ଉଜ୍ଜଳ ବରିହା ହତ୍ୟାକାଣ୍ଡ ଘଟଣା ପୁନଃ ତଦନ୍ତ ଦାବୀ କଲା ଆଦିବାସୀ ସଂଘ – ହତ୍ୟାକାରୀ ଗିରଫ ନହେଲେ ଦୁର୍ବାର ଆନ୍ଦୋଳନ |

(AKN NEWS): ଗତ ଫେବୃଆରୀ ମାସ 7 ତାରିଖରେ ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡାର ଉଜ୍ଜଳ ବରିହାକୁ ଯୋଜନାବଦ୍ଧ ଭାବେ ହତ୍ୟାକରି କୂଅରେ ପକେଇ ଦେଇଥିବା ନେଇ ଲରମ୍ଭା ଥାନାରେ ଅଭିଯୋଗ ହୋଇଥିଲା | ଘଟଣାର ତିନି ଦିନ ପରେ ଅର୍ଥାତ 10 ତାରିଖ ଗାଁର ବିପିନ ସାହୁଙ୍କ ବାଡ଼ିରେ ଥିବା କୂଅରେ ଶବ ପଡ଼ିଥିବା ସାହୁ ପରିବାର ଦେଖିଲେ ଓ ପୋଲିସ କୁ ଖବର ଦେଇଥିଲେ | ଏହି ଘଟଣାରେ ଲରମ୍ଭା ପୋଲିସ କେତେ ଜଣକୁ କିଛି ଦିନ ପଚରା ଉଚରା କରି ପ୍ରମାଣ ସଂଗ୍ରହ ବାହାନାରେ ସନ୍ଦେହ କରୁଥିବା ବ୍ୟକ୍ତି ମାନଙ୍କୁ ଛାଡିଦେଲା, ଘଟଣାରେ ସନ୍ଦେହ ଥିବା ଜଣେ ବ୍ୟକ୍ତି ସେ ସରକାରୀ ଚାକିରୀ କରୁଛନ୍ତି ଘଟଣା ଦିନ ଠାରୁ କୁଆଡେ ଫେରାର ମାରିଥିଲେ, ପୋଲିସ ସେହି ବ୍ୟକ୍ତିକୁ କେବେ ତଦନ୍ତ ପାଇଁ ଡାକି ନଥିଲେ ଓଲଟା କୁଆଡେ ଫେରାର ଅଛି ସେ ଘରକୁ ଆସିଲେ ତଦନ୍ତ ପାଇଁ ଡକାଯିବ କହି ଆଜି ପର୍ଯ୍ୟନ୍ତ ଡାକିଲେ ନାହିଁ | ଆଜି ଘଟଣାକୁ ଆଠ ମାସ ବିତିଯାଇଥିଲେ ସୁଦ୍ଧା ଘଟଣାକୁ ଏମିତି ଢଙ୍ଗରେ ଚାପି ଦିଆଗଲା ଯେ ଅପରାଧୀ ଗିରଫ ହେବା ଦୂରର କଥା ତାର ଟେର ପାଇଲା ନାହିଁ | ହତ୍ୟାକାରୀକୁ ଗିରଫ ଦାବୀରେ ଲରମ୍ଭା ଥାନା ଘେରାଓ କରିଥିଲା ଆଦିବାସୀ କଲ୍ୟାଣ ସଂଘ | ତଦନ୍ତ ଚାଲିଛି ଆହୁରି ବଳିଷ୍ଠ ପ୍ରମାଣ ପାଇଁ ଅନ୍ୟାନ୍ୟ ପରୀକ୍ଷା କରିବା ପାଇଁ ବାହାରକୁ ପଠା ଯାଇଛି, ପରୀକ୍ଷା ଓ ପ୍ରମାଣ ଦେଖି ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ କହି ପୋଲିସ ଦିନ ଗଡେଇ ଚାଲିଲା | ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଲରମ୍ଭା ଥାନାରେ ନୂତନ ଭାବେ ଯୋଗଦାନ କରିଥିବା ଥାନାଧିକାରୀ ଶ୍ରୀ ଭାନୁ ପ୍ରତାପ ଯାଦବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଆଇନ ଶୃଙ୍ଖଳା ବିଷୟରେ ଓ ଉଜ୍ଜଳ ବରିହା ହତ୍ୟାକାଣ୍ଡ ର ଫର୍ଦାଫାସ କରିବା ପାଇଁ ଦାବୀ ଜଣାଇଥିଲେ | ଥାନାଧିକାରୀ ତାଙ୍କ ପ୍ରତିକ୍ରିୟା ରେ ଏ ବିଷୟରେ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ସହିତ ଆଲୋଚନା କରି ଆଉ ଥରେ ଉଚିତ ତଦନ୍ତ କରିବା ପାଇଁ କହିଥିଲେ | ଘଟଣାର ଉଚିତ ତଦନ୍ତ କରି ଉଜ୍ଜଳ ବରିହା ହତ୍ୟାକାରୀ ଶୀଘ୍ର ଗିରଫ ନହେଲେ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଆଦିବାସୀ ସଂଘ ପ୍ରତିକ୍ରିୟା ରଖିଛି | ଆଜିର ଆଲୋଚନା ସମୟରେ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, ସଂଯୋଜକ ଗୌରାଙ୍ଗ ବରିହା, ହୃଷିକେଶ ଭୋଇ, ଚୂଡ଼ାମଣି ଧରୁଆ, ମଦନ ମାଝୀ ଓ ପିଣ୍ଟୁ ବୁଡ଼େକ ଉପସ୍ଥିତ ଥିଲେ |
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


