ଓଡିଶା ଖବର

ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପୁରୀ ୩/୩(AKN NEWS): ଜୁନ ୨୭ ତାରିଖରେ ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗତ ରଥଯାତ୍ରା ର ଅଭିଜ୍ଞତା କୁ ଉପଯୋଗ କରି ଚଳିତ ବର୍ଷ ସମସ୍ତ କାର୍ଯ୍ୟ କୁ ସମ୍ମିଳିତ ଉଦ୍ୟମ ରେ ସଫଳ କରିବାକୁ ସେ ଆହ୍ଵାନ ଦେଇଥିଲେ। ବିଭିନ୍ନ ବିଭାଗ କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ରଥକାଠ ସଂଗ୍ରହ, ରଥ ନିର୍ମାଣ, ରଥଖଳା ପରିଷ୍କାର, ରଥଯାତ୍ରା ନିମନ୍ତେ ବିଭିନ୍ନ ସାମଗ୍ରୀ ସଂଗ୍ରହ ଓ ଯୋଗାଣ, ରଥକପଡା ସଂଗ୍ରହ, ନୀତି ସଂପାଦନ, ରଥଟଣା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ,ପାର୍କିଂ ସ୍ଥଳ,ଶାନ୍ତି ଶୃଙ୍ଖଳା ରକ୍ଷା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ସ୍ୱେଛାସେବୀ ନିୟୋଜନ ଇତ୍ୟାଦି ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗ ମାନେ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏସ ପି ବିନୀତ ଅଗ୍ରୱାଲ ରଥଯାତ୍ରା ପାଇଁ ଆଇନଶୃଙ୍ଖଳା ରକ୍ଷା ର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ସମସ୍ତ କାର୍ଯ୍ୟ ର ସଫଳତା ପାଇଁ ସମ୍ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ଅସୁରକ୍ଷିତ ବିଲ୍ଡିଂ ର ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ, ଅଗ୍ନି ନିର୍ବାପକ ବ୍ୟବସ୍ଥା ର ସମୀକ୍ଷା ଇତ୍ୟାଦି କୁ ଯୁଗ୍ମ ତଦନ୍ତ ମାଧ୍ୟମରେ ତ୍ୱରାନ୍ୱିତ ପାଇଁ ସେ ପରାମର୍ଶ ଦେଇଥିଲେ।ଚଳିତ ବର୍ଷ ଅକ୍ଷୟ ତୃତୀୟା ତିଥିରେ ରଥକାଠ ଅନୁକୂଳ ଅପ୍ରେଲ ୩୦ ତାରିଖରେ, ଦେବସ୍ନାନ ପୂର୍ଣ୍ଣିମା ଜୁନ ୧୧, ଶ୍ରୀଗୁଣ୍ଡିଚା ଜୁନ ୨୭,ସନ୍ଧ୍ୟା ଦର୍ଶନ ଜୁଲାଇ ୪,ବାହୁଡା ଜୁଲାଇ ୫,ସୁନାବେଶ ଜୁଲାଇ ୬,ଅଧରପଣା ଜୁଲାଇ ୭ ଓ ନୀଳାଦ୍ରି ବିଜେ ଜୁଲାଇ ୮ ତାରିଖରେ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି।ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକ ଥିବା ବେଳେ ଗତବର୍ଷ ର ୫୧ ଖଣ୍ଡ ବଳକା କାଠ ଥିବାରୁ ଅବଶିଷ୍ଟ ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି।ଇତି ମଧ୍ୟରେ ୧୦୧ ଖଣ୍ଡ କାଠ ପହଞ୍ଚି ସାରିଛି।ସେହିପରି ଅନ୍ୟାନ୍ୟ ରଥଯାତ୍ରା ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରାଯାଉଛି ବୋଲି ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡିଏଫଓ ବିବେକ କୁମାର, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ପୌରନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଅତିରିକ୍ତ ଏସ ପି ବିଷ୍ଣୁ ପ୍ରସାଦ ପତି,ସୁଶୀଲ ମିଶ୍ର,ଦେବୀ ଶଙ୍କର ପ୍ରତାପ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ମନୀଷା ଷଡ଼ଙ୍ଗୀ, ବିଭିନ୍ନ ବିଭାଗର ଅଧିକାରୀ,ଆରକ୍ଷୀ ବାହିନୀ ର ଅଧିକାରୀ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!