ଓଡିଶା ଖବର

ସ୍ୱାଧୀନତା ଦିବସରେ ହିଂସାର କଳାଦାଗ, ପ୍ୟାରେଡ଼ ମାର୍ଗରେ ଛାତ୍ର ଙ୍କୁ ଛୁରାମାଡ

ଭବାନୀପାଟଣା,(AKN NEWS):କଳାହାଣ୍ଡି ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ବେଳେ ଏନସିସି ଛାତ୍ରଙ୍କ ଛୁରାମାଡ଼ରେ ଦୁଇ ଛାତ୍ର ଗୁରୁତର। ପରେଡ ପଡ଼ିଆରେ ଲକ୍ଷ୍ମୀ ବିକାଶ କଲେଜର ଜଣେ ଏନସିସି ଛାତ୍ରଙ୍କ ଛୁରାମାଡ଼ରେ ମାଣିକେଶ୍ବରୀ ସରକାରୀ ହାଇସ୍କୁଲର ଦୁଇ ଜଣ କ୍ୟାଡେଟ୍ ଛାତ୍ର ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ଚାଞ୍ଚଲ୍ୟ ଖେଳି ଯାଇଛି। ଆହତଙ୍କ ମଧ୍ୟରୁ ଜଣଙ୍କୁ ଗଭୀର ଆଘାତ ଲାଗିବାରୁ ଛାତ୍ରଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରେଡ ପଡିଆ ନିକଟରେ ଚାପା ଉତ୍ତେଜନା ଆଶଙ୍କା କରି ଟାଉନ୍ ଥାନା ପୁଲିସ ଅଭିଯୁକ୍ତ ଛାତ୍ର ଓ ତାଙ୍କୁ ସହଯୋଗ କରିଥିବା ପିଇଟି ଶିକ୍ଷକଙ୍କୁ ଆଣି ଟାଉନ୍ ଥାନାରେ ଅଟକ ରଖିଛି। ଅପର ପକ୍ଷେ ଘଟଣା ସମ୍ପର୍କରେ ଆହତ ଛାତ୍ରଙ୍କ ପରିବାର ଖବର ପାଇବା ପରେ ବହୁ ସଂଖ୍ୟାରେ ବଡ଼ପଡ଼ା ବାସିନ୍ଦା ଭବାନୀପାଟଣା ଟାଉନ୍ ଥାନା ଘେରାଉ କରିବା ସହ ଚାପା ଉତ୍ତେଜନା ଲାଗି ରହିଛି। ସୂଚନାନୁଯାୟୀ, ସ୍ବାଧୀନତା ଦିବସ ପାଳନ ଓ ପରେଡ ଅଭ୍ୟାସ ପାଇଁ ଉଭୟ ବିକାଶ କଲେଜ୍ ଏନସିସି ଓ ମାଣିକେଶ୍ବରୀ ଏନସିସି ଦଳ ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଆସୁଥିଲେ। ଗତ ୧୨ ତାରିଖରେ କୌଣସି କଥାକୁ ନେଇ ଉଭୟ ଏନସିସି ଛାତ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଘଟଣା ଟାଉନ୍ ଥାନା ପୁଲିସ ପର୍ଯ୍ୟନ୍ତ ପହଞ୍ଚିଥିଲା। ବିକାଶ କଲେଜ କତ୍ତୃପକ୍ଷ ମାଣିକେଶ୍ବରୀ ଛାତ୍ରମାନଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଉଭୟ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ଓ ପୁଲିସ ହସ୍ତକ୍ଷେପ ପରେ ସମାଧାନ ହୋଇଥିଲା।