କାର୍ତ୍ତିକ ମାହାତ୍ମ୍ୟ

(AKN NEWS):ଦେବତା ମାନେ ଭଗବାନ ଶିବ ଙ୍କୁ ଗଙ୍ଗା ଜଳରେ ସ୍ନାନ କରାଇ ତାଙ୍କ ଅଙ୍ଗରେ ଅଳଙ୍କାର ମଣ୍ଡନ କଲେ। ପୁଷ୍ପ,ଚନ୍ଦନ,ଗନ୍ଧ, ଧୂପ ଦେଇ ପଞ୍ଚ ଆଳତି କଲେ।ହୋମ ଦୀପ ଦେଇ ବନ୍ଦାପନା କଲେ।ବୃଷଭ ଶିରରେ ଅର୍ଘ୍ୟ ଦେଇ ଶିବଙ୍କୁ ସନ୍ତୋଷ କରାଇବା ପାଇଁ ସ୍ତୁତି କଲେ। ଦେବତା ମାନେ ଭଗବାନ ଶିବ ଙ୍କୁ କହିଲେ,ଦେବ ଲୋକରେ ଆପଣଙ୍କୁ ନମୋ ତ୍ରିଅମ୍ବକ କହନ୍ତି।
ନମୋ ଈଶ୍ୱର ନମୋ ଶିବ।
ତୁ ଦେବ ଦେବ ମହାଦେବ।।
ସର୍ବ ଦେବଙ୍କ ଶିରୋମଣି।
ନମୋ ଶଙ୍କର ଶୂଳପାଣି।।
ତୁ ଦେବ ଆଦି ମହେଶ୍ୱର।
ବୃଷଭ ଧ୍ଵଜେ ବିଶେଶ୍ଵର।।
ଅଖିଳ ବ୍ରହ୍ମାଣ୍ତର ମତି।
ତୋତେ ଚିନ୍ତନ୍ତି ସିଦ୍ଧ ଯତି।।
ନମସ୍ତେ ଦେବ ପଶୁପତି।
ତୁ ଦେବ ଏକା ବିଶ୍ଵମୂର୍ତ୍ତି।।
ତୋର ଚରଣେ ଯୋଗୀଜନେ।
ଶଙ୍କା ଉପେକ୍ଷି ଘୋରବନେ।।
ଅଜ୍ଞାନୀ ଜନଙ୍କୁ ତୋ ଭାବ।
କେବେ ହେଁ ନୁହଁଇ ସୁଲଭ।।
ଏ ସାଗରସୁତ ଦୈତ୍ୟ ଆମକୁ ବହୁତ ଦୁଃଖ ଦେଲା। ଆପଣଙ୍କୁ ନ ଚିହ୍ନି ମହାମୁର୍ଖ ଯୁଦ୍ଧ କଲା। ଆପଣଙ୍କ ଶ୍ରୀକରରେ ପ୍ରାଣ ଦେଲା। ଆପଣଙ୍କ ପାଇଁ ଦେବତା ମାନଙ୍କ ଦୁର୍ଗତି ଖଣ୍ଡନ ହେଲା। କେବଳ ଆପଣଙ୍କ ଶିବ ନାମ ଚିନ୍ତା କଲେ ଦୁଃଖ ଦୂର ହୁଏ।ଆଉ ଗୋଟିଏ ଦୁର୍ଲଭ କଥା ଶୁଣନ୍ତୁ। ଭଗବାନ ବିଷ୍ଣୁ ଆପଣଙ୍କ ପ୍ରିୟା ପାର୍ବତୀ ଙ୍କ କଥା ଶୁଣି ଜଳନ୍ଧର ଦୈତ୍ୟର ପୁରରେ ମାୟା ରଚନା କଲେ।ସେ କପଟରେ ଦୈତ୍ୟ ରୂପ ଧରି ଜଳନ୍ଧର ପତ୍ନୀଙ୍କୁ ହରଣ କଲେ। ତାହାର ସତୀବ୍ରତ ନାଶ କରି ପୁଣି ନିଜ ବେଶ ଧାରଣ କଲେ।ସେ ରୂପ ଦେଖି ସତୀ ବୃନ୍ଦାବତୀ ବିଷ୍ଣୁଙ୍କୁ ଶାପ ଦେଲେ। ନିଜେ ବୃନ୍ଦାବତୀ ଅନଳରେ ଝାସ ଦେଲେ। ତାହା ଦେଖି ଅନାଦି ପୁରୁଷ ବିଷାଦରେ ସ୍ତମ୍ଭୀଭୂତ ହୋଇ ବଦରୀ ସ୍ଥାନରେ ରହିଛନ୍ତି। ଏହା ବଡ଼ ଦୁଃସହ ପ୍ରମାଦ। କେମିତି ବିଷାଦ ଖଣ୍ଡିବ, ସେକଥା ଆମେ ସୁରମୁନି ଜାଣି ନାହୁଁ।ଆପଣ ଏକ ଆତ୍ମା ହୋଇ ଥିବାରୁ ବିଷ୍ଣୁ କେମିତି ତୋଷ ହୋଇ ତାଙ୍କ ମନରୁ ସନ୍ତାପ ଦୂର ହେବ ଓ ସେ ସନ୍ତୋଷରେ ନିଜ ପୁରକୁ ଗମନ କରିବେ, ତାହାର ଉପାୟ କହିବା ହୁଅନ୍ତୁ। ଏଭଳି କହି ଦେବତା ମାନେ ଈଶ୍ୱର ଙ୍କ ଚରଣରେ ନମସ୍କାର କଲେ। ଶିବ କହିଲେ,ହେ ସର୍ବ ଦେବଗଣ! ଯୋଗମାୟା ମହାମାୟାଙ୍କୁ ସ୍ତୁତି କରନ୍ତୁ,ସେ ତୁମରି ଦୁର୍ଗତି ଖଣ୍ଡନ କରିବେ। ଏପରି ଉପଦେଶ ଦେଇ ସକଳ ଶିବଗଣ ଙ୍କ ସହିତ ଭଗବାନ ଶିବ ନିଜ ଭୁବନ କପିଳାସ ରେ ବିଜେ କଲେ। ଈଶ୍ୱର ଙ୍କୁ ଦେଖି ଗଉରୀ ଅତ୍ୟନ୍ତ ସୁଖୀ ହେଲେ।ଶିବଙ୍କ ଆଜ୍ଞାରେ ଦେବତା ମାନେ ଗଙ୍ଗା ଜଳରେ ସ୍ନାନ କରି ଯୋଗମାୟା ଙ୍କୁ ସ୍ତୁତି କଲେ।ମହାଶୂନ୍ଯକୁ ଚାହିଁ ନିଜ ନିଜ ଶିରରେ ଦୁଇ ହାତ ଯୋଡି ସବୁ ଦେବତା ମାନେ ଆଦିଶକ୍ତି ଙ୍କୁ ଏକ ସଙ୍ଗେ ସ୍ତୁତି କଲେ।
ନମୋ ତ୍ରିପୁରା ମହାମାୟେ।
ତ୍ରିଗୁଣ ଲକ୍ଷଣ ଉପାୟେ।।
ମନମୋହିନୀ ମହାମାୟା।
ବିଶ୍ଵ ସମ୍ଭବା ବିଶ୍ଵ କାୟା।।
ବିଶ୍ଵ ସଂସାରେ ଅଧିକାରୀ।
ସର୍ବ ସ୍ଵରୂପା ସିଦ୍ଧେଶ୍ଵରୀ।।
ସର୍ବ ମଙ୍ଗଳା ନାମ ବହୁ।
ଆଶ୍ରିତ ଜନ ଦୁଃଖ ବହୁ।।
ଆମ୍ଭେ ତୋହର ନିଜ ଭୃତ୍ଯ।
ପ୍ରସନ୍ନ ହୁଅ ଆଦିମାତ।।
ଦେବତା ମାନଙ୍କର ଏଭଳି ସ୍ତୁତି ଯୋଗମାୟା ଯୋଗ ବଳରେ ଜାଣି ପାରିଲେ। ଆକାଶରେ ଜାଜ୍ୱଲ୍ୟମାନ ତେଜରେ ଜ୍ୟୋତିର୍ମୟୀ ଦେବୀ ଉଦୟ ହେଲେ।ଗଗନ ମଣ୍ଡଳରେ ନିର୍ଧୂମ ଅନଳ ଭଳି ବିରାଜମାନ ହେଲେ। ତାଙ୍କ ତେଜରେ ଦଶଦିଶ ବିକଶିତ ହେଲା।ସତେ ଯେମିତି ରବି ମଣ୍ଡଳର ଅଗ୍ନି କି ! ସେହିପରି ତାଙ୍କର ପ୍ରଭା ବିରାଜିତ ହେଲା। ସେହି ସ୍ଵରୂପରେ ମହାମାୟା କହିଲେ, ଦେବତା ମାନେ ଶୁଣ!ତୁମ୍ଭ ମନ କଥା ଜାଣିଲି। ଯେଉଁଥିରେ ଭଗବାନ ସନ୍ତୋଷ ପ୍ରକାଶ କରିବେ, ସେକଥା ବିଚାର କରି କହୁଛି। ସଂସାରରେ ତିନି ରୂପ ଧରି ଏହା କହି ମହାମାୟା ବିଦ୍ୟୁତ ପ୍ରାୟ ହୋଇ ଗଗନରେ ଅଦୃଶ୍ୟ ହେଲେ। ପୁଣି ଭୂମିରେ ପ୍ରବେଶ କଲେ। ତିନି ରୂପ ଧରି ମିଳିଲେ।ତ୍ରିଲୋକ ମୋହନ ତ୍ରିମୂର୍ତ୍ତି ଶାରଦା ଶ୍ରୀହରି ଶ୍ଵେତ କୁସୁମ କୃଷ୍ଣ କାନ୍ତି ଦେବତା ମାନଙ୍କ ଆଗରେ ଉଭା ହୋଇ ତିନି ପ୍ରକାର ବୀଜ ତାଙ୍କୁ ଦେଲେ।
