ବିଦ୍ୟାଳୟର ଟଙ୍କା ହଡ଼ପ କରିଥିବା ନେଇ ପ୍ରଧାନ ଶିକ୍ଷକଙ୍କ ନାମରେ ଅଭିଯୋଗ

ବୈପାରିଗୁଡ଼ା : ୦୨/୧୦ (AKN NEWS): ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଧଳପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଟଙ୍କା ହଡ଼ପ କରିଥିବା ନେଇ ପ୍ରଧାନ ଶିକ୍ଷକ ଚାମୁରୁ ମହାନନ୍ଦଙ୍କ ନାମରେ ଏତଲା ଦେଲେ ବିଦ୍ୟାଳୟର ସଭାପତି ଓ ଶିକ୍ଷକ। ସୂଚନା ଅନୁଯାୟୀ ଧଳପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଉନ୍ନତି ମୂଳକ କାର୍ଯ୍ୟ ପାଇଁ କିଛି ଅନୁଦାନ ଆସିଥିଲା ତେବେ ସେହି ଟଙ୍କା ଖର୍ଚ୍ଚ କରିବା ନେଇ ବିଦ୍ୟାଳୟର ପରିଚାଳନା କମିଟି ଓ ଶିକ୍ଷକ ମାନଙ୍କ ମଧ୍ୟରେ ଏକ ବୈଠକ କରାଯାଇଥିଲା। ତେବେ ବିଦ୍ୟାଳୟ ମରାମତି କରିବା ନେଇ ବୈଠକରେ ଆଲୋଚନା ପରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାଜେଶ ମହୁରିଆ ଟଙ୍କା ଉଠାଇବା ପାଇଁ ଟଙ୍କା ଉଠାଣ ଭାଉଚରରେ ଦସ୍ତଖତ କରିଦେଲେ। ତେବେ ଶିକ୍ଷକ ପ୍ରଥମେ ୭୬୦୦୦ ହଜାର ଟଙ୍କା ଓ ପରେ ୨୫୦୦୦ ଟଙ୍କା ଉଠାଇଥିଲେ। ୭୬୦୦୦ ହଜାର ଟଙ୍କା ଉଠାଇ ତିନି ମାସ ବିତି ଯାଇଥିବା ବେଳେ ୨୫୦୦୦ ଟଙ୍କା ଉଠାଇ ପ୍ରାୟ ପନ୍ଦର ଦିନ ବିତି ଯାଇଛି କିନ୍ତୁ ବିଦ୍ୟାଳୟର କୌଣସି କାର୍ଯ୍ୟ ହୋଇନାହିଁ । ଏହାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଧାନ ଶିକ୍ଷକଙ୍କୁ ବାରମ୍ବାର ପଚାରିଥିବା ସତ୍ତ୍ବେ ମଧ୍ୟ ପ୍ରଧାନ ଶିକ୍ଷକ କିଛି ଉତ୍ତର ନଦେଇ ଚୁପ ରହିଥିଲେ। ବାରମ୍ବାର ପଚାରିବା ସତ୍ତ୍ବେ ମଧ୍ୟ ପ୍ରଧାନ ଶିକ୍ଷକ ଶ୍ରୀ ମହାନନ୍ଦ କିଛି ଉତ୍ତର ଦେଇନଥିବାରୁ ଟଙ୍କା ହଡ଼ପ କରିଥିବା ନେଇ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ମିଶି ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟରେ ତାଲା ପକେଇଥିଲା। ଏହାର ଖବର ପାଇ ଆଞ୍ଚଳିକ ସାଧନ କର୍ମୀ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବିଦ୍ୟାଳୟ ପରିଚାଳନା କମିଟିକୁ ତାଲା ଖୋଲିବାକୁ ଅନୁରୋଧ କରିଥିଲେ। ତାଲା ଖୋଲିବା ପରେ ପୁଣି ଏକ ଆଲୋଚନା ହୋଇଥିଲା କିନ୍ତୁ ସେଠାରେ ମଧ୍ୟ ପ୍ରଧାନ ଶିକ୍ଷକ କିଛି ଉତ୍ତର ଦେଇନଥିଲେ। ତେବେ ପ୍ରଧାନ ଶିକ୍ଷକ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହଡ଼ପ କରିଥିବା ନେଇ ଧଳପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାମୁରୁ ମହାନନ୍ଦଙ୍କ ନାମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜେଶ ମହୁରିଆ ବୈପାରିଗୁଡ଼ା ଥାନାରେ ଅଭିଯୋଗ କରିଥିବା ଜଣା ପଡ଼ିଛି। ସେହିପରି ବିଦ୍ୟାଳୟରେ କାର୍ଯ୍ୟକାରୀ ହେଉଥିବା ଆକାଉଣ୍ଡରୁ ଟଙ୍କା ଉଠାଇ ବିଦ୍ୟାଳୟ ପାଇଁ ସାମଗ୍ରୀ କିଣାକିଣି ହୋଇଥିବା ପ୍ରମାଣ ପତ୍ରରେ ମିଳିତ ଆକାଉଣ୍ଡ ହଲ୍ଡର ଶିକ୍ଷକଙ୍କ ଜାଲିଆତି ଦସ୍ତଖତ କରିଥିବା ନେଇ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସମ୍ୟରଞ୍ଜନ ପ୍ରଧାନ ନାମକ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ଏହାସହ ୧୩୮ ଜଣ ଛାତ୍ରୀଙ୍କ ସାଇକେଲ କିଣିବା ଅନୁଦାନ ମଧ୍ୟ ପ୍ରଧାନ ଶିକ୍ଷକ ହେରଫେର କରିଥିବା ସାଧାରଣରେ ପ୍ରକାଶ ପାଇଛି। ତେବେ ଏ ନେଇ ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ କରିବା ପରେ ମୋ ନାମରେ ମିଥ୍ୟା ଅଭିଯୋଗ ହୋଇଛି କରିବା ସହ ମୋର ଦେହ ଭଲ ନାହିଁ ମୁଁ ଡ଼ାକ୍ତରଖାନାରେ ଅଛି ବୋଲି ଶିକ୍ଷକ ପ୍ରକାଶ କରିଥିଲେ। ତେବେ ବିଦ୍ୟାଳୟ ପାଇଁ ଆସିଥିବା ଟଙ୍କା ସତରେ ହଡ଼ପ ହୋଇଛି ନା କେଉଁ କାମରେ ଲାଗିଛି ତାହା ଯଥାଶୀଘ୍ର ତଦନ୍ତ କରିବା ପାଇଁ ସାଧାରଣରେ ଦାବୀ ହୋଇଛି।
ବୈପାରିଗୁଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS


