ଓଡ଼ିଆ ରେ ନାମଫଳକ ଅଭିଯାନ

ପୁରୀ ୪/୪(AKN NEWS): ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ୪ ର୍ଥ ଦିନରେ ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଏହି ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ପରିସରରୁ ଏହି ସଚେତନତା ରଥର ଶୁଭାରମ୍ଭ କରି ଆମ ଓଡ଼ିଆ ପରମ୍ପରା ଓ ଐତିହ୍ୟ ଅତ୍ୟନ୍ତ ଗୌରବମୟ।ଓଡ଼ିଆ ଭାଷା ଏକ ମଧୁର ଓ ସୁନ୍ଦର ଭାଷା।ଏହାର ପ୍ରଚାର ପ୍ରସାର ଆମ ସମସ୍ତଙ୍କ ଦାୟିତ୍ୱ।ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ ର ନାମ ଫଳକର ସର୍ବାଗ୍ରେ ଓଡ଼ିଆ ରହିବା ବିଧେୟ।ଏହାର ଉଲ୍ଲଘଂନ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନେବା ସହ ସମସ୍ତଙ୍କୁ ଏ ସମ୍ପର୍କରେ ସଚେତନ କରାଇବାକୁ ଶ୍ରୀ ବେହେରା ଡିଭିଜନାଲ ଶ୍ରମ ଆୟୁକ୍ତ ବା ଡିଏଲସି ଙ୍କୁ ପରାମର୍ଶ ଦେଇଥିଲେ।ଏହି ରଥ ସହର ପରିକ୍ରମା କରିବା ସହ ଓଡ଼ିଆ ଭାଷା ବ୍ୟବହାର ସମ୍ପର୍କରେ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସମସ୍ତଙ୍କୁ ସଚେତନ କରାଇବେ ବୋଲି ଜଣାଯାଇଛି।ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଡିଏଲସି ଚୌଧୁରୀ ସୁବ୍ରତ କୁମାର ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଅନ୍ୟାନ୍ୟ ଅଧିକାରୀ,ଏଏଲଓ ପ୍ରିୟଙ୍କା ପ୍ରିୟଦର୍ଶିନୀ, ବିକ୍ରମ କେଶରୀ ପ୍ରଧାନ, ଶ୍ରମ କାର୍ଯ୍ୟାଳୟ ର କର୍ମଚାରୀ ଓ ବିଭିନ୍ନ ଶ୍ରମ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ।ପରେ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ ର କର୍ମକର୍ତ୍ତା ଙ୍କୁ ସଚେତନ କରାଇଥିଲେ।
ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS


