ଓଡିଶା ଖବର

ପ୍ରଥମାଷ୍ଟମୀ

(AKN NEWS): ଆମ ଓଡ଼ିଶା ଏକ ପର୍ବ ବହୁଳ ରାଜ୍ୟ l ଓଡ଼ିଆର ପରମଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଳି ତାର ମଧ୍ୟ ବାର ମାସରେ ତେର ପର୍ବ l ଏହି ପର୍ବମାନଙ୍କ ଭିତରୁ ଗୋଟିଏ ପ୍ରମୁଖପର୍ବ ହେଉଛି ପ୍ରଥମାଷ୍ଟମୀ l ମାର୍ଗଶୀର ମାସର, କୃଷ୍ଣ ପକ୍ଷର, ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ l ଆମର ପ୍ରଚଳିତ ପଞ୍ଜିକା ଅନୁସାରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟ ମାସ ଭାବେ ଗଣନା କରାଯାଏ l ସେଥିପାଇଁ ମାର୍ଗଶୀର ମାସକୁ ‘ଅଗ୍ରହାୟଣ ମାସ’ ମଧ୍ୟ କୁହାଯାଇ ଥାଏ l ପ୍ରଥମାଷ୍ଟମୀର ଅନ୍ୟ ନାମ ପଢୁଆଁ ଅଷ୍ଟମୀ ବା ପୋଢ଼ୁଁଆ ଅଷ୍ଟମୀ l ଗ୍ରାମୀଣ ଭାଷାରେ କେହି କେହି ଅଷ୍ଟମୀକୁ ଅଷ୍ଟେଇଁ ମଧ୍ୟ କହି ଥାନ୍ତି l ଏହା ପୂର୍ବରୁ ଘରେ କୌଣସି ପର୍ବ ଅନୁଷ୍ଠିତ ହୁଏନାହିଁ l ଏପରିକି ପ୍ରଥମାଷ୍ଟମୀ ପୂର୍ବରୁ ପଡୁଥିବା ଗୁରୁବାର ମାଣବସା ଲକ୍ଷ୍ମୀ ପୂଜାକୁ ନିଷିଦ୍ଧ କରା ଯାଇଛି l ଲକ୍ଷ୍ମୀ ପୁରାଣରେ କୁହାଯାଇଛି :-

ଅଷ୍ଟମୀ ନୋହୁଁଣୁ ଯେବେ ଗୁରୁବାର ହୋଇ l

ପୂଜିଲେ ହେଁ ମହାଲକ୍ଷ୍ମୀ ପୂଜା ନ ଘେନଇ ll

ମାର୍ଗଶୀର ମାସ ଏକ ପବିତ୍ର ମାସ ଭାବେ ଜଣା l ଭଗବାନ ମାର୍ଗଶୀର ମାସର ମହତ୍ଵ ପ୍ରତିପାଦନ କରି ମୁଁ ନିଜେ ମାର୍ଗଶୀର ମାସ ବୋଲି କହିଛନ୍ତି l

ଵୃହସ୍ତାମ ତଥା ସାମ୍ନାମ୍,ଗାୟତ୍ରୀ ଛନ୍ଦସାମହଂ l

ମାସାନାଂ ମାର୍ଗଶୀର୍ଷହମ୍ ଋତୁନାମ୍

କୁସୁମାକରଃ ll ( ଭ.ଗୀ.10:35)

ପ୍ରଥମାଷ୍ଟମୀ ଦିନ ସମଗ୍ର ଓଡ଼ିଶାରେ ପ୍ରତ୍ୟେକ ପରିବାରର ଜ୍ୟେଷ୍ଠସନ୍ତାନଙ୍କୁ ପଢୁଆଁ କରାଯାଏ l ଜ୍ୟେଷ୍ଠ ସନ୍ତାନ ନୂତନ ବଂଶଧରଙ୍କ ଆଦର୍ଶ ଏବଂ ବନ୍ଦନୀୟ l ବଂଶରକ୍ଷା ସହିତ ବଂଶ ପରମ୍ପରାର ଉତ୍ତର ଦାୟିତ୍ୱ ତାହାରି ଉପରେ ନ୍ୟସ୍ତ l ଜ୍ୟେଷ୍ଠ ସନ୍ତାନର ସୁଖସମୃଦ୍ଧି ଓ ଦୀର୍ଘ ନିରାମୟ ଜୀବନ ପାଇଁ ଏଥିରେ ସ୍ଵତନ୍ତ୍ର ପୂଜାବିଧି ଅନୁଷ୍ଠାନ ହୋଇ ଥାଏ l ବଡ଼ପୁଅ ବା ଝିଅର ତ୍ୟାଗ ଓ ପରିବାରର ଅନ୍ୟମାନଙ୍କୁ ଗଢ଼ିବା ପାଇଁ ସଂକଳ୍ପର ବନ୍ଦାପନା ପର୍ବ ହେଉଛି ପ୍ରଥମାଷ୍ଟମୀ l ଆମର ବିଭିନ୍ନ ଶାସ୍ତ୍ର ମାନଙ୍କରେ ପ୍ରଥମ ବା ଜ୍ୟେଷ୍ଠ ସନ୍ତାନର ମହତ୍ୱ ପ୍ରତିପାଦନ କରା ଯାଇଛି l ଜ୍ୟେଷ୍ଠ ଭ୍ରାତା ପ୍ରଭୁ ଶ୍ରୀବଳରାମଙ୍କୁ ଶ୍ରୀକୃଷ୍ଣ ସବୁବେଳେ ସମ୍ମାନ କରୁ ଥିଲେ l ବଡ଼ ଦେଉଳରେ ବଳଦେବଙ୍କୁ ମହାପ୍ରଭୁ ଜଗନ୍ନାଥ ସବୁବେଳେ ସମ୍ମାନ ପ୍ରଦର୍ଶନ କରନ୍ତି l ପ୍ରଭୁ ଶ୍ରୀରାମଙ୍କୁ ଭରତ ଆଦି କନିଷ୍ଟ ଭ୍ରାତାମାନେ ପିତୃତୁଲ୍ୟ ଭକ୍ତି କରୁଥିଲେl ମହାଭାରତରେ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ଜ୍ୟେଷ୍ଟଭ୍ରାତା ଯୁଧିଷ୍ଠିରଙ୍କୁ ପାଣ୍ଡଵ ମାନେ କେବେ ହେଲେ ଅବଜ୍ଞା କରି ନାହାଁନ୍ତି l ଜ୍ୟେଷ୍ଠର ମହତ୍ୱ

ପ୍ରତିଷ୍ଠା ପାଇଁ ଏହି ପ୍ରଥମାଷ୍ଟମୀ ପର୍ବ l ପରିବାର ମଧ୍ୟରେ ଦାୟିତ୍ୱ,କର୍ତ୍ତବ୍ୟ, ସ୍ନେହ ଏବଂ ଶ୍ରଦ୍ଧାଶୀଳ ହେବା ପାଇଁ ଜ୍ୟେଷ୍ଠ ସନ୍ତାନକୁ ସଚେତନ କରାଇ ଦେବା ଏହି ପର୍ବର ଉଦ୍ଦେଶ୍ୟ l

ଏହିଦିନ ପ୍ରାତଃକାଳରେ ଘରର ଜ୍ୟେଷ୍ଠ ପୁତ୍ର ବା କନ୍ୟା ସ୍ନାନ ସମାପନ ଅନ୍ତେ ନବବସ୍ତ୍ର ପରିଧାନ କରନ୍ତି ଓ ମାଆ ମାନେ ତାଙ୍କୁ ବନ୍ଦାପନା କରନ୍ତି l ଏହି ଅବସରରେ ପଞ୍ଚ ପଲ୍ଲବ ଓ ପଞ୍ଚ ଶସ୍ୟରେ ବରୁଣ ପୂଜା କରା ଯାଇଥାଏ l ପ୍ରଥମାଷ୍ଟମୀର ବିଶେଷତ୍ୱ ଏଣ୍ଡୁରି ପିଠା l ରଜ ପର୍ବରେ ଯେପରି ପୋଡ଼ପିଠା, ଅନନ୍ତ ବ୍ରତରେ ଲଡୁ କାକରା, ବଡ଼ ଓଷାରେ ମଣ୍ଡାପିଠା, ଚିତାଲାଗି ଅମାବାସ୍ୟାରେ ଚିତୋଉ ପିଠା,ମକରସଂକ୍ରାନ୍ତିରେ ମକରଚାଉଳ, ଧନୁ ସଂକ୍ରାନ୍ତିର ଧନୁମୁଆଁ,ମହାବିଷୁବ ସଂକ୍ରାନ୍ତିରେ ଛତୁ-ପଣା,ଶାମ୍ବ ଦଶମୀରେ ବୁଢ଼ା ଚକୁଳି ପ୍ରଭୃତି ଓଡ଼ିଆଘରର ଗୋଟିଏଗୋଟିଏ ବିଶେଷତ୍ଵ,ସେହି ପରି ପ୍ରଥମାଷ୍ଟମୀର ବିଶେଷତ୍ୱ ହେଉଛି ଏଣ୍ଡୁରୀ ପିଠା l ଛେନା,ଗୁଡ଼ ଏବଂ ନଡ଼ିଆରେ ପ୍ରସ୍ତୁତ ପୁର ଦିଆଯାଇ ଉଆ ପକ୍ଷିଆ ଚାଉଳ ଓ ବିରିରେ ଏହି ଏଣ୍ଡୁରୀପିଠା ତିଆରି କରାଯାଏ l ପିଠାକୁ ହଳଦୀ ପତ୍ର ଗୁଡ଼ାଇ ଅଥାର ସିଝା କରି ପ୍ରସ୍ତୁତ କରାଯାଇ ଥାଏ l ତେଣୁ ଏହି ପିଠା ଅତ୍ୟନ୍ତ ସୁସ୍ବାଦୁ ହେବା ସହ ରୁଚିକର ଓ ସୁବାସିତ ହୋଇଥାଏ l ହଳଦୀ ପତ୍ରରେ ପ୍ରସ୍ତୁତ ହେଉ ଥିବାରୁ ଏହା ବହୁ ଔଷଧି ଗୁଣ ବହନ କରେ l ପ୍ରଥମାଷ୍ଟମୀ,ରଜ,ମାଣବସା ଭଳି ଓଡ଼ିଶାର ନିଜସ୍ଵ ପର୍ବ l ଓଡ଼ିଶା ବ୍ୟତୀତ ବା ଓଡ଼ିଆ ଘରକୁ ଛାଡ଼ି ଦେଲେ ଅନ୍ୟ କେଉଁଠାରେ ଏହି ପର୍ବ ପାଳିତ ହେବା ଦେଖା ଯାଇ ନ ଥାଏ l ଓଡ଼ିଶାର ଏହା ଏକ ସ୍ଵତନ୍ତ୍ର ପାରିବାରିକ ପର୍ବ l ଏହି ଦିନ ମାତୁଳ କୁଳର ଭୂମିକା ଗୁରୁତ୍ୱ ପୂର୍ଣ୍ଣ l ମଉଳା ଶ୍ରାଦ୍ଧରେ ଜ୍ୟେଷ୍ଠ ସନ୍ତାନ ମାତୁଳ କୂଳକୁ ଶ୍ରଦ୍ଧା ନିବେଦନ କରିଥାନ୍ତି l ପ୍ରଥମାଷ୍ଟମୀ ଦିନ ମାତୁଳ କୂଳରୁ ସେହି ଶ୍ରଦ୍ଧାର ପ୍ରତିଦାନ ସ୍ୱରୂପେ ଭାଗୀନେୟକୁ ସମ୍ବର୍ଦ୍ଧନା କରା ଯାଇ ଥାଏ l ଏହି ଦିନ ମାମୁଁ ମାନେ ନୂତନ ବସ୍ତ୍ର, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ମାନ ଆଣି ଭଣଜା ଭାଣିଜୀଙ୍କୁ ପଢୁଆଁ କରିବାର ପରମ୍ପରା ରହିଛି l ଏଥି ପାଇଁ ମାମୁଁଙ୍କୁ ” ଅଷ୍ଟମୀ ବନ୍ଧୁ ” କୁହାଯାଏ l ଆମମାନଙ୍କର ମାମୁଁଘର ଭଳି ପୁରାଣବର୍ଣ୍ଣିତ ଦେବା ଦେବୀ ମାନଙ୍କର ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ ମାମୁଁ ଘର ରହିଥିବାର ସୂଚନା ମିଳେ l

