ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’।

ଅଧରପଣା’ ନୀତି(AKN NEWS):କାହିଁକି ହୁଏ ଏହି ଅଧରହାଣ୍ଡି ଭଙ୍ଗା ? ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ବ ? ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’। ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ବିଗ୍ରହଙ୍କୁ, ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ। ପୂର୍ବେ ଶ୍ରୀଜଗନ୍ନାଥଙ୍କ ରଥର ବିଜେ ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀବଳଭଦ୍ରଙ୍କ ରଥର ବିଜେ ପ୍ରତିମା ରାମ ଓ କୃଷ୍ଣଙ୍କୁ ମଧ୍ୟ ଆଉ ତିନିଟି ଛୋଟ ପଣାହାଣ୍ଡି ଭୋଗ ଲାଗୁଥିଲା। କିନ୍ତୁ ଏବେ ତିନିଟି ଲେଖାଏଁ ମୋଟ ନଅଟି ପଣାହାଣ୍ଡି ଭୋଗ ଲାଗୁଛି । କିନ୍ତୁ ଏହି ପଣାଭୋଗର ବିଶେଷତ୍ୱ ହେଉଛି, ଭୋଗ ପରେ ଏହି ପଣାହାଣ୍ଡି ଗୁଡ଼ିକୁ ପଣା ଥିବା ଅବସ୍ଥାରେ ଭାଙ୍ଗି ଦିଆଯାଏ ।କିନ୍ତୁ କାହିଁକି ହୁଏ ଏହି ଅଧରହାଣ୍ଡି ଭଙ୍ଗା?ଏ ପ୍ରଶ୍ନର ଉତ୍ତର ଖୋଜିବା ପୂର୍ବରୁ, ଏହି ଅଧରପଣାର ବିଧିଟି କ’ଣ ସେ ସଂପର୍କରେ ସଂକ୍ଷିପ୍ତ ଆଲୋଚନା ଆବଶ୍ୟକ । ଏହି ଅଧରପଣା ହେଉଛି ବିଶେଷ ପ୍ରଣାଳୀରେ ପ୍ରସ୍ତୁତ ଏକ ପଣାଭୋଗ। ଏହି ଭୋଗ ଏବେ ଦ୍ୱାଦଶୀ ତିଥିରେ ହେଉଛି। କିନ୍ତୁ ଇତିହାସର ସୂତ୍ର ସୂଚାଏ ଯେ ପୂର୍ବେ ଏହା ଦଶମୀ ଦିନ ହେଉଥିଲା। ବାହୁଡ଼ା ରଥ ସିଂହଦ୍ୱାର ଠାରେ ପହଞ୍ଚିବା ପରେ, ରଥାରୂଢ଼ ଠାକୁର ମାନଙ୍କୁ ଏହି ଭୋଗ ଲାଗି କରା ଯାଉଥିଲା। ଏହାର ସାଧାରଣ ଉଦ୍ଦେଶ୍ୟ ହେଉଛି, ଠାକୁର ମାନଙ୍କର ପଥକ୍ଳାନ୍ତି ଅପନୋଦନ। କାରଣ, ଆମେ ଯେପରି ଦୂରପଥ ଅତିକ୍ରମ କରି ଆସିଲେ ପଣା, ପାଣି ପିଇ ଟିକିଏ ସାଷ୍ଟମ ହୋଇଥାଉ, ଏହା ସେହିପରି ଏକ ବିଧି। କିନ୍ତୁ ‘ଅଧରହାଣ୍ଡି ଭଙ୍ଗା’ ନୀତି ସୂଚାଏ ଯେ ପଛରେ ଆହୁରି ଗଭୀର କଥା ରହିଛି।