*ଆମେ କେଉଁ ଜାହାଜ ହେବା*

(AKN NEWS):ଲିଓନାର୍ଡୋ ଡି କାପ୍ରିଓ ଓ କେଟ୍ ୱିନସ୍ଲେଟ୍ ଙ୍କ ଅଭିନୀତ ଇଂରାଜୀ ଚଳଚିତ୍ର ତଥା ହିନ୍ଦୀ ରୂପାନ୍ତରର ପ୍ରଚ୍ଛଦପଟ ପ୍ରସଙ୍ଗକୁ ଅବଲୋକନ କଲେ ଜଣାଯାଏ ଯେ ଟାଇଟାନିକ ଜାହାଜ ବୁଡିବା ସମୟରେ ଆକାଶମାର୍ଗକୁ କିଛି ଗୁଳି ବର୍ଷଣ କରାଯାଇଥିଲା ଓ ଗୋଳାବାରୁଦ ନିକ୍ଷେପ କରାଯାଇଥିଲା। ଏସବୁ କରିବାର ମଧ୍ୟ ଏକ କାରଣ ଥିଲା।
ସେ ସମୟରେ ସମୁଦ୍ର ଗର୍ଭରେ କୌଣସି ଜାହାଜ ବିପଦରେ ପଡିଥିଲେ ଗୁଳି ଓ ଗୋଳାବର୍ଷଣ ଆକାଶମାର୍ଗକୁ ନିକ୍ଷେପ କଲେ ଆଖପାଖର କିଛି ଜାହାଜ ଏହାର ସଙ୍କେତ ପାଇବେ ଏବଂ ବୁଡି ଯାଉଥିବା ଜାହାଜକୁ ସହାୟ ହେବେ। ଏହି କାରଣ ହେତୁ ଟାଇଟାନିକ ଜାହାଜ ବିପଦଗ୍ରସ୍ତ ହେବା ସମୟରେ ଏପରି ସାଙ୍କେତିକ ଚିହ୍ନର ପ୍ରୟୋଗ କରାଯାଇଥିଲା। ଟାଇଟାନିକ ଜାହାଜ ବିପଦଗ୍ରସ୍ତ ହେବାର ପ୍ରାୟ ଶହେ ମିଟର ଅବଧିରେ ଏକ ଜଳଦସ୍ୟୁ ଜାହାଜ ଯାଉଥିଲା। ସେ ଉକ୍ତ ସାଙ୍କେତିକ ଶବ୍ଦକୁ ଶୁଣିଥିଲେ ମଧ୍ୟ ସାହାଯ୍ୟ କରିବାକୁ ଯାଇନଥିଲା। କାରଣ ଜଳଦସ୍ୟୁମାନେ ଧରାପଡି ଯିବାର ଭୟ ଥିଲା। ଜଳଦସ୍ୟୁ ଜାହାଜକୁ ଛାଡିଦେଲେ ପାଞ୍ଚଶହ ମିଟର ଦୂରରେ ଏକ ଜାହାଜ ଯାଉଥିଲା। ଯେଉଁଥିରେ ବିଜନେସ୍ କ୍ଲାସର ନାମିଦାମି ବିଜନେସ୍ ମ୍ୟାନ ଓ ରେପ୍ୟୁଟେଡ୍ ବ୍ୟକ୍ତିତ୍ବଗଣ ସେ ଜାହାଜରେ ସବାର ଥିଲେ। ଯେହେତୁ ରାତ୍ରିକାଳ ଓ ସମୁଦ୍ର ଗର୍ଭରେ ପର୍ବତ ଥିବାର ଆଶଙ୍କା ହେତୁ ରାତ୍ରିରେ ଉଦ୍ଧାର କରିବାକୁ ସାହାସ କରିନଥିଲା। କାରଣ ତାଙ୍କ ଜାହାଜ ବି ବିପଦଗ୍ରସ୍ତ ହେବାର ସମ୍ଭାବନା ଥିଲା। ଏଣୁ ସକାଳକୁ ଦେଖିବା କହି ସାହାଯ୍ୟ କରିବାକୁ ଏଡାଇ ଯାଇଥିଲେ। ଏ ଦୁଇଟି ଜାହାଜ ସାହାଯ୍ୟ କରିବାକୁ କୁଣ୍ଠାବୋଧ କରିଥିଲେ ମଧ୍ୟ ଆଉ ଏକ ଜାହାଜ ପାଖାପାଖି ତିନି