ଅମର ଶହୀଦ ବିର୍ସା ମୁଣ୍ଡା

(AKN NEWS): ଭାରତ ଇତିହାସରେ ଯେଉଁ କେତେ ଜଣ ବୀର ସଂଗ୍ରାମୀଙ୍କ ନାମ ଆସେ ତା ଭିତରେ ବିର୍ସାମୁଣ୍ଡା ଅନ୍ୟତମ l ଜଣେ ଦେଶପ୍ରେମୀ ମହା ସଂଗ୍ରାମୀ ଭାବରେ ଇତିହାସରେ ସେ ବିଖ୍ୟାତ l ଊନବିଂଶ ଶତାବ୍ଦୀରେ ବିହାର ଏବଂ ଝାଡ଼ଖଣ୍ଡର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରି ସେ ବ୍ରିଟିଶ ଶାସନ ବିରୁଦ୍ଧରେ ବିପ୍ଲବର ବହ୍ନି ଜାଳିଦେଇଥିଲେ l ମାତ୍ର ୨୫ ବର୍ଷ ବୟସର ସେ ଭାରତ ସ୍ୱାଧୀନ ସମର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଦେଇଛନ୍ତି l ସେ ନିଜର ଗାଁ ଏବଂ ଆଖ ପାଖ ଅଞ୍ଚଳର ଯୁବକ ମାନଙ୍କୁ ନେଇ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଏକ ଦୃଢ଼ ସଂଗଠନ ଗଢ଼ି ଥିଲେ l
ମୁଣ୍ଡା ଝାଡ଼ଖଣ୍ଡ ଅଞ୍ଚଳର ଏକ ଜନଜାତି l ବିର୍ସା ମୁଣ୍ଡାଙ୍କ ପୂର୍ବ ପୁରୁଷ ଥିଲେ ଟୁଟୁ ଓ ନାଗୁ ନାମକ ଦୁଇଭାଈ l ସେମାନେ ରାଞ୍ଚି ନିକଟ ତୋମଦଗା ନଦୀ କୂଳରେ ବାସ କରୁଥିଲେ l ସେହି ମାନଙ୍କ ନାମ ଅନୁସାରେ ପରେ ଜାଗାଟି ଛୋଟନାଗପୁର ବୋଲି ପରିଚିତ ହୋଇଥିଲା l ସେହି ମାନଙ୍କର ବଂଶଧର ଥିଲେ ବିର୍ସାଙ୍କ ପରିବାର l ବିର୍ସାମୁଣ୍ଡା 1874 ମସିହା (ମତାନ୍ତରେ ୧୮୭୫) ନଭେମ୍ବର ୧୫ ତାରିଖରେ ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲା ଅନ୍ତର୍ଗତ ଖୁଣ୍ଟି ସବଡିଭିଜନର ବାମ୍ବା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ l ତାଙ୍କ ପିତା ଥିଲେ ସୁଗନା ମୁଣ୍ଡା ଓ ମାଆ କରମୀ ମୁଣ୍ଡା l
