ଓଡିଶା ଖବର

ଓଡ଼ିଶାରେ ଉଚ୍ଚଶିକ୍ଷା ରୁପାନ୍ତରଣ, ମାନବୃଦ୍ଧି ଓ ଛାତ୍ରଛାତ୍ରୀ ମାନଙ୍କ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ନୂଆ -ଓ ଛାତ୍ରବୃତ୍ତି” ଆରମ୍ଭ କରିଥିଲେ।

(AKN NEWS):ଓଡ଼ିଶାରେ ଉଚ୍ଚଶିକ୍ଷା ରୁପାନ୍ତରଣ, ମାନବୃଦ୍ଧି ଓ ଛାତ୍ରଛାତ୍ରୀ ମାନଙ୍କ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ନୂଆ -ଓ ଛାତ୍ରବୃତ୍ତି” ଆରମ୍ଭ କରିଥିଲେ। ଏହି ଯୋଜନାରେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ସମସ୍ତ ସରକାରୀ କଲେଜ, ଅନୁଦାନ ପ୍ରାପ୍ତ କଲେଜ ଏବଂ ବିଶେଷ କରି ସାମ୍ସ (SAMS) ପୋର୍ଟାଲ ମାଧ୍ୟମରେ ପ୍ରବେଶ ନେଇଥିବା ବେସରକାରୀ କଲେଜ ମାନଙ୍କ ସ୍ନାତକ ଓ ସ୍ନାତକୋତ୍ତର ପଢ଼ୁଥିବା ଛାତ୍ର ଛାତ୍ରୀ ମାନେ ଏହି ଯୋଜନାରେ ଛାତ୍ର ବୃତ୍ତି ପାଉଥିଲେ। କିନ୍ତୁ ରାଜ୍ୟରେ ବିଜେପି ନେତୃତ୍ଵଧିନ ନୂଆ ସରକାର ଆସିବା ପରେ ଏହି ଯୁଗାନ୍ତକାରୀ ଯୋଜନାକୁ ବନ୍ଦ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦର ସଭାପତି ତଥା ପୂର୍ବତନ ଛାତ୍ର ସଂସଦ ସଭାପତି ଅବିନାଶ ଠାକୁର କହିଛନ୍ତି।ଏହି ଯୋଜନାରେ ଓଡ଼ିଶାର ୫ଲକ୍ଷ ୮୦ ହଜାର ଛାତ୍ର ଛାତ୍ରୀ ନୂଆ- ଓ ସ୍କୋଲାର୍ସିପ ଜରିଆରେ ଆର୍ଥିକ ସହାୟତା ପାଉଥିଲେ। ଛାତ୍ର ମାନେ ୧୦ହଜାର ଏବଂ ଛାତ୍ରୀ ମାନେ ୧୧ ହଜାର ପାଉଥିଲେ କିନ୍ତୁ ଆଜି ସେମାନେ ଏଥିରୁ ବଞ୍ଚିତ ହୋଇଛନ୍ତି। ଏପରିକି, ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ପାଉଥିବା ଛାତ୍ର ଛାତ୍ରୀ ଏବଂ ନିର୍ମାଣ ଶ୍ରମିକଙ୍କ ପୁଅଝିଅ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଦୁଃଖର ବିଷୟ ଆର୍ଥିକ ସହାୟତା ପାଇଁ ନୂଆ ଯୋଜନା ଆଣିବୁ ବୋଲି କହିଥିବା ବିଜେପି ସରକାର ଏପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ହକ୍ ରୁ ତାଙ୍କୁ ବଞ୍ଚିତ କରିଛି। ଗରୀବ ଓ ମଧ୍ୟବିତ୍ତ ପରିବାରର ଛାତ୍ର-ଛାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ସରକାର ଏ ସମ୍ପର୍କରେ ଶିଘ୍ର ନିଷ୍ପତ୍ତି ନ ନେଲେ ଆଗାମୀ ଦିନରେ ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆନ୍ଦୋଳନ ହେବ । ଏହା ସହିତ ଆଗାମୀ ୧୫ ଜୁଲାଇ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ହେବାକୁ ଥିବା ବିକ୍ଷୋଭ କୁ ସହଯୋଗ କରାଯିବ ବୋଲି ଶ୍ରୀ ଠାକୁର ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!