*ଦେବଶିଳ୍ପୀ ବିଶ୍ୱକର୍ମା*

(AKN NEWS):ଅନନ୍ତଶୟନରେ ଥିବା ବିଷ୍ଣୁଙ୍କର ନାଭି କମଳରୁ ବ୍ରହ୍ମ ଦେବଙ୍କ ଉତ୍ପତି l ସୃଷ୍ଟିର ସର୍ଜନା କରି ଥିଲେ ବ୍ରହ୍ମା କିନ୍ତୁ ବ୍ରହ୍ମାଙ୍କର କୌଣସି ଜାଗାରେ ପୂଜା କରାଯାଏ ନାହିଁ l ପୃଥିବୀରେ କେବଳ ପୁଷ୍କର କ୍ଷେତ୍ରରେ ବ୍ରହ୍ମାଙ୍କର ମନ୍ଦିର ଅଛି l ମାତ୍ର ବ୍ରହ୍ମାଙ୍କୁ ବିଶ୍ୱକର୍ମା ଅବତାରରେ ସର୍ବତ୍ର ପୂଜନ କରାଯାଏ ବୋଲି ଶାସ୍ତ୍ର ବିଦିତ l ସ୍କନ୍ଧ ପୁରାଣ ମତେ ବିଶ୍ୱକର୍ମାଙ୍କର ପାଞ୍ଚ ମୁଖ, ପାଞ୍ଚ ଅବତାର ଏବଂ ପାଞ୍ଚ ପୁତ୍ର ଅଛନ୍ତି l
ପଞ୍ଚ ଅବତାର ଗୁଡିକ ହେଲା ବିରାଟ ବିଶ୍ୱକର୍ମା , ଧର୍ମବଂଶୀ ବିଶ୍ୱକର୍ମା , ଅଗ୍ନିବଂଶୀ ବିଶ୍ୱକର୍ମା , ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା ଏବଂ ପାଞ୍ଚ ପୁତ୍ର ଯେପରି ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ପ୍ରଚଣ୍ଡ ଜ୍ଞାନ ଧାରୀ ଦିବ୍ୟ ମହର୍ଷି ଅଟନ୍ତି । ବିଶ୍ୱକର୍ମାଙ୍କ ଜ୍ୟଷ୍ଠ ପୁତ୍ର ଋଷି ମନୁ, ଯାହାଙ୍କ ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସମ୍ପାଙ୍କ ସହିତ ହୋଇଥିଲା । ଦ୍ୱିତୀୟ ପୁତ୍ର ମୟ ଋଷି, ତାଙ୍କର ବିବାହ ପରାଶର ଋଷିଙ୍କ କନ୍ୟା ସୌମ୍ୟା ସହିତ ହୋଇଥିଲା । ତୃତୀୟ ପୁତ୍ର ତ୍ୱଷ୍ଟା ଋଷି, ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଚତୁର୍ଥ ପୁତ୍ର ଶିଳ୍ପୀ ଋଷି , ତାଙ୍କର ବିବାହ ଭୃଗୁ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା ।
ପଞ୍ଚମ ପୁତ୍ର ଦେବଜ୍ଞ ଋଷି , ତାଙ୍କର ବିବାହ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କ ସହିତ ହୋଇଥିଲା । ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସମଗ୍ର ବିଶ୍ୱର ହିତ ସାଧନ ପାଇଁ ବହୁ ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀର ନିର୍ମାଣ, କଳା କୌଶଳ ଉଦ୍ଭାବନ କରିଥିଲେ । ବ୍ରହ୍ମ ବୈବର୍ତ୍ତ ପୁରାଣରେ ବିଶ୍ୱକର୍ମାଙ୍କ ବଂଶାବଳୀର ବିସ୍ତୃତ ବିବରଣୀ ମିଳେ l ଏହି ପୁରାଣରୁ ଜଣାଯାଏ ଯେ, ଘୃତାଚୀ ନାମକ ଅପ୍ସରୀହିଁ ବିଶ୍ୱକର୍ମାଙ୍କ ପତ୍ନୀ ଥିଲେ । ‘ଅମର କୋଷ’ ରୁ ପଢିବାକୁ ମିଳେ ସ୍ୱର୍ଗରେ ଥିବା ବେଶ୍ୟାମାନଙ୍କ ମଧ୍ୟରେ ଘୃତାଚୀ ଥିଲେ ଅନ୍ୟତମ ।ଘୃତାଚୀ ମେନକା, ରମ୍ଭା, ଉର୍ବଶୀ,ତିଳୋତମା, ସୁକେଶୀ ମଞ୍ଜୁଘୋଷା ଆଦି ଅପ୍ସରୀ ମାନଙ୍କ ତୁଳନାରେ କିଛି କମ ସୁନ୍ଦରୀ ନଥିଲେ l ବ୍ରହ୍ମବୈବର୍ତ୍ତ ପୁରାଣ ବର୍ଣନାନୁସାରେ ଥରେ ଘୃତାଚୀ କାମାସକ୍ତା ହୋଇ କାମଦେବଙ୍କ ନିକଟକୁ ରମଣ ଉଦେଶ୍ୟ ନେଇ ପୁଷ୍କର ତୀର୍ଥକୁ ଯାତ୍ରା କରୁଥିଲେ । ଠିକ ସେହି ସମୟରେ ବିଶ୍ୱକର୍ମା ସ୍ୱର୍ଗଲୋକରୁ ଫେରୁଥିବା ଅବସ୍ଥାରେ ଘୃତାଚୀଙ୍କୁ ଭେଟିଥିଲେ । ଘୃତାଚୀଙ୍କ ଅପରୂପ ସୌନ୍ଦର୍ଯ୍ୟ ବିଶ୍ୱକର୍ମାଙ୍କୁ ମୋହିତ କରିଥିଲା ଏବଂ କ୍ଷଣିକ ଉତ୍ତ୍ୟଜନାର ବଶବର୍ତ୍ତୀ ହୋଇ ଘୃତଚୀଙ୍କୁ ରତି ଦାନ ପାଇଁ ନିବେଦନ କରିଥିଲେ l ଘୃତାଚୀ କିନ୍ତୁ ବିଶ୍ୱକର୍ମାଙ୍କୁ ରମଣ ପାଇଁ ବାରଣ କରିଥିଲେ । ବିଶ୍ୱକର୍ମାଙ୍କୁ ପ୍ରଣାମ କରି ଏ ପ୍ରବୃତ୍ତିରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଥିଲେ । କହିଲେ “ହେ ଦେବଶିଳ୍ପୀ, ସ୍ୱର୍ଗର ନିୟମ ଅନୁସାରେ ଯେଉଁ ଦିନ ଦେବତାଙ୍କ ପ୍ରତି ସ୍ୱର୍ଗବେଶ୍ୟାମାନଙ୍କ ଅଭିଳାଷ ଥାଏ ସେଦିନ ସେହି ନିର୍ଦ୍ଦିଷ୍ଟ ଦେବତାହିଁ ପତି ସ୍ୱରୂପ । ଏଣୁ କାମଦେବ ମୋ ପକ୍ଷେ ଆଜି ଦିନର ପତି ସ୍ୱରୂପ । ତୁମେ ମଧ୍ୟ କାମଦେବଙ୍କ ଶିଷ୍ୟ ତୁଲ୍ୟ ଅଟ । ଏଣୁ ଗୁରୁପତ୍ନୀ ହରଣ କରିବା ଶୋଭନୀୟ ନୁହେଁ। ଆଗାମୀ ଦିନରେ ମୁଁ ଆପଣଙ୍କୁ ପତି ରୂପେ ବରଣ କରି ରତି ସୁଖ ପ୍ରଦାନ କରିବି ନିଶ୍ଚୟ ।” ଘୃତାଚୀଙ୍କ ଘୋର ବାରଣ ହେତୁ ବିଶ୍ୱକର୍ମା ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଉଠିଲେ ଏବଂ କାମ ଜ୍ୱାଳା ରେ ଜର୍ଜରିତ ହୋଇ ଘୃତାଚୀଙ୍କୁ ମର୍ତ୍ତ୍ୟରେ ଶୂଦ୍ରନାରୀ ରୂପେ ଜନ୍ମହେବାକୁ ଅଭିଶାପ ଦେଲେ । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ମର୍ତ୍ତ୍ୟରେ ମାନବ ହୋଇ ଜନ୍ମହେବାକୁ ପ୍ରତି ଅଭିଶାପ ଦେଲେ । ବିଶ୍ୱକର୍ମା ଘୃତାଚୀର ଅଭିଶାପ ପ୍ରସଙ୍ଗ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଜଣାଇଲେ ଓ ତାହାର ନିରାକରଣ କାମନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ବିଶ୍ୱକର୍ମା ବ୍ରାହ୍ମଣ ଜାତିରେ ମର୍ତ୍ତ୍ୟରେ ଜନ୍ମ ନେଇଥିଲେ ଓ ତାଙ୍କର ଦିବ୍ୟଜ୍ଞାନ ଥିବାରୁ ସେ ସବୁକଥା ଜାଣିପାରୁଥିଲେ । ସେତେବେଳେ ମର୍ତ୍ତ୍ୟର ମହାରାଜାଙ୍କ ଆଦେଶରେ ସେ ପ୍ରୟାଗ ତୀର୍ଥରେ ଅନେକ ଦେବାଦେବୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏକଦା ସେହି ସମୟରେ ଗଙ୍ଗାରେ ରାଜବସ୍ତ୍ର ଧୌତ କରୁଥିବା ଏକ ଅନିନ୍ଦ୍ୟ ଦିବ୍ୟ ସୁନ୍ଦରୀ ରଜକ କନ୍ୟାକୁ ଦେଖିଲେ ଏବଂ ଜାଣିପାରିଲେ ଯେ, ସେ ହେଉଛନ୍ତି ଘୃତାଚୀ । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ଚିହ୍ନି ପାରିଲେ । ବ୍ରହ୍ମାଙ୍କ କଥା ଅନୁସାରେ ଉଭୟ ଗଙ୍ଗାତୀରସ୍ଥ ମଳୟ ବନରେ ବିବାହ କରି ଏକାଠି ବାରବର୍ଷ ବିତାଇଲେ । ଏହି ସମୟ କାଳ ରେ ତାଙ୍କର ନଅଗୋଟି ସନ୍ତାନ ଜନ୍ମ ନେଇଥିଲେ । ପୁତ୍ରମାନଙ୍କ ମଧ୍ୟରେ ମାଳାକାର, କର୍ମକାର, କଂସାରି, ଶଙ୍ଖାରି, କୁମ୍ଭକାର, କୁନ୍ଦବିକ, ସୂତ୍ରଧର, ସ୍ୱର୍ଣ୍ଣକାର ଓ ଚିତ୍ରକର । ସେହି ପୁତ୍ରଙ୍କ ମଧ୍ୟରୁ ମାଳାକାରଙ୍କୁ ପୁଷ୍ପଶିଳ୍ପ, କର୍ମକାରଙ୍କୁ ଲୌହ ଶିଳ୍ପ, କାଂସ୍ୟକାରଙ୍କୁ କଂସା ଶିଳ୍ପ, ସୂତ୍ରଧରଙ୍କୁ କାଠ ଶିଳ୍ପ, ତନ୍ତୀଙ୍କୁ ବୟନଶିଳ୍ପ, କୁମ୍ଭକାରଙ୍କୁ ମୃତ୍ତିକା ଶିଳ୍ପ, ସ୍ୱର୍ଣ୍ଣକାରଙ୍କୁ ଅଳଙ୍କାର ଓ ଚିତ୍ରକାରଙ୍କୁ ଅଙ୍କନ ଶିଳ୍ପ ବିଦ୍ୟା ଶିକ୍ଷା ଦେଇ ବିଶ୍ୱକର୍ମା ସେମାନଙ୍କୁ ସୁଶିକ୍ଷିତ ଏବଂ ସର୍ବ କୁଶଳ ବିଦ୍ୟା ରେ ପାରଙ୍ଗମ କରାଇଥିଲେ । କନ୍ୟା ଚିତ୍ରାଙ୍ଗଦା ମଧ୍ୟ ପିତାଙ୍କଠାରୁ ଶିଲେଇ କଳାର ଶିକ୍ଷାଦାନ ପାଇଥିଲେ । ପୁନଶ୍ଚ ଭିନ୍ନ ତଥ୍ୟ ବାମନ ପୁରାଣ ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ଅଭିଶପ୍ତ ହୋଇ ଦାନବ ରୂପ ଧାରଣ କରିଥିଲେ । ଋଷି ଋତୁଧ୍ୱଜଙ୍କଠାରୁ ବର ଲାଭକରି ଘୃତାଚୀଙ୍କ ସହ ସଂପର୍କ ରଖି ‘ନଳ’ଙ୍କୁ ଜନ୍ମକରି ଶାପମୁକ୍ତ ହୋଇଥିଲେ l ବାନର ସେନାପତି ନଳ ମଧ୍ୟ୍ୟ ଅଦ୍ଭୁତ ଶକ୍ତିର ଅଧିକାରୀ ଥିଲେ , ସିଏ ଯେଉଁ ପଥର ଖଣ୍ଡକୁ ସ୍ପର୍ଶ କରୁଥିଲେ, ତାହା ପାଣିରେ ବୁଡି ନଯାଇ ଭାସମାନ ଅବସ୍ଥାରେ ରହୁଥିଲା । ସେନାପତି ନଳଙ୍କ ସହାୟତାରେ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ l ସମଗ୍ର ଯୁଦ୍ଧ ରେ ସମ୍ପୂର୍ଣ ଅଣ କୁଶଳୀ ବାନର ସେନା,ସର୍ବ କୌଶଳ ଏବଂ ଯୁଦ୍ଧ ବିଦ୍ୟାରେ ପାରଙ୍ଗମ ପ୍ରବଳ ପରାକ୍ରମୀ ରାବଣର ରାକ୍ଷସ ସେନା ଙ୍କୁ ପରାଜିତ କରାଇ ଥିଲେ। ବିଶ୍ୱକର୍ମାଙ୍କର ଏକପୁତ୍ରୀ ଚିତ୍ରଙ୍ଗଦା ରାଜା ସୁରଥଙ୍କୁ ବିବାହ କରିଥିଲେ । ପୌରାଣିକ ତଥ୍ୟ ଅନୁଯାୟୀ ଦେବଶିଳ୍ପୀ ବିଶ୍ୱକର୍ମା ବା ତ୍ୱଷ୍ଟାଙ୍କୁ ଅଗ୍ନିଦେବତା ଭାବେ ଗ୍ରହଣ କରାଯାଇଥାଏ । ଯାହାଙ୍କର ତ୍ରିଶିରା ନାମକ ପୁତ୍ର ତଥା ସଂଜ୍ଞା ନାମକ କନ୍ୟା ଥିଲେ । ସଂଜ୍ଞାଙ୍କୁ ସୂର୍ଯ୍ୟଙ୍କ ସହ ସେ ବିବାହ କରାଇଥିଲେ । ସୂର୍ଯ୍ୟଙ୍କ ପ୍ରଚଣ୍ଡ ତେଜରାଶି ସଂଜ୍ଞାଙ୍କ ପକ୍ଷରେ ଅସହ୍ୟ ହେବାରୁ ତ୍ୱଷ୍ଟା ବିଶ୍ୱକର୍ମା ୧୦୮ ସୂର୍ଯ୍ୟସ୍ତୋତ୍ର ପାଠକରି ସୂର୍ଯ୍ୟଙ୍କୁ ପ୍ରସନ୍ନ କରି ତେଜହୀନ କରିଥିଲେ ଏବଂ ନିଜ କନ୍ୟାକୁ ସନ୍ତୁଷ୍ଟି ପ୍ରଦାନ କରିଥିଲେ ଏହି କଥା ନରସିଂହ ପୁରାଣ ବର୍ଣ୍ଣିତ ଏକ ଅଂଶ ।ସଂଜ୍ଞାଙ୍କ ଗର୍ଭରେ ସୂର୍ଯ୍ୟଙ୍କ ଔରସରେ ବୈବସ୍ୱତ ମନୁ, ଯମ, ଯମୁନା ଓ ଅଶ୍ୱିନୀ-କୁମାର ଦ୍ୱୟ ଜନ୍ମଗ୍ରହଣ କରିଥିଲେ ।ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରାଇବା ଫଳରେ ତାଙ୍କ ଉଗ୍ର ତେଜରାଶିକୁ ବିଶ୍ୱକର୍ମା ଚାଞ୍ଛି ପକାଇଥିଲେ । ଫଳରେ ସେହି ତେଜ ପୁଞ୍ଜରୁ କ୍ରମେ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ଓ ଶିବଙ୍କ ତ୍ରିଶୂଳ, ଇନ୍ଦ୍ର ଦେବଙ୍କ ବଜ୍ର ତଥା ଅନ୍ୟ ଦେବତାମାନଙ୍କ ପାଇଁ ଭିନ୍ନ ଭିନ୍ନ ଅସ୍ତ୍ରଶସ୍ତ୍ର ନିର୍ମାଣ କରିଥିଲେ । ଏହା ମହାକବି କାଳିଦାସଙ୍କ ‘ରଘୁବଂଶମ୍’ ମହାକାବ୍ୟରେ ମଧ୍ୟ ପ୍ରତିଫଳିତ l ରାମାୟଣ ବର୍ଣ୍ଣନା ଅନୁସାରେ ରାବଣର ସ୍ୱର୍ଣ୍ଣମୟ ଲଙ୍କାପୁର, ହରିବଂଶ ବର୍ଣ୍ଣନା ଅନୁସାରେ ଦ୍ୱାରିକାଧାମ, ଖାଣ୍ଡବବନ ଦହନ ପରେ ସେଠାରେ ଭବ୍ୟ ଇନ୍ଦ୍ରପ୍ରସ୍ଥର ସର୍ଜନା କରିଥିଲେ ଦେବଶିଳ୍ପୀ ବିଶ୍ୱକର୍ମା l ସ୍କନ୍ଧପୁରାଣ ବର୍ଣ୍ଣନା ଅନୁସାରେ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ବପ୍ନ ଆଦେଶ ଅନୁଯାୟୀ ବାଙ୍କୀ ମୁହାଣରୁ ପାଇଥିବା ଓଲଟ ବୃକ୍ଷର ଦାରୁରୁ ଶ୍ରୀବିଗ୍ରହ ନିର୍ମାଣ ପାଇଁ ବିଭିନ୍ନ ଦକ୍ଷ ମହାରଣା ମୂର୍ତ୍ତିକାର ମାନଙ୍କୁ ବିନିଯୋଗ କରିଥିଲେ l ମାତ୍ର ମୂର୍ତ୍ତି ନିର୍ମାଣ ଦୂରର କଥା ଦାରୁ ଛେଦନ ମଧ୍ୟ୍ୟ ଅସମ୍ଭବ ହୋଇଥିଲା lସକଳ ପ୍ରଚେଷ୍ଟା ରେ ନିଷ୍ଫଳ ହୋଇ ଚିନ୍ତିତ ଥିବା ସମୟରେ ସ୍ୱୟଂ ବିଶ୍ୱକର୍ମା ବୃଦ୍ଧ ବଢ଼େଇ ରୂପରେ ପ୍ରକଟ ହୋଇଥିଲେ ଏବଂ ସର୍ତ୍ତ ଅନୁସାରେ ଅନ୍ନ ଜଳ ସ୍ପର୍ଶ ନକରି ମାତ୍ର ଏକୋଇଶି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଧା ଗଢ଼ା ଶ୍ରୀବିଗ୍ରହ ନିର୍ମାଣ କରିଥିଲେ l ଆଜି ବି ପ୍ରତି ଓଡ଼ିଆଙ୍କ ଘରେ ଘରେ ପୂଜିତ ବିଶ୍ୱ ବିଦିତ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ର ଶୋଭା ବର୍ଦ୍ଧନ କରି, ଭକ୍ତ ମାନଙ୍କ ମନୋବାଞ୍ଛା ପୂରଣ କରୁଛନ୍ତି l 🙏ଦିଲ୍ଲୀପ ଶତପଥୀ
“ମାତୃ ପିତୃ କୃପା ” 508, ନୁଆସାହି
ନୂଆପଲ୍ଲୀ, ଭୁବନେଶ୍ୱର
ବ୍ୟୁରୋ ରିପୋର୍ଟ AKN NEWS


