ଓଡିଶା ଖବର

ମା ଭଦ୍ରକାଳୀ ଙ୍କ ସପ୍ତମାତୃକା ବେଶ

(AKN NEWS):ବେଦମାତା ଭଦ୍ରକାଳୀ ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ହେଉଛନ୍ତି ପରମ ବୈଷ୍ଣବୀ। ସପ୍ତମାତୃକା ବେଶର ଆରମ୍ଭରୁ ପବିତ୍ର ସାଳନ୍ଦୀ ନଦୀର ଆହାରପଦା ଘାଟରୁ ମାନସିକଧାରୀମାନେ ଘଟ ଆଣି ମଣ୍ଡପରେ ସ୍ଥାପନ କରି ପଞ୍ଚଦେବତାଙ୍କ ପୂଜା କରନ୍ତି। ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ଓ ମଙ୍ଗଳ ଆଳତି ଆଦି କରାଯାଇ ବିଶ୍ଵଶାନ୍ତି ମହାଯଜ୍ଞ ଶୁଭାରମ୍ଭ କରାଯାଏ।ମା ଭଦ୍ରକାଳୀ ଙ୍କ ସପ୍ତମାତୃକା ବେଶର ପ୍ରଥମ ଦିନ ଦୀପାବଳି ଅମାବାସ୍ୟା ତିଥିରେ ମା ହାତରେ ବେଦ ଓ ରୁଦ୍ରାକ୍ଷ ମାଳା ଧାରଣ କରି ବେଦମାତା ରୂପରେ ଦର୍ଶନ ଦିଅନ୍ତି। ଏହା ହେଉଛି ପ୍ରଜ୍ଞା ର ବେଶ।ଏହି ବେଶରେ ଦର୍ଶନ କଲେ ଭକ୍ତର ଜ୍ଞାନ ଓ ବୁଦ୍ଧି ଉଦୟ ହୁଏ। ଏହି ବେଶରେ ଦର୍ଶନ କଲେ ପରିବାରର ମଙ୍ଗଳ ହେବା ସହ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି।ଏହି ବେଶରେ ମା ଭଦ୍ରକାଳୀ ପଦ୍ମ ଆସନରେ ବିରାଜମାନ କରିଥାନ୍ତି। ତାଙ୍କର ବାହନ ହଂସ। ମାଆ ଙ୍କର ମୁଖମଣ୍ଡଳ ହଳଦିଆ ହେବା ସହ ସେ ହଳଦିଆ ରଙ୍ଗର ପାଟବସ୍ତ୍ର ପରିଧାନ କରିଥାନ୍ତି। ସ୍ଵର୍ଣ୍ଣ ରୌପ୍ୟ ଅଳଙ୍କାରରେ ଭୂଷିତା ହୋଇ ଦକ୍ଷିଣ ହସ୍ତରେ ଜପାମାଳୀ ଓ ବାମ ହସ୍ତରେ ଶଙ୍ଖ ଧାରଣ କରନ୍ତି।ସେ ଚତୁର୍ଦ୍ଧା ମୂର୍ତ୍ତିରେ ଦର୍ଶନ ଦିଅନ୍ତି।ଅଜ୍ଞାନ ରୂପକ ଅନ୍ଧକାରର ବିନାଶ କରି ସଂସାରକୁ ଜ୍ଞାନାଲୋକରେ ଆଲୋକିତ କରିବା ପାଇଁ ବେଦମାତା ସେ ରୂପରେ ମା ଭଦ୍ରକାଳୀ ଦର୍ଶନ ଦିଅନ୍ତି।ଦୀକ୍ଷିତ ବଂଶର ପୂଜକ ମାନେ ମା ଭଦ୍ରକାଳୀ ଙ୍କର ପୂଜା କାର୍ଯ୍ୟ କରନ୍ତି।ମା ଭଦ୍ରକାଳୀ ଙ୍କ ମହାକାଳୀ ବେଶ ନବଦିନାତ୍ମକ ଓ ବିଶ୍ଵଶାନ୍ତି ମହାଯଜ୍ଞର ଦ୍ଵିତୀୟ ଦିନର ବେଶ ହେଉଛି ମହାକାଳୀ ବେଶ। ଏହି ବେଶରେ ମା ନୀଳ ରଙ୍ଗର ପାଟବସ୍ତ୍ର ପରିଧାନ କରିଥାନ୍ତି।ମୁକ୍ତକେଶ,ରକ୍ତଜିହ୍ଵା, ହସ୍ତରେ ଖଡ୍ଗ, ତ୍ରିଶୂଳ ଧାରଣ, ମୁଣ୍ଡବାଳରେ ଉଗ୍ରରୂପା ମା’ଙ୍କର ମୁଖମଣ୍ଡଳ ଶ୍ୟାମଳ ବର୍ଣ୍ଣ ହୋଇଥାଏ।ପରମ ବୈଷ୍ଣବୀ,ଜଗତ କଲ୍ୟାଣ ପାଇଁ ବାଳକୃଷ୍ଣ ବିଗ୍ରହଙ୍କୁ ଧାରଣ କରି ସ୍ନେହମୟୀ,କଲ୍ଯାଣମୟୀ ଜନନୀ ସତ୍ୟ ଧର୍ମର ବାର୍ତ୍ତା ଦିଅନ୍ତି।ଭଦ୍ରକାଳୀ ଙ୍କ ନାମାନୁସାରେ ଭଦ୍ରକର ନାମକରଣ ହୋଇଛି। ଦ୍ଵିତୀୟ ଦିନରେ ମହାକାଳୀ ବେଶ ଦର୍ଶନ କଲେ ରୋଗ ଯନ୍ତ୍ରଣାରୁ ମୁକ୍ତି ମିଳେ।ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ।ଦୁର୍ଗା କ୍ଷମା ଶିବା‌ଧାତ୍ରୀ ସ୍ଵାହା ସ୍ଵଧା ନମସ୍ତୁତେ।ମା ଭଦ୍ରକାଳୀ ଙ୍କ ରାଜରାଜେଶ୍ଵରୀ ବେଶ ମହାଯଜ୍ଞର ତୃତୀୟ ଦିନରେ ମା ରାଜରାଜେଶ୍ଵରୀ‌ ବେଶରେ ସୁସଜ୍ଜିତ ହୋଇ ସିଂହ ଓ ହସ୍ତୀ ବାହନରେ ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୁଅନ୍ତି। ଗୋଲାପୀ ପାଟବସ୍ତ୍ର ପରିଧାନ କରି ଶଙ୍ଖ ଚକ୍ର ଗଦା ପଦ୍ମ ସହିତ ଚତୁର୍ଦ୍ଧାମୂର୍ତ୍ତିରେ ଦର୍ଶନ ଦିଅନ୍ତି।ମା ଭଦ୍ରକାଳୀ ଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ କଲେ ଶୁଭ ଫଳ ପ୍ରାପ୍ତି ସହିତ ଉତ୍ତରୋତ୍ତର ଉନ୍ନତି ଓ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହେ।ମା ଭଦ୍ରକାଳୀ ଙ୍କ ସିଂହ ବାହିନୀ ବେଶ ମା ଭଦ୍ରକାଳୀ ଙ୍କ ସପ୍ତମାତୃକା ବେଶର ଚତୁର୍ଥ ଦିନରେ ମା’ଙ୍କର ସିଂହ ବାହିନୀ ବେଶରେ ପୂଜା ହୁଏ।ମା ନାଲି ପାଟ ପିନ୍ଧି ସ୍ଵର୍ଣ୍ଣ, ରୌପ୍ୟ ଅଳଙ୍କାରରେ ଭୂଷିତା ହୋଇ ଥାନ୍ତି। ଚାରି ହସ୍ତରେ ଖଡ୍ଗ, ତ୍ରିଶୂଳ, ଶଙ୍ଖ ,ଚକ୍ର ଧାରଣ କରିଥାନ୍ତି। ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟିତ ହୋଇ ମା ରକ୍ତବର୍ଣ୍ଣା ଦିଶନ୍ତି ଓ ସେ ଏହି ରୂପରେ ଦର୍ଶନ ଦେଇ ଭକ୍ତ ମାନଙ୍କର ଗ୍ରହଦଶା ଓ ରିଷ୍ଟଖଣ୍ଡନ କରନ୍ତି।ସେ ଏହି ରୂପରେ ମହିଷାସୁରର ବଧ କରିଥିଲେ।ଏହି ପୀଠକୁ ଦୁର୍ଗା ମାଧବ ପୀଠ ମଧ୍ୟ କୁହାଯାଏ। ସ୍ଵାଧୀନ ଉତ୍କଳର ଶେଷ ରାଜା ମୁକୁନ୍ଦଦେବ ଗୋହିରାଟିକିରୀ ଯୁଦ୍ଧକୁ ଆସିବା ସମୟରେ ସାଙ୍ଗରେ ଆଣିଥିବା ଶ୍ରୀ ଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜା ଅଦ୍ୟାବଧି ଭଦ୍ରକାଳୀ ଙ୍କ ପୀଠରେ ଅନ୍ୟ ଏକ ମନ୍ଦିରରେ ହେଉଛି।ମା ଭଦ୍ରକାଳୀ ଙ୍କ ଜଗଦ୍ଧାତ୍ରୀ ବେଶ ମା ଭଦ୍ରକାଳୀ ଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିନରେ ମା ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହୁଏ। ଏହି ବେଶରେ ମା ଭଦ୍ରକାଳୀ ବ୍ୟାଘ୍ର ବାହନରେ ଦର୍ଶନ ଦିଅନ୍ତି। ତାଙ୍କ ମୁଖମଣ୍ଡଳ କୃଷ୍ଣ ବର୍ଣ୍ଣ ହୋଇଥିବା ବେଳେ ସେ ନାଲି ରଙ୍ଗର ପାଟବସ୍ତ୍ର ପରିଧାନ କରିଥାନ୍ତି।ସ୍ଵର୍ଣ୍ଣ, ରୌପ୍ୟ ଅଳଙ୍କାରରେ ଭୂଷିତା ହୋଇ ମା ହସ୍ତରେ ଶଙ୍ଖ, ଚକ୍ର ,ଗଦା, ଖଡ୍ଗ ଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟିତ ହୋଇଥାନ୍ତି। ଆଦ୍ୟାଶକ୍ତି ମା ଭଦ୍ରକାଳୀ ହେଉଛନ୍ତି ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ।