ପ୍ରଥମ ପ୍ରଫେସର ସଞ୍ଜୟ କୁମାର ଶତପଥି ସ୍ମାରକୀ ପ୍ରତିଭା ପୁରସ୍କାର ପାଇଲେ ସୁଶ୍ରୀ ସୁହାନୀ ନାଏକ

(AKN NEWS): କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି ଥିଲେ ପ୍ରଫେସର ସଞ୍ଜୟ କୁମାର ଶତପଥି ।ନୂଆ ବିଶ୍ୱବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ କୁଳପତି ପ୍ରାଣପଣେ ଚେଷ୍ଟା କରୁଥିଲେ ।ଦୁର୍ଭାଗ୍ଯର ବିଷୟ ନିଜର କାର୍ଯ୍ୟକାଳ ମଧ୍ଯରେ ହିଁ ସେ ନିଜର ପ୍ରିୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ଛାଡି ଚାଲିଗଲେ ।କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓରଫ୍ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟକୁ ସାରା ବିଶ୍ବରେ ପରିଚିତ କରିବା ପାଇଁ ସେ ସ୍ବପ୍ନ ଦେଖିଥିଲେ ।ସେହି ସ୍ବପ୍ନ ,ସ୍ବପ୍ନରେ ହିଁ ରହିଗଲା ।ତାଙ୍କର ଅବଦାନ , ପ୍ରତିଭା ଓ ସ୍ମୃତିକୁ ମନେ ପକାଇବା ପାଇଁ ତଥା ଶ୍ରଦ୍ଧାଞ୍ଜଳି ସ୍ୱରୂପ ପ୍ରଫେସର ସଞ୍ଜୟ କୁମାର ଶତପଥି ସ୍ମାରକୀ ବକ୍ତୃତାମାଳା ‘କଳାହାଣ୍ଡି ଜିଲ୍ଲାର ଲୋକ ଦେବଦେବୀ ଓ ଲୋକବିଶ୍ୱାସ’ ଶୀର୍ଷକରେ ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ସଭାପତି ଆସନ ଅଳଙ୍କୃତ କରି ପ୍ରଫେସର ସଞ୍ଜୟ କୁମାର ଶତପଥିଙ୍କ ବିଶ୍ୱବିଦ୍ୟାଳୟ ପ୍ରତି ଥିବା ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସଂପର୍କରେ ବଖାଣିଥିଲେ ।ଚଳିତ ବର୍ଷଠାରୁମହାରାଜା ପ୍ରତାପ କେଶରୀ ଦେଓ ବକ୍ତୃତାମାଳା ଅକ୍ଟୋବର ମାସରେ , ସହୀଦ ରେଣ୍ଡୋମାଝୀ ବକ୍ତୃତାମାଳା ଡିସେମ୍ବର ମାସରେ ଓ ପ୍ରଫେସର ଭୁବନେଶ୍ବର ବେହେରା ବକ୍ତୃତାମାଳା ଜାନୁଆରୀ ମାସରେ ଅନୁଷ୍ଠିତ ହେବ ବୋଲି ଭାରପ୍ରାପ୍ତ କୁଳପତି ନିଜର ବକ୍ତବ୍ଯରେ କହିଥିଲେ ।ଉପ-କୁଳସଚିବ ମେଜର ଡକ୍ଟର ଜୟଦେବ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି ପ୍ରଫେସର ସଞ୍ଜୟ କୁମାର ଶତପଥିଙ୍କ ଗୁଣଗାନ କରିଥିଲେ ।ବିଶ୍ୱବିଦ୍ୟାଳୟର ବିତ୍ତ ନିୟନ୍ତ୍ରକ ଶ୍ରୀ ସୁରେଶ ପିଡିସିକା ପ୍ରଫେସର ସଞ୍ଜୟ ଶତପଥିଙ୍କ ଅମ୍ଳାନ ପ୍ରତିଭା ସଂପର୍କରେ ନିଜର ବକ୍ତବ୍ଯ ଉପସ୍ଥାପନ କରିଥିଲେ ।ଏହି ବକ୍ତୃତାମାଳାର ପ୍ରଥମ ବକ୍ତା ହେଉଛନ୍ତି ପ୍ରଫେସର ସଞ୍ଜୟ କୁମାର ଶତପଥିଙ୍କ ପ୍ରିୟ ଭାଇନା ମେଜର ଡକ୍ଟର ରାମଚନ୍ଦ୍ର ମିଶ୍ର । କଳାହାଣ୍ଡି ଓ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାକୁ ଗୁରୁତ୍ୱ ଦେଉଥିଲେ ଶତପଥି ମହୋଦୟ ।ତେଣୁ ପ୍ରଥମ ବିଷୟ ‘କଳାହାଣ୍ଡି ଜିଲ୍ଲାର ଲୋକ ଦେବଦେବୀ ଓ ଲୋକବିଶ୍ୱାସ’ ଉପରେ ବକ୍ତା ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।
ପଦାର୍ଥ ବିଜ୍ଞାନ ବିଭାଗର ସ୍ନାତକ ଦ୍ୱିତୀୟ ବର୍ଷ ଛାତ୍ରୀ ସୁଶ୍ରୀ ସୁହାନୀ ନାଏକ ଚଳିତ ବର୍ଷ ପ୍ରଥମ ପ୍ରଫେସର ସଞ୍ଜୟ କୁମାର ଶତପଥି ସ୍ମାରକୀ ପ୍ରତିଭା ପୁରସ୍କାର ପାଇଥିଲେ ।ନିଜର ପ୍ରଜ୍ଞା , ପ୍ରତିଭା , ପାଠ୍ୟ ବହିର୍ଭୂତ କାର୍ଯ୍ୟକ୍ରମ ତଥା ଦିଲ୍ଲୀରେ ଅନୁଷ୍ଠିତ ଯୁବ ପାର୍ଲିଆମେଣ୍ଟରେ ପ୍ରତିନିଧିତ୍ବ କରିଥିବାରୁ ସେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।ପ୍ରତିବର୍ଷ ଏହି ପୁରସ୍କାର ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ।ଇଂରାଜୀ ବିଭାଗର ସ୍ନାତକୋତ୍ତର ଛାତ୍ରୀ ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶନୀ ଜେନା ମଞ୍ଚ ପରିଚାଳନା କରିଥିବାବେଳେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ଯ ଡକ୍ଟର କୈଳାସ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ ବକ୍ତୃତାମାଳାରେ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ଓ ଗବେଷକ- ଗବେଷିକା ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