ବିର୍ସା ମୁଣ୍ଡାଙ୍କ ବାଲ୍ୟ ଶିକ୍ଷା ସାଲଗାଠାରେ ଆରମ୍ଭ ହୋଇଥିଲା lସେଠାରେ ପଣ୍ଡିତ ଜଇପାଲ ନାଗଙ୍କ ସହ ତାଙ୍କର ପରିଚୟ ହୋଇ ଥିଲା l ତାଙ୍କ ଠାରୁ ସେ ରାମାୟଣ ଓ ମହାଭାରତର ବିଷୟବସ୍ତୁ ସହ ଅବଗତ ହୋଇଥିଲେ l ଏହା ପରେ ସେ ବୁରୁଜ ପ୍ରାଇମେରୀ ସ୍କୁଲରେ ଅଧୟନ ସାରି ଚାଇଁବସା ମିଶନ ମଧ୍ୟ ଇଂରାଜୀ ସ୍କୁଲରେ ଶିକ୍ଷା ଲାଭ କରି ଥିଲେ l ଏହି ସମୟରେ ସେ ଦୁଇ ଜଣ ଜର୍ମାନୀ ଶିକ୍ଷକ ଫାଦର୍ଡେଡଲକ୍ ଓ ଫାଦର୍ ନୋଟ୍ରୋଟଙ୍କ ସଂସ୍ପର୍ଶରେ ଆସିଥିଲେ lଅତି ସରଳବିଶ୍ୱାସୀ ଜନ ଜାତି ଲୋକମାନଙ୍କ ଉପରେ ଇଂରେଜ ଶାସନର ଅତ୍ୟାଚାର ଏବଂ ଅମାନଵୀୟ ବ୍ୟବହାର ତାଙ୍କୁ ମର୍ମାହତ କରିଥିଲା l ସେ ସ୍କୁଲ ପରିତ୍ୟାଗ କରି ଆନନ୍ଦପାଣ୍ଡେ ନାମକ ଜଣେ ଭଦ୍ରବ୍ୟକ୍ତିଙ୍କ ଘରେ 1890 ରୁ 1894 ପର୍ଯ୍ୟନ୍ତ ଗୃହ ଚାକର ଭାବେ କାମ କଲେ l
ଗୋରା ଶାସକ ମାନେ ସେବକ ପଟ୍ଟା ଲେଖାଇ ନେଇ ସରଳ ଗ୍ରାମବାସୀ ମାନଙ୍କୁ ଗୋତି ବେଠି ଖଟାଇବା ଓ ଧର୍ମାନ୍ତରଣ ପାଇଁ ବାଧ୍ୟ କରୁଥିଲେ l ଏହାକୁ ବିର୍ସା ସହି ପାରୁ ନଥିଲେ l ସେ ଚାଇଁବସା ମିଶନ୍ ସ୍କୁଲରେ ପଢୁ ଥିଲା ବେଳେ ଜଣେ ଗୋରା ପ୍ରଧାନ ଶିକ୍ଷକ ଆକ୍ରୋଶ ମୂଳକ ଭାବେ ବିର୍ସାଙ୍କୁ ଅମାନୁଷିକ ଭାବେ ଚାବୁକରେ ମାଡ଼ ମାରିଥିଲେ ଓ ସ୍କୁଲରୁ ବହିସ୍କାର କରି ଦେଇଥିଲେ l ସେଦିନ ଠାରୁ ପାଠପଢାରେ ଡୋରିବାନ୍ଧି,ଫିରିଙ୍ଗି ଶାସନ କବଳରୁ ଦେଶକୁ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ି ଥିଲେ ବିର୍ସା l ଓଡିଶାର ବଣେଇ,ଗୁରୁଣ୍ଡିଆ,କଳି ପଶ ଆଦି ଗ୍ରାମର କୋହ୍ଲ, ଖତିଆର,କିଷାନ ଓ ମୁଣ୍ଡା ଆଦିବାସୀମାନଙ୍କୁ ସେ ବ୍ରିଟିଶ୍ ସରକାରଙ୍କ ଅତ୍ୟାଚାର ବିଷୟରେ ସଚେତନ କରାଇଥିଲେ l ସେବକପଟ୍ଟା ନ ଲେଖିବା, ଖଜଣା ନ ଦେବା