ଆଜି ଭାରତ କ୍ରୀଡା ଜଗତର ସର୍ବକାଳୀନ ପ୍ରବାଦପୁରୁଷ ଧ୍ୟାନ ଚାନ୍ଦଙ୍କ ୧୨୧ତମ ଜୟନ୍ତୀ ଏବଂ ତାଙ୍କର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଆଜିର ଦିବସକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଇଆସୁଛି ।

(AKN NEWS):ଆଜି ଭାରତ କ୍ରୀଡା ଜଗତର ସର୍ବକାଳୀନ ପ୍ରବାଦପୁରୁଷ ଧ୍ୟାନ ଚାନ୍ଦଙ୍କ ୧୨୧ତମ ଜୟନ୍ତୀ ଏବଂ ତାଙ୍କର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଆଜିର ଦିବସକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଇଆସୁଛି ।ହକି ଖେଳରେ ବିଶ୍ୱର ଜଣେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବେ ତାଙ୍କର ମାନ୍ୟତା ରହିଛି । ତାଙ୍କର ଅସାଧାରଣ ହକିଷ୍ଟିକ ଚାଳନା ବଳରେ ଭାରତ ଏକଦା ବିଶ୍ୱ ହକିରେ ଆଧିପତ୍ୟ ବିସ୍ତାର କରିଥିଲା । ତାଙ୍କର କ୍ରୀଡ଼ାନୈପୁଣ୍ୟ, ଏକାଗ୍ରତା ଓ ଖେଳରେ ଗୋଲସଂଖ୍ୟାକୁ ଦେଖି କ୍ରିକେଟ କିମ୍ବଦନ୍ତୀ ଡନ ବ୍ରାଡ଼ମ୍ୟାନ ଥରେ ଟିପ୍ପଣୀ ଦେଇଥିଲେ ଯେ, କ୍ରିକେଟରେ ରନ ସଂଗ୍ରହ କରିବା ଭଳି ଧ୍ୟାନଚାନ୍ଦ ହକିରେ ଗୋଲସ୍କୋର କରନ୍ତି । ମାତ୍ର ୧୭ ବର୍ଷ ବୟସରେ ସେ ପଞ୍ଜାବ ରେଜିମେଣ୍ଟରେ ଯୋଗଦେଇ ହକି ତାଲିମ ନେଇଥିଲେ । ସୈନ୍ୟବାହିନୀରେ ଚାକିରୀରେ ଥାଇ ସେ ୧୯୨୬ରେ ନ୍ୟୁଜିଲାଣ୍ଡ ଗ୍ରସ୍ତ କରିଥିଲେ । ସେଠାରେ ସେ ନିଜର ଶହେତମ ଗୋଲ କରିଥିଲେ ।୧୯୦୫ ମସିହା ଅଗଷ୍ଟ ୨୯ ତାରିଖରେ ଉତ୍ତରପ୍ରଦେଶର ଆଲ୍ଲାହାବାଦ (ପ୍ରୟାଗ)ଠାରେ ଏକ ରାଜପୁତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ସମେଶ୍ୱର ଦତ୍ତ ସିଂହ ଜଣେ ଭାରତୀୟ ସେନାବାହିନୀର ସୈନିକ ଥିଲେ ।ଧ୍ୟାନଚାନ୍ଦଙ୍କ ସମୟରେ ଭାରତୀୟ ହକିର ସୁବର୍ଣ୍ଣଯୁଗ ଥିଲା । ୧୯୨୮ରେ ନେଦରଲାଣ୍ତରେ ଆୟୋଜିତ ଅଲିମ୍ପିକ୍ସ, ୧୯୩୨ରେ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ଓ ୧୯୩୬ରେ ବର୍ଲିନ ଅଲିମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣପଦକ ବିଜୟୀ କରାଇବାରେ ଧ୍ୟାନଚାନ୍ଦଙ୍କ ଭୂମିକା