ଇନ୍ଦ୍ରଙ୍କ ଗର୍ବ ଗଞ୍ଜନ

ଇନ୍ଦ୍ରଙ୍କ ଗର୍ବ ଗଞ୍ଜନ
============
ଏକେଏନ୍ ନ୍ୟୁଜ୍ –ଶ୍ରୀମଦ ଭାଗବତ ମହାପୁରାଣର କଥା l ବାଳକୃଷ୍ଣ ଦିନେ ଗୋପ ବାଳକ ମାନଙ୍କ ସହିତ ବ୍ରଜ ଦାଣ୍ଡରେ ଖେଳୁଥାନ୍ତି ଶୁଣିବାକୁ ପାଇଲେ ଯେ ଗୋପ ପୁରରେ ଇନ୍ଦ୍ରଙ୍କ ପୂଜା ଅନୁଷ୍ଠିତ ହେବାକୁ ଯାଉଛି l ଗୋପର ମୁଖିଆ ଗୋପାଳ ମାନେ ବସି ଇନ୍ଦ୍ରପୂଜା ବିଷୟରେ ନନ୍ଦ ରାଜାଙ୍କ ସହିତ ଆଲୋଚନା କରୁ ଥାନ୍ତି l ଏହି ସମୟରେ ନଟ ଖଟିଆ କାହ୍ନା କୁଆଡ଼ୁ ଦୌଡ଼ି ଆସି ତାଙ୍କ ନିକଟରେ ବସି ପଡ଼ିଲା l ଆଲୋଚନା ପରେ ପୂଜାଦିନ ସ୍ଥିର ହେଲା l ଯାହା ଯାହା ସାମଗ୍ରୀ ମାନ ଦରକାର ସେସବୁ ସ୍ଥିରହେଲା l ଭିନ୍ନଭିନ୍ନ ପ୍ରକାରର ଭୋଗସାମଗ୍ରୀ ଓ ତାହାର ପ୍ରସ୍ତୁତି ନେଇ ସବିଶେଷ ଆଲୋଚନାହେଲା l ନନ୍ଦରାଜଙ୍କ କୋଳରେ ଚଗଲା କାହ୍ନା ବସି ଆଖି ମିଟିମିଟିକରି ସବୁ ଶୁଣୁଥାଏ l ସବୁ ସ୍ଥିର ହୋଇଯିବାରୁ ନନ୍ଦବାବାଙ୍କୁ କହ୍ନେଇ ଗେହ୍ଲେଇ ହୋଇ ପଚାରିଲା,” ବାବା,ଏ ପୂଜା, ପୁଣି ଏତେସବୁ ଆୟୋଜନ କେଉଁଥିପାଇଁ, ଏ ପୂଜା କାହାର ପୂଜା”l ନନ୍ଦ କହିଲେ,”ବାବୁରେ ପିଲା ଲୋକ l ଏସବୁ କଥା ତୁ ବୁଝି ପାରିବୁନାହିଁ l ତୁ ବଡ଼ହେଲେ ଜାଣିବୁ l ଏହା ହେଉଛି ଇନ୍ଦ୍ରପୂଜା l ଇନ୍ଦ୍ର ଜଣେ ବଡ଼ଦେବତା l ସେ ଦେବତାଙ୍କ ରାଜା l ସେ ଠିକ ସମୟରେ ଵର୍ଷା କରୁ ଥିବାରୁ ଆମ ପୃଥିବୀ ଶସ୍ୟଶ୍ୟାମଳା ହେଉଛି l ତରୁ ତୃଣ ସବୁ ଉତ୍ପନ୍ନ ହେଉଛନ୍ତି l ସେଇଥି ପାଇଁ ଆମେ ଖାଦ୍ୟ ଶସ୍ୟ ପାଉଛନ୍ତି ଓ ଆମ ଗାଈଗୋରୁ ମାନେ ଘାସ ପାଉଛନ୍ତି l”
ଏହା ଶୁଣି ବାଳକ କୃଷ୍ଣ କହିଲେ,” ବାବା ! ଆମର ଗାଈମାନେ ତ ଗୋବର୍ଦ୍ଧନପର୍ବତରେ ଚରିବୁଲି ଘାସ ଖାଉଛନ୍ତି l ଆମେସବୁ ଗୋପାଳ ବାଳକମାନେ ମଧ୍ୟ ଗୋବର୍ଦ୍ଧନ ପର୍ବତରେ ଖେଳିବୁଲି ଆମୋଦ କରୁଛୁ l ତେଣୁ ଇନ୍ଦ୍ରପୂଜା କାହିଁକି,ଏହି ଗୋବର୍ଦ୍ଧନ ପର୍ବତ ହିଁ ଆମର ଦେବତା l ଗୋବର୍ଦ୍ଧନହିଁ ପୂଜ୍ୟ l ଏଣୁ ଯାହା ସ୍ଥିର କରା ଯାଇଛି