ଓଡିଶା ଖବର

କୋରାପୁଟ ଗାନ୍ଧି ଲକ୍ଷ୍ମଣ ନାୟକ 

(AKN NEWS): ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଭିତରେ ଜଣେ ଅଗ୍ରଗଣ୍ୟ ବୀର ସଂଗ୍ରାମୀ ହେଲେ ଶହୀଦ ଲକ୍ଷ୍ମଣ ନାୟକ l ସେ କୋରାପୁଟ ଗାନ୍ଧି ଭାବେ ପ୍ରସିଦ୍ଧ l ସହୀଦ ଲକ୍ଷ୍ମଣ ନାୟକ 1899 ମସିହା ନଭେମ୍ବର 22 ତାରିଖରେ ତତ୍କାଳୀନ ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କ ପିତା ଥିଲେ ପଦଲାମ ନାୟକ ଓ ମାତା ସମାରି ନାୟକ l ଲକ୍ଷ୍ମଣ ଥିଲେ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ l ତାଙ୍କ ବଡଭାଇ ଥିଲେ ସନିଆ ନାୟକ, ସାନ ଭାଈ ଧନ ନାୟକ l ପିତା ପଦଲମ ନାୟକ ଜାତିରେ ଥିଲେ ଭୁମିୟା ଓ ଜୀବିକା ଥିଲା ଚାଷବାସ l ଗ୍ରାମବାସୀ ମାନଙ୍କ ମନୋନୟନ କ୍ରମେ ତାଙ୍କୁ ଜୟପୁରର ମହାରାଜା ତୃତୀୟ ବିକ୍ରମ ଦେବ ମୁସ୍ତାଦାର ପଦରେ ନିଯୁକ୍ତ କରି ଥିଲେ l ଏହା ନାୟକ ପଦବୀ ଭାବେ ମଧ୍ୟ ଜଣାଯାଏ l ବିକ୍ରମଦେବଙ୍କ ରାଜୁତି ସମୟ ଥିଲା 1889ରୁ1920 ଯାଏ l ନାୟକଙ୍କ ଦାୟିତ୍ୱ ଥିଲା ତେନ୍ତୁଲି ଗୁମା, ସାନ ଗୁମ୍ମା,ବେଜୁଣୀଗୁଡା,ଲେକି ଗୁଡା, ଅଁଳାଗୁଡାର ଖଜଣା ଆଦାୟ କରିବା l

ଲକ୍ଷ୍ମଣଙ୍କ ଗ୍ରାମ ପାଖରେ କୌଣସି ବିଦ୍ୟାଳୟ ନ ଥିଲା l ତେଣୁ ସେ କୋଲାବ ନଦୀ କୁଳର ବାଲି ପଠାକୁ ସିଲଟ ଭାବେ ବ୍ୟବହାର କରି ବାପାଙ୍କ ନିକଟରୁ ଅକ୍ଷର ଶିକ୍ଷା କରିଥିଲେ l ତାଙ୍କ ଗ୍ରାମର ଲୋକମାନେ ଓଡ଼ିଆ,ପରଜା,ଗଦବା ଭାଷା ମିଶା ମିଶି ଦେଶୀୟ ଭାଷା କହୁଥିଲେ l ଲକ୍ଷ୍ମଣ ନାୟକ ଉଭୟ ଦେଶୀୟ ଏବଂ ଓଡ଼ିଆ ଭାଷା କହି ପାରୁ ଥିଲେ l ଉଣେଇଶି ବର୍ଷ ବୟସରେ ତାଙ୍କ ବିବାହ ସାନଗୁମ୍ମା ଗ୍ରାମର ଘାସି ଭୁମିଆଁଙ୍କ କନ୍ୟା ମଙ୍ଗୁଳି ଭୁମିଆଁଙ୍କ ସହ ହୋଇ ଥିଲା l ଜନ ଜାତି ମାନଙ୍କ ମଧ୍ୟରେ ପ୍ରଚଳିତ ଥିବା ଗୁଣି ଗାରେଡ଼ି ଓ ତିଶାରି ବୃତ୍ତିରେ ଲକ୍ଷ୍ମଣ ପାରଙ୍ଗମ ଥିଲେ l ଗୁଣି ଆବୃତ୍ତି ହେଉଛି ଜନଜାତିମାନଙ୍କ ମଧ୍ୟରେ ଡାକ୍ତରୀ ବୃତ୍ତି ଏବଂ ତିଶାରି ହେଉଛି ଦେବାରଧନା ବା ପୂଜକର ବୃତ୍ତି l 1930 ମସିହାରେ ପିତା ପଦଲାମ ବୟସ ଆଧିକ୍ୟ କାରଣରୁ ଅବସର ନେଲେ l ଲକ୍ଷ୍ମଣଙ୍କୁ ପିତାଙ୍କ ଯାଗାରେ ଜୟପୁର ରାଜାଙ୍କ ମୁସ୍ତାଦାର୍ ଭାବେ ନିଯୁକ୍ତ କରାହେଲା l ଏହି ଠାରୁ ଲକ୍ଷ୍ମଣ ଭୁମିଆଁରୁ ଲକ୍ଷ୍ମଣ ନାୟକ ଭାବେ ସେ ପରିଚିତ ହେଲେ l

