
କଳାହାଣ୍ଡି ବିଶ୍ବବିଦ୍ୟାଳୟର ପ୍ରେରଣାଦାୟୀ ବକ୍ତୃତାମାଳା “ଉତିଷ୍ଠତ”ରେ ମାଁ ମାଣିକେଶ୍ବରୀଙ୍କ କଥା।
ଭବାନୀପାଟଣା,(ଏକେଏନ୍ ନ୍ୟୁଜ୍ )ତା-୨୭/୧୦/୨୩:
କଳାହାଣ୍ଡି ବିଶ୍ବବିଦ୍ୟାଳୟର ପ୍ରତି ଶୁକ୍ରବାରରେ ଆୟୋଜିତ ପ୍ରେରଣଦାୟୀ ବକୃତାମାଳା “ଉତିଷ୍ଠତ”ର ୧୨୯ତମ ଅଧ୍ୟାୟରେ “ମାଁ ମାଣିକେଶ୍ବରୀଙ୍କ କଥା”ଉପରେ ଆଲୋଚନା ହୋଇଯାଇଛି। କୁଳପତି କର୍ଣ୍ଣେଲ ଡ.ସଂଜୟ କୁମାର ଶତପଥୀ ସଭାପତିତ୍ୱରେ ବକୃତାମାଳାର ଏହି ସଂସ୍କରଣରେ ନିମନ୍ତ୍ରିତ ବକ୍ତାଭାବେ ଗବେଷକ ସତ୍ୟନାରାୟଣ ମହାପାତ୍ର ଯୋଗଦେଇ ମାଁ ମଣିକେଶ୍ବରୀଙ୍କ କଥା,କିମ୍ବଦନ୍ତୀ ବିଷୟରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ମାଁ ମାଣିକେଶ୍ବରୀଙ୍କ ପୀଠରେ ପ୍ରତିବର୍ଷ ମୂଳାଷ୍ଟମୀରେ ମାଁ ମାଣିକେଶ୍ବରୀଙ୍କ ନବକଳେବର ହୋଇଥାଏ। ଦେବୀ ସୁଭଦ୍ରାଙ୍କ ସହ ମାଣିକେଶ୍ବରୀଙ୍କ ସାମଞ୍ଜସ୍ୟ ରହିଛି।ମାଁ ମାଣିକେଶ୍ବରୀ ସ୍ତମ୍ଭେଶ୍ବରୀ ଭାବରେ ପୂଜିତା। ଜଗନ୍ନାଥ ସଂସ୍କୃତି, ଆଦିବାସୀ ସଂସ୍କୃତି ଓ ତନ୍ତ୍ରପୀଠର ବୈଚିତ୍ରତା ବହନ କରୁଛନ୍ତି ମାଁ ମାଣିକେଶ୍ବରୀ। ଅସୁରଗଡ ଖନନରୁ ଏକ ସ୍ତମ୍ଭ ମିଲିଛି ଯାହା ସ୍ତମ୍ଭେଶ୍ବରୀ ଉପସ୍ଥାପନାର ପ୍ରତୀକ।ପରବର୍ତ୍ତୀ ସମୟରେ ଏହି ସ୍ତମ୍ବେଶ୍ବରୀ ହିଁ ମାଣିକେଶ୍ବରୀ ହୋଇଥାଇ ପାରନ୍ତି ବୋଲି ଅଧିକ ଯଥାର୍ଥତା ମନେହୁଏ।ମାଁ ମାଣିକେଶ୍ବରୀଙ୍କୁ ଦକ୍ଷିଣକାଳୀ ରୂପରେ ପୂଜାର୍ଚ୍ଚନା କରାଯାଏ।ଭୈରବ ଓ ଭୈରବୀର ଉପସନା ପୀଠ ହିଁ ମାଣିକେଶ୍ବରୀ ପୀଠ। ବିଶ୍ବବିଦ୍ୟାଳୟର ରେଜଷ୍ଟାର ପିତାମ୍ବର ଭୋଇ ଆଲୋଚ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ ଓ ସ୍ପର୍ଶ ମିଶ୍ର ସ୍ବାଗତ ସଂଗୀତ ଗାନ କରିଥିଲେ। ଆକାଶବାଣୀ ଉପସ୍ଥାପିକା ସୁମତି ମୁଣ୍ଡ ନିମନ୍ତ୍ରିତ ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ।ଉତିଷ୍ଠତର ଆବାହକ ମେଜର ଡ. ଜୟଦେବ ସାହୁଙ୍କ ଆବାହକତ୍ୱକରେ ଓଡିଆ ବିଭାଗର ଜୟନ୍ତୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ଓ କୌଶିକ ବାବା ଡିଗ୍ରୀ କଲେଜର ଅଧ୍ୟକ୍ଷା ଲିପ୍ସାମୟୀ ଦୁବେ ଏହି ବ୍ୟାଖାନମାଳାର ସଂଯୋଜନା କରିଥିଲେ।ଉତିଷ୍ଠତର ଏହି ଆଭାସୀ ପ୍ରେରଣାଦାୟୀ ବକୃତା ମାଳାରେ ଅନେକ ଲେଖକ,କବି, ବୁଦ୍ଧିଜିବୀ, ବିଶ୍ୱବିଦ୍ୟାଳୟର ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ।
ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍।