ହନୁମାନଙ୍କ କଥା

(AKN NEWS):ହନୁମାନଙ୍କ କଥା ବାବାଜୀ ଚରଣ ଦାସ
ଶ୍ରୀରାମଙ୍କ ଆଜ୍ଞା ପାଇ ସୁମିତ୍ରା ନନ୍ଦନ କିଷ୍କିନ୍ଧ୍ୟା ପୁରକୁ ମନରେ କ୍ରୋଧ ବହି ଗଲେ। ଦୁଇ ଚକ୍ଷୁ ରକ୍ତାକ୍ତ କରି ଧନୁଶର ହାତରେ ଧରି ପବନ ଠାରୁ କ୍ଷିପ୍ର ଗତିରେ ସେ ଗଲେ। ତାଙ୍କ ପାଦ ଭାରରେ ବସୁମତୀ କମ୍ପମାନ ହେଲା। ଯେତେ ଋକ୍ଷ କପି ନଗର ବାହାରେ ଥିଲେ, ସେମାନେ ଲକ୍ଷ୍ମଣ ଙ୍କ ଭୀମ ରୂପ ଦେଖି ଭୟରେ କିଳିକିଳା ନାଦ କରି ଭୟରେ ପଳାଇଲେ। କେତେକ ଗିରି ଗୁହାରେ ଲୁଚିଲେ,ଆଉ କେତେକ ଯାଇ ସୁଗ୍ରୀବ ନଗରରେ ପ୍ରବେଶ ହେଲେ। ସେମାନଙ୍କୁ ଦେଖି ବାନର ରାଜ ସୁଗ୍ରୀବ ପଚାରିଲେ, କାହିଁକି ଓ କାହାକୁ ଭୟ କରି ନବରରେ ପଶିଲ, ତାହା ମୋ ଆଗରେ ବିସ୍ତାର କରି କହ। ବାନର ମାନେ କହିଲେ, ଜଣେ ପୁରୁଷ କାହୁଁ ଆସି ସିଂହ ଦ୍ଵାରରେ ପ୍ରବେଶ କରିଛନ୍ତି, ଜଳନ୍ତା ଅନଳ ପରି ତାଙ୍କ ତେଜ ଦେଖା ଯାଉଛି।ମତ୍ତସିଂହ ପରି ଦେଖା ଯାଉଛନ୍ତି। ଦୁଇ ହାତରେ ଧନୁଶର ଧରିଛନ୍ତି।
କହୁଛନ୍ତି,ମୋ ନାମ ଲକ୍ଷ୍ମଣ। ତାଙ୍କୁ ଦେଖି ଆମେ ଭୟରେ ଆସିଛୁ।ସେ ପୁରୁଷ କାହିଁକି ଆସିଛନ୍ତି, ବୁଝନ୍ତୁ। ଏହା ଶୁଣି ବାନର ରାଜ ସୁଗ୍ରୀବ କହିଲେ,ସେ କେଉଁ ଲକ୍ଷ୍ମଣ,ଆଉ ଥରେ ଯାଇ ବୁଝି ଆସ।କିଏ ତା’ର ଭାଇ ବନ୍ଧୁ,ତାଙ୍କ ଘର କେଉଁ ଦେଶରେ , କେଉଁ କାରଣରୁ ସେ ଆସିଛନ୍ତି, ସବୁ ବୁଝି ଆସ। ଏହା ଶୁଣି ଦ୍ଵାରପାଳ ଏକା ଏକା ହୋଇ ଗଲା, ସୁଗ୍ରୀବ ଙ୍କ କହିବା ମତେ ଲକ୍ଷ୍ମଣଙ୍କ ଆଗରେ କହିଲା। ତାହା ଶୁଣି ଶ୍ରୀରାମ ଅନୁଜ ଅଙ୍କୁଶ ଘାତରେ ମତ୍ତଗଜ କମ୍ପିଲା ଭଳି କ୍ରୋଧରେ ନୟନ ଯୁଗଳ ରକ୍ତବର୍ଣ୍ଣ କରି ଜଳଦଗମ୍ଭୀର ସ୍ଵରରେ କହିଲେ,ଦ୍ଵାରୀ! ସୁଗ୍ରୀବଙ୍କୁ ଯାଇ କହ, ଯାହାର ଶରରେ ବାଳି ମରଣ ଲଭିଥିଲା, ତୁମେ ଯାହା ପାଦ ତଳେ ଶରଣ ପଶିଥିଲ,ଯାହାଙ୍କ ପାଇଁ ତୁମେ କିଷ୍କିନ୍ଧ୍ୟାର ରାଜା, ଯାହାଙ୍କ ପାଇଁ ବାଳି ଙ୍କ ରାଣୀଙ୍କୁ ପାଇଛ, ସେହି ଶ୍ରୀରାମଙ୍କ ସାନଭାଇ ଲକ୍ଷ୍ମଣ ତୁମ ଦ୍ଵାରକୁ ଆସିଛନ୍ତି। ଏହି କଥା ଯାଇ ତୁମ ରାଜାଙ୍କ ଆଗରେ କହ। ଏହା ଶୁଣି ଦ୍ଵାରପାଳ ପବନ ବେଗରେ ଗଲା। ଅନ୍ତଃପୁରେ ସୁଗ୍ରୀବ ଙ୍କ ଆଗରେ ସବୁ କଥା କହିଲା।କାମମଦ ମତ୍ତ ହୋଇ ବାନର ରାଜ ସେକଥା ନ ଶୁଣି ତାକୁ ଘଉଡାଇ ଦେଲା। ସୁଗ୍ରୀବ କହିଲା,ଆରେ କିଏ ଅଛ,ଏ ମୂଢକୁ ମାଡ଼ ଦେଇ ତଡି ଦିଅ।ବାନର ମାନେ ଆଜ୍ଞା ପାଇ ଦ୍ଵାରପାଳକୁ ବେକରେ ଧକ୍କା ଦେଇ ତଡି ଦେଲେ। କେହି ତାକୁ ଗୋଇଠା ମାରିଲା ତ କେହି ମୁଷ୍ଟି ପ୍ରହାର କଲା।ଆଉ କେହି ଦାନ୍ତରେ କାମୁଡ଼ିଲା ତ କେହି ତା’ର ତଣ୍ଟି ଚିପି ଦେଲା।ପ୍ରାଣ ଭୟରେ ଦ୍ଵାରପାଳ ଉଚ୍ଚ ସ୍ବରରେ ନାଦ କଲା।ସେ ଶବ୍ଦ ଶୁଣି ଅଙ୍ଗଦ କୁମାର ଧାଇଁ ଧାଇଁ ଆସି କହିଲେ,ଏ କି ଅନାଚାର କଥା।କି ଦୋଷ କଲା ଯେ ତାକୁ ପ୍ରହାର କରୁଛ? ବାନର ମାନେ କହିଲେ, ଅନ୍ତଃପୁରରେ ରାଜା ଥିଲେ, ସେଠାରେ ପହଞ୍ଚିଲା।କି ବାର୍ତ୍ତା ଦେଲା କେଜାଣି, ରାଜା କ୍ରୋଧାନ୍ୱିତ ହୋଇ ଆଜ୍ଞା ଦେଇଛନ୍ତି,ଆମେ ତାକୁ ମାଡ଼ ମାରି ତଡି ଦେଉଛୁ। ଅଙ୍ଗଦ କହିଲେ, ତାକୁ ଆଉ ମାର ନାହିଁ। ଏହା କହି ସେହି ଦ୍ଵାରପାଳ ବାନରକୁ ଆଶ୍ଵାସନା ଦେଇ ପଚାରିଲେ,କି ବାର୍ତ୍ତା କହିଥିଲୁ?ସେ କହିଲା, ସିଂହଦ୍ଵାରରେ ପ୍ରତାପୀ ଲକ୍ଷ୍ମଣ ଧନୁଶର ଧରି କ୍ରୋଧରେ ଠିଆ ହୋଇଛନ୍ତି।