1921 ମସିହାରେ ମହାତ୍ମା ଗାନ୍ଧିଙ୍କ ଡାକରାରେ ସମଗ୍ର ଦେଶରେ ଅସହଯୋଗ ଆନ୍ଦୋଳନ ତେଜି ଉଠିଥାଏ l ଏହାକୁ ଦମନ କରିବା ପାଇଁ ବ୍ରିଟିଶ ସରକାର ନାନା ଅତ୍ୟାଚାର ସହ ନୂତନ ଟିକସ ମାନ ଲାଗୁ କରି ଥାନ୍ତି l ଏହି ସମୟରେ ବିଭିନ୍ନ ସ୍ଥାନରେ ସଶସ୍ତ୍ର ଆଦିବାସୀ ବିଦ୍ରୋହ ମାନ ମୁଣ୍ଡ ଟେକି ଉଠିଥିଲା l କୋରାପୁଟ ଜିଲ୍ଲାର ଗୁଣୁପୁର ଓ ରାୟଗଡାରେ ‘ଗୁମ୍ମା ଗରବା ମେଳି’ ସଂଘଟିତ ହୋଇଥିଲା l ପାରଳାଖେମୁଣ୍ଡି ଅଞ୍ଚଳ ମୁଠାଦାର ମାନେ ସରକାରଙ୍କ ବିରୁଦ୍ଧରେ ମେଳି କରିଥିଲେ l କୋରପୁଟକୁ ଲାଗି ମଧ୍ୟପ୍ରଦେଶ,ଏବେର ଛତିଶ ଗଡ଼ରେ ‘ବସ୍ତର ମେଳି’ ନାମକ ବିପ୍ଲବ ସଂଘଟିତ ହେଇଥିଲା l ଆନ୍ଧ୍ର ପ୍ରଦେଶରେ ଆଲୁରୀ ସୀତା ରାମ ରାଜୁଙ୍କ ନେତୃତ୍ୱରେ ରମ୍ଫା ଫିତୁରୀ ମେଳି ଏହି ସମୟରେ ହୋଇଥିଲା l ଏ ମେଳି ଫଳରେ ଆଦିବାସୀ ମାନଙ୍କ ମଧ୍ୟରେ ବହୁଳଭାବେ ବନ୍ଧୁକ ବ୍ୟବହାର ପ୍ରସାର ଲାଭ କରିଥିଲା l ଆନ୍ଧ୍ରମେଳି ଲକ୍ଷ୍ମଣ ନାୟକଙ୍କ ନିକଟ ବର୍ତ୍ତୀ ସ୍ଥାନ ମାଲକାନ ଗିରି ଓ ଆନ୍ଧ୍ରର ପାର୍ବତ୍ୟ ଅଞ୍ଚଳ l ଏହି ମେଳିରେ ଯୋଗ ଦେଇଥିବା କକୁର୍କୋଣ୍ଡା ଗ୍ରାମର କୋୟା ଯୁବକ ଚନ୍ଦ୍ର କୁଟିୟାଙ୍କ ସଂସ୍ପର୍ଶରେ ଆସି ତାଙ୍କଠୁ ବନ୍ଧୁକଚାଳନା ଶିକ୍ଷାକରିବା ସହ ନିଜ ଅଞ୍ଚଳରେ ସଶସ୍ତ୍ର ବିପ୍ଲବର ପରିକଳ୍ପନା କରି ଥିଲେ ଲକ୍ଷ୍ମଣ ନାୟକ,କିନ୍ତୁ ପରବର୍ତ୍ତୀ ସମୟରେ ଆନ୍ଧ୍ରମେଳିର ଅଗ୍ରଣୀ ନେତା ସୀତାରାମ ରାଜୁଙ୍କ ଆତ୍ମସମର୍ପଣ ସହ ଏହି ବିପ୍ଳବ ଏବଂ ଯୋଜନାର ପରିସମାପ୍ତି ଘଟିଥିଲା l