ଓ ବନ୍ଧୁକ ମୁନକୁ ଡରି ଧର୍ମତ୍ୟାଗ ନ କରିବାକୁ ସେ ପ୍ରଚାର କରୁଥିଲେ l ତାଙ୍କର ନେତୃତ୍ୱ ଗ୍ରହଣକରି ଆଦିବାସୀ ମାନେ ଏକ ଜୁଟ ହୋଇ ଇଂରେଜଙ୍କ ବିରୁଦ୍ଧରେ ସଶସ୍ତ୍ର ବିପ୍ଳବ ନିମନ୍ତେ ପ୍ରସ୍ତୁତ ଦେଖି ଇଂରେଜଶାସକ ପ୍ରମାଦଗଣିଲେ l1895,ଅଗଷ୍ଟ 16 ତାରିଖ ଦିନ ପୋଲିସ୍ ଏସ୍. ପି.ମେୟରସ୍, ବିର୍ସା ଓ ତାଙ୍କର 15 ଜଣ ସହଯୋଗୀଙ୍କୁ ଗିରଫ କରିନେଲେ l ଦେଶ ଦ୍ରୋହ ଅପରାଧରେ ତାଙ୍କୁ ଦୁଇବର୍ଷ କାରା ଦଣ୍ଡରେ ଦଣ୍ଡିତ କରାଯାଇ ରାଞ୍ଚି ଜେଲ୍କୁ ପଠାଇ ଦିଆଗଲା l
ମହାରାଣୀ ଭିକ୍ଟୋରିଆଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅନେକ କଏଦୀଙ୍କୁ ମୁକ୍ତ କରି ଦିଆ ଗଲା l ଏଥିରେ ବିର୍ସା ମୁଣ୍ଡା ଓ ତାଙ୍କର ସହକର୍ମୀ ମାନେ ମଧ୍ୟ ମୁକ୍ତି ପାଇଥିଲେ l ଜେଲରୁ ବାହାରି ସେ ଆହ୍ୱାନ ଦେବାରୁ ଶହଶହ ସଂଖ୍ୟକ ଯୁବକ ମାତୃଭୂମିକୁ ବିଦେଶୀ ଶାସନ ଶୃଙ୍ଖଳରୁ ମୁକ୍ତିପାଇଁ ଦୃଢ଼ ଶପଥ ନେଲେ l ସେମାନେ 1899 ମସିହା ଡିସେମ୍ବର 9 ତାରିଖ ଦିନ ନିଆଁହୁଳା,ଧନୁତୀର ଓ ବର୍ଚ୍ଛା ଧରି ଗୋରା ମାନଙ୍କର ବାସ ଭବନ ଓ ଅଫିସ୍ରେ ନିଆଁ ଲଗାଇ ଦେଲେ l ସିଂହଭୂମିର ପୋର ହାଟରେ ନିଆଁ ଲଗାଇ ଦେଲେ l ସମସ୍ତେ ଏକଜୁଟ ହୋଇ ରାଞ୍ଚି ସ୍ଥିତ ବିଚାରାଳୟ ଉପରେ ଆକ୍ରମଣ କଲେ l ପୋଲିସ ଗୁଳିଚାଳନା ଫଳରେ ସଂଗ୍ରାମ ସ୍ଥଳୀରେ ସେମାନଙ୍କ ମଧ୍ୟରୁ ବାର ଜଣ ସଂଗ୍ରାମୀ ଶହୀଦ ହେଲେ l ବିର୍ସା ମୁଣ୍ଡାଙ୍କୁ ଧରାଇ ଦେଲେ ପାଞ୍ଚଶହ ଟଙ୍କା ପୁରସ୍କାର ମିଳିବ ବୋଲି ବ୍ରିଟିଶ ସରକାର ଘୋଷଣା କଲେ l ତାଙ୍କ ସନ୍ଧାନ ନେବା ପାଇଁ ଦୁଇ ଜଣ କନେଷ୍ଟବଳ ବୁଡୁରାମ ଓ ଜୟରାମଙ୍କୁ ଏଟିକେଡ଼ି ଗ୍ରାମକୁ ପଠାଗଲାl