ଓଡିଶା ଖବର

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ପରିଚାଳନା କମିଟି ବୈଠକ-୨୦୨୫ 

ନବରଙ୍ଗପୁର (AKN NEWS) ୩.୦୫.୨୦୨୫: ଆଜି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ ଏବଂ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗ ର ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କ ପ୍ରତିନିଧି ପ୍ରହଲ୍ଲାଦ ତ୍ରିପାଠୀ, ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ଝରିଗାଁ ବିଧାୟକଙ୍କ ପ୍ରତିନିଧି ମାନସ ରଞ୍ଜନ ଦାସ, ନବରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ କୁନୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଗୀତାଞ୍ଜଳି ବେହେରା , ଜିଲ୍ଲା ଜରୁରୀ କାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ , ଜିଲ୍ଲାର ସମସ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଏବଂ ତହସିଲଦାର, ନିର୍ବାହି ଅଧିକାରୀ, ପୌର ସଂସ୍ଥା, ନବରଙ୍ଗପୁର ଏବଂ ଉମେରକୋଟ ବୃନ୍ଦ ଯୋଗ ଦେଇଥିଲେ । ବିପର୍ଯୟ ସମୟରେ ମିଳିତ ଭାବରେ ପରସ୍ପର ବିଭାଗ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିଲେ ବିପର୍ଯୟ କୁ ଆମେ ସହଜରେ ଏଡାଇପାରିବା ବୋଲି ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଥିଲେ | ବିଶେଷ କରି ବର୍ଷା ଦିନ ବନ୍ୟା ସମୟରେ ଏହାର ସଫଳ ମୁକାବିଲା କିପରି ଭାବରେ କରାଯାଇ ପାରିବ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଥିବା ଦୁର୍ବଳ ନଦୀ ବନ୍ଧ ଗୁଡିକ ଶ୍ରୀଘ୍ର ଚିହ୍ନଟ କରି ତାର ମରାମତି କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ଜିଲ୍ଲାପାଳ ଡ଼ଃ ମହାପାତ୍ର ନିର୍ଦେଶ ଦେଇଛନ୍ତି । ବିଶେଷ କରି ବନ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ପ୍ରଯ୍ୟାପ୍ତ ପରିମାଣରେ ଚାଉଳ, କିରୋସିନୀ,ଚୁଡା, ଗୂଡ଼, ଗୋଖାଦ୍ୟ, ଔଷଧ ବ୍ୟତୀତ ଶୁଦ୍ଧ ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା ଉପରେ ଯଥା ସମ୍ଭବ ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବନ୍ୟା ପ୍ରଭାବିତ ଅଞ୍ଚଳ ମାନଙ୍କରେ ସମ୍ଭାବ୍ୟ ମହାମାରୀ କୁ ପ୍ରତିହିତ କରିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସହିତ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେବା ସହିତ ବନ୍ୟା ପ୍ଲାବିତ ଅଞ୍ଚଳରେ ଆବଶ୍ୟକୀୟ ଔଷଧ ତଥା ସାପ କାମୁଡ଼ା ଇଞ୍ଜେକସନ୍ ,ହେଲୋଜିନ୍ ବଟିକା, ଓ ଆର୍ ଏସ୍, ବ୍ଲିଚିଙ୍ଗ ଇତ୍ୟାଦି ମହଜୁଦ ରଖିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ବିପର୍ଯ୍ୟୟ ସମୟରେ ଯେମିତି ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଶ୍ରୟସ୍ଥଳୀ ରେ ରଖିବା ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥା, ଖାଦ୍ୟ, ପାନୀୟ, ଶିଶୁ ଖାଦ୍ୟ, ଔଷଧ, ଆଲୋକର ବ୍ୟବସ୍ଥା, ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ, ମହିଳା, ଶିଶୁ, ଭିନ୍ନକ୍ଷମ ଓ ବୃଦ୍ଧ ବୃଦ୍ଧା ସୁରକ୍ଷିତ ସ୍ଥାନାନ୍ତରିତ ଉପରେ ଆଲୋକପାତ କରିଥିଲେ l ବର୍ଷା ପୂର୍ବରୁ ନଦୀବନ୍ଧ ଘାଇ ମରାମତି, ସହରାଞ୍ଚଳରେ ନାଳ ସଫେଇ ଓ ମରାମତି, ପାଇପ୍ ଦ୍ଵାରା ବିଶୁଦ୍ଧ ବିଶୋଧିତ ଜଳ ଯୋଗାଣ ନଳକୂପ ବିଶୋଧନ, ଦୁର୍ଗମ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ଏବଂ ବିପର୍ଯ୍ୟୟ ସମୟରେ ରାସ୍ତା ଅବରୋଧ କୁ ହଟାଇବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ l ସେହିପରି ବନ୍ୟା ବାତ୍ୟା ପରେ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ସଡକ ପରିଷ୍କାର, ଅର୍ଦ୍ଧ ଭଗ୍ନ ବିଦ୍ୟୁତ ଖୁଣ୍ଟ ଗୁଡିକର ମରାମତି ଓ ପୁନରୁଦ୍ଧାର ଆଦି ସମସ୍ତ ପ୍ରକାର କାର୍ଯ୍ୟ ଯୁଦ୍ଧକାଳିନ ଭିତ୍ତିରେ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ସଠିକ ବୃଷ୍ଟିର ପରିମାଣ ଜିଲ୍ଲା ଜରୁରୀକାଳୀନ ଉପବିଭାଗ କୁ ପ୍ରେରଣ କରିବା ପାଇଁ ସମ୍ପୃକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଖସଡା ୨୦୨୫ ପୁସ୍ତକ ଉପସ୍ଥିତ ଥିବା ମାନ୍ୟବର ମନ୍ତ୍ରୀ ଏବଂ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା l

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!