ଓଡିଶା ଖବର

ନୂଆଖାଇ ଅବସରରେ ନୂତନ ବସ୍ତ୍ର ବଣ୍ଟନ

(AKN NEWS): ଗଣପର୍ବ ନୂଆଁଖାଇ ଅବସରରେ ଲୋକେ ନୂତନ ବସ୍ତ୍ର ପରିଧାନ କରି ମାଟି ମା’ ଓ ପୂର୍ବପୁରୁଷଙ୍କୁ କୃତଜ୍ଞତା ଜଣାଇ ନୂଆଁ ଖାଇଥାନ୍ତି। ତେବେ ସମସ୍ତେ ନୂତନ ବସ୍ତ୍ର କିଣିବାକୁ ସକ୍ଷମ ହୋଇ ପାରନ୍ତି ନାହିଁ ଆଉ ସେମାନଙ୍କ ମନତଳେ ଦୁଃଖଟିଏ ଅକୁହା ହୋଇ ରହିଯାଏ। ସେଭଳି ଲୋକମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ ଜାରି ରଖିଛି ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ। ଜୁନାଗଡ଼ ବ୍ଲକ ମୁଣ୍ଡରାଗୁଡ଼ା ଠାରେ ଅର୍ଗାନାଇଜେସନ ଆନୁକୂଲ୍ୟରେ ପବିତ୍ର ଗଣପର୍ବ ନୂଆଁଖାଇ ଅବସରରେ ଅମୃତ ମାତୃପିତୃ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ସମାଜର ନିଷ୍ପେଷିତ ବର୍ଗର ସହାୟତା ପାଇଁ ଉଦ୍ଦିଷ୍ଟ ଉକ୍ତ କାର୍ଯ୍ୟକ୍ରମରେ ଉମାଦେବୀ ସ୍ବୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ପଦ୍ମାବତୀ ପଟେଲ ଅଧ୍ୟକ୍ଷତା କରିଥିବା ବେଳେ ଜୁନାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ମେହେର ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ସାମାଜିକ କର୍ମୀ ବିରଜା ସାମନ୍ତରାୟ, ଉଦ୍ଧବ ଚରଣ ସାହୁ, ଯୁବ ସଂଗଠକ ପ୍ରଭାତ କୁମାର ଦାସ, ସଞ୍ଜୀବ କୁମାର ଠାକୁର, ନାରୀନେତ୍ରୀ ଗୀତା ରଣା, ପ୍ରିୟବତୀ ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନେ ନୂଆଁଖାଇର ମହତ୍ତ୍ଵ ଉପରେ ଆଲୋକପାତ କରିବା ସହ ଅର୍ଗାନାଇଜେସନର ପ୍ରୟାସକୁ ପ୍ରଶଂସା କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ସଂଗଠନ ସଂପାଦକ ଅବିନାଶ ମୁଣ୍ଡ ପରିଚାଳନା କରିଥିବା ବେଳେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଶିକ୍ଷାବିତ ବସନ୍ତ ନାଏକ, ଅତିଥି ପରିଚୟ ପ୍ରଦାନ କରିଥିଲେ ମଦନ ପଟେଲ, ଧନ୍ୟବାଦ ଅର୍ପଣ କରିଥିଲେ ଶୁଭେନ୍ଦ୍ର ବାଗ। ଏଠାରେ ପ୍ରକାଶ ଥାଉକି, ସଂଗଠନ ପକ୍ଷରୁ ୨୦୦୬ ମସିହାରୁ ପ୍ରତିବର୍ଷ ନୂଆଁଖାଇ ଅବସରରେ ବସ୍ତ୍ର ବଣ୍ଟନ କରାଯାଉଛି ଏବଂ ଚଳିତ ବର୍ଷ ମଧ୍ଯ ଗରିବ, ଅସହାୟ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!