1. ଭଗବାନ ଶ୍ରୀରାମ ଯେଉଁ ସ୍ଥାନରେ ଅହଲ୍ୟା ଉଦ୍ଧାର କରିଥିଲେ ସେ ସ୍ଥାନକୁ ରାମଭକ୍ତ ବୀର ହନୁମାନଙ୍କ ମାମୁଁଘର ବୋଲି କିମ୍ବଦନ୍ତୀ କହେ l ବିହାରର ସାରନ ଜିଲ୍ଲା ତିତିଲଗଞ୍ଜଠାରେ ଏହି ସ୍ଥାନ ଅବସ୍ଥିତ l ଆଉ କେତେକଙ୍କ ମତରେ ଏହା ବକ୍ସର ଜିଲ୍ଲାର ଅହୀରୋଲ l ଏଠାରେ ଗୌତମ ମୁନିଙ୍କ ଆଶ୍ରମରେ ପତ୍ନୀ ଅହଲ୍ୟା, ତାଙ୍କ କନ୍ୟା ତଥା ହନୁମାନଙ୍କ ମାତା ଅଞ୍ଜନା ବାସକରୁଥିଲେ l ଜନକ ପୁର ଯିବା ପଥରେ ପ୍ରଭୁ ଶ୍ରୀରାମଙ୍କ ପଦସ୍ପର୍ଶ ପାଇ ପାଷାଣୀ ଅହଲ୍ୟା ଶାପମୁକ୍ତ ହୋଇଥିଲେ l ଏଠାରେ ଭାରତର ଏକ ମାତ୍ର ଅହଲ୍ୟା ମନ୍ଦିର ଅଛି l ମାତା ଅହଲ୍ୟାଙ୍କ ମନ୍ଦିର ଓ ଆଶ୍ରମ ରହିଥିବା ଯୋଗୁଁ ଏ ସ୍ଥାନର ନାମ ଅହିରୋଲ ହୋଇଛି l ଏଠାରେ ମଧ୍ୟ ଅଞ୍ଜନା ସରୋବର ନାମରେ ଏକ ବୃହତ ପୁଷ୍କରିଣୀ ଅଛି l ଶ୍ରୀନାରାୟଣଦାସ ନାମା ଜଣେ ରାମଭକ୍ତ ଏ କଥା ଭକ୍ତମାଳି ପୁସ୍ତକରେ ଲିପିବଦ୍ଧ କରିଛନ୍ତି l

2. ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ଅନ୍ତର୍ଗତ ବିଶରଖ ଗ୍ରାମରେ ରାବଣ ମନ୍ଦିର ଅଛି l ଏହାକୁ ରାବଣର ମାମୁଁଘର ବୋଲି ଅଭିହିତ କରାଯାଏ l ରାବଣର ପିତା ମହର୍ଷି ବିଶ୍ରବାଙ୍କ ନାମାନୁସାରେ ଏ ସ୍ଥାନର ନାମ ପ୍ରଥମେ ବିଶ୍ୱେଶ୍ୱରା ଥିଲା ଯାହା ଅପଭ୍ରଂଶହୋଇ ବିଶରଖ ହୋଇଅଛି l ରାବଣର ମାମୁଁଘର ହୋଇଥିବାରୁ ଏଠାରେ ରାବଣ ପୋଡି ଉତ୍ସବ ପାଳିତ ହୁଏ ନାହିଁ l

4. ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ 30 କିଲୋମିଟର ଦୂର ଆରଙ୍ଗ ନିକଟ ଚାନ୍ଦଖୁରୀ ବା ଚନ୍ଦ୍ରପୁରୀ ଗ୍ରାମ ଶ୍ରୀରାମଙ୍କ ମାତା କୌଶଲ୍ୟାଙ୍କ ଜନ୍ମସ୍ଥାନ ବୋଲି କୁହାଯାଏ l ଛତିଶଗଡ଼ ପୂର୍ବେ ପୌରାଣିକ ଦକ୍ଷିଣ କୋଶଳ ରାଜ୍ୟର ଅନ୍ତର୍ଭୁକ୍ତ ଥିଲା l ଏଠା ପୁଷ୍କରିଣୀ ଭିତରେ ଏକ ଟାପୁରେ ମାଆ କୌଶଲ୍ୟାଙ୍କ ମନ୍ଦିର ରହିଛି ଯେଉଁଠାରେ କୌଶଲ୍ୟାଙ୍କ କୋଳରେ ଶିଶୁ ଶ୍ରୀରାମଙ୍କୁ ପୂଜା କରାଯାଉଛି l ମନ୍ଦିରଟି ଷଷ୍ଠ ଶତାବ୍ଦୀରେ ନିର୍ମିତ ହୋଇଛି l ଏହା ସମଗ୍ର ଭାରତବର୍ଷରେ ଏକମାତ୍ର କୌଶଲ୍ୟା ମନ୍ଦିର l ପ୍ରଭୁ ଶ୍ରୀରାମ ଏହି ଅଞ୍ଚଳର ଭଣଜା ହୋଇଥିବାରୁ ଲୋକେ ଭଣଜାକୁ ପ୍ରଭୁଙ୍କ ମାନ୍ୟ ଦେଇ ଏଠାରେ ପାଦଛୁଇଁ ପ୍ରଣାମ କରନ୍ତି l ଆଉ କେତେକ କିମ୍ବଦନ୍ତୀରେ ଝାଡ଼ଖଣ୍ଡ ଅନ୍ତର୍ଗତ ଲୋହାରଦାଗା କୌଶଲ୍ୟାଙ୍କ ବାପ ଘର ବୋଲି କୁହାଯାଏ l ଏଠାରେ ଭୂମିକୁ ଖନନ କଲେ ମାଟି ତଳୁ ଖଣ୍ଡା, ଧନୁତୀର,ଇଟା ଏବଂ ଗୋଟିଏ ଭଗ୍ନ ଦୁର୍ଗର ଅବଶେଷ ମିଳିଥାଏ l

5 ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାର ବରସୁର ଠାରେ ଏକ ମନ୍ଦିର ଅଛି, ଯାହାର ନାମ ମାମୁଁ ଭଣଜା ମନ୍ଦିର l କିମ୍ବଦନ୍ତୀ ଅନୁଯାୟୀ ଦୁଇଜଣ କାରିଗର ଏ ମନ୍ଦିରକୁ ମାତ୍ର ଗୋଟିଏ ଦିନରେ ନିର୍ମାଣ କରିଥିଲେ l ସେମାନେ ସମ୍ପର୍କରେ ମାମୁଁ ଭଣଜା ଥିଲେ l ଏଣୁ ଏ ମନ୍ଦିରଟିର ନାମ କରଣ ଏପରି ହୋଇଛି lଆଉ ଏକ କିମ୍ବଦନ୍ତୀ ଅନୁସାରେ ପୂର୍ବେ ଏ ଅଞ୍ଚଳ ଗଙ୍ଗବଂଶୀ ରାଜାଙ୍କ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ଥିଲା l ରାଜାଙ୍କର ଜଣେ କଳା ପ୍ରେମୀ ଭଣଜା ଉତ୍କଳରୁ ଶିଳ୍ପୀ ମାନଙ୍କୁ ନେଇ ଗୋଟିଏ ଭବ୍ୟ ମନ୍ଦିର ନିର୍ମାଣ କରାଇ ଥିଲେ l ବାହାରର ଶିଳ୍ପୀଙ୍କଦ୍ୱାରା ମନ୍ଦିର ନିର୍ମାଣରେ କ୍ରୋଧିତହୋଇ ରାଜା ତାଙ୍କୁ ବହୁତ ଧିକ୍କାର କଲେ l ସେ ରାଜାଙ୍କ ଉପରେ ଉତ୍ୟକ୍ତ ହୋଇ ଭଣଜା ତାହାଙ୍କୁ ହତ୍ୟା କଲା l ପରେ ପ୍ରାୟଶ୍ଚିତ ନିମନ୍ତେ ମାମୁଁଙ୍କର ମୁଣ୍ଡ ଆକୃତିର ମୂର୍ତ୍ତିଟିଏ ବସାଇ ଭଣଜା ମନ୍ଦିରରେ ପୂଜା କଲା l କ୍ରମେ ଭଣଜାର ମୃତ୍ୟୁପରେ ଲୋକ ମାନେ ଭଣଜାଙ୍କ ମୂର୍ତ୍ତିଟିଏ ମଧ୍ୟ ସେହି ମନ୍ଦିରରେ ସ୍ଥାପନ କଲେ l ମନ୍ଦିରଟି ଏଥିପାଇଁ ମାମୁଁ ଭଣଜା ମନ୍ଦିର ନାମରେ ଜଣା l

ଓଡ଼ିଶାର ଚିଲିକା ନିକଟରେ ଦୁଇଟି ପାହାଡ଼ ଅଛି ଯାହାକୁ ମାମୁଁଭଣଜା ପାହାଡ଼ ବୋଲି କୁହାଯାଏ l ଏଭଳି ନାମ କରଣ ପଛରେ କିଛି ରହସ୍ୟ ରହି ଥାଇପାରେ l ଗୋଦାବରୀଶ ମିଶ୍ରଙ୍କ କାଳିଜାଇ କବିତାରେ ପାହାଡ଼ ଦୁଇଟିର ବର୍ଣ୍ଣନା ଅଛି :-

ଭଲକରି ନାଆ ବାହୁଛି ନାଉରି

ତଲେଇ କରିଛି ଠିଆ l

ମାମୁଁ ଭଣଜାର କୋଣରୁ ଆସେ ଲୋ

ବହି ସୁଲୁସୁଲୁ ବାଆ ll

ଓଡିଶାର ପର୍ବପର୍ବାଣି ମାନଙ୍କ ସହ ଏଠାରେ ପୂଜା ହେଉଥିବା ଦେବା ଦେବୀଙ୍କ ପୂଜା ନୀତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ l ପ୍ରଥମାଷ୍ଟମୀରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଓ ଶ୍ରୀ ଜଗନ୍ନାଥଙ୍କ ମଧ୍ୟ ପ୍ରଥମାଷ୍ଟମୀ ନୀତି ପାଳିତ ହୁଏ l

ଶ୍ରୀଲିଙ୍ଗରାଜଙ୍କ ପ୍ରଥମାଷ୍ଟମୀ :-

ପ୍ରଥମାଷ୍ଟମୀ ଦିନ ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ତାଙ୍କ ମାମୁଁ ଘର କୁହାଯାଉଥିବା କପାଳୀ ମଠକୁ ଯାତ୍ରା କରନ୍ତି l ମଠରେ ଥିବା ମହାପ୍ରଭୁ ଶ୍ରୀ ବରୁଣେଶ୍ବର ଓ ବନଦେବୀ ଶ୍ରୀ ଲିଙ୍ଗରାଜଙ୍କ ମାମୁଁ ଓ ମାଇଁ l କପାଳି ମଠରେ ପହଞ୍ଚିବା ପରେ ପାପ ନାଶିନୀ ପୁଷ୍କରିଣୀରେ ସ୍ନାନପରେ ମାମୁଁମାଇଁ ତାଙ୍କୁ ନୂଆ ବସ୍ତ୍ର ପରିଧାନ କରାଇ ଅକ୍ଷତ ଚାଉଳ ଦେଇ ବନ୍ଦାପନା କରିଥାନ୍ତି l

ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ :-

ଶ୍ରୀମନ୍ଦିରରେ ମଧ୍ୟ ପ୍ରଥମାଷ୍ଟମୀ ପର୍ବ ପାରମ୍ପରିକ ରୀତିରେ ପାଳିତ ହୁଏ l ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଆଦିଦେବ ବଡ଼ଠାକୁର l ତାଙ୍କ ଠାରୁ ବଡ଼ କେହି ନାହିଁ l ଶ୍ରୀମଦ୍ ଭଗବଦ୍ ଗୀତାରେ କୁହାଯାଇଛି,‘ତ୍ବମ୍ ଆଦିଦେବଃ ପୁରୁଷ ପୁରାଣସ୍ତ୍ବ ମସ୍ୟ ବିଶ୍ଵସ୍ୟ ପରଂ ନିଧାନମ’ l ସବୁଠାରୁ ବଡ଼ ଭାବରେ ପ୍ରଥମାଷ୍ଟମୀ ଦିନ ତାଙ୍କର ସ୍ଵତନ୍ତ୍ର ପୂଜା ଶ୍ରୀମନ୍ଦିରରେ ପାଳିତ ହୋଇଥାଏ l ବଡ଼ଠାକୁର ବଡ଼ ଭାଇ ଶ୍ରୀ ବଳଭଦ୍ରଙ୍କୁ ପଢୁଆଁ କରା ଯାଏ l ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ବା ମାର୍ଗଶୀର କୃଷ୍ଣ ଅଷ୍ଟମୀକୁ ଉଦ୍ୟାପିନି ଅଷ୍ଟମୀ ବୋଲି ମଧ୍ୟ କୁହା ଯାଇଥାଏ l ପ୍ରଥମାଷ୍ଟମୀ ପାଳନ ବିଧି ନୀଳାଦ୍ରୀ ମହୋଦୟ ଗ୍ରନ୍ଥରେ ବିସ୍ତୃତ୍ବ ଭାବେ ବର୍ଣ୍ଣିନା କରା ଯାଇଛି l ପ୍ରଥମାଷ୍ଟମୀ ଦିନ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିବାପରେ ତିନିବାଡ଼ରେ ମଇଲମ କରା ଯାଇ ପୂଜାପଣ୍ଡା ସେବକମାନଙ୍କ ଦ୍ଵାରା ମହାସ୍ନାନ ନୀତି ସମ୍ପନ୍ନ ହୋଇଥାଏ l ଏହା ପରେ ପୁଷ୍ପାଳକ ସେବକ ମାନେ ଠାକୁରମାନଙ୍କୁ ନୂଆ ଲୁଗା ଲାଗି କରାନ୍ତି l ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ରେ ଚନ୍ଦନ ଲାଗି କରି ଥାନ୍ତି l ଚନ୍ଦନ ଲାଗି ପରେ ଠାକୁର ମାନଙ୍କୁ ବେଶ କରା ଯାଏ l ଏହି ବେଶରେ ଛଅମୂର୍ତ୍ତି ସୁବର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ l ଶ୍ରୀବିଗ୍ରହମାନଙ୍କୁ କର୍ପୂରଲାଗି କରି ପୁଷ୍ପାଳକ ମାନେ ରତ୍ନ ସିଂହାସନରୁ ଓହ୍ଲାଇ ଆସିଲା ପରେ ସୁଦୁ ସୁଆର ପୂଜା କରିବା ପରେ ତିନି ବାଡ଼ରେ ପୂଜାପଣ୍ଡା,ପତିମହାପାତ୍ର,ମୁଦିରସ୍ତ ସେବକ ବରୁଣପୂଜା କରିଥାନ୍ତି lମଧ୍ୟାହ୍ନଧୂପ ପରେ ତିନିବାଡ଼ରେ ମଙ୍ଗଳାର୍ପଣ ବଢ଼ି ଫୁଲପରିଆ,ଖଦି ଛେଦା ପ୍ରସାଦ ଲାଗି କରି ବନ୍ଦାପନା କରାଯାଏ l ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଏଣ୍ଡୁରୀ ପିଠା ସହ ନାଡ଼ୀ, ଧଉଳା,ଖଇରଚୂଳ,ସାନଆରିସା,ସରପୁଳି ପିଠା ଓ ଘିନାଡ଼ୀ, କାନ୍ତ କାକରା, ଗଜା, ବଡ଼ ଡ଼ାଳିମ୍ବ, ଓରିଆ, ମୁଗ, ଖିରୀ ଆଦି ମହାପ୍ରଭୁଙ୍କ ପାଖରେ ଭୋଗ କରାଯାଇ ଥାଏ l ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମାଷ୍ଟମୀ ପର୍ବ ମାନବୀୟ ଲୀଳାର ଅନ୍ୟଏକ ଦୃଷ୍ଟାନ୍ତ l ପରିବାରର ଜ୍ୟେଷ୍ଠସନ୍ତାନ ପରି ସମଗ୍ର ବିଶ୍ଵର ଜ୍ୟେଷ୍ଠ ହିସାବରେ ବଡ଼ ଠାକୁରଙ୍କୁ ପଢୁଆଁ କରାଯିବା ନୀତିକୁ ଯେଉଁ ଭକ୍ତଗଣ ଚର୍ମ ଚକ୍ଷୁରେ ଦର୍ଶନ କରନ୍ତି, ସେମାନଙ୍କର ସମସ୍ତ ପାପ ତାପ ଖଣ୍ଡିତ ହୋଇ ବୈକୁଣ୍ଠପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି l ଶାସ୍ତ୍ରରେ ଉଲ୍ଲେଖ ଅଛି:-

ପଶ୍ୟେଦ୍ ବା ପରୟା ଭକ୍ତା ମୁକ୍ତ

ସ୍ୟାତପାପବୃନ୍ଦତଃ l

ଅନ୍ତେ ବିଷ୍ଣୁପୁରଂ ଗଚ୍ଛେତ୍

ସର୍ବଶର୍ମପ୍ରବଂ ପରମ୍ ll

ବଡ଼ଭାଇ ବଳଦେବ ତଥା ମହାପ୍ରଭୁଙ୍କ ମାମୁଁ ଘର ଭାବେ ପରିଚିତ ନିଆଳିସ୍ଥ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ପୋଢ଼ୁଆଁଭାର ଆସେ l ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମାନେ କୁହନ୍ତି ଯେ ମହାରାଜା ତୃତୀୟ ଅନଙ୍ଗ ଭୀମଦେବଙ୍କ ଦ୍ୱାରା 1226 ଖ୍ରୀ. ଅ.ରୁ ଶ୍ରୀମାଧବ ମନ୍ଦିରରୁ ପୁରୁଷୋତ୍ତମ କ୍ଷେତ୍ରକୁ ପ୍ରଥମାଷ୍ଟମୀ ପଢୁଆଁଭାର ଯିବା ପରମ୍ପରା ରହିଛିl ୨୦୧୮ ମସିହାରେ ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପ୍ରକାଶିତ ଶ୍ରୀ ମନ୍ଦିର ପତ୍ରିକାରେ ନିଆଳିର ମାଧବାନନ୍ଦ ଜୀଉ ମନ୍ଦିର ଶ୍ରୀଜଗନ୍ନାଥଙ୍କ ମାମୁଁଘର ବୋଲି ଉଲ୍ଲେଖ କରା ଯାଇଛି l ଶ୍ରୀମନ୍ଦିର ପତ୍ରିକାର ଲିଖିତ ଅଛି ଜନଶ୍ରୁତିରେ ନିଆଳିର ଶ୍ରୀମାଧବାନନ୍ଦ ମନ୍ଦିରକୁ ଶ୍ରୀଜଗନ୍ନାଥଙ୍କ ମାମୁଁ ଘର କୁହାଯାଏ l ପୁଣି ମଧ୍ୟ ଲେଖାଅଛି,ବହୁ ପୂର୍ବେ ପ୍ରଥମାଷ୍ଟମୀ ଦିନ ମାଧବ ମନ୍ଦିରରୁ ଆଜ୍ଞାମାଳ ଏବଂ ଯୋଡବସ୍ତ୍ର ଆଣି ବଡ଼ ଦେଉଳରେ ଶ୍ରୀଜୀଉଙ୍କ ଠାରେ ଲାଗି କରାଯାଉ ଥିଲା lସମୟକ୍ରମେ ଏହି ପରମ୍ପରା କିଛିଦିନପାଇଁ ବନ୍ଦ ହୋଇଯାଇଥିଲା l ଏବେ 2018 ଠାରୁ ଏ ପରମ୍ପରାକୁ ନିଆଳିର ମାଧବାନନ୍ଦ ଟ୍ରଷ୍ଟ, ଯାଦବ ସମିତି ଏବଂ ଭକ୍ତଗଣଙ୍କ ଉଦ୍ୟମକ୍ରମେ ପୁନର୍ବାର ଉଜ୍ଜିବୀତ କରାଯାଇଛି l ପ୍ରଥମାଷ୍ଟମୀର ପୂର୍ବଦିନ ସଂକୀର୍ତ୍ତନ ମଣ୍ଡଳୀ ସହିତ ପୋଢୁଆଁ ଭାର ନେଇ ସେବକ ଓ ଭକ୍ତ ଶୋଭା ଯାତ୍ରାରେ ପୁରୁଷୋତ୍ତମ କ୍ଷେତ୍ର ଅଭିମୁଖେ ଯାତ୍ରା କରିଥାନ୍ତି l ବଡ଼ ଠାକୁର ବଳଭଦ୍ରଙ୍କ ପାଇଁ ୭ ଖଣ୍ଡ ପାଟ, ୭ ଖଣ୍ଡ ଖଣ୍ଡୁଆ, ପିଠା ଓ ଫଳମୂଳ ଭାର ଆକାରରେ ପଠାଯାଏ l ନିଆଳିମାଧବ ମନ୍ଦିର 1200 ଖ୍ରୀଷ୍ଟାବ୍ଦରେ ରାଜା ଅନଙ୍ଗ ଭୀମ ଦେବଙ୍କ ଦ୍ୱାରା ନିର୍ମିତ ପ୍ରାଚୀ ନଦୀ ତୀରରେ ଏକ ବହୁ ପୁରାତନ ମନ୍ଦିର l ମନ୍ଦିରର ବର୍ଣ୍ଣନା ସ୍କନ୍ଧ ପୁରାଣ ପ୍ରାଚୀ ମାହାତ୍ମ୍ୟରେ ରହିଛି l ଶ୍ରୀ ଚୈତନ୍ୟ ମହାପ୍ରଭୁ ଶ୍ରୀକ୍ଷେତ୍ର ଯାତ୍ରା କାଳରେ ଏଠାରେ ଅବସ୍ଥାନ କରି ଥିଲେ ଏବଂ ସଂକୀର୍ତ୍ତନ ମଣ୍ଡଳୀ ସହ ଶ୍ରୀକ୍ଷେତ୍ର ଯାତ୍ରା କରିଥିଲେ l ଶାରଳା ମହାଭାରତର ସ୍ଵର୍ଗାରୋହଣ ପର୍ବରେ ଏ ମନ୍ଦିର ଧର୍ମରାଜ ଯୁଧିଷ୍ଠିରଙ୍କ ଦ୍ୱାରା ନିର୍ମିତ ବୋଲି ବର୍ଣ୍ଣନା ରହିଛି l ଭୀମଙ୍କ ଦ୍ୱାରା ଭୌମାସୁର ବଧ ପରେ ଏ ମନ୍ଦିର ପ୍ରତିଷ୍ଠା ହୋଇଥିଲା l ଏଠାରେ ତେଣୁ ମାଘ ଭୌମ ଏକାଦଶୀ ମହା ସମାରୋହ ସହକାରେ ପାଳିତହୁଏ l ଏଠାରେ ବ୍ରାହ୍ମଣ ମାନେ ପଶୁପାଳକ ଭାବେ ଅଭିହିତ ହୋଇଥାନ୍ତି l ପଣ୍ଡିତ ସଦାଶିବ ରଥ ଶର୍ମା ଇନ୍ଦ୍ର ନୀଳମଣୀ ପୁରାଣରୁ ସଂଗ୍ରହ କରି ପୁରୁଷୋତ୍ତମ ଚେତନା ପ୍ରବନ୍ଧରେ କହିଛନ୍ତି ଶ୍ରୀମନ୍ଦିରରେ ପୂଜିତ ଇନ୍ଦ୍ର ନୀଳମଣୀ ଶ୍ରୀମାଧବ ବିଗ୍ରହ ପ୍ରାଚୀ ତୀରସ୍ଥ ଅରୁନ୍ଧତୀପୁର ଠାରେ ଗୋପନ ଭାବରେ ପୂଜିତ ହେଉ ଥିଲେ l ସେହି ଅରୁନ୍ଧତୀ ପୁର ଅଧୁନା ନିଆଳି ନାମରେ ପରିଚିତ l ମାଧବଙ୍କ ମୂଳ ବିଗ୍ରହ ଏହି ନିଆଳି ଠାରେ ଥିବା ହେତୁ ଏହା ମହାପ୍ରଭୁଙ୍କ ମାମୁଁଘର ରୂପେ ବିବେଚିତ ହୁଏ l

ଆମେରିକୀୟ ଐତିହାସିକ ଚାର୍ଲସ ଫବ୍ରିକ ପ୍ରାଚୀ ଅବବାହିକା ସଭ୍ୟତା ଏକ ବହୁ ପ୍ରାଚୀନ ସଭ୍ୟତା ବୋଲି ମତ ବ୍ୟକ୍ତ କରିଛନ୍ତି l ଆମ ସଂସ୍କୃତିରେ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ଶ୍ରୀ ମାଧବଙ୍କୁ ସୁମରଣା କରି ମନ୍ତ୍ର ଉଚ୍ଚାରଣ କରାଯାଏ :-

