ଓଡିଶା ଖବର

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପୁରୀ ୩/୧ (AKN NEWS): ପୁରୀ ଜିଲ୍ଲା ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିବା ସହ ଏହି ଜାତୀୟ ଦିବସ କୁ ଆନନ୍ଦ,ଉଲ୍ଲାସ ଓ ଶୃଙ୍ଖଳାର ସହ ପାଳନ କରିବାକୁ ଆହ୍ୱାନ ଦେଇଥିଲେ।ପ୍ରତ୍ୟେକ ବିଭାଗ ସେମାନଙ୍କ ଦାୟିତ୍ବ ସୁଚାରୁରୂପେ ନିର୍ବାହ ପାଇଁ ସେ ପରାମର୍ଶ ଦେଇଥିଲେ। ପରେ ବିସ୍ତୃତ ଆଲୋଚନା ପରେ ସ୍ଥିର ହେଲା ଯେ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ଲେକ୍ସ ଠାରେ ୨୬ ଜାନୁଆରୀରେ ସାଧାରଣତନ୍ତ୍ର ଦିବସ ର ମୁଖ୍ୟ ଅତିଥି ପୂର୍ବାହ୍ନ ୮.୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ ଓ ଉଦବୋଧନ ପ୍ରଦାନ କରିବେ। ପରେ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ , ପୁରସ୍କାର ବିତରଣ,ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ।ପରେ ମୁଖ୍ୟ ଅତିଥି ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ, ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ, ଗୋପବନ୍ଧୁ ଆୟୁର୍ବେଦ କଲେଜରେ ରକ୍ତ ଦାନ ଶିବିରରେ ଯୋଗ ଦେବେ। ଅପରାହ୍ନ ରେ ଶ୍ରୀ ଜଗନ୍ନାଥ କ୍ରିକେଟ ପଡିଆ ଠାରେ ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ। ସାଧାରଣତନ୍ତ୍ର ଦିବସ ଦିନ ପ୍ରତ୍ୟୁଷ ୪.୩୦ ମିନିଟ ସମୟରେ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯିବ।ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ପ୍ରଭାତ ଫେରି ସକାଳ ୬ ଟା ସୁଦ୍ଧା ଶେଷ କରି ଗାନ୍ଧୀ ସ୍ମୃତି ପୀଠ ଠାରେ ଏକତ୍ରିତ ହେବେ ଓ ସେଠାରେ ସକାଳ ୭ ଘଟିକା ସୁଦ୍ଧା ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ।ସହର ର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁରୀ ପୌରପାଳିକା ପକ୍ଷରୁ ମାଲ୍ୟାର୍ପଣ କରାଯିବ। ଅଭ୍ୟାସ ପ୍ୟାରେଡ ଚଳିତ ମାସ ୨୨ ଓ ୨୩ ତାରିଖ ଅପରାହ୍ନ ୩ ଘଟିକା ଓ ୨୪ ତାରିଖ ପୂର୍ବାହ୍ନ ୮ ଘଟିକା ରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହେବ।ପ୍ୟାରେଡ଼ ପଡିଆ ସଜ୍ଜା, ବ୍ୟାରିକେଡ ନିର୍ମାଣ, ଶାନ୍ତି ଶୃଙ୍ଖଳା ରକ୍ଷା, ପରିଷ୍କାର ପରିଛନ୍ନତା, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା,ଉତ୍ସବ ମଞ୍ଚକୁ ଫୁଲ କୁଣ୍ଡରେ ସଜେଇବା ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦିଆଗଲା। ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟାଳୟକୁ ଓ ବ୍ୟକ୍ତି ବିଶେଷ ମାନେ ନିଜ ଗୃହ କୁ ଆଲୋକ ମାଳାରେ ସଜ୍ଜିତ କରିବାକୁ ଅନୁରୋଧ କରାଗଲା।ଶେଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଉପଜିଲ୍ଲାପାଳ ରାଜ କିଶୋର ଜେନା, ସିଡିଏମଓ ଡା. ରୂପ ଭାନୁ ମିଶ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତ ଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟ ସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ। ।ଏହି ବୈଠକରେ ଅନ୍ୟାନ୍ୟ ବିଭାଗର ଅଧିକାରୀ, ସମାଜସେବୀ , ଶିକ୍ଷାବିତ, ଗଣମାଧ୍ୟମ ପ୍ରତିନିଧି, ସ୍ୱଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!