କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥି ଏବେ ଭିଜିଲାନ୍ସ ଜାଲରେ

ବୈପାରିଗୁଡ଼ା ୨୭/୧୧ ( ବିଜୟ ପାଙ୍ଗି): କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥି ଏବେ ଭିଜିଲାନ୍ସ ଜାଲରେ। ବୈପାରିଗୁଡ଼ା ଆଇ ଆଇ ସି ସୁଶାନ୍ତ କୁମାର ଶତପଥି ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ଧରି ବସରେ ଯାଉଥିବା ବେଳେ ଜୟପୁର ସ୍ଥିତ ଟାଙ୍କୁଆ ପାଖର ଭିଜିଲାନ୍ସ ବିଭାଗ ହାତରେ ଧରିଥିବା ପଡ଼ିଛନ୍ତି । ସୂଚନା ଅନୁଯାୟୀ ଶ୍ରୀ ସୁଶାନ୍ତ କୁମାର ଶତପଥି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନାରେ ଆଇ ଆଇ ସି କାର୍ଯ୍ୟ ତୁଲାଉଥିଲେ। ଆଜି ଶ୍ରୀ ଶତପଥି ଏକ ଘରଇ ( ରିଲାଏନ୍ସ ) ବସରେ ନିଜ ଘର କଟକ ଦେଇ କେନ୍ଦ୍ରାପଡ଼ା ଯାଉଥିଲେ। ଶ୍ରୀ ଶତପଥି ବସ୍ ରେ ଟଙ୍କା ଧରି ଯାଉଥିବା ନେଇ ଭିଜିଲାନ୍ସ ବିଭଗୀୟ ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ବସଟିକୁ ଜୟପୁର ସ୍ଥିତ ଟାଙ୍କୁଆ ପାଖରେ ଅଟକାଇ ଚଡ଼ାଉ କରିଥିଲେ । ଚଡ଼ାଉ ବେଳେ ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥିଙ୍କ ଠାରୁ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ବାହାରିଥିଲା। ସେହିପରି ବୈପାରିଗୁଡ଼ା ଥାନାରେ ଥିବା ଶତପଥୀଙ୍କ ଚାମ୍ୱରରୁ ୧ ଲକ୍ଷ ୮୦ ହଜାର ଟଙ୍କା ବାହାରିଥିବା ବେଳେ ଘରୁ ୩ଲକ୍ଷ ଟଙ୍କା ବାହାରିଥିଲା । ତେବେ ଭିଜିଲାନ୍ସ ବିଭାଗୀୟ ଅଧିକାରୀ ଶ୍ରୀ ଶତପଥିଙ୍କ ଠାରୁ ସର୍ବ ମୋଟ ୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରିବା ସହ ଶ୍ରୀ ଶତପଥିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଶ୍ରୀ ଶତପଥି କିଛି ଉତ୍ତର ଦେଇନଥିବା ଜଣା ପଡ଼ିଛି। ଶ୍ରୀ ଶତପଥି ବୈପାରିଗୁଡ଼ା ଥାନାରେ ଜଇନ୍ କରି ୫ ମାସ ହୋଇଥିଲା। ତେବେ ଏତେ ଗୁଡ଼ାଏ ଟଙ୍କା କଉଠୁ ଆଣି କୁଆଡ଼େ ନେଇ ଯାଉଥିଲେ ତାହା ନେଇ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ବିଭାଗ।