ମାଧଵୋ ମାଧଵୋ ବିଷ୍ଣୁ,

ମାଧଵୋ ମାଧଵୋ ହରିଃ l

ସ୍ମରନ୍ତି ସାଧଵଃ ନିତ୍ୟ ସର୍ବ

କାର୍ଯ୍ୟେସୁ ମାଧଵଃ ll

ତାନ୍ତ୍ରିକ ମତରେ ପ୍ରଥମାଷ୍ଟମୀ :-

ପ୍ରଥମାଷ୍ଟମୀ ତାନ୍ତ୍ରିକମାନଙ୍କ ପାଇଁ ଶୈବ ଓ ଶାକ୍ତ ପରମ୍ପରାରେ ଏକ ଅତୀଵ ମହତ୍ତ୍ୱ ପୂର୍ଣ୍ଣ ଦିବସ l ପୌରାଣିକ ଉପାଖ୍ୟାନ ଅନୁଯାୟୀ ଦକ୍ଷ ଯଜ୍ଞରେ ପ୍ରଜାପତିଙ୍କ ଅପମାନରେ ଅନିମନ୍ତ୍ରୀତ ସଦାଶିବ କ୍ରୁଦ୍ଧ ହୋଇଉଠିଲେ l ଶଙ୍କରଙ୍କ କ୍ରୋଧାଗ୍ନି ମଧ୍ୟରୁ ମାର୍ଗଶୀର କୃଷ୍ଣ ଅଷ୍ଟମୀ ମଧ୍ୟାହ୍ନ ସମୟରେ ଯଜ୍ଞ ଵିଧ୍ଵଂଶ ପାଇଁ କାଳଭୈରବ ପ୍ରକଟ ହୋଇଥିଲେ l କାଳ ଭୈରବଙ୍କ ପ୍ରତାପରେ ଭୀତ ତ୍ରସ୍ତ ସମଗ୍ର ସଂସାର ତାଙ୍କୁ ଆରାଧନାକରି ସନ୍ତୁଷ୍ଟ କରିଥିଲେ l ଏଣୁ ପ୍ରଥମାଷ୍ଟମୀ ତିଥିରେ କାଳ ଭୈରବ ପୂଜା ପ୍ରଚଳିତ ହୋଇଛି l ଏହି ପୂଜାରେ ସର୍ବ ପାପରୁ ମୁକ୍ତି ମିଳେ ବୋଲି ଉପାସକମାନେ ବିଶ୍ୱାସ କରି ଥାନ୍ତି l ଏଣୁ ପ୍ରଥମାଷ୍ଟମୀ ପାପ ନାଶିନୀ ଅଷ୍ଟମୀ ନାମରେ ମଧ୍ୟ ଖ୍ୟାତ l ପ୍ରଥମାଷ୍ଟମୀ ରାତ୍ରିକୁ ତନ୍ତ୍ର ସାଧନା ପାଇଁ ସର୍ବୋତ୍ତମ ସମୟ ବୋଲି ବିଚାର କରାଯାଏ l ଏହାକୁ ତାନ୍ତ୍ରିକ ମାନେ ଘୋର ରାତ୍ରି ଓ ଉପାସନାକୁ ଘୋରଯାତ୍ରା ବୋଲି କହିଥାନ୍ତି l ଏପରି ଉପାସନା ପଦ୍ଧତିକୁ ଅଘୋର ଉପାସନା କୁହାଯାଏ l ଆଦ୍ୟାଶକ୍ତି ମାଆ ଦୁର୍ଗା ନବଦୁର୍ଗାଙ୍କ ମଧ୍ୟରେ ସପ୍ତମ ରୂପ କାଳରାତ୍ରୀ ,ଏହି ଦିନ ପ୍ରକଟ ହୋଇଥିଲେ l

ଆମ ପରମ୍ପରା ତଥା ଚଳଣିରେ ପ୍ରଚଳିତ ସମସ୍ତ ପୂଜା ଵିଧି ଓ ପର୍ବ ପର୍ବାଣି ସମାଜକୁ ସୁସ୍ଥ, ସୁନ୍ଦର, ଓ ଜୀବନକୁ ରୁଚିପୂର୍ଣ୍ଣ କରି ଗଢି ତୋଳିବା ପାଇଁ ଉଦ୍ଦିଷ୍ଟ l ଏ ପରମ୍ପରାରେ କୁଳର ଦାୟାଦ ଭାବେ ପ୍ରଥମ ସନ୍ତାନକୁ ପୂଜା ପାଇଁ ଉଦ୍ଦିଷ୍ଟ ପ୍ରଥମାଷ୍ଟମୀ ପର୍ବ ବହୁ ଗୁରୁତ୍ୱ ବହନ କରେ କାରଣ ଶାସ୍ତ୍ରରେ କୁହା ଯାଇଛି :-

ଜ୍ୟେଷ୍ଠ କୁଳମ୍ ବର୍ଦ୍ଧୟତି

ଜ୍ୟେଷ୍ଠହଃ ପୂଜତମୋ ଲୋକେ !

🙏🙏🙏

llllll ଅର୍ଜୁନୀ llllll

————-

ଅର୍ଜୁନୀ ଚରଣ ବେହେରା,

ପୋଖରୀପୁଟ, ଭୁବନେଶ୍ୱର

ମୋ – 7693091971

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!