ଏପ୍ରିଲ ଏକ ତାରିଖ 1936 ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ ହେଲା l ସାର ଅଷ୍ଟିନ ହବାକ ଓଡ଼ିଶା ରାଜ୍ୟର ପ୍ରଥମ ଗଭର୍ଣ୍ଣର ନିଯୁକ୍ତ ହେଲେ l ଏକଦା ସେ କୋରାପୁଟ ଗସ୍ତରେ ଯାଇ ଥାନ୍ତି l ତାଙ୍କ ଗସ୍ତର ସମସ୍ତ ପ୍ରକାର ଆୟୋଜନ କରିଥାନ୍ତି ଜୟପୁର ରାଜା l ଏଥିପାଇଁ ଆଦିବାସୀ ମାନଙ୍କୁ ସମସ୍ତ ପ୍ରକାରର ସାମଗ୍ରୀ,ଉତ୍ତମ ଖାଦ୍ୟ ଦ୍ରବ୍ୟ ବିନା ମୂଲ୍ୟରେ ସରକାରଙ୍କୁ ଯୋଗାଇବା ପାଇଁ ନିର୍ଦ୍ଧେଶ ଦିଆ ଯାଇଥିଲା l ଜନ ଅଷ୍ଟିନଙ୍କ ସେବା ନିମନ୍ତେ ବେଠିଖଟିବାକୁ ମଧ୍ୟ ଆଦିବାସୀ ମାନଙ୍କୁ ବାଧ୍ୟ କରାଯାଇଥିଲା l ଏହାର ପ୍ରତିବାଦ ପରିଣାମଥିଲା ରାଜଦଣ୍ଡ l ସାହେବ ଏବଂ ତାଙ୍କ ଅମଲାମାନଙ୍କ ଏତାଦୃଶ ଅତ୍ୟାଚରରେ ବିଚଳିତ ଲକ୍ଷ୍ମଣ ନାୟକ ନିଜ ଲୋକଙ୍କ ଦୂରବସ୍ଥା ବିଷୟ ନେଇ ତତ୍କାଳୀନ ଘୁମର ଗ୍ରାମପଞ୍ଚାୟତ କଂଗ୍ରେସ ସଭାପତି ନିଳକଣ୍ଠପାତ୍ରଙ୍କୁ ଅବଗତ କରାଇଲେ l ନିଳକଣ୍ଠ ପାତ୍ର ମହାଶୟ ସବୁ ଆଦିବାସୀ ମାନେ ହରାଇଥିବା ସମ୍ପତ୍ତିର ଏକ ତାଲିକା ପ୍ରସ୍ତୁତ କରି ଜୟପୁରର କଂଗ୍ରେସ ସଂଗଠକ ଶ୍ରୀ ରାଧା କୃଷ୍ଣ ବିଶ୍ୱାସରାୟଙ୍କ ନିକଟକୁ ଯାଇଥିଲେ l ସେ ଏହି ସମ୍ବାଦକୁ ଖବର କାଗଜରେ ଛାପି ଦେଲେ,ଏହା ଫଳରେ ଲୋକଙ୍କ ମଧ୍ୟରେ ତୀବ୍ରପ୍ରତିକ୍ରିୟା ତଥା ପ୍ରତିବାଦ ପ୍ରକାଶ ପାଇଲା l ଇଂରେଜ ସରକାର ବାଧ୍ୟ ହୋଇ ଲୋକମାନଙ୍କ ଠାରୁ ନିଆଯାଇଥିବା ଦ୍ରବ୍ୟ ମୂଲ୍ୟ ଫେରାଇ ଦେଇ ଥିଲେ l ଏ ଘଟଣା ପରେ ଲକ୍ଷ୍ମଣ ନାୟକଙ୍କ ମନରେ ଅହିଂସା ଏବଂ କଂଗ୍ରେସ ଉପରେ ଆସ୍ଥା ଦୃଢ଼ ହୋଇଥିଲା l

