ଓଡିଶା ଖବର

ପ୍ରତ୍ୟେକ ପଞ୍ଚାୟତରେ ଆଦର୍ଶ ଗୋଶାଳା ପ୍ରତିଷ୍ଠା ହେବା ଆବଶ୍ୟକ

(AKN NEWS): ଓଡ଼ିଶା ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବର ପଞ୍ଚମ ଦିବସରେ ସୁରଭି ସତସଙ୍ଗରେ ଯୋଗଦେଇ ସ୍ଵାମୀ ସମର୍ପଣାନନ୍ଦ ଗିରି ନିଜ ଅଭିଭାଷଣରେ କହିଲେ ଯେ ଗୋମାତାଙ୍କ ନିକଟରୁ ଆମେ ଆୟୁଷ, ପୀୟୂଷ ଓ ଆରୋଗ୍ୟ ପାଇଛୁ।ପୂଜ୍ୟ ଅଖଣ୍ଡାନନ୍ଦ ସ୍ବାମୀ ଗୋମାତାଙ୍କର ହଳ ଓ ମଳରେ ଭାରତୀୟ କୃଷି ସମୃଦ୍ଧ ହୋଇଥିଲା ବୋଲି ମତ ରଖିଥିବା ବେଳେ ସ୍ବାମୀ ଶିବଚିଦାନନ୍ଦ ସରସ୍ଵତୀ ପ୍ରତି ପଞ୍ଚାୟତରେ ଆଦର୍ଶ ଗୋଶାଳା ପ୍ରତିଷ୍ଠା ପାଇଁ ପରାମର୍ଶ ଦେଇଥିଲେ। ପୂଜ୍ୟ ମହନ୍ତ ଡ. ରାମଚରଣ ଦାସ ମହାରାଜ ଗୋମାତା ଏବଂ ବ୍ରାହ୍ମଣମାନଙ୍କର ହିତ ପାଇଁ ପ୍ରଭୁ ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିବା ବେଳେ ଭଗବାନ୍ କୃଷ୍ଣ ଜନ୍ମ ହେବା ପରେ ପରେ ମା କୋଳ ଛାଡ଼ି ଗୋ କୂଳକୁ ଚାଲିଗଲେ ବୋଲି କହିଥିଲେ। ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ଗୋ ମାତାଙ୍କ ପଞ୍ଚଗୋବ୍ୟ ପଦାର୍ଥ ଦ୍ଵାରା ସମସ୍ତ ରୋଗ ନିଦାନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମରେ ସଙ୍ଗୀତ ନିର୍ଦ୍ଦେଶକ ଡକ୍ଟର ଦୁଷ୍ମନ୍ତ ଜେନା ଓ ତାଙ୍କର ସାଥୀ ନବଘନ ପଳେଇ, ସମ୍ପଦ ନାୟକ ଭଜନ ପରିବେଷଣ କରିଥିଲେ ଏବଂ ଶ୍ୟାମ ସୁନ୍ଦର ମିଶ୍ର ଓ ଯୋଗନନ୍ଦ ସେଠୀ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ।

ଆଜିର ଭାରତୀୟ ଗୋବିଜ୍ଞାନ ପ୍ରଶିକ୍ଷଣ ଶିବିରରେ ଓଡ଼ିଶା ସରକାରଙ୍କର ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଓ ସୁନାମଧନ୍ୟ ଗୋ ବିଶେଷଜ୍ଞ ଡକ୍ଟର ବଳରାମ ସାହୁ ଯୋଗଦେଇ ଭାରତୀୟ ପାରମ୍ପରିକ ଗୋଚିକିତ୍ସା ବିଷୟରେ ବିସ୍ତୃତ ଆଲୋଚନା କରିବା ସହିତ ଉପସ୍ଥିତ ଗୋଭକ୍ତମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଓଡ଼ିଶା ଗୋସେବା ସମିତିର ସଂପାଦକ ଶ୍ରୀ ହରପ୍ରସାଦ ଦାସ ଭଟ୍ଟମିଶ୍ର ପ୍ରଶିକ୍ଷଣ ଶିବିରର ଅଧ୍ୟକ୍ଷତା କରିଥିଲେ ଓ ଶ୍ରୀଯୁକ୍ତ ଡକ୍ଟର ବଳରାମ ସାହୁଙ୍କୁ ସମ୍ମାନିତ କରିଥିଲେ।ଶ୍ରୀମଦ୍ ଭାଗବତ କଥାର ଚତୁର୍ଥ ଦିବସରେ ପୂଜ୍ୟ ବାବାଜୀ ଦୀନବନ୍ଧୁ ଦାସ ମହାରାଜ ଶାସ୍ତ୍ରରେ ଲିଖିତ ମନୁଷ୍ୟମାନଙ୍କର ବିନାଶ ସମୟ ଉପସ୍ଥିତିର ଲକ୍ଷଣ ବିଷୟରେ ବୁଝାଇବାକୁ କହିଲେ, ଯେତେବେଳେ ଘରେ ଘରେ ଶାସ୍ତ୍ର ଅଧ୍ୟୟନ ଏବଂ ଦେବ ପୂଜନ ବନ୍ଦ ହୁଏ ଓ ସମାଜରେ ଗୋମାତାଙ୍କୁ କଷ୍ଟ ଦିଆଯାଏ, ସେତେବେଳେ ଜାଣିବ ଯେ ମନୁଷ୍ୟର ବିନାଶ କାଳ ପାଖେଇ ଆସିଲା। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୦୦୦ ରୁ ଉର୍ଦ୍ଧ୍ବ ଗୋଭକ୍ତ ଓ ଗୋସେବକ ଆଜିର ଗୋ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!