‘ଅଧରପଣା’ର ଇତିହାସ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହି ନୀତି ପ୍ରଥମେ ବାହୁଡ଼ା ଦଶମୀ ଦିନ ହେଉଥିଲା । ପରେ ଏହା ଏକାଦଶୀରେ ଓ ଆହୁରି ପରେ ଦ୍ୱାଦଶୀ ଦିନ କରାଗଲା।
କାରଣ, ଅନେକ ସମୟରେ ବାହୁଡ଼ା ଯାତ୍ରାର ତିନି ରଥ, ସେହି ଦିନ ଆସି ସିଂହଦ୍ୱାର ଆଗରେ ପହଞ୍ଚି ପାରୁ ନଥିଲା। ତେଣୁ ଦଶମୀ ପରିବର୍ତ୍ତେ ଏକାଦଶୀ ଦିନ ଦୁଇଟି କରି ତିନି ରଥରେ ଛଅ ହାଣ୍ଡି ଅଧରପଣା ଭୋଗ ହେଲା । ଦ୍ୱାଦଶୀ ଦିନ ଆଉ ଗୋଟିଏ ଲେଖାଏଁ ହାଣ୍ଡି ଅର୍ଥାତ୍ ଶେଷ ତିନି ହାଣ୍ଡି ପଣା ଭୋଗ ହେଉଥିଲା। କିନ୍ତୁ ସେଥିରେ ମଧ୍ୟ ଅସୁବିଧା ଦେଖାଦେଲା । କାରଣ, ଏକାଦଶୀ ଦିନ ସୁନାବେଶ ହେଉଥିବାରୁ, ତାହା ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତ ଆସିଲେ। ତା’ ସାଙ୍ଗକୁ ସେଦିନ ମଧ୍ୟ ହରିଶୟନ ନୀତି ଥିବାରୁ, ଅଧରପଣା ନୀତି ପାଇଁ ସମୟାଭାବ ହେଲା। ଫଳରେ ନଅହାଣ୍ଡି ଯାକ ଅଧରପଣା ଭୋଗ ଦ୍ୱାଦଶୀ ଦିନ କରାଗଲା । ରାମ ଓ କୃଷ୍ଣ ଏବଂ ମଦନ ମୋହନଙ୍କ ତିନି ହାଣ୍ଡି ଅଧରପଣା ଭୋଗ ମଧ୍ୟ ସେହିଦିନ ହେଉଥିଲା।‘ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା’ ପୁସ୍ତକର ଏକ ସ୍ୱତନ୍ତ୍ର ଲେଖାରେ ସଂପାଦକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର ଏ ସଂପର୍କରେ ବିଶେଷ ଆଲୋଚନା କରିଛନ୍ତି । ‘ଶ୍ରୀମନ୍ଦିରର ଅବଲୁପ୍ତ ଭୋଗ: ଅମୃତକୁଣ୍ଡ’ ଶୀର୍ଷକ ଅନ୍ୟ ଗୋଟିଏ ଲେଖାରେ ମଧ୍ୟ ସେ ‘ଅମୃତକୁଣ୍ଡ’ ଭୋଗ ସହ ଏହି ‘ଅଧରପଣା’ ଭୋଗର ସଂପର୍କ ସୂଚାଇଛନ୍ତି । ସପ୍ତଦଶ-ଅଷ୍ଟାଦଶ ଶତାବ୍ଦୀର କବି ଦୀନକୃଷ୍ଣ ଦାସ ଓ ଲୋକନାଥ ବିଦ୍ୟାଧରଙ୍କ ବର୍ଣ୍ଣନା ଆଧାରରେ ସେ କହିଛନ୍ତି, ସପ୍ତଦଶ ଶତାବ୍ଦୀ ଶେଷ ଓ ଅଷ୍ଟାଦଶ ଶତାବ୍ଦୀ ଆରମ୍ଭ ବେଳକୁ ଶ୍ରୀଜଗନ୍ନାଥଙ୍କ ନିକଟରେ ‘ଅମୃତକୁଣ୍ଡ’ ନାମକ ଗୋଟିଏ ବିଶେଷ ପଣାଭୋଗ ହେଉଥିଲା। କିନ୍ତୁ ତାହା ଏବେ ବିଲୁପ୍ତ ହୋଇଯାଇଛି।‘ନୀଳାଦ୍ରି ମହୋଦୟ’ ରେ ମଧ୍ୟ ପଣାଭୋଗ ପ୍ରସ୍ତୁତିର ବର୍ଣ୍ଣନା ମିଳେ। ସେଥିରେ କୁହାଯାଇଛି- ପାକକାର (ମହାସୁଆର) ଦୁଇଭାଗ ଜଳ, ଏକଭାଗ ବିମଳ (ଛାଚି ବା ଖଣ୍ଡ ବା ନବାତ)ଏବଂ ଏକଭାଗ ଲେଖାଏଁ ସିତା (ଦୁଗ୍ଧ), ଆମିକ୍ଷା (ଛେନା), ଦୁଗ୍ଧ ସାର (ସର) ଓ ପାଚିଲା କଦଳୀ ମିଶାଇ ଏହି ପଣା ପ୍ରସ୍ତୁତ କରିବେ। ସେଥିରେ କର୍ପୂର, ଗୋଲମରିଚ ଗୁଣ୍ଡ ଆଦି ମିଶାଇ ଏହି ‘ଅମୃତକୁଣ୍ଡ’ ମହାପ୍ରଭୁଙ୍କୁ ଅର୍ପଣ କରିବେ।ଯେତେବେଳେ ରଥମାର୍ଗ (ବଡ଼ଦାଣ୍ଡ) ସୁଗମ ନଥିଲା। ‘ବଳଗଣ୍ଡି’ ଥିଲା ରଥର ଗୋଟିଏ ବିଶ୍ରାମ ସ୍ଥଳ। ସେତେବେଳେ ସେଠାରେ ଏହି ‘ଅମୃତକୁଣ୍ଡ’ ନାମକ ପଣା ଭୋଗ କରାଯାଉଥିଲା। ଏବେ ସେହି ଭୋଗ ବିଲୁପ୍ତ ହୋଇ ଯାଇଛି। କିନ୍ତୁ ‘ଅଧରପଣା’ ଭୋଗରେ ତାହାର ସ୍ପର୍ଶ ରହିଛି । ଏବେ ଦ୍ୱାଦଶୀ ଦିନ ହିଁ ତିନି ରଥରେ ତିନିଟି ଲେଖାଏଁ ନଅ ହାଣ୍ଡି ଅଧରପଣା ଭୋଗ ହେଉଛି। ସୁନାବେଶର ପରଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ଭୋଗ ହୋଇଥାଏ । ପୂର୍ବେ ରାଘବ ଦାସ ମଠ, ବଡ଼ ଓଡ଼ିଆ ମଠ ଓ ଗଜପତି ମହାରାଜା ତିନି ରଥର ଏହି ପଣାଭୋଗ ସାମଗ୍ରୀ ଯୋଗାଉଥିଲେ। ଶ୍ରୀମନ୍ଦିରର ପରିଚାଳନା ଭାର ସରକାରଙ୍କ ହାତକୁ ଯିବା ପରେ, ଗଜପତି ମହାରାଜାଙ୍କ ପରିବର୍ତ୍ତେ ଶ୍ରୀମନ୍ଦିର ପ୍ରଶାସନ ଭୋଗ ସାମଗ୍ରୀ ଯୋଗାଉଛି। ଅନ୍ୟ ଦୁଇ ମଠର ଅଧରପଣା ସେବା ଅବ୍ୟାହତ ଅଛି।ଏହି ପଣାଭୋଗ ପାଇଁ ନଅଟି ସାମଗ୍ରୀ ଲାଗିଥାଏ। ସେହି ନଅ ସାମଗ୍ରୀ ହେଉଛି- କ୍ଷୀର, ସର, ଛେନା, ଛାଚି (ବା ନବାତ) ପାଚିଲା କଦଳୀ, ଗୋଲମରିଚ ଗୁଣ୍ଡ, ଜାଇଫଳ, କର୍ପୂର ଓ ଜଳ। ପୂର୍ବେ ଏଥିପାଇଁ ଶ୍ରୀମନ୍ଦିର ସାମ୍ନା ଦୋଳମଣ୍ଡପ ସାହିର ରାଧାବଲ୍ଲଭ ମଠରୁ ଜଳ ଅଣା ଯାଉଥିଲା। କିନ୍ତୁ ଏବେ ସିଂହଦ୍ୱାର ନିକଟ ଛାଉଣୀ ମଠରୁ ଜଳ ଅଣା ଯାଉଛି। ପାଣିଆପଟ ସେବକ ଶୁଦ୍ଧପୂତ ଭାବରେ ଏହି ଜଳ ଆଣୁଛନ୍ତି। ପାଳିଆ ମହାସୁଆର ବିଧି ମୁତାବକ ଏହି ପଣାଭୋଗ ପ୍ରସ୍ତୁତ କରୁଛନ୍ତି।ଠାକୁରମାନଙ୍କ ଅଧରକୁ ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ବଡ଼, ତୁମ୍ବ ଆକୃତିର ଡେଙ୍ଗା ମାଟି ପାତ୍ରରେ ଏହି ପଣାଭୋଗ କରା ଯାଇଥାଏ। ପ୍ରଥମେ ବଡ଼ ପିତ୍ତଳ ହଣ୍ଡାରେ ପଣା ପ୍ରସ୍ତୁତ କରାଯାଇ ପରେ ତାହାକୁ ଅଧର ହାଣ୍ଡିରେ ଢଳାଯାଏ ।ପଣା ପ୍ରସ୍ତୁତିି ସମୟରେ ଶ୍ରୀଜଗନ୍ନାଥଙ୍କ ରଥରେ ଭିତରଛ ମହାପାତ୍ର, ଶ୍ରୀ ବଳଭଦ୍ରଙ୍କ ରଥରେ ତଳୁଛ ମହାପାତ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ କନାର ଘେର ଦେଇ ଥାଆନ୍ତି। ତାହା ପରେ ରଥ ଶୋଧ ହୋଇ ‘ଟେରା’ ବନ୍ଧାଯାଏ ଏବଂ ଭୋଗ ଅର୍ପଣ କରାଯାଏ। ପୂଜାପଣ୍ଡା ସେବକ ଏହି ଭୋଗ କରି ଥାଆନ୍ତି। କିନ୍ତୁ ଏହାର ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି- ଭୋଗ ହେବା ପରେ, ରଥ ଉପରେ ଏହି ହାଣ୍ଡିଗୁ ଡ଼ିକ ଭାଙ୍ଗି ଦିଆଯାଏ। କାହିଁକି ପ୍ରଭୁଙ୍କୁ ଅନ୍ୟ ପ୍ରସାଦ ପରି ଭକ୍ତମାନଙ୍କୁ ବିତରଣ ନ କରି ଏହି ପଣାହାଣ୍ଡିକୁ ଭାଙ୍ଗି ଦିଆଯାଏ, ସେ ସଂପର୍କରେ ଭିନ୍ନ ଭିନ୍ନ ମତ ମିଳେ। ଗୋଟିଏ ମତ ଅନୁସାରେ, ଏହା ପଛରେ ବୈଷ୍ଣବ ଧର୍ମର ପ୍ରଚ୍ଛନ୍ନ ପ୍ରଭାବ ରହିଛି। ଶ୍ରୀକୃଷ୍ଣଙ୍କ ‘ଦହିହାଣ୍ଡି ଭଙ୍ଗା’ ସହିତ ଏହାର ସଂପର୍କ ରହିଛି ।