ଓଡିଶା ଖବର

‘ଆସ ଆମେ ସ୍କୁଲ୍ ଯିବା’ ଅଭିଯାନ

ଭବାନୀପାଟଣା,(AKN NEWS):ଲାଞ୍ଜିଗଡ଼ ବ୍ଲକ୍‌ର ଭଟାଙ୍ଗପଦର ଗ୍ରାମ ପଞ୍ଚାୟତରେ ‘ଆସ ଆମେ ସ୍କୁଲ୍ ଯିବା’ ଅଭିଯାନ ପଦଯାତ୍ରା ଓ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ଭଟାଙ୍ଗପଦର ଉଚ୍ଚ ବିଦ୍ୟାଳୟ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଲାଞ୍ଜିଗଡ଼, ଆଞ୍ଚଳିକ ସାଧନ କେନ୍ଦ୍ର ଏବଂ ଗ୍ରାମ ପଞ୍ଚାୟତ ମିଳିତ ଭାବେ ମୁଖ୍ୟ ଭୂମିକା ନେଇଥିଲେ। ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ସ୍କୁଲ୍ ଛାଡ଼ିଥିବା ଓ କେବେ ସ୍କୁଲ୍‌ରେ ନାମ ଲେଖାଇନଥିବା ପିଲାମାନଙ୍କୁ ପୁଣିଥରେ ପାଠ ପଢ଼ାରେ ଫେରାଇବା ଓ ସେମାନଙ୍କ ଶିକ୍ଷାର ଅଧିକାରକୁ ନିଶ୍ଚିତ କରାଇବା।  ଏହି ସଚେତନତା ଅଭିଯାନରେ ଶିକ୍ଷକ-ଶିକ୍ଷୟିତ୍ରୀ, ସେବାମୂଳକ ସଂଗଠନ ଓ ସ୍ଥାନୀୟ ଯୁବକମାନେ ଘର ଘର ଯାଇ ତଥ୍ୟ ସଂଗ୍ରହ କରିଥିଲେ। ପରିବାର ସହ କଥା ହୋଇ, ପଢ଼ାର ପ୍ରୟୋଜନୀୟତା ବ୍ୟାପକ ଭାବରେ ଜଣାଇଲେ। ଅର୍ଥନୈତିକ ସମସ୍ୟା, ଯାତାୟାତର ଅସୁବିଧା, ସଚେତନତାର ଅଭାବ, ପରିବାରୀକ କାରଣ ଏବଂ ସାମାଜିକ ବାଧା ଏହି ସବୁକାରଣରୁ ଅନେକ ପିଲା ପଢ଼ାରୁ ବଞ୍ଚିତ ହୋଇଥିଲେ। ପ୍ରଶାସନ ସେମାନଙ୍କୁ ମୁକ୍ତ ପୁସ୍ତକ, ପୋଷାକ, ମିଡ଼-ଡେ ମିଲ୍, ରହିବା ପାଇଁ ଅତ୍ୟାଧୁନିକ ଛାତ୍ରଛାତ୍ରୀ ନିବାସ ଇତ୍ୟାଦି ସୁବିଧା ବିଷୟରେ ଜଣାଇ ପଢ଼ାପାଇଁ ଆକର୍ଷିତ କରିଥିଲେ।ପରବର୍ତ୍ତୀ ସମୟରେ, ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଋଷିଆ ମେହେର ଓ ଭଟାଙ୍ଗପଦର ଆଞ୍ଚଳିକ ସାଧନ କର୍ମୀ ମନୋଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ, ସୁଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ମୁସିଗୁଡ଼ା ଗ୍ରାମକୁ ଯାଇ ମୁସିଗୁଡ଼ାର ୯ଟି ପରିବାରର ୨୦ ଜଣ ପିଲା ସ୍କୁଲ୍‌ରୁ ବାହାରେ ଥିଲେ। ସେମାନଙ୍କୁ ସଚେତନ କରିବା ପରେ, ୧୬ ଜଣଙ୍କୁ ଭଟାଙ୍ଗପଦର ଉଚ୍ଚ ବିଦ୍ୟାଳୟରେ ନାମାଙ୍କନ କରାଗଲା ଏବଂ ଅନ୍ୟ ୪ ଜଣଙ୍କୁ ମୁକ୍ତ ବିଦ୍ୟାଳୟ ଓ ବୟସ ଅନୁଯାୟୀ ଶ୍ରେଣୀରେ ଭର୍ତ୍ତି କରାଯାଇଥିଲା। ଏହି ନାମାଙ୍କନ ଅଭିଯାନରେ ଭଟାଙ୍ଗପଦର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଲିଲିମା ମଞ୍ଜରୀ ସୁନାନି, ଶିକ୍ଷୟତ୍ରୀ ପୂର୍ଣ୍ଣିମା ଦାସ୍, ଶିକ୍ଷକ ଦୂର୍ବଦଳ ପଟେଲ, ନିଲାଞ୍ଚଳ ଭଇଁସାଲ୍, ବିଭୁଦତ୍ତ ଭୋଇ, ସମିତି ସଭ୍ୟ ରୁପେନ୍ଦ୍ର ଛତ୍ରିଆ, ସରପଞ୍ଚ ଦଶମୀ ମାଝୀ, ପୁରାତନ ଛାତ୍ର ସଂସଦର ବିଜୟ ମାଝୀ, ମଦନ ମାଝୀ, ଲାଞ୍ଜୀ ମାଝୀ ଏବଂ ଶରତ ନାଗ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!