ତାହା ଠିକନୁହେଁ l ତେଣୁ ଆମେ ଇନ୍ଦ୍ରପୂଜା ନକରି ସେହି ତିଥିରେ ଗିରି ଗୋବର୍ଦ୍ଧନଙ୍କୁ ପୂଜା କରିବା l” ବାଳକର ଏ କଥା ଶୁଣି ନନ୍ଦରାଜା କହିଲେ,”ଇନ୍ଦ୍ର ଦେବଙ୍କୁ ଆମେ ନୈବେଦ୍ୟ ଦେଉଛୁ ସେ ଏହାକୁ ଗ୍ରହଣ କରୁଛନ୍ତି, ଗୋଵର୍ଦ୍ଧନଗିରି କ’ଣ ତାହା ଗ୍ରହଣ କରିବ”l କୃଷ୍ଣ କହିଲେ, ନିଶ୍ଚୟ, ହସ୍ତ ପ୍ରସାରି ଗୋଵର୍ଦ୍ଧନ ପର୍ବତ ନିଶ୍ଚୟ ଆମ ନୈବେଦ୍ୟ ଗ୍ରହଣ କରିବେ l ସେଠି ଉପସ୍ଥିତଥିବା ସବୁ ମୁଖିଆ ମାନେ ଏକ ସ୍ୱରରେ ପ୍ରତିବାଦ କରି ଉଠି କହିଲେ, ଏ କାହ୍ନା କଅଣ କହୁଛି? ଇନ୍ଦ୍ରପୂଜା ବନ୍ଦକଲେ ସେ ଆମ ଅବସ୍ଥା ରଖିବେ ଟି ? ପ୍ରତିଶୋଧ ନେଇ ବୃଷ୍ଟି, ବଜ୍ରପାତ କରି ସେ ଗୋପ ପୁରକୁ ଛାର ଖାର କରି ଦେବେ l ଶ୍ରୀକୃଷ୍ଣ କହିଲେ ଯାହା ବି ହେଉ, ଆମେ ଗୋବର୍ଦ୍ଧନ ପୂଜାହିଁ କରିବା l ଇନ୍ଦ୍ର ରୁଷ୍ଟ ହୋଇ ଯଦି କୌଣସି କ୍ଷତି କରିବାକୁ ଚେଷ୍ଟା କରନ୍ତି ତାଙ୍କ କଥା ମୁଁ ଵୁଝିବି l ତାଙ୍କ ଗର୍ବ ନିଶ୍ଚୟ ଖର୍ବ ହେବ l
ବାଳକ କୃଷ୍ଣଙ୍କର ଅଦ୍ଭୁତ କର୍ମସବୁକୁ ଦେଖି ଗୋପୀ ଗୋପାଳ ମାନଙ୍କ ତାଙ୍କ ଉପରେ ଭରସା ତ ଥିଲା l
ସମସ୍ତେ ତେଣୁ ରାଜି ହୋଇ କହିଲେ,”ହଉ ! ଆମ କହ୍ନେଇ ଯାହା କହୁଛି ତାହାହିଁ ହେଉ”l
ଇନ୍ଦ୍ରଙ୍କ ପୂଜା ବନ୍ଦ ହୋଇ ଗୋବର୍ଦ୍ଧନ ପୂଜା ହେଲା l ଗିରିଗୋବର୍ଦ୍ଧନ ହସ୍ତପ୍ରସାରି ଗୋପାଳଙ୍କ ନୈବେଦ୍ୟ ଗ୍ରହଣ କଲେ l ଗୋପାଳ ମାନେ କୃଷ୍ଣଙ୍କ କଥା ମାନି ଇନ୍ଦ୍ରଙ୍କ ପୂଜା ବନ୍ଦ କରିଦେବାରୁ ଦେବରାଜ ଅତ୍ୟନ୍ତ କୋପଭର ହୋଇ ଚାରିମେଘ ଆବର୍ତ୍ତକ, ସମ୍ଵର୍ତ୍ତକ, ଦ୍ରୋଣ,ପୁଷ୍କର ଆଦିଙ୍କୁ ଆଦେଶ ଦେଲେ ଗୋପପୁର ଯାଇ ମୁଷଳ ଧାରାରେ ଵର୍ଷା କରିବା ପାଇଁ l
ସବୁ ମେଘମାନେ ମିଶି ଐରାବତହସ୍ତୀ ଶୁଣ୍ଢରୁ ପାଣି ଢ଼ାଳିଲା ପରି ସାତଦିନ ଧରି ଵର୍ଷାକଲେ l ଇନ୍ଦ୍ର ଘନ ଘନ ବଜ୍ର ବୃଷ୍ଟି କରି, ବ୍ରଜ ଭୂମିକୁ ପ୍ରକମ୍ପିତ କଲେ l ବୁଝା ଯାଉଥିଲା ଯେମିତି ବ୍ରଜ ଭୂମିରେ ମହାପ୍ରଳୟ ସୃଷ୍ଟି ହୋଇଛି l