କିନ୍ତୁ ଅନ୍ୟ ମତ ଅନୁସାରେ, ତାନ୍ତ୍ରିକ ଧାରାର ବ୍ରତ ପାଳନକାରୀ ମାନେ ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରି ଥାଆନ୍ତି ଏବଂ ଅବଶିଷ୍ଟ ଖାଦ୍ୟ ପରଦିନ ପାଇଁ ସାଇତି ନରଖି ହାଣ୍ଡିକୁ ଭାଙ୍ଗି ଦେଇଥାଆନ୍ତି। ତୁମ୍ବ ଆକୃତିର ଅଧରହାଣ୍ଡି ପୋଡ଼ା ମାଟିର। ତା’ ତଳ ବଇଠିରେ କଞ୍ଚା ମାଟି ଦେଇ ହାଣ୍ଡି ଗୁଡ଼ିକ ବସାଯାଇଥାଏ । ଭିତରେ ଥାଏ ନଅଟି ସାମଗ୍ରୀରେ ପ୍ରସ୍ତୁତ ପଣା। ତେଣୁ ‘ଶାରଦାତିଳକ’ ଗ୍ରନ୍ଥର ସୂଚନା ଆଧାରରେ କେତେକ ଏହାର ତାନ୍ତ୍ରିକ ଭିତ୍ତି ଅଛି ବୋଲି ଦର୍ଶାଇ ଥାଆନ୍ତି। ପୁଣି ଏହି ପଣା ପ୍ରସ୍ତୁତିରେ ୪୨ ଟି କଦଳୀ ଲାଗୁ ଥିବାରୁ, ଏହାକୁ ତିନି ରଥର ୪୨ ଚକ ସହିତ ମଧ୍ୟ କେତେକ ଯୋଡ଼ି ଥାଆନ୍ତି।କିନ୍ତୁ ଭୋଗ ପରେ, ଏହି ଅଧରହାଣ୍ଡି ଭଙ୍ଗାର ଅନ୍ୟ ବିଶେଷତ୍ୱ ରହିଥିବା ଜଣାଯାଏ । ଏ ସଂପର୍କରେ କୁହାଯାଏ ଯେ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଓ ତିନି ବିଜେ ପ୍ରତିମାଙ୍କ ସହିତ, ତିନି ରଥଧ୍ୱଜଙ୍କୁ ପ୍ରତିଦିନ ଭୋଗ ନୈବେଦ୍ୟ ଅର୍ପଣ କରା ଯାଇଥାଏ। କିନ୍ତୁ ରଥର ପାର୍ଶ୍ଵ ଦେବଦେବୀଙ୍କୁ କୌଣସି ଭୋଗ ଅର୍ପଣ କରାଯାଇ ନଥାଏ। ପୁଣି ରଥ ସହିତ ଗୁଣ୍ଡିଚାଯାତ୍ରା ଓ ବାହୁଡ଼ା ଯାତ୍ରାରେ ବହୁ ଅଶରୀରୀ ଗମନାଗମନ କରି ଥାଆନ୍ତି। ଠାକୁର ମାନଙ୍କ ଲାଗି ପ୍ରସାଦ ପାଇ ମୋକ୍ଷ ଲାଭ କରିବା ନିମନ୍ତେ ସେମାନଙ୍କର ଲାଳସା ରହିଥାଏ। ତେଣୁ ସେମାନଙ୍କର ସନ୍ତୋଷ ବିଧାନ ପାଇଁ ଏହି ପଣାହାଣ୍ଡି ଗୁଡ଼ିକୁ ଭୋଗ ପରେ ଭାଙ୍ଗି ଦିଆଯାଏ । ସେମାନେ ରଥର ଚାରିପଟୁ ଝରି ପଡ଼ୁଥିବା ସେହି ଅମୃତ ପଣା ପାଇ ତୁଷ୍ଟ ହୁଅନ୍ତି ଓ ମୁକ୍ତିଲାଭ କରନ୍ତି। ଏଇଥିପାଇଁ ରଥରେ ଭୋଗ ହେବା ପରେ ଅଧରହାଣ୍ଡି ଗୁଡ଼ିକୁ ଭାଙ୍ଗି ଦିଆଯାଏ।
ତଥ୍ୟ ସଂଗୃହିତ ଜୟ ଜଗନ୍ନାଥ🙏
ବ୍ୟୁରୋ ରିପୋର୍ଟ AKN NEWS


