ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିଫଳତାକୁ ଢାଙ୍କିବା ପାଇଁ ଅନ୍ତୋଦୟ ଗୃହ ଯୋଜନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିଫଳତାକୁ ଢାଙ୍କିବା ପାଇଁ ଅନ୍ତୋଦୟ ଗୃହ ଯୋଜନା
ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କଳାହାଣ୍ଡି ଗସ୍ତ କରି ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ଗରୀବ ଲୋକଙ୍କୁ ଘର ଦେବା ପାଇଁ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଥିବା ସତ୍ତ୍ବେ ଓଡ଼ିଶା ସରକାର କେନ୍ଦ୍ର ଆବାସ ଯୋଜନାର ବିଫଳତା ଓ କାର୍ଯ୍ୟକାରିତା କୁ ଲୁଚାଇବା ପାଇଁ ଅନ୍ତୋଦୟ ଗୃହ ଯୋଜନା ଆରମ୍ଭ କରିଛନ୍ତି ବୋଲି ଯୁବ ବିଜେଡି ନେତା ତଥା ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର ଅଭିଯୋଗ ଆଣିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୨୩ ମସିହାରେ ବିଜେଡି ଶାସନ ସମୟରେ ଓଡ଼ିଶାର ୧୫ ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ କେନ୍ଦ୍ର ନିକଟକୁ ପଠାଇଥିବା ବେଳେ କେନ୍ଦ୍ର ସରକାର ମାତ୍ର ୮ ଲକ୍ଷ ଘର ମଞ୍ଜୁର କରିଥିଲେ। ଏଣୁ ଗରୀବ ଲୋକଙ୍କ ମୁଣ୍ଡ ଉପରେ ଛାତ ଦେବାପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିଜସ୍ଵ ପାଣ୍ଠିରୁ ‘ମୋ ଘର’ ଯୋଜନା ଆରମ୍ଭ କରିଥିଲେ । ଏଣୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିଫଳତାକୁ ଦେଖି ଓଡ଼ିଶା ସରକାରଙ୍କ ମନରେ ଦ୍ବନ୍ଦ ରହିବା ସହ ଏହାକୁ ଢାଙ୍କିବା ପାଇଁ ମୋହନ ସରକାର ଅନ୍ତୋଦୟ ଗୃହ ଯୋଜନା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ଠାକୁର ଅଭିଯୋଗ ଆଣିଛନ୍ତି। ଯଦି କେନ୍ଦ୍ର ସରକାରଙ୍କ ଆବାସ ଯୋଜନା ଥାଇ ମଧ୍ୟ ଅନ୍ତୋଦୟ ଗୃହ ଯୋଜନା କରାଯାଇ ପାରିଲା ତେବେ ଆୟୁଷ୍ମାନ ଭାରତ ବଦଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାହିଁକି କାର୍ଯକାରୀ ହୋଇପାରିବ ନାହଁ ବୋଲି ଅବିନାଶ ଠାକୁର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
