ଓଡିଶା ଖବର

ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୩ ଉଦଘାଟିତ

ଭବାନୀପାଟଣା, ୨୨।୧୨,(AKN NEWS): ‘ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୩ ଉଦଘାଟିତ ହୋଇଯାଇଛି। ଆଜିକାର ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମା ଶଙ୍କର କର, ସାରଳା ପୁରସ୍କାର ପ୍ରାପ୍ତ ତଥା ବିଶିଷ୍ଟ ସଂସ୍କୃତିବିତ୍ ଜୟନ୍ତ ବେହେରା ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ଙ୍କ ପ୍ରତିମୂର୍ତ୍ତୀ ଠାରେ ପୁଷ୍ପମାଲ୍ୟ ଦେଇ ମହୋତ୍ସବର ଶୁଭାରମ୍ଭ କରାଯାଇଥିଲା। ନାଟକ କ୍ଷେତ୍ରରେ ଏ ମାଟିକୁ ବିଶେଷ ଅବଦାନ ପାଇଁ ଉମା ଶଙ୍କର ବାବୁ, ସୁରେଶ ସିଂ ଏବଂ ଦେବାଶିଷ ତ୍ରିପାଠୀ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ପ୍ରଥମ ସନ୍ଧ୍ୟାରେ ପରିବେଷିତ ହୋଇଥିଲା ନାଟକ “ଭାବ୍ ନୁ ଅଭାବ୍‌”। ଭାବରେ ଭାବ ବାନ୍ଧି ହୋଇ ଗୋଟେ ପରିବାର ଗଢେ। ସୁଖ ଦୁଃଖ ହସ କାନ୍ଦ ଭିତରେ ଜୀବନର ଡଙ୍ଗା ସମୟର ସୁଅରେ ଆଗକୁ ବଢ଼ିଚାଲେ। ଡଙ୍ଗାରେ ବସିଥିବା ପ୍ରତିଟି ସ୍ଵପ୍ନ ନ ଥକି ଆଗକୁ ଆଗକୁ ବଢିଚାଲେ। ସମୟର ସଙ୍ଗେ ଘାଟ ମାନେ ନିଜର ରଙ୍ଗ ବଦଳାଉଥାନ୍ତି । ହେଲେ ଡଙ୍ଗା ତାର ଧର୍ମରେ ଆଗକୁ ବଢ଼ି ଚାଲିଥାଏ। ଆଧୁନିକତାର ସ୍ବାର୍ଥ ଆଉ ଆତ୍ମଗର୍ବ ଉଛୁଳି ପାଣି କେତେବେଳେ ବିଶ୍ଵାସକୁ ହରାଇ ଭାବର ଡଙ୍ଗା ଦୋହଲି ବସେ। ଧାରରେ ଡଙ୍ଗା ବାଟବଣା ହୁଏ। ତେବେ ବି ଡଙ୍ଗା ବୁଡେ ନାହିଁ, ଜଗିଥାଏ ଗୋଟେ ବିଶ୍ବାସକୁ, ଭରସାକୁ, ଗୋଟେ ସାହାରାକୁ । ଦଶରଥ ବୁଢ଼ାର ଭାବ ଗଲେ ରଘୁବୀରର ବିଶ୍ଵାସର ଆଶାବାଡ଼ି ଖୋଜେ। ହେଲେ କିଛିଟା ସ୍ବାର୍ଥର ଭାବର ଜମିରୁ ବିଶ୍ଵାସର ଅଭାବ ସ୍ଵପ୍ନ ର ଫସଲ କୁ ମରୁଡିର ମୁହଁକୁ ଟାଣିନିଏ, ସମ୍ପର୍କରୁ ଶୁଖାଇଦିଏ। ସେତେବେଳେ ଶିବା ଭଳି ଅଦିନିଆ ପାଣି ଆସି ସମ୍ପର୍କ ଭିତରେ ବିଶ୍ବାସର ବିହନ କୁ ଅଙ୍କୁରୋଦଗମ କରି ଭାବ ଠୁ ଅଭାବ କୁ ଦୂରକରେ। ଏହି ମର୍ମକୁ ନେଇ ଗତିକରିଛି ନାଟକ “ଭାବ୍ ନୁ ଅଭାବ୍‌”। ଅଦୃଶ୍ୟ ନାଟ୍ୟ ଆଶ୍ରମ, ସମ୍ବଲପୁର ଦ୍ଵାରା ପରିବେଷିତ ଏହି ସମ୍ବଲପୁରୀ ନାଟକ କୁ ନାଟ୍ୟକାର ଅତିସ କୁମାର ଶତପଥୀ ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ବିଭିନ୍ନ ଭୂମିକାରେ ନରେନ୍ଦ୍ର ବେହେରା, ପଙ୍କଜିନି ମେହେର, ସୁମିତ୍ରା ମହାକୁଡ଼, ରାହୁଲ ମହାନନ୍ଦ ଏବଂ ଅତିସ କୁମାର ଶତପଥୀ ଅଭିନୟ କରିଥିବାବେଳେ ଆଲୋକ ସଞ୍ଚାଳନ କରିଥିଲେ ସଂକେତ କୁମାର ପୁରୋହିତ। ନାଟକରେ ମଞ୍ଚ ପରିଚାଳନା କରିଥିଲେ ସୁବଳ ଚନ୍ଦ୍ର ବାଗ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗିରିଜା ଶଙ୍କର ମିଶ୍ର। ଆଜିର କାର୍ଯ୍ୟକ୍ରମରେ ସୁଶୀଲ ଗହୀର ମଞ୍ଚ ପରିଚାଳନା କରିଥିଲେ। ଏଥିରେ ସୌରଭ ମହାପାତ୍ର, ଆଲୋକ କୁମାର ସାହୁ, ରାମେଶ୍ଵର ତ୍ରିପାଠୀ, ସୁଶୀଲ ଆଚାର୍ଯ୍ୟ, ଶୁଭମ୍ ବେହେରା, ତଥାଗତ ମିଶ୍ର, ସୌମ୍ଯ ରଂଜନ ଜେନା, ଶିବଶକ୍ତି ପୁରୋହିତ, ବିକାଶ ରଞ୍ଜନ ମୁଣ୍ଡ, ଅମରେନ୍ଦ୍ର ମହାନ୍ତି, ଅବିନାଶ ଅଗସ୍ତି, ଦୀପକ ଶର୍ମା, ଗୋପିଧର ନାୟର, ପୁଷ୍ପାଞ୍ଜଳି ଦୀପ, ଲିପ୍ସା ମହାରଣା, ପ୍ରଜ୍ଞା ପରିମିତା ନାୟକ, ଲିପ୍ସାରାଣୀ ବାରିକ, ମାନସୀ ନାୟକ, ଦୀପକ ଶର୍ମା ପ୍ରମୁଖ ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!