ଓଡିଶା ଖବର

ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଛାତ୍ର ବିଜେଡିର ବିକ୍ଷୋଭ

ଭବାନୀପାଟଣା(AKN NEWS):ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ନ୍ୟାୟ ପାଇବାରେ ବିଫଳ ହୋଇ ଦୁଃଖଦାୟକ ଆତ୍ମହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବି.ଇଡି ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବି ସହ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଭବାନୀପାଟଣା ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପୁତ୍ତଳିକା ଦାହ କରାଯାଇଛି । ଏହା ସହିତ ମାଁ ମାଣିକେଶ୍ଵରୀଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛି । ସୂଚନାଯୋଗ୍ୟ ଯେ, ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ବିଇଡି ବିଭାଗ ମୁଖ୍ୟ ଅଧ୍ୟାପକଙ୍କ ଦ୍ଵାରା ଛାତ୍ରୀ ଜଣକ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ଏପରିକି କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଭାବରେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ନ୍ୟାୟ ନ ମିଳିବାରୁ ସେ ଅସହାୟ ବୋଧ କରି ଜନପ୍ରତିନିଧି ବାଲେଶ୍ଵର ସାଂସଦଙ୍କୁ ସାକ୍ଷାତ କରି ନ୍ୟାୟ ପାଇଁ ନିବେଦନ କରୁଥଲେ । ଏକ୍ସ ଯୋଗେ ମଧ୍ୟ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ଉଚ୍ଚ ଶିକ୍ଷା ବିଭାଗକୁ ସଂଲଗ୍ନ କରି ହସ୍ତକ୍ଷେପ ଲୋଡ଼ିଥିଲେହଁ ପରିତାପର ବିଷୟ କେହି ତାଙ୍କୁ ନ୍ୟାୟ ପାଇବା ପାଇଁ ସହଯୋଗ କରିନଥିଲେ। ଶେଷରେ ଛାତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ନିଜେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମଦାହ ପାଇଁ ଉଦ୍ୟମ କରିଥିଲେ। ଏଥିରେ ସେ ଗୁରୁତର ଭାବରେ ଭୁବନେଶ୍ୱର ଏମ୍ସ ରେ ଭର୍ତ୍ତି ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏଣୁ ଏହି ସବୁ ଘଟଣା ପାଇଁ କଲେଜ କତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରିଛି ଛାତ୍ର ବିଜେଡ଼ି । ଏହି ଘଟଣାରେ ସରକାର ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଅପାରଗତାକୁ ସୁଚାଉଛି। ଛାତ୍ରୀ ଜଣକ ଏବିଭିପିର କର୍ମକର୍ତ୍ତା ହୋଇଥିଲେ ହେଁ ବିଜେପି ସରକାର ସୁରକ୍ଷା ଓ ନ୍ୟାୟ ଦେବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛି ବୋଲି ଛାତ୍ର ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର କହିଛନ୍ତି । କଳାହାଣ୍ଡି ବିଶ୍ବବିଦ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନ ଠାରେ ଆଇସିସି କମିଟି କାର୍ଯ୍ୟକ୍ଷମ ହେଉନାହିଁ। ଏଥିରେ ଛାତ୍ର ପ୍ରତିନିଧି ମଧ୍ୟ ରହିବା ସହ ଏହାକୁ ସାର୍ବଜନୀନ କରିବା ଦରକାର। ଶିକ୍ଷାନୁଷ୍ଠାନ ମାନଙ୍କରେ ଏହି ସବୁ ନିର୍ଯାତନା ରୋକିବା ପାଇଁ ସରକାର ଯଦି ଦୃଢ଼ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଛାତ୍ର ବିଜେଡ଼ି ଚେତାବନୀ ଦେଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ବରିଷ୍ଠ ଯୁବ ଉପସଭାପତି ମଣ୍ଟୁ ନାଏକ, ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ପିତବାସ ବେହେରା, ଅମିତ ଯାଦବ, ଛାତ୍ର ନେତା ମାନସ ସିନ୍ଦୂର, ନିଳାମ୍ବର ନାଏକ, ଶିବା ସାହୁ, ନବୀନ ନାୟକ , ମିଲନ ମୁଣ୍ଡ, ଆକାଶ ପଟ୍ଟନାୟକ, ଆଶୁତୋଷ ପୁଜାରୀ, ଚୈତନ୍ୟ ବାଗ, ରବିଚନ୍ଦ୍ର ନାଏକ, ଗଣେଶ ବାଗ , ଅଂଶୁମାନ ନାଗ, ଛନ୍ଦା ଚରଣ ବେହେରା, ସୁନୀଲ ମାଝୀ, ସାର୍ଥକ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!