ଓଡିଶା ଖବର

ନନ୍ଦ ଯେ କଲେ ଏକାଦଶୀ (ଆଜି ଏକାଦଶୀରେ ଭାଗବତ କଥା)

(AKN NEWS):ମହାମୁନୀ ଶୁକ ମରଣୋନ୍ମୁଖି ରାଜା ପରୀକ୍ଷିତଙ୍କୁ ଇନ୍ଦ୍ରଙ୍କ ଗର୍ବଗଞ୍ଜନ ଓ ସ୍ୱର୍ଗଗାଭୀ ସୁରଭିଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କୁ ଗୋବିନ୍ଦ ନାମ ପ୍ରଦାନ ଆଖ୍ୟାନ ପରେ ଶୁଣାଇବା ପାଇଁ ଚାହିଁଲେ,ବରୁଣ ପୁରରୁ ଅପହୃତ ନନ୍ଦ ରାଜାଙ୍କ ଉଦ୍ଧାର ପ୍ରସଙ୍ଗ l ଆରମ୍ଭ କରିବାକୁ ଯାଇ ସେ କହିଲେ :-

ଶୁଣ ପରୀକ୍ଷ ରାଜଋଷି l

ନନ୍ଦ ଯେ କଲା ଏକାଦଶୀ ll

ଶୁକମୁନି କହିଲେ ହେ ରାଜା ଏକଦା କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ନନ୍ଦରାୟ ଏକାଦଶୀବ୍ରତ କଲେ l ଶ୍ରୀବିଷ୍ଣୁଙ୍କ ପୂଜନ କରି ରାତ୍ରୀ ଉଜାଗର ରହି ସେ ଭୋରରୁ ଯମୁନାକୁ ସ୍ନାନ ପାଇଁ ଗଲେ l ସେଇଟା ଥିଲା ଅସୁର ମାନଙ୍କ ବେଳା l ଜଳ ରାଜା,ବରୁଣ ନନ୍ଦରାଜା ସ୍ନାନକୁ ଆସିଛନ୍ତି ଜାଣି,ତାଙ୍କର ଜଣେ ରାକ୍ଷସ ଦୂତଙ୍କୁ ପଠାଇ ତାଙ୍କୁ ନିଜ ପୁରକୁ ଘେନି ଆସିଲେ l ବରୁଣଙ୍କ ଉଦ୍ଦେଶ୍ୟ ଥିଲା ନନ୍ଦ ରାଜା ଏଠାରେ ରହିଲେ,କୃଷ୍ଣ ତାଙ୍କୁ ଖୋଜିବାକୁ ନିଶ୍ଚୟ ଆସିବେ ଏବଂ ମୁଁ ତାଙ୍କର ଦର୍ଶନ ପାଇବି l ନନ୍ଦ ବିଷ୍ଣୁଙ୍କୁ ଧ୍ୟାନ କରି ଜଳରେ ପଶିଲା ବେଳକୁ ଜଳ ରାଜାଙ୍କ ଦୂତ ଆସି ତାଙ୍କୁ ଧରି ନେଲେ l ବରୁଣ ନନ୍ଦଙ୍କୁ ନେଇ ଯଥୋଚିତ ସମ୍ମାନ ଜଣାଇ, ଦିବ୍ୟ ଆସନରେ ବସାଇ କହିଲେ :-

ବୋଇଲେ ନିସ୍ତରିଲି ଆଜ l

ଏବେ ଦେଖିବି ଦେବରାଜ ll

ନନ୍ଦ ଏପରି ହଜି ଯିବାରୁ ଗୋପରେ ଚହଳ ପଡ଼ି ଗଲା l ନନ୍ଦରାଣୀ ଆକୁଳ ହୋଇ କ୍ରନ୍ଦନ କଲେ lଏ ପଟେ ଗୋପାଳମାନେ ନନ୍ଦଙ୍କୁ ନ ଦେଖି ଯାଇ ଯମୁନା ତଟରେ ପହଞ୍ଚି ଦେଖିଲେ, ନନ୍ଦ ରାଜାଙ୍କ ଢାଳ, କଠଉ,ପାଲଟା ବସ୍ତ୍ର ସବୁ ଥୁଆ ହୋଇଛି l କିଛି ଅଘଟଣ ଆଶଙ୍କାକରି ସମସ୍ତେ ଆସି କୃଷ୍ଣଙ୍କୁ କହିଲେ l କୃଷ୍ଣ ମୃଦୁ ମୃଦୁ ହସି ଭାଇ ବଳରାମଙ୍କୁ ଚାହିଁ କହିଲେ ଆମ୍ଭ ପିତାଙ୍କୁ ବରୁଣ ଧରିନେଇଛି, ଆପଣ ଥାଆନ୍ତୁ ମୁଁ ଯାଉଛି ବରୁଣ ପୁରକୁ l ଏହା କହି ଶ୍ରୀକୃଷ୍ଣ ଯମୁନା ଜଳରେ ପଶି ନିଜର ସ୍ୱରୂପ ଧାରଣ କଲେ ଓ ଯାଇ ବରୁଣ ପୁରୀରେ ହାଜର ହେଲେ l ଜଳପତି ବରୁଣ କୃଷ୍ଣଙ୍କ ଦର୍ଶନରେ ଅତି ଆନନ୍ଦ ହୋଇ ତାଙ୍କ ପାଦ ପୂଜା କଲେ l ପ୍ରଭୁଙ୍କୁ ପାଦ୍ୟ ଅର୍ଘ୍ୟ ଓ ନାନା ଉପହାରମାନ ଦେଇ ତାଙ୍କୁ ଦିବ୍ୟ ଆସନରେ ବସାଇଲେ l ବରୁଣ ରାଜା କହିଲେ, ଆଜି ମୋର ଅହୋଭାଗ୍ୟ, ମୁଁ ଆପଣଙ୍କ ଦର୍ଶନ ଲାଭ କଲି l ମୋର ଜୀବନ ଧନ୍ୟ ହୋଇଗଲା l ମୋର ସୂତ, କୁଟୁମ୍ବ,ପୁର, ଦ୍ୱାର ସବୁକିଛି ପବିତ୍ର ହୋଇଗଲା l ବ୍ରହ୍ମା, ଶଙ୍କର ନିତ୍ୟ ଯେଉଁ ପଦକୁ ଧ୍ୟାନ କରିଥାନ୍ତି ସେ ପାଦ ମୋ’ ପୁରରେ ପଡ଼ିଛି l ଏହାପରେ ଜଳରାଜା ଯୋଡ଼ହସ୍ତ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ ! ମୁଁ ମନରେ ଅହଂକାର ବହି, ଆପଣଙ୍କୁ ଦେଖିବା ଆଶାରେ, ଆପଣଙ୍କ ପିତାଙ୍କୁ ଧରି ଆଣିଛି l ହେ କ୍ଷମା ସାଗର ! ହେ ମୁରାରୀ ! ହେ ଶରଣପଞ୍ଜର ! ମୋ ଅପରାଧ କ୍ଷମା କରନ୍ତୁ l ଏହା କହି ସେ ନିଜ ପୁରୀରେ ଲୁଚେଇ ରଖିଥିବା ନନ୍ଦ ରାଜାଙ୍କୁ ଆଣି, କୃଷ୍ଣଙ୍କ ନିକଟରେ ସମର୍ପଣ କରି କହିଲେ,”ହେ ପ୍ରଭୁ ! ତୁମ୍ଭର ତାତଙ୍କୁ ନିଅ l ମୋର ଅପରାଧ କ୍ଷମା କର”l ପିତା ନନ୍ଦରାଜଙ୍କୁ ଶ୍ରୀକୃଷ୍ଣ ସାଥିରେ ଆଣି ଗୋପପୁରରେ ପହଞ୍ଚିଲା କ୍ଷଣୀ ଅତି କୌତୁହଳୀ ହୋଇ ଗୋପାଳ ମାନେ ତାଙ୍କୁ ବେଢ଼ିଗଲେ lଗୋପାଳ ମାନେ ନନ୍ଦ ରାଜାଙ୍କୁ କହିଲେ, ତୁମର