ତିନିହେଁ ହେଲେ ତିନି ମୁଷ୍ଟି।
ହୋଇଲେ ଏଣେ ବିଷ୍ଣୁ ତୁଷ୍ଟି।।
ତାଙ୍କ ସନ୍ନିଧ୍ୟେ ନେଇ ପୁଣ।
ସନ୍ତୋଷ ହେବେ ନାରାୟଣ।।
ଏ ବୀଜ ହେବ ଯେଉଁ ବୃକ୍ଷ।
ତେଣୁ ସଂସାରେ ଜନେ ମୋକ୍ଷ।।
ଦେବଙ୍କ ମଙ୍ଗଳ ନିମନ୍ତେ।
ଏ ବନସ୍ପତି ତ୍ରିଜଗତେ।।
ହୋଇବ ସର୍ବକାମ ସିଦ୍ଧି।
ଏବେ ବିଷ୍ଣୁଙ୍କୁ ଜଣେ ବୋଧି।।
ଏମନ୍ତ କହି ଶୁଭ୍ରକେଶୀ।
ଗଲେ ଯେ ଅନ୍ତରୀକ୍ଷେ ମିଶି।।
ତହୁଁ ସଂକଳ୍ପ ସୁରମୁନି।
ତ୍ରିବନସ୍ପତି ବୀଜ ଘେନି।।
ଚଳିଲେ ନାରାୟଣ ପାଶେ।
ସେ ସଙ୍ଗେ ମହାଦେବ ଦାସେ।।
ମହାନ୍ ସନ୍ଥ ମହାଦେବ ଦାସଙ୍କ ଚରଣରେ ମୋର ଭକ୍ତିପୂତ ଶ୍ରଦ୍ଧାଂଜଳି ପ୍ରଦାନ କରୁଛି।🙏🏻🙏🏻ନାରଦ ମହାମୁନି କହିଲେ, ହେ ରାଜନ୍ ଶୁଣ! ବିଷ୍ଣୁ ଙ୍କ ସମୀପରେ ଦେବତା ମାନେ ତିନି ଦେବୀଙ୍କ ତିନି ମଞ୍ଜି ନେଇ ବୁଣିଲେ। ବିଷ୍ଣୁ ଙ୍କ ମନୋରଞ୍ଜନ କରି ମଞ୍ଜି ଉପରେ ଶୀତଳ ଜଳ ବୃଷ୍ଟି କରି ଦେବତା ମାନେ ଯେଝା ପୁରକୁ ଗମନ କଲେ।ପାଞ୍ଚ ଦିନରେ ବୃକ୍ଷ ଅଙ୍କୁର ହେଲା। ତିନି ବୃକ୍ଷର ଅପୂର୍ବ ଶୋଭା। ଦେବର୍ଷି ନାରଦ କହିଲେ, ହେ ରାଜନ୍! ଦିବ୍ୟଜ୍ଞାନରେ ତାଙ୍କ ନାମ ଶୁଣ!ସେ ବୃକ୍ଷ ସବୁ ତ୍ରିଗୁଣ ବିଧାନରେ ହେଲେ।ରଜ ଗୁଣରେ ସରସ୍ଵତୀ, ତାଙ୍କ ଅଂଶରେ ଧାତ୍ରୀ ଉତ୍ପତ୍ତି ହେଲେ। ତୁଳସୀ ସତ୍ତ୍ଵ ଗୁଣରେ ଜାତ,ସେ ଗଉରୀ ଅଂଶରେ ଉଦିତ ହେଲେ।ରମା ଙ୍କ ଅଂଶରେ ତମୋଗୁଣରେ ମାଳତୀ ଉପୁଜିଲେ। ଏହି ଭଳି ତିନି ବୃକ୍ଷ ଶୋଭା ପାଇଲେ। ବିଷ୍ଣୁ ଙ୍କ ସନ୍ନିଧ୍ୟରେ ବନସ୍ପତି ଏକୁ ଆରେକ ଅପୂର୍ବ ଶୋଭା ଧାରଣ କଲେ।
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର।
ବର୍ତ୍ତମାନ ନୋଇଡା ରେ।
Mob.: 88954 84223
ବ୍ୟୁରୋ ରିପୋର୍ଟ AKN NEWS


