ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି : ମୁଖ୍ଯମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା

ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି : ମୁଖ୍ଯମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା
ବରଗଡ଼,(ଏକେଏନ୍ ନ୍ୟୁଜ୍ ): ଆଜି ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି, ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଲୋକ ପଟେଲ, ଭାରପ୍ରାପ୍ତ ମୁଖ୍ଯ କାର୍ଯ୍ଯ ନିର୍ବାହି ଅଧିକାରୀ, ବରଗଡ଼ ଶ୍ରୀ ଫକୀର ମୋହନ ମେହେର, ଉପଖଂଡ ଆରକ୍ଷୀ ଅଧିକାରୀ, ପଦ୍ମପୁର ଶ୍ରୀ ବିଭୂତି ଭୁଷଣ ଭୋଇ, ଝାରବନ୍ଧ ବିଡିଓ ଶ୍ରୀ ପୁରୁଷୋତ୍ତମ ମିର୍ଦ୍ଧା, ତହସିଲଦାର ଶ୍ରୀ ସୁବାଦାର ପ୍ରଧାନଂକ ସହ ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଶୁଣିଛନ୍ତି। ଏଥିରେ ମୋଟ୍ ୧୩୭ ଟି ସମସ୍ୟାର ସମାଧାନ ପାଇଁ ଲୋକେ ଆବେଦନ କରିଥିଲେ। ଦୁଇ ଜଣ ଦିବ୍ଯାଂଗଂକୁ ତୁରନ୍ତ ମୁଖ୍ଯମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତାର ବ୍ଯବସ୍ଥା କରାଯାଇଥିଲା।
ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଏହି ଶୁଣାଣି କାର୍ଯ୍ଯକ୍ରମ ହୋଇଥିଲା । ଏହି ଅଭିଯୋଗ ଶୁଣାଣିକୁ ଜନସାଧାରଣ ନିଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆସିଥିଲେ। ଏହା ମଧ୍ଯରେ ୧୨୫ ଟି ବ୍ଯକ୍ତିଗତ ସମସ୍ଯା ଓ ୧୨ ଟି ସାମୁହିକ ସମସ୍ଯାର ସମାଧାନ ପାଇଁ ଲୋକେ ଆବେଦନ କରିଥିଲେ । ମୋ ଘର, ରାସନ୍ କାର୍ଡ, ଶିକ୍ଷକ ଅଭାବ, ପାନୀୟଜଳ ଓ ବିଜୁଳି ଆଦି ଭଳି ବିଷୟରେ ଅଧିକାଂଶ ଅଭିଯୋଗ ଆସିଥିଲା । ଏସବୁ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ନିର୍ଦ୍ଦିଷ୍ଟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ତ ସମସ୍ୟାର ପ୍ରତିକାର କରିବା ପାଇଁ ଉଚିତ୍ ପଦକ୍ଷେପ ମଧ୍ୟ ଗ୍ରହଣ କରିଥିଲେ।
ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଦୁଇଜଣ ଦିବ୍ଯାଂଗ ସହାୟତା ଆଶାରେ ଆସିଥିଲେ ।
ଦୋକାନ ଖୋଲିବାକୁ ଇଚ୍ଛୁକ ଥିବାରୁ ଜିଲ୍ଲାପାଳ ସେମାନଂକ ଉଦ୍ଯମୀ ମାନସିକତାକୁ ପ୍ରଶଂସାକରି ଶ୍ରୀ ଲବ ସଗରିଆଂକୁ ୨୫ ହଜାର ଟଂକା ଓ ଶ୍ରୀ ପୁଷ୍ପରାଜ ବେହେରାଂକୁ ୨୦ ହଜାର ଟଂକା ତୁରନ୍ତ ମୁଖ୍ଯମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମଂଜୁର କରିଥିଲେ। ସେମାନଂକୁ ରାଜ୍ଯ ସରକାରଂକ ତରଫରୁ ବ୍ଯଟ୍ରିଚାଳିତ ତିନି ଚକିଆ ଯାନ ଯୋଗାଇ ଦିଆଯିବାର ମଧ୍ଯ ବ୍ଯବସ୍ଥା କରାଯାଇଥିଲା। ଶେଷରେ ଜିଲ୍ଲାପାଳ ଗଣମାଧ୍ଯମ ସହ ସମ୍ବାଦ କରି ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ।
ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍।


