ଓଡିଶା ଖବର

ଅଶ୍ବିନୀ ଭୋଇଙ୍କୁ ଦେବଗିରି ସମାଜସେବା ସମ୍ମାନ, ଲୋକକଳା ସମ୍ମାନ ପାଇବେ ଲୋକନାଥ ସା

ଭବାନୀପାଟଣା,୨୫|୧୧ (AKN NEWS): ବେସରକାରୀ ସଂସ୍ଥା ‘ସନ୍ଧାନ’ ମାଧ୍ୟମରେ ରାଜ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଉଦୀୟମାନ ଯୁବ ପ୍ରତିଭା ଅଶ୍ବିନୀ ଭୋଇଙ୍କୁ  ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଦେବଗିରି ସମାଜସେବା ସମ୍ମାନ’ ପ୍ରଦାନ କରାଯିବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ନଭେମ୍ବର ୧୩ରୁ ୧୫ ତାରିଖ ଯାଏଁ ଆୟୋଜିତ ହେବାକୁଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ‘ଗୋସିଙ୍ଗ ଦୈତ୍ୟ ଦରବାର’ରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ସୂଚନା ରହିଛି। ନର୍ଲା ବ୍ଲକ ଅନ୍ତର୍ଗତ ଶାନ୍ତପୁର ଗ୍ରାମର ସୁଦେଷ୍ଣା ଭୋଇ ଓ ନାରାୟଣ ଭୋଇଙ୍କ ସୁପୁତ୍ର ଅଶ୍ବିନୀ ୧୯୯୯ ମହାବାତ୍ୟା ସମୟରୁ ସମାଜସେବାକୁ ନିଜ ଜୀବନର ବ୍ରତ ଭାବେ ବାଛି ନେଇଛନ୍ତି। ସେ କେୟାର ଇଣ୍ଡିଆ, ନାବାର୍ଡ ଓ ଏକ୍ସଆଇଏମବି ସହ ଜଡ଼ିତ ରହି ନର୍ଲା, କେସିଙ୍ଗା ଏବଂ ଲାଞ୍ଜିଗଡ଼ ବ୍ଲକର ଦୁର୍ଗତ ମାନବଙ୍କ ବନ୍ଧୁ ସାଜାଛନ୍ତି। ୨୦୧୨ ରୁ ସେ ସନ୍ଧାନ ନାମରେ ଏକ ଏନଜିଓ ଖୋଲି ଏହା ମାଧ୍ୟମରେ ଜନତାଙ୍କ ସେବା କରି ଆସୁଛନ୍ତି। ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ରାଜ୍ୟର ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି। ରୁପ୍ରାରୋଡର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲ ଓ ତାଙ୍କ ପୂର୍ବଜଙ୍କ ସ୍ମୃତିରେ ଡ଼ଃ ଅଗ୍ରୱାଲଙ୍କ ସୁପୁତ୍ର ସୁନୀଲ ଅଗ୍ରୱାଲ ଓ ସୁମିତ ଅଗ୍ରୱାଲଙ୍କ ଦ୍ବାରା ଅଶ୍ବିନୀ କୁମାର ଭୋଇଙ୍କୁ ଦେବଗିରି ସମାଜସେବା ସମ୍ମାନ-୨୦୨୪ ପ୍ରଦାନ କରାଯିବ।

 

ସେହିପରି ଭାବେ ବିଶିଷ୍ଟ କଳାକାର, ବାଦ୍ୟକାର ତଥା ଲୋକନୃତ୍ୟ ଓ ନାଟକ ନିର୍ଦ୍ଦେଶକ ଲୋକନାଥ ସା ଚଳିତ ବର୍ଷ ପାଇଁ ‘ଦେବଗିରି ଲୋକକଳା ସମ୍ମାନ’ ପାଇବେ। ସେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଶାନ୍ତପୁର ଗ୍ରାମର ଚିନ୍ତାମଣି ସାଙ୍କ ସୁପୁତ୍ର ଅଟନ୍ତି। ଜୀବନବ୍ୟାପୀ ଲୋକକଳା ଓ ଲୋକନାଟକ ପ୍ରତି ସମର୍ପିତ ଲୋକନାଥ ବର୍ତ୍ତମାନ ୬୬ ବର୍ଷ ବୟସରେ ମଧ୍ୟ ଅଭିନୟ କରିବା ସହ ନାଟକର ନିର୍ଦ୍ଦେଶନା ଦେଇ ଆସୁଛନ୍ତି। ୧୯୮୨ ରୁ ୧୯୮୪ ପର୍ଯ୍ୟନ୍ତ ସେ ରାଧାକୃଷ୍ଣ ନାଟ୍ୟ କଳା ପରିଷଦର ସଭାପତି ଏବଂ ୧୯୮୪ରୁ ଦୀର୍ଘବର୍ଷ ପର୍ଯ୍ୟନ୍ତ ଶାନ୍ତପୁର ଯୁବକ ସଂଘର ସଭାପତି ରହି ଘୁମୁରା, ନାଟକ ଓ ପାଲାକୁ ରାଜ୍ୟର କୋଣ ଅନୁକୋଣରେ ପରିବେଷିତ କରି ଏହି ଅନନ୍ୟ ଲୋକକଳାର ପ୍ରଚାର ପ୍ରସାର କରିଛନ୍ତି। ଓଡ଼ିଶାର ମହାମହିମ ରାଜ୍ୟପାଳ ଏମ୍.ଏମ୍ ରାଜେନ୍ଦ୍ରନ ତାଙ୍କୁ ସମ୍ମାନିତ କରିଥିବାବେଳେ ଅନେକ ମହୋତ୍ସବରେ ନିଜର କଳା ପ୍ରଦର୍ଶନ କରି ସେ ସମ୍ମାନିତ ହୋଇଛନ୍ତି। ସେ ୯୦ରୁ ଉର୍ଦ୍ଧ୍ବ ନାଟକର ନିର୍ଦ୍ଦେଶନା ଦେବାସହ ୨୭ରୁ ଉର୍ଦ୍ଧ୍ବ ନାଟକରେ ଅଭିନୟ କରିଛନ୍ତି। ସେ ଗୁମାପଦର, ମାଢେଲ, ଶାନ୍ତପୁର, ନାଗଝରି ଓ ରାତୁଲି ଆଦି ଗ୍ରାମରେ ଘୁମୁରା ଦଳ ଗଠନକରି କଳାହାଣ୍ଡିର ଏହି ବୀରବାଦ୍ୟର ପ୍ରଚାର ପ୍ରସାରରେ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିପାରିଛନ୍ତି। ଶିଶୁ ଶ୍ରମିକ ଛାତ୍ରଛାତ୍ରୀମାନଙ୍କୁ ନେଇ ପାଲା ଦଳ ଗଠନ କରିବା ଓ ଏହାକୁ ନେଇ ଜନସଚେତନତା ସୃଷ୍ଟି କରିବା ମଧ୍ୟ ରାଜ୍ୟର ଲୋକକଳା ପ୍ରତି ତାଙ୍କର ଅନ୍ୟଏକ ଉଲ୍ଲେଖନୀୟ ଅବଦାନ। ଯୁବାବସ୍ଥାରୁ ଆରମ୍ଭ କରି ଜୀବନର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର କଳା ସଂସ୍କୃତିର ପୁନରୁଦ୍ଧାର ତଥା ପ୍ରଚାର ପ୍ରସାର ପାଇଁ ବ୍ରତୀ ଅଛନ୍ତି ଶ୍ରୀ ସା। ଅନ୍ୟାନ୍ୟ ସମ୍ମାନ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!