ଓଡିଶା ଖବର

ତ୍ରିଦିବସିୟ କର୍ମଶାଳା ‘ଅଧ୍ୟୟନ’ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡ଼ିଙ୍କ ପ୍ରେରଣାରେ ଆଜି ସମାପନ ହୋଇଛି

(AKN NEWS): କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏବଂ ଜନଜାତି ଗବେଷଣା ଓ ଜ୍ଞାନକେନ୍ଦ୍ର ଆନୁକୂଲ୍ୟରେ ପୁରିସ୍ଥିତ ଶ୍ରୀ ସଦାଶିବ ପରିସର ଠାରେ ତ୍ରିଦିବସିୟ କର୍ମଶାଳା ‘ଅଧ୍ୟୟନ’ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡ଼ିଙ୍କ ପ୍ରେରଣାରେ ଆଜି ସମାପନ ହୋଇଛି l

ଶାସ୍ତ୍ରୀୟ ସଂସ୍କୃତ ଶାସ୍ତ୍ର ଦୃଷ୍ଟିରୁ ଆଦିବାସୀ ତତ୍ତ୍ୱକୁ କିଭଳି ଅନ୍ୱେଷଣ କରାଯାଇପାରିବ ଏହା ଉପରେ ଚର୍ଚ୍ଚା କରାଯାଇଛି l ଭାରତୀୟ ସଂସ୍କୃତି ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।

ଇତିହାସ ପୃଷ୍ଠା ଅବଲୋକନ କଲେ ଜଣାଯାଏ ଭାରତବର୍ଷର ମୂଳ ସଂସ୍କୃତି ହେଉଛି ଆଦିବାସୀ ସଂସ୍କୃତି। ଏହି ଆଦିମ ଜାତିକୁ ଅନେକେ ଅଷ୍ଟ୍ରିକ ବୋଲି କହିଛନ୍ତି। ଅଭିଲେଖଗୁଡ଼ିକରେ ସେମାନଙ୍କୁ ଆଟବିକ ବୋଲି କୁହାଯାଇଛି। ଆମେ କହୁଛୁ ଆଦିବାସୀ। ଆମର ଧର୍ମ, କର୍ମ, ଶ୍ର୍ରାଦ୍ଧ, ବିବାହ, ସନ୍ତାନ ଜନ୍ମ, ମୃତ୍ୟୁ ପ୍ରଭୃତିରେ ଆଦିବାସୀ ପ୍ରଭାବ ବ୍ୟାପକ ଭାବେ ରହିଅଛି। ଆମେ ସେମାନଙ୍କଠାରୁ ଜନ୍ମାନ୍ତରବାଦ, ପରଲୋକ ଧାରଣା, ପ୍ରେତତତ୍ତ୍ୱ, ପିତୃ ତର୍ପଣ, ପିଣ୍ଡଦାନ ଓ ବହୁ ଓଷାବ୍ରତ ପ୍ରଭୃତି ଗ୍ରହଣ କରିଛୁ। ଗ୍ରାମଦେବତା ପୂଜା, ଲିଙ୍ଗ ପୂଜା, ନାଗ ପୂଜା, ଇନ୍ଦ୍ର ପୂଜା ମୂଳତଃ ସେଇମାନଙ୍କର। ଯଦି ଆମେ ଶବ୍ଦଭଣ୍ଡାରକୁ ଦେଖିବା ତେବେ ଆମ ତୋଷାଳି, କଳିଙ୍ଗ, ଧଉଳି ଓ ଉକତ୍ଳ ପ୍ରଭୃତି ଶବ୍ଦ ମୂଳତଃ ଆଦିବାସୀ।

ଓଡ଼ିଶା ଉତ୍ତର ଓ ଦକ୍ଷିଣ ଭାରତର ସଂଯୋଗ ସେତୁ ସହ ଆର୍ଯ୍ୟ, ଦ୍ରାବିଡ଼ ଶାବର ସଂସ୍କୃତିର ମନୋଜ୍ଞ ସମନ୍ବୟ। କେବଳ ଭୌଗୋଳିକ ଦୃଷ୍ଟିକୋଣରୁ ନୁହେଁ – ଚିନ୍ତା ଚେତନା, ଦର୍ଶନ, ଧର୍ମଭାବନା, ରୀତିନୀତି, ଆଚାର ବିଚାରରେ ଓଡ଼ିଶା ହେଉଛି ସମଗ୍ର ଭାରତବର୍ଷରେ ଏକ ମନୋଜ୍ଞ ସମନ୍ବୟ କ୍ଷେତ୍ର। ଏହା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସଂସ୍କୃତି ସହ ଆସି ସେଥିରୁ ଭଲଭାବକୁ ଗ୍ରହଣ କରିଛି ଏବଂ ନିଜର ଅସ୍ତିତ୍ୱକୁ ବଜାୟ ରଖିଛି। ଏହାର ପରିପ୍ରକାଶ ଘଟିଛି କଳା, ଭାସ୍କର୍ଯ୍ୟ, ଶିଳ୍ପ, ସ୍ଥାପତ୍ୟ, ନୃତ୍ୟ, ଗୀତ, ସାମରିକ ଐତିହ୍ୟ ପ୍ରଭୃତି ମାଧ୍ୟମରେ। ପୋଥି ଓ ପଥର ମଧ୍ୟରେ ଆଦିବାସୀ ସଂସ୍କୃତିର ପ୍ରଭାବ ଏବେ ମଧ୍ୟ ଦୃଷ୍ଟିଗୋଚର ହୁଏ।

