*ସହିଦ ସ୍ମୃତି ଦିବସରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ |*

ନବରଙ୍ଗପୁର ( AKN NEWS ):ନବରଙ୍ଗପୁର ଜିଲ୍ଲା ପାପଡାହଣ୍ଡି ସହିଦ ମିନାର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଡ.ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ଜିଲ୍ଲା ପରିଷଦ ସଭାପତି ମୋତିରାମ ନାୟକ, ଜିଲ୍ଲା ପରିଷଦ ଉପସଭାପତି ଲିପିକା ବାରୋଇ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ସାଂସଦ ଭଗବାନ ମାଝୀ,ଏସ୍ପି ମଦକର ସନ୍ଦୀପ ସମ୍ପତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ |ନବରଙ୍ଗପୁରରୁ ସହିଦ ସ୍ମୃତି କମିଟି ସଭାପତି ମନରଞ୍ଜନ ତ୍ରିପାଠୀ ଓ କାଦମ୍ବିନୀ ତ୍ରିପାଠୀ ଆଣିଥିବା ସହିଦ ସ୍ମୃତି ମଶାଲକୁ ଅତିଥିବୃନ୍ଦ ଏବଂ ଜିଲ୍ଲାପାଳଙ୍କ ଗ୍ରହଣ କରିଥିଲେ।ଏହି ଅବସରରେ ପାପଡ଼ାହାଣ୍ଡି ବସ୍ଷ୍ଟାଣ୍ଡ ଠାରୁ ସହିଦ ମିନାର ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା।ସମସ୍ତେ ସହିଦ ସ୍ମୃତି ନିକଟରେ ପହଂଚିବା ପରେ ମଶାଲ ସ୍ଥାପନ କରି ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ| ସ୍ମୃତିସୌଧ ସ୍ଥିତ ସ୍ବାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା |ସେହିପରି ଟୁରା ନଦୀ କୂଳରେ ସହିଦଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରାଯାଇଥିଲା। ଆରକ୍ଷୀ ବାହିନୀ ପକ୍ଷରୁ ସାମରିକ ଅଭିବାଦନ ସହ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ସହିଦଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ଓ ସ୍ଵାଗତ ସଂଗୀତ ପରିବେଷଣ ସହ ସର୍ବଧର୍ମ ପ୍ରାର୍ଥନା ହୋଇଥିଲେ। ସ୍ବାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନକୁ ସ୍ମରଣ କରି ଅତୁଳନୀୟ ବୋଲି ଅତିଥିମାନେ ବର୍ଣ୍ଣନା କରିଥିଲେ । ମହାତ୍ମାଗାନ୍ଧୀଙ୍କ ଡାକରାରେ ନିରୀହ ଆଦିବାସୀ ଆନ୍ଦୋଳନ କରି ବୀରତ୍ଵର ପରିଚୟ ଦେଇଛନ୍ତି। ବର୍ତ୍ତମାନ ଜିଲ୍ଲାର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କଲେ ସହିଦଙ୍କ ସ୍ବପ୍ନ ନିଶ୍ଚିତ ରୂପେ ପୂରଣ ହେବ । ସହିଦଙ୍କ ପାଇଁ ଏହି ସ୍ଥାନ ତୀର୍ଥସ୍ଥଳରେ ପରିଣତ ହୋଇଛି। ତେଣୁ ସହିଦଙ୍କୁ ପାଠ୍ୟପୁସ୍ତକରେ ସ୍ଥାନ ଦେବାକୁ ପ୍ରୟାସ ହେବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ । ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ବିଡିଓ କପିଳଦେବ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ବିପିଓ ଶଶିକାନ୍ତ ଦାସ ଓ ଡିଆଇପିଆର ମନୋଜ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ସହିଦଙ୍କ ଦାୟାଦଙ୍କୁ ପ୍ରଶାସନ ପକ୍ଷରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