ଶୁକ୍ରବାର କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ସ୍ବାଧୀନତା ଦିବସ ପାଳନ ଓ ଜିଲ୍ଲାସ୍ତରୀୟ ପରେଡ ହୋଇଥିଲା। ଏଥିରେ ଉଭୟ ସ୍କୁଲ ଏନସିସି ଭାଗ ନେଇଥିଲେ। ପ୍ରତିଯୋଗୀତାରେ ମାଣିକେଶ୍ବରୀ ସ୍କୁଲ ଏନସିସି ପ୍ରଥମ ପୁରସ୍କାର ମଧ୍ୟ ପାଇଥିଲା। ମୁଖ୍ୟ ଅତିଥି ଓ ଜିଲ୍ଲାପାଳ, ଏସପି ପରେଡ ପଡ଼ିଆ ଛାଡ଼ିବା ପରେ କୌଣସି କାରଣରୁ ଅଚାନକ ଦୁଇ ସ୍କୁଲର ଏନସିସି ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅଭିଯୋଗ ଅନୁସାରେ ବିକାଶ କଲେଜର ଛାତ୍ର ଗୋଷ୍ଠୀ ପୂର୍ବରୁ ଝାମେଲା ପାଇଁ ଯୋଜନା କରି ଧାରୁଆ ଛୁରୀ ନେଇ ଆସିଥିଲେ । ପାଟିତୁଣ୍ଡ ମଧ୍ୟରେ ମାଣିକେଶ୍ବରୀ ସ୍କୁଲର ଦୁଇ ଜଣ ଏନସିସି ଛାତ୍ରକୁ ପଛରୁ ଆକ୍ରମଣ କରିଥିଲେ। ଏଠାରେ ବିକାଶ କଲେଜର ପିଇଟି ଶିକ୍ଷକ ଅଭିଯୁକ୍ତ ଛାତ୍ରକୁ ସହଯୋଗ କରିଥିବା ଘଟଣା ସ୍ଥଳରେ ଉପସ୍ଥିତ ଛାତ୍ରମାନେ ଅଭିଯୋଗ କରିଛନ୍ତି। ଟାଉନ୍ ପୁଲିସ ଅଭିଯୁକ୍ତ ଛାତ୍ର ଓ ପିଇଟି ଶିକ୍ଷକଙ୍କ ସମେତ ଘଟଣା ସଂପର୍କରେ ଅଭିଯୋଗ କରିଥିବା ମାଣିକେଶ୍ବରୀ ସ୍କୁଲର ଜଣେ ଛାତ୍ରଙ୍କୁ ମଧ୍ୟ ଥାନାରେ ରଖିଛି। ପୀଡ଼ିତ ଛାତ୍ରଙ୍କ ପରିବାର ଓ ଅନ୍ୟ ପଡ଼ାବାସି ଟାଉନ୍ ଥାନାରେ ପହଞ୍ଚି ଅଭିଯୁକ୍ତ ଛାତ୍ର ଓ ପିଇଟି ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୨ଟାରୁ ଖବର ଲେଖାଯିବା ପର୍ଯ୍ୟନ୍ତ ଥାନା ସମ୍ମୁଖରେ ଚାପା ଉତ୍ତେଜନା ଲାଗି ରହିଛି।ପ୍ରକାଶ ଯୋଗ୍ୟ, କଳାହାଣ୍ଡି ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଯୋଡେଇଥିବା ବେଳେ ତାଙ୍କ ସହ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏଵଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକଣ୍ଡା ଉପସ୍ଥିତ ଥିଲେ। ଜିଲ୍ଲା ପୁଲିସର ଛାଉଣୀରେ ପରେଡ ହୋଇଥିଲା। ଏଭଳି ସମ୍ବେଦନଶୀଳ କାର୍ଯ୍ୟକ୍ରମରେ ବିକାଶ କଲେଜ୍ ଛାତ୍ର ଛୁରୀ ଧରି ପରେଡ ପଡିଆକୁ ଯିବା ଓ ଅନ୍ୟ ସ୍କୁଲ ଛାତ୍ରଙ୍କୁ ଆକ୍ରମଣ କରିବା ସାଧାରଣରେ ନିନ୍ଦା କରାଯାଉଛି।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!