ସେ ସମସ୍ତ ଜଗତର ପ୍ରାଣୀ, ଉଦ୍ଭିଦ,ଜଳ,ସ୍ଥଳ ସର୍ବତ୍ର ବିଦ୍ୟମାନ।ସେ ହେଉଛନ୍ତି ଶକ୍ତି ସ୍ଵରୁପିଣୀ ଆଦ୍ୟାଶକ୍ତି। ମା’ଙ୍କ ଦର୍ଶନ କରି ଭକ୍ତ ମାନେ ମାନସିକ ପୂରଣ କରନ୍ତି।ଜୟ ମା ଭଦ୍ରକାଳୀ।ମା ଭଦ୍ରକାଳୀ ଙ୍କ ମହାସରସ୍ଵତୀ ବେଶ ଷଷ୍ଠ ଦିନର ସପ୍ତମାତୃକା ବେଶରେ ମହାସରସ୍ଵତୀ ବେଶରେ ମା ଭଦ୍ରକାଳୀ ଦର୍ଶନ ଦିଅନ୍ତି।ମା ଙ୍କର ବାହନ ହଂସ ହୋଇଥିବା ବେଳେ ମା’ଙ୍କ ମୁଖମଣ୍ଡଳ ଶ୍ଵେତ ବର୍ଣ୍ଣ ହୋଇଥାଏ। ଶ୍ବେତ ବସ୍ତ୍ର ପରିଧାନ କରି ମା ପଦ୍ମାସନରେ ବିରାଜମାନ କରନ୍ତି।ମା ଏହି ବେଶରେ ହସ୍ତ ଦ୍ଵୟରେ ବୀଣା, ତୃତୀୟ ହସ୍ତରେ ଜପାମାଳୀ ଓ ଚତୁର୍ଥ ହସ୍ତରେ ପୁସ୍ତକ ଧାରଣ କରିଥାନ୍ତି।ସ୍ଵର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ମା ଚତୁର୍ଦ୍ଧାମୂର୍ତ୍ତି ଧାରଣ କରିଥାନ୍ତି। ସଂସାରରୁ ଅଜ୍ଞାନ ରୂପକ ଅନ୍ଧକାରର ବିନାଶ କରି ଜ୍ଞାନାଲୋକର ବିକାଶ ନିମନ୍ତେ ମା ଭଦ୍ରକାଳୀ ମହାସରସ୍ଵତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଏହି ବେଶରେ ଦର୍ଶନ କଲେ ବିଦ୍ୟା, ବୁଦ୍ଧି ଓ ଜ୍ଞାନ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି।ମା ଭଦ୍ରକାଳୀ ଙ୍କ ମହାଲକ୍ଷ୍ମୀ ‌ବେଶ ମା ଭଦ୍ରକାଳୀ ଙ୍କ ସପ୍ତମାତୃକା ବେଶର ସପ୍ତମ ବେଶ ହେଉଛି ମହାଲକ୍ଷ୍ମୀ ବେଶ। ଏହି ବେଶରେ ମା ଭଦ୍ରକାଳୀ ହଳଦିଆ ବସ୍ତ୍ର ପରିଧାନ କରିଥାନ୍ତି।ପଦ୍ମାସନରେ ମା ଭଦ୍ରକାଳୀ ବିରାଜମାନ କରିଥାନ୍ତି। ମା’ଙ୍କ ମୁଖମଣ୍ଡଳ ହଳଦିଆ ବର୍ଣ୍ଣ ହୋଇଥାଏ।ହସ୍ତୀ ଓ ପେଚା ତାଙ୍କର ବାହନ ହୋଇଥାନ୍ତି। ସ୍ଵର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତା ହୋଇ ମା ଚତୁର୍ଦ୍ଧାମୂର୍ତ୍ତି ଧାରଣ କରିଥାନ୍ତି। ତାଙ୍କର ଚାରି ହସ୍ତରେ ଶଙ୍ଖ, ଚକ୍ର, ଗଦା ,ପଦ୍ମ ଶୋଭା ପାଉଥାଏ।ମହାଲକ୍ଷ୍ମୀ ବେଶରେ ମା ଭଦ୍ରକାଳୀ ଙ୍କ ଦର୍ଶନ କଲେ ଧନ,ଜନ, ସୁଖସମୃଦ୍ଧି ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି।ମା ଭଦ୍ରକାଳୀ ଙ୍କ ବିଷୟରେ ସମ୍ପୂର୍ଣ୍ଣ ବର୍ଣ୍ଣନା‌ କରିବା ସମ୍ଭବ ନୁହେଁ।

ବାବାଜୀ ଚରଣ ଦାସ,

ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।

ବର୍ତ୍ତମାନ ନୋଇଡା ରେ।

Mob. 88954 84223

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!