ଭାଗ୍ୟ ଟାଣ,ତୁମେ ବରୁଣପୁରରୁ ଉଦ୍ଧାର ହୋଇ ଆସିଲ l ମାତ୍ର ନନ୍ଦ ଗୋପାଳ ମାନଙ୍କୁ କହିଲେ, ଏହା ମୋର ପରମ ସୌଭାଗ୍ୟ,ମୁଁ ଦିବ୍ୟ ବରୁଣ ଭୁବନକୁ ସ୍ଵ ଚକ୍ଷୁରେ ଦେଖି ଆସିଲି l ଅଭିମାନ ଭରା କଣ୍ଠରେ ଗୋପାଳମାନେ କହିଲେ,ଶ୍ରୀକୃଷ୍ଣ ଯାହାର ପୁତ୍ର, ତାଙ୍କୁ ସିନା ଏ ସୌଭାଗ୍ୟ ମିଳିବ l ଆମ୍ଭ ଭାଗ୍ୟରେ ତାହା ଜୁଟିବ କାହୁଁ l ଆମ୍ଭ ଗତି, ମୁକ୍ତି ସବୁ ସେହି କାହ୍ନା, ଏ ଗୋକୁଳ ମଧ୍ୟ ତାହାରି ଶରଣରେ l ଗୋପାଳମାନଙ୍କ କଥା ଶୁଣି କୃଷ୍ଣ ମୃଦୁ ମୃଦୁ ହସୁଥାନ୍ତି l ମନେ ମନେ ବିଚାରୁଥାନ୍ତି, କେଡ଼େ ସରଳ ଏ ଗୋପାଳମାନେ l ମୁଁ ଏମାନଙ୍କୁ ନିଶ୍ଚୟ ବରୁଣ ପୁର ଦେଖାଇବି l ଏହା ଭାବି ସେ ପୁଣି ଗୋପାଳ ମାନଙ୍କୁ ନେଇ, ଯମୁନା ଜଳରେ ବରୁଣ ପୁରୀକୁ ଦେଖାଇଲେ l ଭାବଗ୍ରାହୀ, ତାହା ସହିତ ଗୋପାଳମାନଙ୍କୁ ମାୟା କରି ନିଜ ବୈକୁଣ୍ଠ ଭୁବନ ମଧ୍ୟ ଦେଖାଇଲେ l ଗୋପାଳମାନେ ଅତି ଆନନ୍ଦ ହେଲେ l ମାୟାଧର ମାୟା ତେଜିବାରୁ, ଗୋପାଳ ଗଣ ନିଜ ଚେତନାକୁ ଫେରି ଆସିଲେ ଓ କୃଷ୍ଣଙ୍କୁ ଆଲିଙ୍ଗନ କରି ଘରକୁ ଫେରି ଆସିଲେ l ଗୋପାଳ ମାନେ ଯାଇ ହରିମହିମା କଥା ଘରେ ଗୋପୀଙ୍କ ପାଖରେ ବଖାଣି ବସିଲେ l ଯମୁନା ଜଳରେ ଏପରି ମାୟା ଦ୍ୱାରା ଥରେ ଭକ୍ତ ଅକ୍ରୁର ବୈକୁଣ୍ଠ ଭୁବନ ଦେଖିଥିଲେ l ଶ୍ରୀ ହରିଙ୍କ ଅନୁଗ୍ରହରୁ କେବଳ ଗୋପାଳ ମାନେ ସ୍ଵଦେହରେ ଦେବ ଦୁର୍ଲଭ ବୈକୁଣ୍ଠପୁର ଦେଖିଲେ l ସେମାନେ ସେଠାରେ ଦେଖିଲେ ସର୍ବବେଦ ମୂର୍ତ୍ତିମାନ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ତୁତି କରୁଛନ୍ତି l ବ୍ୟାସକୃତ ଶ୍ରୀମଦ୍ଭାଗବତମ୍ ଅନୁସାରେ :-

ନନ୍ଦାଦୟସ୍ତୁ ତଂ ଦୃଷ୍ଟ୍ୱା ପରମାନନ୍ଦନିର୍ବୁତାଃ l

କୃଷ୍ଣମ୍ ଚ ତତ୍ରଚ୍ଛନ୍ଦୋଭି ସ୍ତୁୟମାନଂ ସୁବିସ୍ମିତା ll

!!! ଓଁ କୃଷ୍ଣମ୍ ବନ୍ଦେ ଜଗଦ୍ଗୁରୁ !!!

🙏🙏🙏

ଅର୍ଜୁନୀ

ଅର୍ଜୁନୀ ଚରଣ ବେହେରା ମୋ -7693091971

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!