ସେହି ଠାରେ ବିର୍ସାଙ୍କ ମୁଖ୍ୟ ସହକର୍ମୀ ଗୟାମୁଣ୍ଡା ଅନ୍ୟ ଗ୍ରାମବାସୀଙ୍କ ସହାୟତାରେ ଜାନୁଆରୀ 1900 ମସିହା15ତାରିଖ ଦିନ ଏହି କନେଷ୍ଟବଳ ଦ୍ବୟଙ୍କୁ ହତ୍ୟା କରିଥିଲେ lଏହାର ପ୍ରତିଶୋଧ ନେବାପାଇଁ ପୋଲିସ ଅଧିକାରୀ ମିଃ ଷ୍ଟ୍ରିଟ୍ଫିଲ୍ଡ ସଶସ୍ତ୍ର ପୋଲିସ୍ ବାହିନୀ ନେଇ ଗୟାମୁଣ୍ଡାଙ୍କୁ ଗିରଫ କଲାବେଳେ ବିଦ୍ରୋହୀ ମାନଙ୍କର ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କଲେ l
ଏହା ପରେ ବିର୍ସାଙ୍କ ନେତୃତ୍ୱରେ ସଂଗ୍ରାମୀ ମାନେ ଖୁଣ୍ଟି ଥାନାରେ ନିଆଁ ଲଗାଇ ଦେଲେ,କନେଷ୍ଟବଳ ରଘୁରାମକୁ ହତ୍ୟାକଲେ ଓ ଅନ୍ୟ ପୁଲିସ୍ମାନଙ୍କୁ ଥାନା ଛାଡ଼ି ଚାଲି ଯିବାକୁ ଧମକ ଦେଲେ l ଥାନା ପୋଡ଼ି ସାଙ୍ଗକୁ,ଧମକ ପାଇ ପୋଲିସ ଡୋମ୍ବରି ପାହାଡ଼,ଯେଉଁଠି ବିର୍ସା ମୁଣ୍ଡା ଓ ତାଙ୍କ ସହକର୍ମୀ ନରସିଂହ ଅନ୍ୟ ସଂଗ୍ରାମୀ ମାନଙ୍କୁ ଉଦ୍ବୋଧନ ଦେଉ ଥିଲେ, ତାକୁ ଘେରାଉ କଲେ ଓ ବିଦ୍ରୋହୀ ମାନଙ୍କୁ ଆତ୍ମ ସମର୍ପଣ ନିମନ୍ତେ ଆହ୍ୱାନ ଦେଲେ l ଏହାକୁ ଖାତିର ନକରି ପାହାଡ଼ ଉପରୁ ବିଦ୍ରୋହୀ ମାନେ ପ୍ରବଳ ତୀର, ବର୍ଚ୍ଛା ଓ ପଥର ବର୍ଷଣ କରି ଇଂରେଜ ଫଉଜ ଉପରେ ଆକ୍ରମଣ ଆରମ୍ଭ କରି ଦେଲେ lଇଂରେଜ ଫଉଜର ପ୍ରବଳ ଗୁଳିଵର୍ଷାରେ ନରସିଂହ ମୁଣ୍ଡାଙ୍କ ସମେତ ଦୁଇ ଶହ ବିଦ୍ରୋହୀ ଶହୀଦ୍ ହେଲେ l ବିର୍ସା ଅଳ୍ପକେ ବଞ୍ଚିଗଲେ l ସେ ଆତ୍ମଗୋପନ ପାଇଁ ଚକ୍ରଧରପୁର ଘଞ୍ଚ ଜଙ୍ଗଲକୁ ପଳାୟନ କଲେ l
ବିର୍ସାଙ୍କ ସନ୍ଧାନ ନମିଳିବାରୁ ସରକାର ଆଦିବାସୀ ମୁଣ୍ଡାମାନଙ୍କ ଉପରେ ଭୀଷଣ ଅତ୍ୟାଚାର ଆରମ୍ଭ କରିଦେଲେ l ସେମାନଙ୍କ ଘର ନିଆଁଲଗାଇ ଜାଳି ଦେଲେ l ପୋଲିସ କାର୍ଯ୍ୟାନୁଷ୍ଠାନ ଫଳରେ ବିର୍ସା ଙ୍କ ସହକର୍ମୀ ଡେନକା ମୁଣ୍ଡା ଏବଂ ମାଝିଆ ମୁଣ୍ଡା ସରକାରଙ୍କ ନିକଟରେ ଆତ୍ମ ସମର୍ପଣ କଲେ l ପରେ ଏମାନଙ୍କୁ ନିର୍ବାସନ ଦଣ୍ଡରେ ଦଣ୍ଡିତ କରା ଯାଇଥିଲା l
