ବିଦ୍ୟୁତ ତାର ସଂପର୍ସରେ ଆସି ଦୁଇ ମୃତ ଓ ଜଣେ ଗୁରୁତର

ଲାଞ୍ଜିଗଡ (AKN NEWS ): ଟାଟା ପାୱାର ପକ୍ଷରୁ ବିଦ୍ୟୁତ ପରିଚାଳନା ଓ ମରାମତି ନାମରେ ମାସକୁ ଅତିକମରେ ଦୁଇଦିନ ଲେଖାଏଁ ବିଦ୍ୟୁତ କାଟ କରାଯାଉଥିବାବେଳେ ବିଦ୍ଯୁତ ପରିଚାଳନାଗତ ତୃଟି ଯୋଗୁଁ ୧୧ କେଭି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଛିଣ୍ଡି ଦୁଇଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଅତ୍ୟନ୍ତ ସଂକଟାପନ୍ନ ଭାବେ ଜୀବନ ସଂଘର୍ଷ କରୁଥିବା ସୂଚନା ମିଳିଛି। ଏପରି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେଡାଗାଁ ପଞ୍ଚାୟତ ଦାନିକାପେଲ ଗାଁ ନିକଟରେ। ଏହି ପଞ୍ଚାୟତର ଟାମକୁରୁଞ୍ଜା ଗାଁର କାଙ୍ଗା ମାଝୀ ରବିବାର ସକାଳେ ଦାନିକାପେଲ ଗାଁ ନିଜ ନୂଆ ସମୁଦୀ ଘରକୁ କୁଣିଆ ହୋଇ ଆସିଥିବାବେଳେ ଅପରାହ୍ନ ୪.୩୦ ସମୟରେ ସେ ଘରକୁ ଫେରିବାକୁ ବାହାରିଥିଲେ। ନୂଆ ବନ୍ଧୁ ହୋଇଥିବାରୁ କିଛି ବାଟ ବଳେଇଦେବାକୁ
ଯାଇଥିଲେ ଟିଙ୍ଗୁ ମାଝୀ ଓ ଡଙ୍ଗେ ମାଝୀ। ତେବେ ଯିବା ବାଟରେ ସେମାନଙ୍କୁ ସତେ ଯେମିତି ଛକି ବସିଥିଲା ମୃତ୍ୟୁ। ସୁଲିମ ଓ ଦାନିକାପେଲ ମଝିରେ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ହଠାତ ଛିଣ୍ଡି ଯାଇ ସେମାନଙ୍କ ଉପରେ ପଡିଯିବାରୁ ତିନିଜଣ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରି ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର କାଙ୍ଗା ମାଝୀ ଓ ଟିଙ୍ଗୁ ମାଝୀଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବିଶ୍ୱନାଥପୁର ଥାନା ଅଧିକାରୀ ମମତା ହେମ୍ବ୍ରମ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି। ସେହିପରି ଡଙ୍ଗେ ମାଝୀଙ୍କୁ ଅତ୍ୟନ୍ତି ଗୁରୁତର ଭାବେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ପ୍ରତନିଧି ସୁଶାନ୍ତ କୁମାର ମାଝୀ ଙ୍କ ରିପୋର୍ଟ AKN NEWS