ତା କଥା ଶୁଣି ଅଙ୍ଗଦ କୁମାର ଧାଇଁ ଧାଇଁ ଯାଇ ସିଂହଦ୍ଵାରରେ ପହଞ୍ଚିଲେ। ଦେଖିଲେ, ଲକ୍ଷ୍ମଣ ଙ୍କ ରୂପ ଭୟାନକ ଦେଖା ଯାଉଛି। ତାଙ୍କ ଆଖି ରକ୍ତ ବର୍ଣ୍ଣ ଦେଖା ଯାଉଛି। ତାଙ୍କ ଶରୀରରେ ସୂର୍ଯ୍ୟ ସମ ତେଜଃପୁଞ୍ଜ ବିରାଜିତ। ଧନୁଶର ଧରି ସେ ଉଭା ହୋଇଛନ୍ତି। ଅତି ଉଚ୍ଚରେ ତାଙ୍କ ନିଶ୍ଵାସ ପବନ ବହୁଛି। ତାଙ୍କ ମୁହଁ କ୍ରୋଧିତ ସିଂହ ଭଳି ଦେଖା ଯାଉଛି। ଲକ୍ଷ୍ମଣଙ୍କୁ ଦେଖି ଅଙ୍ଗଦ ଙ୍କର ମନ ଭୟରେ ଆକୁଳ ହେଲା। ଲକ୍ଷ୍ମଣ କହିଲେ,ରେ ବାବୁ!ତୁ କିଛି ନ ଭାବି ଭୟ ଛାଡି ସୁଗ୍ରୀବ ଆଗରେ ଯାଇ କହ, ଲକ୍ଷ୍ମଣ ଦ୍ଵାରରେ ଉଭା ହୋଇଛନ୍ତି। ଏଥିରେ ବିଳମ୍ବ ନକରି ସେ କ’ଣ କହିଲେ ଆସି ମୋତେ କହିବ। ଲକ୍ଷ୍ମଣ ଙ୍କ କଥା ଶୁଣି ବାଳିସୂତ ଶିରରେ ହାତ ଯୋଡି ସେଠାରୁ ତୁରନ୍ତ ଗଲେ।କ’ଣ ଘଟିବ ବୋଲି ମନରେ ମହାଭୟ କରି ତାଙ୍କ ଆଖିରୁ ଶୋକରେ ଧାରଧାର ଲୁହ ବୋହିଗଲା।ସେ ମୁହଁ ଶୁଖାଇ ଅନ୍ତଃପୁରକୁ ଯାଇ କରଯୋଡି ସୁଗ୍ରୀବଙ୍କୁ କହିଲେ, ଶ୍ରୀରାମ ଙ୍କ ସାନଭାଇ ଲକ୍ଷ୍ମଣ କ୍ରୋଧରେ ଧନୁଶର ଧରି ଦ୍ଵାରରେ ଉଭା ହୋଇଛନ୍ତି। ତୁମକୁ କହିବାକୁ ମୋତେ ପଠାଇଲେ। ଯାହା ଉଚିତ ହେବ,ସେହି କାର୍ଯ୍ୟ କରନ୍ତୁ। ଏହି ସମୟରେ ଦୁଇ ଜଣ ମନ୍ତ୍ରୀ ଯାଇ ଶିରରେ କର ଦେଇ ସୁଗ୍ରୀବ ଙ୍କୁ ଜଣାଇଲେ। କହିଲେ ହେ କପିରାଜ!ଯାହାଙ୍କ ପାଇଁ ଆପଣ ରାଜ୍ଯ ସୁଖ ସମ୍ପଦ ଭୋଗ କଲେ, ଯେଉଁ ଶ୍ରୀରାମ ସତ୍ୟବ୍ରତ, ଧାର୍ମିକ ଅଟନ୍ତି, ସେହି ଶ୍ରୀରାମ ଙ୍କ ସାନଭାଇ କ୍ରୋଧରେ ଆସିଛନ୍ତି।ବିକ୍ରମ କେଶରୀ ପରି ଦ୍ଵାରରେ ରହିଛନ୍ତି। ତାଙ୍କୁ ଦେଖି ବାନର ମାନେ ଭୟରେ ପଳାୟନ କରୁଛନ୍ତି। ଅତି ଶୀଘ୍ର ଯାଇ ତାଙ୍କ କୋପ ଶାନ୍ତ କର। ବିଳମ୍ବ ହେଲେ ନିଶ୍ଚୟ ବିପତ୍ତି ମାଡ଼ି ଆସିବ। ଏହା କହି ମନ୍ତ୍ରୀ ଦୁଇ ଜଣ ନୀରବ ରହିଲେ।
ବାବାଜୀ ଚରଣ ଦାସ AKN NEWS
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର। ବର୍ତ୍ତମାନ ନୋଇଡା ରେ। *88954 84223*