1937-38ରେ ରାଧାକୃଷ୍ଣ ବିଶ୍ୱାସରାୟ ଜୟପୁର ନିକଟସ୍ଥ ନୂଆପୁଟରେ ଖୋଲି ଥିବା ଏକ ତାଲିମ କେନ୍ଦ୍ରରେ ଯୋଗଦାନକରି ଲକ୍ଷ୍ମଣନାୟକ ମହାତ୍ମା

ଗାନ୍ଧିଙ୍କ ଆଦର୍ଶ, ଶୃଙ୍ଖଳିତ ଜୀବନଯାପନ ବିଷୟ ଶିକ୍ଷା ଲାଭ କରିଥିଲେ l ତାଲିମ ଶିବିରରୁ ଫେରି ଆସି ଲକ୍ଷ୍ମଣ କୋରାପୁଟରେ ଖଦୀ ଓ ଅହିଂସାର ପ୍ରଚାର ଓ ପ୍ରସାରରେ ମନୋନିବେଶ କରିଥିଲେ l ଲକ୍ଷ୍ମଣ ଗାଁଗାଁ ବୁଲି ଲୋକଙ୍କୁ ନିର୍ଭୀକ ହେବା ସହ ସରକାରଙ୍କୁ ଅସହଯୋଗ କରି ଟିକସ ନ ଦେବା ଅହିଂସା ମାର୍ଗରେ ପରିଚାଳିତ ହେବା, ମଦ୍ୟପାନ ପରିତ୍ୟାଗ କରିବା ସହ ଶୃଙ୍ଖଳିତ ଜୀବନଯାପନ ବାର୍ତ୍ତା ପ୍ରଚାର କରୁ ଥିଲେ l ଲକ୍ଷ୍ମଣ ନାୟକଙ୍କର ପ୍ରଧାନ ସହାୟକ ମାନେ ଥିଲେ ବଳରାମ ସିଂହ ପୁଜାରୀ, ମୋତିରାମ ସିଂହ ପୁଜାରୀ, ବଂଶୀଧର ପୁଜାରୀ କୃଷ୍ଣଚନ୍ଦ୍ର ବିଶୋଇ ଇତ୍ୟାଦି l କୃଷ୍ଣଚନ୍ଦ୍ର ବିଶୋଇ ସାକ୍ଷରତା ଅଭିଯାନରେ ସାହାଯ୍ୟ କରି କୋରାପୁଟ ଉଦୟଗିରିଠାରେ ଏକ ସ୍କୁଲ ଖୋଲି ଥିଲେ l ଜଣେ ମୁସ୍ତାଦାର ହୋଇ ମଧ୍ୟ ଲୋକଙ୍କୁ କର ନ ଦେବା ପାଇଁ ପ୍ରରୋଚିତ କରିବାର ଫଳ ସ୍ୱରୂପ ଲକ୍ଷ୍ମଣଙ୍କୁ ରାଜ ଦ୍ରୋହରେ ଅଭିଯୁକ୍ତ କରି ତାଙ୍କଠାରୁ ସରକାରଙ୍କ ତରଫରୁ ଦିଆଯାଇଥିବା ପଦବୀ ଓ ଚାଷ ଜମି ଛଡାଇ ନିଆଗଲା l ଏହା ପରେ ସେ ପୂର୍ଣ୍ଣପ୍ରାଣରେ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ହୋଇ ଉଠିଲେ l ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଗାନ୍ଧିଜୀଙ୍କ ଆହ୍ୱାନ ଗ୍ରହଣକରି ବ୍ୟକ୍ତି ଗତ ସତ୍ୟାଗ୍ରହରେ ଭାଗ ନେଲେ ଓ ଜେଲଦଣ୍ଡ ଭୋଗିଥିଲେ l 1942 ମସିହା ଅଗଷ୍ଟ 9 ତାରିଖ ବମ୍ବେ କଂଗ୍ରେସର ଅଧିବେଶନରେ ଭାରତ ଛାଡ଼ ପ୍ରସ୍ତାବ ଗ୍ରହଣ ହୋଇଥିଲା ଓ ଏହାପରେ ଭାରତ ଛାଡ଼ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା l ବ୍ରିଟିଶ ସରକାର ଏଥିପାଇଁ କଂଗ୍ରେସ ଦଳକୁ ବେଆଇନ ଘୋଷଣା କରିଥିଲେ l ଏହି ସମ୍ବାଦ ପାଇ ଲକ୍ଷ୍ମଣ ନାୟକ ବଳରାମ ପୁଜାରୀଙ୍କ ଦ୍ୱାରା ଜୟପୁରରୁ ଆସିଥିବା କଂଗ୍ରେସ ନିର୍ଦ୍ଦେଶ ଗୁଡିକୁ ଆଦିବାସୀ ଭାଷାରେ ଅନୁବାଦ କରି ଗାଁ ଗାଁ ବୁଲି ଲୋକଙ୍କ ଭିତରେ ସତ୍ୟାଗ୍ରହ,ଅହିଂସ ସ୍ୱାଧୀନତା ସଂଗ୍ରାମ ପାଇଁ ବାର୍ତ୍ତା ପ୍ରଚାର କରୁଥିଲେ l କଂଗ୍ରେସ ଡାକ କର ବା ମରକୁ ସେ ଆଦିବାସୀ ଭାଷାରେ ଲେଖି ଥିଲେ,ତୋର ବୁତା ତୁଇ କର, ନପାରଲେ ମର l