ଆତଙ୍କିତ ବ୍ରଜବାସୀଙ୍କୁ ଅଭୟଦେଇ କୃଷ୍ଣ କହିଲେ, ତୁମେ ମାନେ ଭୟ କର ନାହିଁ l ମୁଁ ଏହାର ବ୍ୟବସ୍ଥା କରୁଛି l ଏପରି କହି ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ଉପାଡ଼ି ଆଣି ନିଜ କାଣି ଆଙ୍ଗୁଠିରେ ଛତ୍ର ପରାୟେ ତୋଳିଧରି ସମସ୍ତ ବ୍ରଜବାସୀଙ୍କୁ ଏହା ତଳକୁ ଚାଲି ଆସିବାକୁ କହିଲେ l ଗୋପାଳ ମାନେ ଗୋରୁ ଗାଈ ମାନଙ୍କୁ ଧରି ଆସି ଗୋବର୍ଦ୍ଧନ ଗିରିର ଛାୟା ତଳେ ଆଶ୍ରୟନେଲେ l କୃଷ୍ଣ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତକୁ ସାତ ଦିନ ଟେକି ଧରି ଗୋପ ପୁରକୁ ରକ୍ଷା କଲେ l କୃଷ୍ଣ ହେଲେ, ଗିରିଧାରୀ l ସେତେ ବେଳେ କୃଷ୍ଣ ଥିଲେ ମାତ୍ର ସପ୍ରବର୍ଷର ବାଳକ l ପ୍ରାଚୀନକବି ମାର୍କଣ୍ଡ ଦାସ ଏଣୁ କହିଲେ :-
କୋଇଲି, ସପତ ଦିନ ଇନ୍ଦ୍ର ବୃଷ୍ଟି କଲା l
ସପତ ବରଷ ପୁତ୍ର ମନ୍ଦର ଧଇଲା ll
ବ୍ରଜ ପୁରର ଗୋପୀ ଗୋପାଳଗଣ ଆଶ୍ୱସ୍ତ ହେଲେ l ଇନ୍ଦ୍ର ବଜ୍ର ମାରିମାରି ଥକିଗଲେ l ମେଘମାନେ ବର୍ଷି ବର୍ଷି ନିର୍ଜଳ ହୋଇଗଲେ l ସମସ୍ତ ଵର୍ଷାଜଳକୁ ଗର୍ଗ ଋଷି ପାନକରିଦେଲେ l ବତାସ, ମେଘ ଓ ବଜ୍ରପାତ ଆଦି ବିତ୍ପାତଦ୍ୱାରା ଦେବରାଜ ଇନ୍ଦ୍ରଙ୍କ ଗୋପପୁରକୁ ଉଜାଡ଼ି ଦେବା ସଂକଳ୍ପ ପଣ୍ଡ ହେଲା l ତାଙ୍କର ଗର୍ବ ଚୂର୍ଣ୍ଣ ହେଲା l ଉପାୟଶୂନ୍ୟ ହୋଇ ଦେବରାଜ ଇନ୍ଦ୍ର ଶ୍ରୀକୃଷ୍ଣଙ୍କ ଶରଣ ପଶିଲେ ଓ ସୁରଭିଗାଭୀଙ୍କୁ ଘେନି ଆସି ତାଙ୍କୁ ଗୋବିନ୍ଦ ବୋଲି ନାମ ଦେଇ ତାଙ୍କ ପଦ ବନ୍ଦନା କରିବାକୁ ଲାଗିଲେ,କୃଷ୍ଣ ହେଲେ ଗୋବିନ୍ଦ l ଭାଗବତରେ ଇନ୍ଦ୍ରଙ୍କ ପ୍ରାର୍ଥନାକୁ ଅତିବଡ଼ି ଜଗନ୍ନାଥ ଦାସ ସୁନ୍ଦର ଭାବେ ବର୍ଣ୍ଣନା କଲେ :-
ତୁ ନାଥ ଗୋକୁଳର ଇନ୍ଦ୍ର l
ନାମ ମୁଁ ଦେବଇଁ ଗୋବିନ୍ଦ ll
ସୁରଭି କ୍ଷୀର ବରଷିଲା l
ଗୋବିନ୍ଦ ବୋଲି ନାମ ଦେଲା ll
ଓଁ କୃଷ୍ଣଂ ବନ୍ଦେ ଜଗଦ୍ଗୁରୁମ୍
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍।
ମୋ -7693091971


