ସୁଭଦ୍ରା ଯୋଜନା ପାଇଁ ବୈଠକ ଅନୁଷ୍ଠିତ

ପୁରୀ ୨୯/୮(AKN NEWS): ପୁରୀ ଜିଲ୍ଲା ରେ ସରକାରଙ୍କ ଫ୍ଲାଗସିପ୍ ସୁଭଦ୍ରା ଯୋଜନା ରେ ସାମିଲ ପାଇଁ ହିତାଧିକାରୀଙ୍କ ଆବେଦନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା।ଓସୱାନ ହଲରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅଧ୍ୟକ୍ଷତା କରିବା ସହ ଜିଲ୍ଲାର ସମସ୍ତ ବିଡ଼ିଓ,ତହସିଲଦାର, ମୁନିସିପାଲ୍ଟି ,ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।ସରକାରଙ୍କ ମାର୍ଗଦର୍ଶିକାକୁ ଅନୁପାଳନ କରି ଆବେଦନକାରୀ ଙ୍କୁ ଫର୍ମ ଯୋଗାଣ, ଆବେଦନକାରୀ ଙ୍କୁ ସହଯୋଗ, ଯାଞ୍ଚ ଇତ୍ୟାଦି ପାଇଁ ବ୍ଲକ,ପୌରାଞ୍ଚଳ ଓ ଏନ ଏ ସି ମାନଙ୍କ ରେ କମିଟି ଗଠନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ପ୍ରତ୍ୟେକ ବିଡ଼ିଓ ,ପୌର ଓ ଏନ ଏ ସି ନିର୍ବାହୀ ଅଧିକାରୀ,ସିଡିପିଓ ମାନେ ମାଇକ୍ରୋ ପ୍ଲାନ ମାଧ୍ୟମରେ ଏହି ଫର୍ମ ଯେପରି ଆବେଦନକାରୀଙ୍କ ନିକଟରେ ପହଞ୍ଚିବ,ସଠିକ ଭାବେ ଆବେଦନକାରୀ ଫର୍ମ ପୂରଣ କରିବେ ସେଥିରେ ସହଯୋଗ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଆବେଦନକାରୀଙ୍କୁ ଫର୍ମ ପ୍ରଦାନ ସହ ଫର୍ମ ପୂରଣ ରେ ସହଯୋଗ କରିବେ।ପରେ ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ମାନଙ୍କ ରେ ଫର୍ମ ଅପଲୋଡ଼ କରାଯିବ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୁରୀ ପୌରପାଳିକାର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।
ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS


