ଓଡିଶା ଖବର

ଅଷ୍ଟାଦଶ ସର୍ବଶ୍ରୀ ସାହିତ୍ୟ ଉତ୍ସବ (ଜୀବନ ଜିଜ୍ଞାସାର ରସାଳ ଏକ ଅଭିବ୍ୟକ୍ତି ହେଉଛି ସାହିତ୍ୟ)

(AKN NEWS):ସାହିତ୍ୟ ପାହାଡି ଝରଣା ଭଳି ଝରେ। ଶୁଖା ଓଠରେ ହସ ଉଇଁବାର କାମ କରେ ସାହିତ୍ୟ। ସାହିତ୍ୟ ହିଁ ଚୂଲିରେ ଜଳୁଥିବା ଜୀବନ ଓ ହାଣ୍ଡିରେ ସିଝୁଥିବା ଚରିତ୍ରଙ୍କ କଥା କହେ। ଦୁଃଖକୁ ଛକି ମାରି ସଂସାରକୁ ବିଶ୍ୱ ଦେଖ ମଧୁମୟର ଗୀତ ଶୁଣାଏ ସାହିତ୍ୟ ବୋଲି ସର୍ବଶ୍ରୀ ସବାଖିଆ ସାହିତ୍ୟ ସଂସଦର ଅଷ୍ଟାଦଶ ସ୍ଵନକ୍ଷତ୍ର ଉତ୍ସବ ପାଳନ ଅବସରରେ ସାରସ୍ୱତ ସ୍ରଷ୍ଟାଗଣ ମତ ପ୍ରକାଶ କରିଥିଲେ। ଭବାନୀପାଟଣାସ୍ଥ ବୃନ୍ଦାବନ ସ୍ମାର୍ଟ ସ୍କୁଲ ପରିସରରେ ବ୍ରହ୍ମାନନ୍ଦ ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏଇ ସର୍ବଶ୍ରୀ ସାହିତ୍ୟ ଉତ୍ସବକୁ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ତନ୍ମୟ କୁମାର ଦରୱାନ ଉଦଘାଟନ କରିଥିବାବେଳେ ଅତିଥିବକ୍ତା ମେଜର ଡ. ଜୟଦେବ ସାହୁ, ଉପକୁଳସଚିବ, ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ, ସମ୍ମାନିତ ଅତିଥି ଭାବେ ଡ. ତପନ କୁମାର ରଥ, ବରିଷ୍ଠ ସାରସ୍ୱତ ତପସ୍ୱୀ ସକିତ ରତେ ଓ ସ୍କୁଲ ଅଧ୍ୟକ୍ଷ ଅରୁଣ କୁମାର ପାଣିଗ୍ରାହୀ ମଞ୍ଚାସୀନ ହୋଇଥିଲେ। ଉପସଭାପତି ଡ. ନୀରଦ ଚନ୍ଦ୍ର କହଁର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ।ପ୍ରାରମ୍ଭରେ ବୈଦିକ ରୀତିରେ ବିଶ୍ୱର ଦିବଂଗତ ଲେଖକଙ୍କ ସଦଗତି ପାଇଁ ଦୀପଦାନ କରାଯାଇଥିଲା। ଚଳିତ ମାସରେ ଇହଲୀଳା ସାଂଗ କରିଥିବା କୁଳମଣି ସିଂଙ୍କ ସଦଗତି ପାଇଁ ସମବେତ ନୀରବ ପ୍ରାର୍ଥନା କରାଯାଇଥିଲା। ସଂସଦର ବାର୍ଷିକ ସାହିତ୍ୟ ପତ୍ରିକା ‘ଦୀପ୍ତିସୁଧା’ ର ଅଷ୍ଟାଦଶ ସଂଖ୍ୟାକୁ ଅତିଥିଗଣ ଲୋକାର୍ପଣ କରିଥିଲେ। କଣ୍ଠଶିଳ୍ପୀ ସୁନନ୍ଦା ମିଶ୍ର ସର୍ବଶ୍ରୀ ସଙ୍ଗୀତ ପରିବେଷଣ କରିଥିଲେ। ସାହିତ୍ୟ ପାଇଁ ଆଜୀବନ ଅବଦାନ ଦେଇଆସୁଥିବା ବରିଷ୍ଠ ଲେଖକ ବିଜୟ କୁମାର ପ୍ରଧାନଙ୍କୁ “ସର୍ବଶ୍ରୀ ସାହିତ୍ୟ ସମ୍ମାନ-୨୫”ପ୍ରଦାନ କରାଯାଇଥିଲା। ପ୍ରକାଶ ଥାଉକି, ଶ୍ରୀ ପ୍ରଧାନଙ୍କ ଗଳ୍ପ ସଂକଳନ ଏକେଣା ଘର, ଆସ ଥରେ ଗାଁକୁ ଯିବା, ୟୁ.ଡି.କେସ ଓ ଅନ୍ୟାନ୍ୟ ଗଳ୍ପ, ହୃଦୟର ହାତଗୋଡ ଏବଂ ହାତକଡି, ସରିଯାଇଥିବା ଋତୁ, ହୃଦୟକୁ ଚିପୁଡ଼ିଲେ କିଛି ରକ୍ତ ଝରିବ ନିଶ୍ଚୟ ଭଳି ଚର୍ଚ୍ଚିତ ଉପନ୍ୟାସ ସହ ବହୁ ଗପ ଝଙ୍କାର, ଆସନ୍ତାକାଲି, ନବଲିପି, ଇସ୍ତାହାର, ସାଗର, ଡିବଡ଼ିବି ଭଳି ଅନେକ ପତ୍ରପତ୍ରିକାରେ ପ୍ରକାଶିତ। ପାଠକ ସୃଷ୍ଟି ଓ ବୃଦ୍ଧି ସକାଶେ ଅନୁଷ୍ଠାନ ଜଣେ ବିଦଗ୍ଧ ପଠନମନସ୍କ ବ୍ୟକ୍ତିଙ୍କୁ ସମ୍ମାନିତ କରିଆସୁଛି। ଚଳିତ ବର୍ଷ ଶତାଧିକ ପୌରାଣିକ-ସାମାଜିକ-ଐତିହାସିକ ତଥା ସାହିତ୍ୟ ପତ୍ରିକା କ୍ରୟ କରି ସଯତ୍ନ ସାଇତି ରଖୁଥିବା ପାଠକ କେଦାରନାଥ ମିଶ୍ରଙ୍କୁ “ସର୍ବଶ୍ରୀ ପାଠକ ସମ୍ମାନ-୨୫”ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବକବି ପ୍ରଶାନ୍ତ କୁମାର ଦାଶ ମଞ୍ଚ ପରିଚାଳନା କରିଥିଲେ। ଯୁବପ୍ରତିଭା ପ୍ରତାପ ପଣ୍ଡା, ଆଶୁତୋଷ ପୁରୋହିତ, କାଜଲ ମହାରଣା, ପ୍ରାଞ୍ଜଳ ଠାକୁର, ରଚିତା ମେହେର, ଦୀପ୍ତି ମୁଣ୍ଡ, ସଂଜୀବ ପଣ୍ଡା ପ୍ରମୁଖ ପରିଚାଳନା କରିଥିବାବେଳେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ସାହିତ୍ୟିକ ଯୋଗ ଦେଇଥିଲେ। ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରତାପ ଚନ୍ଦ୍ର ପଣ୍ଡା ବନ୍ଦେ ମାତରମ୍ ଗାନ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!