ଓଡିଶା ଖବର

ଦେବଗିରୀ ସମାଜସେବା ସମ୍ମାନ ପାଇଲା ଦଣ୍ଡପାଟ ଯୁବ ସେବା ସଂଗଠନ

 ଦେବଗିରୀ ସମାଜସେବା ସମ୍ମାନ ପାଇଲା ଦଣ୍ଡପାଟ ଯୁବ ସେବା ସଂଗଠନ

କଳାହାଣ୍ଡି,(ଏକେଏନ୍ ନ୍ୟୁଜ୍): ଦଣ୍ଡପାଟ ଯୁବ ସେବା ସଙ୍ଗଠନକୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ଦେବଗିରି ସମାଜସେବା ସମ୍ମାନ ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବର ‘ବନାବାଡି ଦିନ୍’ ତଥା ଉଦଯାପନି ସମାରୋହରେ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନାରୀନେତ୍ରୀ ପ୍ରମିଳା ପଧାନ, ଯୁବ ଉଦ୍ୟୋଗୀ ଧିରେନ୍ଦ୍ର ଖେତାନ୍, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡ଼ାମାଝୀ ପ୍ରମୁଖ ଯୋଗଦେଇ ଦଣ୍ଡପାଟ ଯୁବ ସେବା ସଙ୍ଗଠନକୁ ସମ୍ମାନିତ କରିଥିଲେ। ଏଥିରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ, ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ, କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ, ଯୁଗ୍ମ ସମ୍ପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ, ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ଧର୍ମଗଡ଼ ବ୍ଲକ ବେହେରା ଗ୍ରାମରେ ଥିବା ଦଣ୍ଡପାଟ ଯୁବ ସେବା ସଙ୍ଗଠନ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା, ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ ନୂଆଖାଇରେ ନୂତନ ବସ୍ତ୍ର ବଣ୍ଟନ, ବେକାର ଯୁବକଯୁବତୀମାନଙ୍କୁ ସଂଗଠିତ ଓ ରୋଜଗାରକ୍ଷମ କରାଇବା, ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଶୀତବସ୍ତ୍ର ବଣ୍ଟନ, ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହଯୋଗ, ଲୁକ୍କାୟିତ ପ୍ରତିଭାମାନଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ, ଅସହାୟଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଣ ଆଦି ସେବାମୂଳକ କାର୍ଯ୍ୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛି। ତେଣୁ ଦଣ୍ଡପାଟ ଯୁବ ସେବା ସଙ୍ଗଠନକୁ ‘ଦେବଗିରି ସମାଜସେବା ସମ୍ମାନ’ ପ୍ରଦାନ କରାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମର୍ଯ୍ୟାଦାଜନକ ସମ୍ମାନ ଗ୍ରହଣ କରିଥିବାରୁ ଦଣ୍ଡପାଟ ଯୁବ ସେବା ସଙ୍ଗଠନକୁ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଅଭିନନ୍ଦନ ଜଣାଇଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!