ଓଡିଶା ଖବର

ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୩-୨୪ ପାଳନ

ଭବାନୀପାଟଣା,୨୪/୦୧/୨୦୨୪ (AKN NEWS): କଳାହାଣ୍ଡି ଜିଲ୍ଲା ଜଳସମ୍ପଦ ବିଭାଗ ତରଫରୁ ଆଜି ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୩-୨୪ ପାଳିତ ହୋଇଯାଇଛି।ଏହି ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଚଳିତ ଜାନୁଆରୀ ୧୬ ତାରିଖରୁ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୩୧୦ଟି ପଞ୍ଚାୟତ ଓ ୧୩ଟି ବ୍ଲକରେ ପାଳିତ ହେବାପରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଓଡିଶା ପାଣି ପଞ୍ଚାୟତ ଅଧିନିୟମ ୨୦୨୩ର ପ୍ରମୁଖ ସଂଶୋଧନ ଅଧିନିୟମ ଅନୁଯାୟୀ ବୃହତ ଉଠାଜଳସେଚନ ପ୍ରକଳ୍ପ ଅନ୍ତର୍ଭୁକ୍ତକରଣ,ପାଣି ପଞ୍ଚାୟତରେ ମହିଳା ସଦସ୍ୟତା ବୃଦ୍ଧି,ଓଡିଶା ଇଂଜିନିୟରିଂ ସେବାର ପୁନର୍ଗଠନ ଓ ପାଣି ପଞ୍ଚାୟତ କାର୍ଯ୍ୟକାଳ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା।ସ୍ୱଳ୍ପ ପାଣି ବ୍ୟବହାରେ କିଭଳି ଭାବେ ଅଧିକ ଅମଳକ୍ଷମ ଚାଷ କରାଯାଇ ପାରିବ ଏନେଇ ମାଇକ୍ରୋ ଇରିଗେସନ ପ୍ରକଳ୍ପ ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବିଶେଷତ ଜଳସେଚିତ ଅଞ୍ଚଳର ଶତାଧିକ ଚାଷୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲ୍ଲାପାଳ ପି,ଅନ୍ୱେଷ ରେଡ୍ଡୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ସଚିନ ପାୱାର,ନୋଡାଲ ଅଫସର ତଥା ଅତିରିକ୍ତ ସର୍କଲ ଇଂଜିନିୟର ନରସିଂହ ବଡମ୍ବା ଭୋଇ,ସିଡିଏଓ ବିଶେଶ୍ୱର ସାହୁ,ଅପର ଇନ୍ଦ୍ରାବତୀ ବାମ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ତ୍ରୁପ କୁମାର ପାତ୍ର,ତେଲ ଅବବାହିକା ଅଧିକ୍ଷଣ ଯନ୍ତ୍ରୀ ଯୀଶୁଖ୍ରୀଷ୍ଟ ବରିହା ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ପାଣି ପଞ୍ଚାୟତର ଉପକାରୀତା ସମ୍ପର୍କରେ ଚାଷୀଙ୍କୁ ଉଦବୋଧନ ଦେଇଥିଲେ। ମୂଖ୍ୟ ଅତିଥି କ୍ୟାପଟେନ ମିଶ୍ର ନିଜ ବକ୍ତବ୍ୟରେ ଜିଲ୍ଲାରେ ବିଗତ ଦିନରେ ରାଜ୍ୟ ସରକାର ଦ୍ଵାରା ନିଆଯାଇଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ଯୋଗୁ ଆଜି ଆମ ଜିଲ୍ଲା ଧାନ,କପା, ମତ୍ସ୍ୟ, ମାଣ୍ଡିଆ, ମିଲେଟ ଉତ୍ପାଦନ ରେ ଏକ ଅଗ୍ରଣୀ ଜିଲ୍ଲା ହୋଇସାରିଛି ଏବଂ ଏହାର ବିଶେଷ ଦୃଷ୍ଟାନ୍ତ ଖରିଫ ଋତୁରେ ରେକର୍ଡ ସଂଖ୍ୟକ ଧାନ ଉତ୍ପାଦନ ଏବଂ ଏହା କେବଳ ଆମ ଚାଷୀଙ୍କ କଠିନ ପରିଶ୍ରମ ଓ ଚାଷୀ ପାଇଁ ବିଭିନ୍ନ ସ୍କିମ୍ ଦ୍ବାରା ସମ୍ବବ ହୋଇପାରିଛି ବୋଲି କହିଥିଲେ।ଏହି ଅବସରରେ ପାଣି ପଞ୍ଚାୟତ ପକ୍ଷ ସମ୍ପର୍କିତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ପ୍ରଦର୍ଶନୀ ମେଳାରୁ କୃତିତ୍ୱ ଅର୍ଜନ କରିଥିବା ୯ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!