ଓଡିଶା ଖବର

ମଙ୍ଗଳାଙ୍କ ମେଡିକାଲ ପାଠ୍ୟକ୍ରମ ଜାରି ରଖିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:(AKN NEWS): ଆଜି ଲୋକସେବା ଭବନଠାରେ ବ୍ରହ୍ମପୁର ଏମ୍‌.କେ.ସି.ଜି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ନିଟ୍‌-୨୦୨୪ ଦ୍ବାରା ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ଅନ୍ତର୍ଗତ ବଡବେଲ ଗ୍ରାମର ବଣ୍ଡା ଜନଜାତି ଛାତ୍ର ଶ୍ରୀ ମଙ୍ଗଳା ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି । ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଏକ ଲାପଟପ୍‌ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଉପହାର ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ଆଶୀର୍ବାଦ କରି କହିଥିଲେ ଯେ ବଣ୍ଡା ସମାଜର ପ୍ରଥମ ଡାକ୍ତର ଭାବେ ଭଲ ପାଠ ପଢି, ଭଲ ଡାକ୍ତର ହୋଇ ତୁମ ଅଞ୍ଚଳବାସୀଙ୍କର ସେବା କର।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଦୃଢ ଇଚ୍ଛା ଶକ୍ତି ଆଗରେ ଆର୍ଥିକ ଅନଟନ ଓ ଅଭାବ ଅସୁବିଧା ସବୁକିଛି ହାର୍‌ ମାନିଥାଏ। ତାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ମଙ୍ଗଳା ମୁଦୁଲି। ମଙ୍ଗଳାଙ୍କ ମେଡିକାଲ ପାଠ୍ୟକ୍ରମ ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ମଙ୍ଗଳାଙ୍କ ପରି ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଗରିବ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସେମାନଙ୍କ ପାଠପଢା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହଯୋଗ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ ମଙ୍ଗଳାଙ୍କର ପିତାମାତା ଦିନ ମଜୁରିଆ ଭାବେ କାମ କରିବା ସହିତ ଚାଷବାସ କରି ଚଳନ୍ତି । ମଙ୍ଗଳା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ମୁଦୁଲିପଡା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରିଥିବା ସହିତ ବୋଲଦିଆଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନରେ କୃତିତ୍ବର ସହ ପାସ୍‌ କରିଛନ୍ତି। ସ୍କୁଲ ପଢିବା ସମୟରୁ ନିଜ ଅଞ୍ଚଳର ସ୍ବାସ୍ଥ୍ୟସେବା ଓ ସ୍ବାସ୍ଥ୍ୟଜନିତ ଅନ୍ୟାନ୍ୟ ସମସ୍ୟାକୁ ଅନୁଧ୍ୟାନ କରି ଭବିଷ୍ୟତରେ ଜଣେ ଡାକ୍ତର ହେବାପାଇଁ ପ୍ରେରଣା ପାଇଥିଲେ । ଶ୍ରୀ ମଙ୍ଗଳା ମୁଦୁଲି ବଣ୍ଡା ଜନଜାତି ବର୍ଗର ପ୍ରଥମ ଛାତ୍ର ଭାବରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡକାମି, ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ, ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ, ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!