ଓଡିଶା ଖବର

ମନମୋହିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହେଲା ୬୧ତମ ମହାବୀର ମହୋତ୍ସବ 

ଭବାନୀପାଟଣା, ୧୪/୧୧(AKN NEWS): ସାତଦିନ ବ୍ୟାପି ମହୋତ୍ସବ ପାଳନ ସହିତ କଳାହାଣ୍ଡିର କଳା, ସଂସ୍କୃତି, ପରମ୍ପରାର ମହାସଂଗମ ପାଲଟିଥିବା ୬୧ତମ ମହାବୀର ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି। ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶାନ୍ତନୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ ଫଣିନ୍ଦମ ଦେଓ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ପୂର୍ବତନ ସଭାପତି ଜୟନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ଉପସଭାପତି ସଞ୍ଜୟ କୁମାର, ସାଧାରଣ ସଂପାଦକ ସତ୍ୟ ନାରାୟଣ ସିଂହ, ନାଟ୍ୟ ସଂପାଦକ ସୁଶାନ୍ତ ସିଂହ ପ୍ରମୁଖ ମଞ୍ଚାସୀନ ଥିଲେ। ଅନୁଷ୍ଠାନର ସାଧାରଣ ସଂପାଦକ ସତ୍ୟ ନାରାୟଣ ସିଂହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଯୁଗ୍ମ ସଂପାଦକ ସଞ୍ଜୀବ କୁମାର ସିଂହ ସଭା ପରିଚାଳନା ଓ…….. ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲାର କୃତୀ ସନ୍ତାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସର୍ବଶ୍ରେଷ୍ଠ ମହାବୀର ସମ୍ମାନ ବିଶିଷ୍ଟ କବି, ଲେଖକ ଓ ଗୀତିକାର ସତ୍ୟ ନାରାୟଣ ନାଏକଙ୍କୁ ପ୍ରଦାନ କରାଯାଇଥିବାବେଳେ ବାଲେଶ୍ୱରର ନାଟ୍ୟ ନିର୍ଦ୍ଦେଶକ ସୁସ୍ମିତା ରଣାଙ୍କୁ ରାଜ୍ୟସ୍ତରୀୟ ନାଟ୍ୟରଶ୍ମୀ ପ୍ରଫୁଲ୍ଲ ରଥ ନାଟ୍ୟ ସମ୍ମାନ, ଯୁବ କ୍ରୀଡ଼ାବିତ ଆକାଶ ମୁଣ୍ଡଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ, ନଳିନୀପ୍ରଭା ନାଏକଙ୍କୁ ପଦ୍ମା ଷଡ଼ଙ୍ଗୀ ସୁଗୃହିଣୀ ସମ୍ମାନ-୨୦୨୫ ପ୍ରଦାନ କରାଯାଇଥିଲା। ଏହାପରେ ପରେ ମହାବୀର ମଞ୍ଚରେ ଜାତୀୟ ସ୍ତରୀୟ ଲୋକନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, ପ୍ରତିଭା ଅନୁଷ୍ଠାନ, ନୂପୁର ଅନୁଷ୍ଠାନ, ସକ୍ଷମ ଏକାଡେମୀ, ନୃତ୍ୟକଳା ଅନୁଷ୍ଠାନ ଦ୍ୱାରା ବିଳମ୍ବିତ ରାତିଯାଏଁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ହଜାର ହଜାର ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଳମ୍ବିତ ରାତିଯାଏଁ ଉପଭୋଗ କରିଥିଲେ।ଧନ୍ୟବାଦ ଦେଇଥିଲେ ଉପସଭାପତି ସଂଜୟକୁମାର

ବ୍ୟୁରୋ  ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!