ଅବିସ୍ମରଣୀୟ । ୧୯୩୬ ବର୍ଲିନ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିବାପରେ ଆଡଲଫ ହିଟଲର ଜର୍ମାନୀ ସେନାବହିନୀରେ ଧ୍ୟାନଚାନ୍ଦଙ୍କୁ ଫିଲ୍ଡ ମାର୍ଶାଲ କରିବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଧ୍ୟାନଚାନ୍ଦ ଧନ୍ୟବାଦ ସହ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ୧୯୩୬ରେ ଭାରତ ଇଂରେଜ ଶାସନରେ ଥିବା ସତ୍ତ୍ୱେ ବର୍ଲିନ ଅଲିମ୍ପିକ୍ସରେ ସେ ଇଂଲଣ୍ଡର ଜାତୀୟ ସଙ୍ଗୀତ ଗାନକୁ ବିରୋଧ କରିଥିଲେ ଓ ବନ୍ଦେ ମାତରମ ଗାଇ ନିଜ ଦେଶଭକ୍ତିର ପରିଚୟ ଦେଇଥିଲେ । ୧୯୨୮ ଆମଷ୍ଟରଡାମ ଅଲିମ୍ପିକରେ ଭାରତ ମୋଟ ୨୯ ଗୋଲ କରିଥିବା ବେଳେ ଧ୍ୟାନଚାନ୍ଦ ଦେଇଥିଲେ ୧୫ଟି ଗୋଲ । ସେହିପରି ୧୯୩୨ ଲସଏଞ୍ଜେଲ୍ସ ଅଲିମ୍ପିକରେ ୧୨ଟି ଓ ୧୯୩୬ର ବର୍ଲିନ ଅଲିମ୍ପିକରେ ୧୧ଟି ଗୋଲକରି ନିଜ ନେତୃତ୍ତ୍ୱରେ ଭାରତକୁ ହାଟ୍ରିକ ଟାଇଟଲ ବିଜୟୀ କରାଇଥିଲେ । ୧୯୪୭ରେ ୪୨ବର୍ଷ ବୟସରେ ସ୍ୱାଧୀନ ଭାରତ ହକି ଦଳର ଅଧିନାୟକ ଭାବେ ଏକ ଯୁବ ଦଳ ସହିତ ସେ ପୂର୍ବ ଆଫ୍ରିକା ଯାଇଥିଲେ । ସେଠାରେ ଭାରତ ୨୨ଟି ମ୍ୟାଚ ଖେଳିଥିଲା । ବ୍ୟକ୍ତିଗତ ଭାବେ ଧ୍ୟାନଚାନ୍ଦ ୬୨ଟି ଗୋଲ କରିଥିଲେ । ସେ ୧୯୪୮ ମସିହାରେ ହକିରୁ ଅବସର ନେଲେ । ୧୯୫୭ ମସିହାରେ ସେ ମେଜର ପଦରୁ ଆର୍ମିରୁ ଅବସର ନେଲେ । ୧୯୨୬ରୁ ଆରମ୍ଭ କରି ୧୯୪୮ରେ ଅବସର ନେବା ମଧ୍ୟରେ ଏକ ହଜାରରୁ ଅଧିକ ଗୋଲ ସ୍କୋର କରିଥିଲେ । ତିନୋଟି ଅଲିମ୍ପିକରେ ଭାରତର ୧୦୨ଟି ଗୋଲ ମଧ୍ୟରୁ ଧ୍ୟାନଚାନ୍ଦଙ୍କ ଥିଲା ୩୮ଟି ଗୋଲ । ତେଣୁ ତାଙ୍କୁ ଗୋଲ ମେଶିନ ବୋଲି ମଧ୍ୟ କୁହାଯାଉଥିଲା । ୧୯୭୯ ଡିସେମ୍ବର ୩ରେ ସେ ମୃତ୍ୟୁବରଣ କରିଥିଲେ । ଅତଏବ ତାଙ୍କ ଜନ୍ମଦିନକୁ ବର୍ତ୍ତମାନ ପ୍ରତିବର୍ଷ ଭାରତରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଇ ରାଷ୍ଟ୍ର ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିଛି । ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ,ବନ୍ଦେ ଉତ୍କଳ ଜନନୀ ।
ବ୍ୟୁରୋ ରିପୋର୍ଟ AKN NEWS