ଏହି ଆଦିମ ତତ୍ତ୍ୱକୁ ଦେବ ଭାଷା ସଂସ୍କୃତ ଅନୁଯାୟୀ କିପରି ଗବେଷଣା କରାଯିବ ସେଥିଲାଗି ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ବୁଦ୍ଧିଜୀବୀମାନେ ମତପୋଷଣ କରିଥିଲେ l

ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା ପରିସରର ନିର୍ଦ୍ଦେଶକ ପ୍ରଫେସର ଅତୁଲ କୁମାର ନନ୍ଦ କରିଥିବାବେଳେ ମୁଖ୍ୟ ଅତିଥି ଥିଲେ ଶ୍ରୀଯୁକ୍ତ ଅନନ୍ତ ନାୟକ ,ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଅତୁଲ ଯୋଗ, ସ୍ୱତନ୍ତ୍ର ଅତିଥି ସ୍ୱାମୀ ଜୀବନ ମୁକ୍ତାନନ୍ଦ ଜୀ, ଏବଂ ଜନଜାତି ଗବେଷଣା ଓ ଜ୍ଞାନକେନ୍ଦ୍ରର ସଭାପତି ଶ୍ରୀଯୁକ୍ତ ଡି ଏମ କିରଣ l NCST ର ପ୍ରାକ୍ତନ ସଭାପତି ହର୍ଷ ଚୌହାନ, ବିଶିଷ୍ଟ ସମାଜସେବୀ ଶ୍ରୀ ସନ୍ଦୀପ, ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରିଥିଲେ l ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଶ୍ରୀ ବିବେକାନନ୍ଦ ନରୋତ୍ତମ, ସମାଜସେବୀ ବୈଭବ ସୁରାଙ୍ଗେ ବନବାସୀଙ୍କର ଅସ୍ମିତା ସମ୍ପର୍କରେ ଆଲୋଚନା କରିଥିବା ବେଳେ ଜନଜାତୀଙ୍କର ବିକାଶ ସମ୍ପର୍କରେ VNSGU ର ସିନେଟ ସଭ୍ୟ ଶ୍ରୀ ବିମଳ ସାହ, ସମାଜସେବୀ ରାଜାରାମ ବନବାସୀଙ୍କର ବିକାଶ ସଂକ୍ରାତୀୟ ଚର୍ଚ୍ଚା କରିଥିଲେ l ପରେପରେ ସମାଜସେବୀ ଶ୍ରୀ କୁବେର, ପ୍ରତିଷ୍ଠାତା CTEER ଶ୍ରୀ ମିଲନ୍ଦ ଟେଟେ ଜନଜାତିଙ୍କ ଅସ୍ତିତ୍ବ, ଏବଂ ପ୍ରାକ୍ତନ ସଭାପତିICSSR ପ୍ରଫେସର ଜେ. କେ. ବଜାଜ ବନବାସୀ ସମ୍ପର୍କିତ ଗବେଷଣା ପଵିଧି ଉପରେ ଆଲୋଚନା କରିଥିଲେ l ତତ୍ପରେ ଅମିତ ବିଶ୍ୱବିଦ୍ୟାଳୟ ନୋଇଡାର ଅଧ୍ୟାପକ ଡକ୍ଟର ପିୟାଶୀ ଦତ୍ତ ଗବେଷଣା ଓ ତଥ୍ୟ ସମ୍ପର୍କରେ ପ୍ରବନ୍ଧ ଉପସ୍ଥାପନା କରିଥିଲେ, ଏତଦବ୍ୟତୀତ ପାଠ୍ୟଖସଡ଼ା, ନିୟମ, ଗବେଷକ, ଉତ୍ସ,ନିୟମ ଗୋଷ୍ଠୀ, ଗବେଷଣା ଗୋଷ୍ଠୀ, ଉତ୍ସ ଗୋଷ୍ଠୀ ସମ୍ପର୍କିତ ଚର୍ଚ୍ଚା ସମେତ ମୁକ୍ତ ଚର୍ଚ୍ଚା, ସମାନ୍ତରାଳ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଆଇ ଆଇ ଟି, ପ୍ରଫେସର ବିବେକ କୁମାର l

ଏହି କାର୍ଯ୍ୟକ୍ରମର କେନ୍ଦ୍ରୀୟ ସଂଯୋଜକ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ ପକ୍ଷରୁ ଡକ୍ଟର ଚକ୍ରଧର ମେହେର ଥିବାବେଳେ ଆଞ୍ଚଳିକ ସଂଯୋଜକ ଥିଲେ ଶ୍ରୀ ସଦାଶିବ ପରିସରର ଶିକ୍ଷାଶାସ୍ତ୍ର ବିଭାଗ ପ୍ରଫେସର ଡକ୍ଟର ରମାକାନ୍ତ ମିଶ୍ର l ଏଥିରେ ପରିସରର ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ମଧ୍ୟ ଉପସ୍ଥିତ ଥିଲେ l

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!