ଓଡିଶା ଖବର

ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ

(AKN NEWS): ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶ୍ୱ ସ୍ତନ୍ୟପାନ ଦିବସ ୨୦୨୪ ପାଳନ କରାଯାଇଛି | ଏହି ଉପଲକ୍ଷେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି | ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଅଧିକାରୀ, ଡାକ୍ତର, ନର୍ସିଂ ଅଫିସର,ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ କର୍ମଚାରୀ, ସହରାଂଚଳର ଆଶା କର୍ମୀ, ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ଏବଂ ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟା ଉପସ୍ଥିତ ରହିଥିଲେ|

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରୂପଭାନୁ ମିଶ୍ର ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ଓ କହିଥିଲେ ମା କ୍ଷୀରର କୌଣସି ବିକଳ୍ପ ନାହିଁ ତେଣୁ ପ୍ରତ୍ୟେକ ଶିଶୁ ଜନ୍ମଠାରୁ ୬ ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଖାଇବା ଦରକାର | ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟର ଶିଶୁ ବିଭାଗର ମୁଖ୍ୟ ଡାକ୍ତର ଆରତୀ ବେହେରା କହିଥିଲେ ଶିଶୁଟିଏ ମା କ୍ଷୀରରୁ ବଂଚିତ ରହିଲେ ବିଭିନ୍ନ ପ୍ରକାର କୁପୋଷଣର ଶିକାର ହୋଇଥାଏ ଏବଂ ପ୍ରତ୍ୟକ ଶିଶୁକୁ ମା ମାନଙ୍କ ଦ୍ୱାରା କିପରି ସଠିକ ଉପାୟରେ କ୍ଷୀର ଦିଆଯିବା ଦରକାର ସେବିଷୟରେ ଆଲୋକପାତ କରିଥିଲେ | ନଚେତ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଇଯିବା ସହିତ ଶିଶୁଟି ମୃତ୍ୟୁ ମୁଖରେ ମଧ୍ୟ ପଡିବାର ସମ୍ଭାବନା ଥାଏ | ତେଣୁ ଏଥି ପ୍ରତି ବିଶେଷ ଧ୍ୟାନ ଦେବା ଦରକାର | ପିଲାଟିଏ ମା’ କ୍ଷୀର ଖାଇବାପରେ ତାର ପିଠିକୁ କିପରି ଥାପୁଡ଼ାଇବା ଦରକାର ସେ ବିଷୟରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଇଥିଲେ | ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଚନ୍ଦ୍ରକାନ୍ତି ଆଚାର୍ଯ୍ୟ ମା କ୍ଷୀର ଶିଶୁ ପାଇଁ କିପରି ଏକ ପ୍ରାକୃତିକ ଟୀକା ସଦୃଶ୍ୟ ହୋଇଥାଏ ଏବଂ ଶିଶୁର ମାନସିକ ବିକାଶ ଭଲରେ ହୋଇଥାଏ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ | ମା’ ର କଷକ୍ଷୀର ଶିଶୁ ପାଇଁ କିପରି ବହୁତ ଉପଯୋଗୀ ହୋଇଥାଏ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅର୍ଚନା ପଟ୍ଟନାୟକ କହିଥିଲେ | ଏହି ସଭାରେ ଜିଲ୍ଲା ଅତିରକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକଟର ବାହିତ) ଡାକ୍ତର ବିନୋଦ ବିହାରୀ ରଥ ଶିଶୁର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ମା’ କ୍ଷୀରର ଭୂମିକା ଉପରେ ଆଲୋକପାତ କରିଥିଲେ |

ଜିଲ୍ଲା ଅତିରକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ପ୍ରବନ୍ଧକ ଟି ନାରାୟଣ ରାଓ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ଆଶା ମ୍ୟାନେଜର ଅଶୋକ କୁମାର ସାହୁ ଏବଂ ସହ ପରିଚାଳକ (ତାଲିମ), ମନୋଜ ପଣ୍ଡା ଉପସ୍ଥିତ ଥିଲେ |

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!