ଅଗଷ୍ଟ 21 ତାରିଖ 1942 ମସିହା, ସେଦିନ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ସଂଗ୍ରାମୀ ମାନେ ମାଥିଲି ଥାନା ଘେରାଉ କରିଥାଆନ୍ତି l ଉଦ୍ଦେଶ୍ୟ ଥିଲା ଅହିଂସାପୂର୍ଣ୍ଣ ଭାବେ ଥାନା ଉପରେ ତ୍ରିରଙ୍ଗା ଉଡ଼ାଇବା l ଏ ଆନ୍ଦୋଳନ ଦମନପାଇଁ ପୋଲିସ କର୍ମୀ ମାନଙ୍କ ଉପରେ ପ୍ରବଳ ଲାଠିମାଡ଼ କଲା l ଏହାର ନେତା ଲକ୍ଷ୍ମଣନାୟକଙ୍କୁ ଅଲଗା ସମସ୍ତଙ୍କ ଦେଖିଲା ପରି ସ୍ଥାନକୁ ନିଆ ଗଲା l ସେହିଠାରେ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କର ନିଶକୁ ଉପାଡି ନିଆଁ ଲଗାଇ ଦିଆଗଲା l ପୁଲିସ ବନ୍ଧୁକ ବାୟୋନେଟ ମାଡରେ ବେହୋସ ହୋଇପଡ଼ି ଥିଲେ ଲକ୍ଷ୍ମଣ ନାୟକ l ତାଙ୍କ ଉପରେ ଏହିପରି ଅତ୍ୟାଚାର ଦେଖି ମଧ୍ୟ କର୍ମୀମାନେ ତିଳେ ମାତ୍ର ପଛଘୁଞ୍ଚା ନଦେଇ ଆଗକୁ ମାଡ଼ି ଚାଲିଥାନ୍ତି,କର୍ମୀ ମାନଙ୍କ ଉପରେ ପୁଲିସ ଗୁଳି ଚଲାଇବା ଆରମ୍ଭ କରିଦେଲା l ବହୁତ ଲୋକ ମୃତାହତ ହେଲେ l ସେ ମୃତକମାନଙ୍କ ମଧ୍ୟରେ ଥିଲେ ଥାନା ଉପରେ ପତାକା ଧରି ଚଢ଼ିଥିବା ଲିଂଗ ଭୁମିଆ ଓ ନକୁଳ ମାଡକାମୀ l ଗୁଳି କାଣ୍ଡ ବେଳେ ମାତାଲ ଅବସ୍ଥା ଭିତରେଥିବା ଜଣେ ଫରେଷ୍ଟଗାର୍ଡ ଜି.ରାମାୟାର ମୃତ୍ୟୁ ହୋଇଥିଲା l ଆନ୍ଦୋଳନ ଦମନ କରିବା ପରେ ପୁଲିସ ଲକ୍ଷ୍ମଣ ନାୟକଙ୍କ ଅଚେତ ଶରୀର ଗୋଟିକୁ ମୃତବୋଲି ମନେକରି ନିକଟ ନାଳରେ ଫୋପାଡି ଦେଇ ଥିଲା l ଚେତା ଫେରି ପାଇବା ପରେ ଲକ୍ଷ୍ମଣ ପରିସ୍ଥିତି ବୁଝି ନେଲେ ଓ ଦୁର୍ଗମ ବନ୍ୟ ଗିରି ରାସ୍ତା ଦେଇ ପରବର୍ତ୍ତୀ କାର୍ଯ୍ୟକ୍ରମର ନିର୍ଦ୍ଦେଶ ପାଇଁ ଜୟପୁର ଚାଲି ଗଲେ l ପରଦିନ ଲକ୍ଷ୍ମଣ ନାୟକଙ୍କ ଶବକୁ ନ ପାଇ ପୁଲିସ ତାଙ୍କୁ ଫେରାର ବୋଲି ଘୋଷିତ କଲା l ଫରେଷ୍ଟଗାର୍ଡ ଜି. ରାମାୟାର ହତ୍ୟା ଅଭିଯୋଗରେ ଅଭିଯୁକ୍ତ କରି ଗିରଫ ପରୱାନା ଜାରି କଲା l ପରୱାନାଁ ପରେ ଲକ୍ଷ୍ମଣ ଆତ୍ମଗୋପନ କଲେ l ପରେ ସେ ଲୋକ ମାନଙ୍କ ଉପରେ ଅତ୍ୟାଚାରର କାହାଣୀ ଶୁଣି ନିଜ ଗ୍ରାମ ତେନ୍ତୁଲିଗୁମାକୁ ଫେରି ଆସିଲେ l 1942 ମସିହା ସେପ୍ଟେମ୍ବର 2 ତାରିଖ, ତେନ୍ତୁଲି ଗୁମାରେ ପୋଲିସ ପହଞ୍ଚି ଲକ୍ଷ୍ମଣ ନାୟକ ଓ ପୁତ୍ର ରଘୁନାଥ, ସାନଗୁମ୍ମାରୁ ବନସିଂ ଆଦିଙ୍କୁ ଗିରଫ କଲା l ସେମାନଙ୍କର ବିଚାର ହେଲା ଅତିରିକ୍ତ ସେସନ୍ସ ଜଜ,କୋରାପୁଟ ଶ୍ରୀ ଭି. ରାମନାଥଙ୍କ କୋର୍ଟରେ l ବିଚାରରେ ଦୋଷୀ ସାବ୍ୟସ୍ତ ହୋଇ ଜି.