଡିଏସପି ମୁକ୍ତି କୁମାର କୁଲ୍ଲୁ ଯୋଗଦେଇ ଦାଦନ ଚାଲାଣ ରୋକ୍, ଦାଦନଙ୍କ ସମସ୍ୟା ଓ ସୁରକ୍ଷା ଦିଗରେ ବିଶଦ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ମଣ୍ଡଳ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଆଇଆଇସି ନୀଳାମ୍ବର ଜାନୀ, ବୀରବର ଭଗତ, କୋକସରା ଏସଆଇ ହେମନ୍ତ କୁମାର ପାତ୍ର, ସିଡ଼ିପିଓ ସୁଚରିତା ମହାପାତ୍ର, ବେହେରା ସରପଞ୍ଚ କୁମୁଦିନୀ ଗଇନ୍ତା, ତେଣ୍ଡାପାଳି ସରପଞ୍ଚ ଗୌଲୋଚନ ଗୋପାଳ ପ୍ରମୁଖ ଅତିଥି ଭାବେ ସାମିଲ ହୋଇଥିଲେ। ଡିଏସଡବ୍ଲୁ କଳାହାଣ୍ଡି ଜିଲ୍ଲା ଉପଦେଷ୍ଟା ଦିବ୍ୟ ରଞ୍ଜନ ଯୋଶୀ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନିକିତା ରାଣୀ ମହାନ୍ତି ବିଶେଷ ସହଯୋଗ କରିଥିଲେ। ଏହି ଅବସରରେ ଧର୍ମଗଡ ବ୍ଲକର ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଗଣମାଧ୍ୟମ ପ୍ରତିନିଧି, ଅଞ୍ଚଳର ବିଭିନ୍ନ ସଂଗଠନର ସଦସ୍ୟ, ମିଶନ ଶକ୍ତିର ମା’, ସ୍କୁଲ କଲେଜର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗ ଦେଇଥିଲେ। ଦଣ୍ଡପାଟ ଅଞ୍ଚଳ ଦିନକୁ ଦିନ ଦାଦନ ପ୍ରବଣ ହୋଇ ଅନେକ ଦାଦନ ଅତ୍ୟାଚାରିତ ହେବା, ଅନେକଙ୍କ ଶବ ଗାଁକୁ ପହଞ୍ଚୁଥିବା ନେଇ ତେଣ୍ଡାପାଲି ସରପଞ୍ଚ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଅବଗତ କରାଇ ଦାଦନ ଚାଲାଣ ଉପରେ ରୋକ୍ ଲଗାଇବାକୁ ନିବେଦନ କରିଥିଲେ। ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ଏ ଦିଗରେ କାର୍ଯ୍ୟ ଶୁଭାରମ୍ଭକୁ ଅଞ୍ଚଳବାସୀ ସ୍ବାଗତ ଜଣାଇଛନ୍ତି।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!