ଏତେ ଦମନ ଲୀଳା ସତ୍ୱେ ମଧ୍ୟ ବିର୍ସାଙ୍କ ଉତ୍ସlହ ଟିକିଏହେଲେ କମି ନଥାଏ lସେ ସଂଗ୍ରାମକୁ ନୂଆ ରୂପ ଦେବାପାଇଁ ସିଂହଭୂମି ଜିଲ୍ଲାକୁ ଚାଲି ଗଲେ l ସେଠାରେ ସେ କର୍ମୀମାନଙ୍କୁ ସଂଗଠିତ କରିବା ଅବସରରେ ବିଶ୍ୱାସଘାତକ ଶଶୀଭୂଷଣ ରାୟ ଓ ମାଝିତା ମାରିଆ ସରକାର ଘୋଷିତ ୫୦୦ ଟଙ୍କା ଲୋଭରେ ବିର୍ସା ମୁଣ୍ଡା ସେନ୍ତେରା ଗ୍ରାମର ନିକଟ ଜଙ୍ଗଲରେ ଆତ୍ମ ଗୋପନ କରିଥିବା ସରକାରକୁ ଜଣାଇ ଦେଲେ l ମାର୍ଚ୍ଚ 3 ତାରିଖ 1900 ରେ ତାଙ୍କୁ ଗିରଫ କରି ରାଞ୍ଚି କେନ୍ଦ୍ରୀୟ ଜେଲ୍କୁ ଅଣା ଗଲା l ଏହା ଦେଖି ଶହ ଶହ ଅନୁଗାମୀ ତାଙ୍କ ସହ ଜେଲ୍ ଯିବାକୁ ବାହାରି ପଡ଼ିଲେ l ସୁରକ୍ଷା କାରଣରୁ ତାଙ୍କୁ ସେଠାରୁ ହଜାରିବାଗ ଜେଲ୍କୁ ପଠାଇ ଦିଆଗଲା l ତାଙ୍କର ସ୍ୱାସ୍ଥ୍ୟର ଅବନତି ଘଟିବାରୁ ତାଙ୍କୁ ପୁଣି ରାଞ୍ଚି ଜେଲ୍କୁ ଅଣା ଗଲା l ତାଙ୍କ ପାଦରେ ଶିକୁଳି ପିନ୍ଧାଇ ବହୁ ନିର୍ଯ୍ୟାତନା ଦିଆଗଲା ଓ ତାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆ ଗଲା l ଏ ସବୁ ନିର୍ଯ୍ୟାତନାର ମୂକ ସାକ୍ଷୀ ଥିଲେ ଜେଲ୍ର ଡାକ୍ତର ଅମୂଲ୍ୟ ଓ ମେହେନ୍ତର ଶିବନା l ତାଙ୍କ ରାଜଦ୍ରୋହ ଅପରାଧର ବିଚାର ପାଇଁ ତାଙ୍କୁ ବିଚାରାଳୟକୁ ନିଆ ଗଲା l ଇଂରେଜ ମାନଙ୍କ ଭୟରେ ସେଠାରେ କେହି ତାଙ୍କ ପକ୍ଷରେ ସାକ୍ଷ୍ୟ ଦେଲେ ନାହିଁ l ବିର୍ସା ବିଚାରାଳୟ କୋଠରୀରେ ପ୍ରଳାପ କରୁଥିବାର ଦେଖି ବିଚାରପତି ବିଚାରକୁ ସ୍ଥଗିତରଖି ତାଙ୍କୁ ପୁନଃ ଜେଲ୍କୁ ପଠାଇଦେଲେl ମାତ୍ର ପଚିଶ ବର୍ଷ ବୟସ୍କ ବିଦ୍ରୋହୀ ବିର୍ସା ରାଞ୍ଚି ଜେଲ୍ରେ କଲ ବଲ ହୋଇ1900 ମସିହା ଜୁନ୍ 9 ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କଲେ l