ରାମାୟାର ହତ୍ୟା ଅଭିଯୋଗରେ ଲକ୍ଷ୍ମଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲା l ବିଚାର ପରେ ତାଙ୍କୁ ପ୍ରଥମେ କୋରାପୁଟ ଜେଲରେ କାରାରୁଦ୍ଧ କରାଗଲା l ପରେ ତାଙ୍କୁ ସେଠାରୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଗଲା l ସେଠାରେ ଥିବା ଅନ୍ୟ ପ୍ରମୁଖ ସ୍ୱାଧିନତା ସଂଗ୍ରାମୀଙ୍କ ଚେଷ୍ଟାରେ ଏ ଦଣ୍ଡ ବିରୁଦ୍ଧରେ ପାଟନା ହାଇକୋର୍ଟରେ ଅପିଲ କରା ଯାଇଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା l ଶେଷରେ 1943 ମସିହା ମାର୍ଚ୍ଚ 29 ତାରିଖରେ ତାଙ୍କୁ ବ୍ରହ୍ମପୁର ଜେଲରେ ଭୋର ପାଞ୍ଚଟା ବେଳେ ଫାଶୀଖୁଣ୍ଟରେ ଝୁଲାଇ ଦିଆଗଲା l ଫାଶୀ କିଛି ସମୟ ପୂର୍ବରୁ ସେ ସେହି ଜେଲରେ ବନ୍ଦୀ ଥିବା ସଦାଶିବ ତ୍ରିପାଠୀଙ୍କୁ(ପରେ ଓଡିଶା ମୁଖ୍ୟମନ୍ତ୍ରୀ) କହିଥିଲେ, ” ବାବୁ ମୁଁ ତ ଯାଉଛି, ସତରେ କଣ ସ୍ୱରାଜ ହେବ ନା, ଲୋକ ମାନେ ସୁଖ ଶାନ୍ତିରେ ରହିବେ ତ?” ସଦାଶିବ କହିଥିଲେ,ନିଶ୍ଚୟ ହେବ, ଏଥିରେ ଆଉ ସନ୍ଦେହ ଅଛି ” l ଲକ୍ଷ୍ମଣ କହିଲେ,”ହଉ ! ଗାନ୍ଧୀ ମହାତ୍ମାଙ୍କ ଜୟ ” l ତାଙ୍କ ଫାଶୀ ଦିନ ରାତି ତିନିଟାରୁ ବ୍ରହ୍ମପୁର ଜେଲ ପରିସର ବନ୍ଦୀମାନଙ୍କ ଧ୍ୱନୀ,ଲକ୍ଷ୍ମଣ ନାୟକ ଅମର ରହେ, ଇଙ୍କିଲାଵ,ଭାରତ ମାତା କି ଜୟ ‘ ରେ ପ୍ରକମ୍ପିତ ହେଉଥାଏ l ସାରା ଓଡିଶା ସେଦିନ ଚହଲି ଯାଇଥିଲା “ଲକ୍ଷ୍ମଣ ନାୟକ ଅମର ରହେ” ଧ୍ୱନୀରେ l ସେହି ଦେଶପ୍ରେମୀ ଅମର ଶହୀଦଙ୍କୁ ଆଜି ତାଙ୍କ ତିରୋଧାନ ଦିବସରେ କୋଟି କୋଟି ଶ୍ରଦ୍ଧାଞ୍ଜଳୀ l

🙏🙏🙏

ଅର୍ଜୁନୀ

—————

ଅର୍ଜୁନୀ ଚରଣ ବେହେରା

ମୋ – 7693091971

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!