କିଲୋମିଟର ଦୂରରେ ଯାଉଥିଲା। ଯେଉଁଥିରେ ଶ୍ରମିକ ଶ୍ରେଣୀୟ ଲୋକମାନେ ଯାଉଥିଲେ। ସେ ଏହି ସାଙ୍କେତିକ ଶବ୍ଦ ଶୁଣିବା ମାତ୍ରେ ତୁରନ୍ତ ସାହାଯ୍ୟ କରିବାକୁ ମନସ୍ଥ କରିଥିଲେ। ଏଣୁ ପାଇଲଟକୁ ଜାହାଜର ଦିଗ ପରିବର୍ତ୍ତନ କରି ବିପଦଗ୍ରସ୍ତ ଟାଇଟାନିକ ଆଡକୁ ଜାହାଜର ଗତି ବଢାଇଥିଲେ। ଉକ୍ତ ଜାହାଜଟି ଟାଇଟାନିକ ପାଖରେ ପହଞ୍ଚିବା ବେଳକୁ ଜାହାଜର ତିନିଭାଗ ଜଳମଗ୍ନ ହୋଇ ସାରିଥିଲା। ରାତିରେ ଉଦ୍ଧାର କାର୍ଯ୍ୟ ସମ୍ଭବ ନଥିଲେ ମଧ୍ୟ ବାକି ଲୋକଙ୍କ ଜୀବନ ବଞ୍ଚେଇବା ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ଏଣୁ ଲଙ୍ଗରକୁ ଧିରେଧିରେ ଟାଇଟାନିକ ପାଖକୁ ନେଇ ଘନ ଅନ୍ଧକାରରେ ଟର୍ଚ୍ଚ ଲାଇଟ୍ ମାଧ୍ୟମରେ ଜୀବିତ ଓ ମୂମୁର୍ଷୁ ମାନଙ୍କୁ ବଞ୍ଚେଇବାରେ ସଫଳ ହୋଇଥିଲେ। ଟାଇଟାନିକ୍ ର ଏଭଳି ଲୋମହର୍ଷଣକାରୀ ବିପଦଶଙ୍କୁଳ ଅବସ୍ଥାକୁ କେବଳ ଶ୍ରମିକ ଜାହାଜଟି ଦେଖିବାର ସୁଯୋଗ ପାଇଥିଲା। ଟାଇଟାନିକର ସମଗ୍ର ଭାଗ ଜଳଗର୍ଭରେ ଲୀନ ହୋଇଯିବା ପରେ ଶ୍ରମିକ ଜାହାଜ କ୍ଷତିଗ୍ରସ୍ତ ଯାତ୍ରୀଙ୍କୁ ଧରି ସେମାନଙ୍କ ଆଶୁ ଚିକିତ୍ସା ନିମନ୍ତେ ଫେରି ଆସିଥିଲା।ଏହି ଘଟଣାରୁ ଜଣାଯାଏ ଯେ ଦ୍ବିତୀୟ ଜାହାଜ ପାଖରେ ସବୁ ପ୍ରକାରର ସୁଯୋଗ ଥିଲେ ମଧ୍ୟ ସେ ସମୟକୁ ଅପେକ୍ଷା କରିଥିଲା। ଅର୍ଥାତ୍ ସକାଳ ହେବାପାଇଁ ଅପେକ୍ଷା କରିଥିଲା। କଥାରେ ଅଛି ସମୟ ଏବଂ ଜୁଆର କାହାକୁ ଅପେକ୍ଷା କରେନା। ସମୟ,ମୂହୁର୍ତ୍ତ ଓ ସୁଯୋଗ ସବୁବେଳେ ଆସେନା। ଯେତେବେଳେ ସମୟ ମୂହୁର୍ତ୍ତ ଓ ସୁଯୋଗଟିଏ ଆସୁଛି ତାର ସଦୁପଯୋଗ କରି ଉଚ୍ଚ ବିଚାର ଓ ଉଚ୍ଚ ବିବେକ ସମ୍ପନ୍ନ ହୋଇ ସାହାଯ୍ୟର ହାତ ବଢାନ୍ତୁ। ଜଳଦସ୍ୟୁ ଜାହାଜଟି ପାଖରେ ଥିଲେ ମଧ୍ୟ ଧରାପଡିଯିବା ବାହାନାରେ ଆସିନଥିଲା। ମଣିଷ ଜନ୍ମରୁ ଦସ୍ୟୁ ହୋଇ ଜନ୍ମ ହୋଇନଥାଏ। ପାରିପାର୍ଶ୍ବିକ ସ୍ଥିତି,ଅବସ୍ଥିତି ମଣିଷକୁ ଦସ୍ୟୁ ସଜାଏ। ଭଲ ମଣିଷକୁ କୁପଥରେ ଯିବାକୁ ମାର୍ଗ ଦେଖାଏ। କିନ୍ତୁ ମଣିଷ ଏମିତି ଏକ ଜୀବ ଯେ ତା ପାଖରେ ଯେତିକି ଭଲଗୁଣ ଥାଏ ସେତିକି ମନ୍ଦ ଗୁଣ ମଧ୍ୟ ଥାଏ। ବେଳେବେଳେ ଭଲଗୁଣ ସବୁ ମନ୍ଦଗୁଣକୁ କ୍ଷମା କରିଦେଇଥାଏ। ବିବେକ ବିହୀନ ମଣିଷ ମନ୍ଦଗୁଣକୁ ପରିତ୍ୟାଗ କରିପାରେନା କି ପରିତ୍ୟାଗ କରିବାର ପନ୍ଥା ଅବଲମ୍ବନ କରେନା। ମଣିଷ ଜନ୍ମ ପାଇ ଯଦି ବିବେକ ଶୂନ୍ୟ ହୋଇଯିବ ତେବେ ମଣିଷ କେବେ ବିବେକବାନ ହୋଇପାରିବ ନାହିଁ କି ତା ଉଦାରତା ଓ ଉଚ୍ଚ ବିଚାର ସମ୍ପନ୍ନ ମଣିଷ ବୋଲାଇବ ନାହିଁ। ଏଭଳି ଆଚରଣ ମଣିଷର ଜନ୍ମଗତ ଓ ବଂଶାନୁକ୍ରମିକ ପ୍ରକୃତି ବୋଲି ଧରି ନିଆଯିବ। ତୃତୀୟ ଜାହାଜ ବା ଶ୍ରମିକ ଜାହାଜ। ସେମାନେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ସମାଜର ଶେଷ ପାହାଚର ମଣିଷ ହେଲେ ମଧ୍ୟ ସେମାନଙ୍କ ଧୀମତା,ଉଦାର ବ୍ୟକ୍ତିତ୍ବ ଓ ପରୋପକାରାୟ ମନୋଭାବ ଟାଇଟାନିକର କିଛି ଲୋକଙ୍କୁ ବଞ୍ଚେଇବାକୁ ସମର୍ଥ ହୋଇଥିଲା। ଜୀବନ ଏମିତି ଏକ ଉଠାଣି ଗଡାଣି ଯାତ୍ରାପଥ। ଏ ଯାତ୍ରାରେ ମଣିଷ ଯଶ ସାଉଁଟେ,ଅପଯଶ ନିମନ୍ତ୍ରେ ଓ ମୃତ୍ୟୁର ସମ୍ମୁଖୀନ ମଧ୍ୟ ହୁଏ। ତେବେ ନିଃସ୍ବାର୍ଥପର ସାହାଯ୍ୟ ମଣିଷକୁ ଉତ୍ତମ ମଣିଷ କରି ଗଢିତୋଳେ। ପରିପକ୍ବ ଚିନ୍ତାଧାରାର ଉଜ୍ଜ୍ବଳ ମଣିଷ ହିସାବରେ ପରିଗଣିତ କରାଏ। ଏଣୁ ହେ ଆଜିର ମଣିଷମାନେ ଓ ଆମ ସାହିତ୍ୟରେ ଥିବା ସ୍ରଷ୍ଟାଗଣ ଆପଣମାନେ କେଉଁ ଜାହାଜ ହେବାକୁ ପସନ୍ଦ କରିବେ ସିଦ୍ଧାନ୍ତ କରନ୍ତୁ। ପସନ୍ଦ ନିଜସ୍ବ ବିଚାର ଉପରେ ନିର୍ଭର କରେ।
ସତ୍ୟମେବ ଜୟତେ*@ଶ୍ରୀକାନ୍ତ ପଣ୍ଡା ଡଟ୍ କମ +91 97774 74796
ବ୍ୟୁରୋ ରିପୋର୍ଟ AKN NEWS


