ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା ଦାବି ନେଇ ଗର୍ଜିଲା “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ

(AKN NEWS): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଜ୍ଯର ବିଭିନ୍ନ ସ୍ଥାନରେ ସ୍ୱର ଉତ୍ତୋଳନ ହେବା ବେଳେ କଳାହାଣ୍ଡି ଜିଲ୍ଲାରେ ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନ ଲଗାତାର ସଚେତନତା କାର୍ଯ୍ୟକ୍ରମ କରି ଦାବି ଉପସ୍ଥାପନା କରିଆସୁଛି। ଆଜି ନାରୀ ନେତ୍ରୀ କବିତା ରାଉତଙ୍କ ନେତୃତ୍ବରେ ୱାର୍ଡ ନଂ୫ ଅନ୍ତର୍ଗତ ବିବିସି ପଡାରେ ଥିବା ଗୋଷ୍ଠୀ କେନ୍ଦ୍ରରେ ୧୫୦ରୁ ଉର୍ଦ୍ଧ୍ବ ଭତ୍ତାଧିକାରୀଙ୍କୁ ନେଇ ଏକ ସଭାର ଆୟୋଜନ ହେଇଯାଇଅଛି ।
ଏହି ବୈଠକରେ ସଂଗଠକ ଇଂ ଲକ୍ଷ୍ମୀନାରାୟଣ ପଣ୍ଡା ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶଂସା କରିବା ସହ ଭତ୍ତା ବୃଦ୍ଧିକୁ ନେଇ ତିବ୍ର ସମାଲୋଚନା କରିଥିଲେ । ବଜାରରେ ଦୁଇ ଦିନ ପୁର୍ବରୁ ସମସ୍ତ ଖାଦ୍ୟ ଓ ରାସନ ସାମଗ୍ରୀରେ ଦରଦାମ୍ ବୃଦ୍ଧି ହେଇଛି କିନ୍ତୁ ସରକାରର ୯ମାସ ହେବାକୁ ଯାଇଛି ୬୦ବର୍ଷରୁ ଉର୍ଦ୍ଧ୍ବ ବୁଢାବୁଢି, ବିଧବା, ଅବିବାହିତା ଓ ୪୦% ଉର୍ଦ୍ଧ୍ବ ଭିନ୍ନକ୍ଷମ ମାନଙ୍କ ଭତ୍ତା ଟଙ୍କା ନ ବଢିବା ଦୁର୍ଭାଗ୍ଯଜନକ । ଯଦି ମାର୍ଚ୍ଚ ୧୫ ସୁଦ୍ଧା ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା ଘୋଷଣା ନ କରନ୍ତି ତା ହେଲେ କଳାହାଣ୍ଡି ଜିଲ୍ଲାପାଳ ଅଫିସ୍ ସହ ପ୍ରତ୍ଯେକ ପଞ୍ଚାୟତ ଅଫିସ୍ ଘେରାଉ ହେବ ବୋଲି ସରକାରଙ୍କୁ ଇଂ ଲକ୍ଷ୍ମୀନାରାୟଣ ପଣ୍ଡା ଚେତାବନୀ ଦେଇଛନ୍ତି ।
ଏହି ବୈଠକରେ ବରିଷ୍ଠ ସଦସ୍ଯ ନିରୋଦ କୁମାର ଋାଉତ, ଚାଷୀନେତା ଲିଙ୍ଗରାଜ ପ୍ରଧାନ ଯୋଗ ଦେଇ ସରକାର ଗରିବ ଲୋକଙ୍କୁ ଭୂଆଁ ନ ବୁଲେଇ ନିଜ ପ୍ରତିଶୃତି ପାଳନ କରିବା ପାଇଁ ଦାବି କରିଛନ୍ତି। ମଧୁଲାଲ ନାଏକ, ସଞ୍ଜୟ ମେହେର, ପଞ୍ଚୁ ସାହୁ, ସୌମ୍ୟରଂଜନ କର ପ୍ରମୁଖ ସହଯୋଗ କରିଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