ବିର୍ସାଙ୍କ ମୃତ୍ୟୁ ପରେ ତାଙ୍କର କିଛି ସହକର୍ମୀଙ୍କୁ ନିର୍ବାସନ ଦଣ୍ଡରେ ଦ୍ବୀପାନ୍ତର କରା ଗଲା ଏବଂ କେତେକଙ୍କୁ ଫାସୀ ମଧ୍ୟ ଦିଆଗଲା l ହଇଜାରେ ବିର୍ସାଙ୍କ ମୃତ୍ୟୁହେଲା ବୋଲି ସରକାରଙ୍କ ଭୟରେ ମିଥ୍ୟା ରିପୋର୍ଟ ଦେଇ ଥିଲେ ଡାକ୍ତର ଅମୂଲ୍ୟ l ଅନୁତପ୍ତହୋଇ ସେ ପରେ ଚାକିରି ଛାଡ଼ିଦେଲେ l ମେହେନ୍ତର ଶିବନା ବିର୍ସାଙ୍କ ମୃତ୍ୟୁକୁ ସହ୍ୟ କରି ନପାରି ମାନସିକ ଭାରସାମ୍ୟ ହରାଇ ବସିଲେ l ଶହୀଦ ବିର୍ସା ମୁଣ୍ଡା ଭାରତୀୟ ସ୍ୱାଧୀନତା ସମର ଇତିହାସରେ ଜଣେ ଅଗ୍ରଗଣ୍ୟ ସଂଗ୍ରାମୀ l ତାଙ୍କ ସାହସ ଓ ବଳିଦାନ ବହୁ ଭାରତୀୟଙ୍କୁ ସଂଗ୍ରାମ ପାଇଁ ଅନୁପ୍ରାଣିତ କରିଥିଲା l
ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତର ପୁର୍ବାଞ୍ଛଳର ଘଞ୍ଛ ଜଙ୍ଗଲ ମଧ୍ୟରେ ବିର୍ସାଙ୍କ ବିପ୍ଲବ ସ୍ୱର ଝଂକୃତ ହୋଇଥିଲା l ଯେଉଁ ମନ୍ତ୍ରରେ ସେ ଦିନ ଝାଡ଼ଖଣ୍ଡ ଅରଣ୍ୟ ପ୍ରଦେଶ ପ୍ରକମ୍ପିତ ହେଉ ଥିଲା ତାହାଥିଲା ” ଆବୁଆ ରାଜା ଇତେ ଜାନା, ମହାରାନୀ ରାଜ ଟୁଡୁ ଜାନା” ଅର୍ଥାତ ମହାରାଣୀ ସାମ୍ରାଜ୍ୟ ପତନ ହେଉ, ଆମର ସାମ୍ରାଜ୍ୟ ପ୍ରତିଷ୍ଠା ହେଉ l
ମହାନ ଦେଶ ପ୍ରେମୀ, ମହାନ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ଶତ କୋଟି ନମସ୍କାର l
ବନ୍ଦେ ମାତରଂ
🙏🙏🙏
ଅର୍ଜୁନୀ
————————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971
ବ୍ୟୁରୋ ରିପୋର୍ଟ AKN NEWS


