ମହା ଆଡ଼ମ୍ବର ସହ ପାଳିତ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା

ବୈପାରିଗୁଡ଼ା(AKN NEWS):ବୈପାରିଗୁଡ଼ା ବ୍ଳକ ସଦର ମହକୁମା ଠାରେ ଧୁମ ଧାମରେ ପାଳିତ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା । ପ୍ରଥମେ ମହାପ୍ରଭୁ ଜଗନ୍ନାଥ ମନ୍ଦିର ଠାରେ ନୀତି କାର୍ଯ୍ୟ ସମ୍ପନ୍ନ ଭାବେ ତିନି ଠାକୁର ପୂଜା ପାଇଥିଲେ। ରୀତି ନୀତି ଅନୁଯାୟୀ ଅପରାହ୍ନରେ ତିନି ଠାକୁର ରଥ ଉପରେ ବିଜେକରିଥିଲେ । ଏହାପରେ ବୈପାରିଗୁଡ଼ା ମହାରାଜା ମାନସ ଜଗଦେବ ରଥ ଉପରେ ଛେରାପହଁରା କାରିଥିଲେ। ପରେ ପୂଜା ପାଠ କରି ସହୀଦ ଲକ୍ଷ୍ମଣ ନାୟକ ମୁଖ୍ୟଛକ ଠାରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ରଥଟିକୁ ଟାଣି ଟାଣି ନେଇଥିଲେ । ହୁଳହୁଳି ଶଙ୍ଖ ଘଣ୍ଟ ମହୁରୀ ବାଇଦ ସହ ଜୟ ଜଗନ୍ନାଥ ଧ୍ବନିରେ କମ୍ପି ଉଠିଥିଲା ବୈପାରିଗୁଡ଼ା ସହର । ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବୈପାରିଗୁଡ଼ା ଅଞ୍ଚଳର ହଜାର ହଜାର ଭକ୍ତଙ୍କ ଭିଡ଼ ଜମି ରହିଥିବା ଦେଖିବାକୁ ମିଳିଥିଲା। ଶ୍ରୀଗୁଣ୍ଡିଚା ଯାତ୍ରାରେ କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗଦେଇ ତିନି ଠାକୁର ଦର୍ଶନ କରିଥିଲେ । ରଥ ଟଣା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ପୂଜା କମିଟି, ବୈପାରିଗୁଡ଼ା ଡ୍ରାଇଭର ସଂଘ, ସମାଜ ସେବୀ, ଯୁବଗୋଷ୍ଠୀ ରହି ସହଯୋଗ କରିଥିବା ବେଳେ ବୈପାରିଗୁଡ଼ା ପୋଲିସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ସେହିପରି ବୈପାରିଗୁଡ଼ା ବ୍ଲକ ଅଧିନସ୍ଥ ଦଶମନ୍ତପୁର ଓ ରାମଗିରି ଠାରେ ମଧ୍ୟ ଧୁମ ଧାମରେ ଶ୍ରୀ ଗୁଣ୍ଡିଚା ଯାତ୍ରା ପାଳନ କରାଯାଇଛି।
ବ୍ୟୁରୋ ରିପୋର୍ଟ AKN NEWS


